ଅରୂପ କନ୍‌ଫିଡେଣ୍ଟ୍‌, ‘ଆରାମରେ ଜିତିବୁ’

ଭୁବନେଶ୍ୱର,୧୧ା୪(ବ୍ୟୁରୋ): ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ । ସଫଳତା ନେଇ ବେଶ୍‌ କନ୍‌ଫିଡେଣ୍ଟ । ଆଶା ରଖିଛନ୍ତି, ଭଲ ଭୋଟ୍‌ ବ୍ୟବଧାନରେ ଜିତିବେ । ଭରସା କରିଛନ୍ତି ଦଳର ସମସ୍ତ ବିଧାୟକ ପ୍ରାର୍ଥୀଙ୍କୁ । ରାଜନୀତିରେ ନୂଆ ହୋଇଥିବାରୁ ବିଧାୟକ ପ୍ରାର୍ଥୀଙ୍କୁ ନ ଧରି ଏକୁଟିଆ ପ୍ରଚାରକୁ ଯାଉନାହାନ୍ତି । ତାଙ୍କ ଗଣିତ ଓ ଆକଳନ କହୁଛି, ୭ଟି ଯାକ ନିର୍ବାଚନମଣ୍ଡଳୀରେ ସେ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଆଗୁଆ ରହିବେ । ମତଦାତାଙ୍କ ସହ ମିଶିବା ତାଙ୍କ ପାଇଁ ନୂଆ । ଦୀର୍ଘବର୍ଷର ପୁଲିସିଆ ଢାଞ୍ଚା ଛାଡ଼ି ନେତା ହେବାକୁ ପ୍ରୟାସ କରୁଥିବା ଜଳଜଳ ଦିଶୁଛି । ହେଲେ ଭୋଟ୍‌ ହାତେଇବାକୁ ପ୍ରତିଶ୍ରୁତିର ବର୍ଷା ନ କରି ଭରସା କରିଛନ୍ତି ନବୀନଙ୍କ ଲୋକପ୍ରିୟତା ଓ ଦଳୀୟ ସଂଗଠନକୁ । ତାଙ୍କ କହିବା କଥା ହେଲା, ଓଡ଼ିଶାବାସୀ ନବୀନ ଓ ଶଙ୍ଖକୁ ଭଲ ପାଆନ୍ତି । ନବୀନଙ୍କ ନାଁରେ ବିଜେଡି ପ୍ରାର୍ଥୀଙ୍କୁ ଭୋଟ୍‌ ଆସେ । ଏହି ନବାଗତ ରାଜନେତାଙ୍କ ସହ ଆମେ ବୁଲି ଯାଇଥିଲୁ ଜୟଦେବ ନିର୍ବାଚନମଣ୍ଡଳୀ ।

ସକାଳ ୧୦ଟା ୩୦ । ଭକ୍ତମଧୁନଗରସତି୍ଥ ଘର ଭିତରୁ ବାହାରିଲେ ଅରୂପ । ଧୋବ ଫରଫର ପଞ୍ଜାବୀ ପନ୍ଧିଥାନ୍ତି । ଲନ୍‌ରେ ଅପେକ୍ଷା କରିଥିିଲେ କିଛି ମହିଳା । ସେମାନଙ୍କ ସହ ୫/୧୦ ମିନିଟ୍ କଥା ହେଲେ । ଏପଟେ ଗାଡି ଆସି ଲାଗିଯାଇଥାଏ ଘର ସାମା୍ନରେ । ଆଲୋଚନା ସାରି ଅରୂପ ବାହାରିଲେ ବାଳକାଟୀ ଅଭିମୁଖେ । ଆଗ ସିଟରେ ବସିଥାନ୍ତି ଜଣେ ସୁରକ୍ଷା କର୍ମୀ । ପଛରେ ଅରୂପ ଆଉ ମୁଁ ।

କାର୍‌ରେ ବସିବା ମାତ୍ରେ ଫୋନ୍‌ କଲେ ଜୟଦେବର ବିଧାୟକ ପ୍ରାର୍ଥୀ ଅରବିନ୍ଦ ଢାଲିଙ୍କୁ । ଘରୁ ବାହାରି ଯାଇଥିବା ନେଇ ସୂଚନା ଦେଲେ । ଅରୂପଙ୍କ କାର୍‌ ଆଗେ ଆଗେ ଆଉ ଗୋଟିଏ କାର୍‌ରେ ତାଙ୍କର ୩/୪ ଜଣ ସହଯୋଗୀ ଥିଲେ । ଭୋଟ୍ ନେଇ ସେମିତି ଟେନସ୍‌ନ ବାରି ହେଉନଥିଲା ତାଙ୍କ ମୁଖମଣ୍ଡଳୀରେ । କଥାବାର୍ତ୍ତା ଭିତରେ ଏକାମ୍ର, ମଧ୍ୟ, ଉତ୍ତର, ଖୋର୍ଦ୍ଧା, ବେଗୁନିଆ, ଜଟଣୀ ଓ ଜୟଦେବ ସବୁ ନିର୍ବାଚନମଣ୍ଡଳୀରେ ଚିତ୍ର ବଖାଣିଲେ । କହିଲେ, ସବୁଠି ଆମର ଦମଦାର ବଧିାୟକ ପ୍ରାର୍ଥୀ ଅଛନ୍ତି । ସଂଗଠନ ବି । ବିଜେଡିକୁ ହିଁ ଲୋକେ ଭୋଟ୍‌ ଦେବେ ।

