PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : CHSE ଅଫିସରେ ସମ୍ମୁଖରେ ହାତ କାଟିଲେ ଛାତ୍ରୀ, ହସ୍ପିଟାଲରେ ଭର୍ତ୍ତି
  • ||
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ଛିଣ୍ଡୁନି କଂଗ୍ରେସ ଟିକେଟ କଳି, ୧୯ ଯୁଦ୍ଧ ପୂର୍ବରୁ ବିଦ୍ରୋହ

ଭୁବନେଶ୍ୱର,୩ା୪(ବ୍ୟୁରୋ): ଟିକେଟ ବଣ୍ଟାକୁ ନେଇ କଂଗ୍ରେସରେ ଦେଖା ଦେଇଛି ଭୟାନକ ଅସନ୍ତୋଷ । ନିର୍ବାଚନ ରଣକ୍ଷେତ୍ରକୁ ଓହ୍ଳାଇବା ପୂର୍ବରୁ ଦଳ ଭିତରେ ଆରମ୍ଭ ହୋଇଯାଇଛି ବିଦ୍ରୋହ । ନେତା ଖୋଲାଖୋଲି ଦଳର ନେତୃତ୍ୱ ଉପରକୁ ଆଙ୍ଗୁଠି ଉଠାଇଛନ୍ତି । ଟିକେଟ ବିକ୍ରି ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେତିକି ନୁହେଁ, ପ୍ରାର୍ଥୀ ଟିକେଟ ପାଇ ବି ଫେରାଇ ଦେଇଛନ୍ତି । ଦଳରୁ ଇସ୍ତଫା ପର୍ବ ମଧ୍ୟ ଆରମ୍ଭ ହୋଇଛି ।

ଟିକେଟ ବଣ୍ଟାରେ ଅସନ୍ତୁଷ୍ଟ ହୋଇ କଂଗ୍ରେସ ଛାଡ଼ଛନ୍ତି ବରିଷ୍ଠ ନେତା ବିଭୁପ୍ରସାଦ ତରାଇ । ତିର୍ତ୍ତୋଲ ଆସନରୁ ବିଭୁଙ୍କୁ କଂଗ୍ରେସ ବିଧାୟକ ପ୍ରାର୍ଥୀ କରିଥିଲା । ମାତ୍ର ଆଜି ସନ୍ଧ୍ୟାରେ ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ବିଭୁ ଜଗତସିଂହପୁର ଲୋକସଭା ପାଇଁ ପ୍ରାର୍ଥୀ ହେବାକୁ ଆଶାୟୀ ଥିବାବେଳେ ତାଙ୍କୁ ତିର୍ତ୍ତୋଲରେ ବିଧିାୟକ ପ୍ରାର୍ଥୀ କରିଥିଲା କଂଗ୍ରେସ । ଏହାକୁ ନେଇ ସେ ଅସନ୍ତୁଷ୍ଟ ଥିଲେ । ଗତକାଲି ପାରାଦୀପ ପାଇଁ ବାପି ସର୍ଖେଲଙ୍କୁ ପ୍ରାର୍ଥୀ କରାଯିବା ପରେ ବିଭୁ ଆହୁରି