ପ୍ରାୟ ଅଧ ଘଣ୍ଟାରେ ପହଞ୍ଚିଗଲୁ ବାଳକାଟୀ ବଜାରରେ । ଶହଶହ କର୍ମୀ ଅପେକ୍ଷା କରିଥିଲେ । କାର୍‌ ଡୋର୍‌ ଖୋଲିବା ମାତ୍ରେ ଫୁଲମାଳ ଦେଇ ପାଛୋଟି ନେଲେ ଅରୂପଙ୍କୁ । କର୍ମକର୍ତ୍ତାଙ୍କ ଗହଣରେ ଉଭୟ ଅରୂପ ଓ ଢାଲି ଗଲେ ମଦନମୋହନ ମନ୍ଦିରକୁ । ମନ୍ଦିରରେ ପୂଜାର୍ଚ୍ଚନା ପରେ ଘେରିଗଲେ ସମର୍ଥକ । ଚାଲିଲା ଫୁଲମାଳ ଓ ନାରାବାଜି । କର୍ମୀ ପାଖକୁ ଆସି କଥା ହେଉଥାନ୍ତି । ସେଲ୍‌ଫି ଉଠାଉଥାନ୍ତି । ମାତ୍ର ରାଜନେତାଙ୍କ ଭଳି କୃତ୍ରିମ ଭାବଭଙ୍ଗୀ ଦେଖାଇ ପାରୁନଥିଲେ ଅରୂପ । ନିଜ ଚିରାଚରିତ ଢଙ୍ଗରେ ରୋକ୍‌ଠୋକ୍‌ କଥା ହେଉଥିଲେ ।

ବାଜା ସାଙ୍ଗକୁ ଘଣ୍ଟ ନାଦରେ କମ୍ପୁଥଲିା ବାଳକାଟୀ ବଜାର । ରାସ୍ତା ଜାମ୍‌ । ସବୁ ଗାଡ଼ିରେ ବିଜେଡି ପତାକା । କର୍ମକର୍ତ୍ତାଙ୍କ ମୁଣ୍ଡରେ ଶଙ୍ଖ ମାର୍କା ଟୋପି ଓ ବେକରେ ବିଜେଡି ଗାମୁଛା । ସଜେଇ ହୋଇ ଛିଡ଼ା ହୋଇଥିଲା ଖୋଲା ଜିପ୍‌ । ଅରୂପ ଓ ଢାଲି ଏହି ଗାଡ଼ିରେ ଚଢ଼ିବା ପରେ ଶଙ୍ଖ ମାର୍କା ଟୋପି ପିନ୍ଧିଲେ । ଆରମ୍ଭ ହେଲା ଶୋଭାଯାତ୍ରା । ଜିନ୍ଦାବାଦ୍‌… ନାରାରେ କମ୍ପିଲା ରାସ୍ତା । ବାଲିପାଟଣା କଲେଜ ସମ୍ମୁଖ ତୋଟା ପଡ଼ିଆ ଅଭିମୁଖେ ଚାଲିଲା ଶୋଭାଯାତ୍ରା । ଏହି ଶୋଭାଯାତ୍ରା ସହ ଜୟଦେବରେ ବିଜେଡି ଆରମ୍ଭ କଲା ପ୍ରଚାର ।

ବାଟ ଯାକ ବିଜେଡି କର୍ମୀ ଅପେକ୍ଷା କରି ରହିଥିଲେ । ବୁଦ୍ଧିପଡ଼ା, ଶିଶିଲୋ, ବିଶ୍ୱନାଥପୁର, ଗାରୋଡ଼ିପାଞ୍ଚଣ, ବାଲିପାଟଣା ଛକ ଦେଇ ଶୋଭାଯାତ୍ରା ଯିବାବେଳେ ସବୁଠି କର୍ମୀମାନେ ଯୋଡ଼ି ହେଉଥିଲେ ଶୋଭାଯାତ୍ରାରେ । ଯେଉଁ ଛକ ବଜାରରେ ଲୋକ ଜମା ହୋଇଥାନ୍ତି, ଢାଲି ଓ ଅରୂପ ହାତ ହଲାଇ ଅଭିବାଦନ ଜଣାଉଥାନ୍ତି । କିଛି କିଛି ଜାଗାରେ ଢାଲି କର୍ମକର୍ତ୍ତା ଓ ଚିହ୍ନା ଲୋକଙ୍କ ନାଁ ଧରି ଡାକୁଥାନ୍ତି । ମାତ୍ର କାହାରିକୁ ଚିହ୍ନି ନଥିବା ଅରୂପ କେବଳ ସ୍ମିତ ହାସ୍ୟ ଓ ହାତ ହଲାଇବାରେ ସୀମିତ ରହୁଥିଲେ ।

ଦିନ ପ୍ରାୟ ୧ଟା ପାଖାପାଖି ଅରୂପ, ଢାଲି ପହଞ୍ଚିଲେ ବାଲିପାଟଣା କଲେଜ ସମ୍ମୁଖ ତୋଟାରେ । ସେଠାରେ ଆୟୋଜିତ ହୋଇଥିଲା କର୍ମୀ ସମ୍ମିଳନୀ । ପ୍ରବଳ ଭିଡ଼ ଥିଲା । ଉଭୟ ପ୍ରାର୍ଥୀ ପହଞ୍ଚିବା ମାତ୍ରେ କର୍ମୀଙ୍କ ଉତ୍ସାହ ବଢ଼ିଯାଇଥିଲା । ବାଜା ବଜାଇ ଫୁଲ ମାଳ ଦେଇ ସ୍ୱାଗତ କରିବା ସହ ନାଚି ଉଠିଥିଲେ କର୍ମୀ । ପାଛୋଟି ନେଲେ ମଞ୍ଚକୁ । ଜୟଦେବରେ ଶଶୀଭୂଷଣ ବେହେରାଙ୍କ ଉପରେ କ୍ଷୁବ୍ଧ ଥିବା ଦଳୀୟ କର୍ମୀ ପୁଣି ଥରେ ଢାଲିଙ୍କୁ ପାଇ ବେଶ୍‌ ଉତ୍ସାହିତ ଜଣାପଡ଼ୁଥିଲେ । ମଞ୍ଚରୁ ସ୍ଥାନୀୟ ନେତାମାନେ ଢାଲି ଦାଦା ଓ ଅରୂପ ଭାଇ ଜିନ୍ଦାବାଦ୍‌ ନାରା ଦେବା ସହ ଉଭୟଙ୍କୁ ରେକର୍ଡ ଭୋଟ୍‌ରେ ଜିତାଇବୁ ଆହ୍ୱାନ ଦେଉଥିଲେ ।

ସଭାରେ ଅରୂପ ରଖିଲେ ଅତି ସଂକ୍ଷିପ୍ତ ଭାଷଣ । ତାଙ୍କ ଭାଷଣରେ ସେମିତି କିଛି ପ୍ରତିଶ୍ରୁତି କି ରାଜନୈତିକ ପ୍ରସଙ୍ଗ ନଥିଲା । ବିରୋଧୀଙ୍କୁ ବି ଟାର୍ଗେଟ କରିନଥିଲେ । କହିଲେ, ରାଜନୀତିରେ ମୁଁ ନୂଆ । ମାତ୍ର ୭/୮ ମାସ ହେବ ରାଜନୀତିକୁ ଆସିଛି । ବିଜୁ ଯୁବ ବାହିନୀ କଥା ବୁଝୁଥିଲି । ଏବେ ଲୋକସଭା ପାଇଁ ପ୍ରାର୍ଥୀ ହୋଇଛି । ଲୋକଙ୍କୁ ଚିହ୍ନିନି କିମ୍ବା ପାର୍ଟି କାମ ଜାଣିନି । ଜୟଦେବବାସୀଙ୍କ ଆତିଥ୍ୟ ଭୁଲିପାରିବିନି । କୌଣସି ପ୍ରତିଶ୍ରୁୂତି ଦେବାକୁ ଚାହେଁନି । ଆପଣମାନଙ୍କ ଆଶୀର୍ବାଦ ମାଗୁଛି । ନିର୍ବାଚିତ ହେବା ପରେ ମୁଁ ଦିଲ୍ଲୀରେ କମ୍‌, ଆପଣଙ୍କ ପାଖରେ ବେଶି ସମୟ ରହିବି ।

ଏତିକି କହିବା ପରେ ଅରୂପ ସେଠାରୁ ବିଦାୟ ନେଇ ଭୁବନେଶ୍ୱର ବାହାରିଲେ । ଯିବାବେଳେ କାର୍‌ ପାଖରେ କର୍ମୀମାନେ ଘେରି ରହିଥିଲେ । କିଛି ଖାସ୍‌ କର୍ମୀଙ୍କୁ ପ୍ରଚାର କାର୍ଡ ବାଣ୍ଟିବା ପାଇଁ ଦେଇଥିଲେ ଅରୂପ । କର୍ମୀ କହିଲେ, ଆଜ୍ଞ! ଆଉ ଥରେ ଆସନ୍ତୁ । ହଁ, ଭରି ବିଦାୟ ନେଇଥିଲେ ଅରୂପ ।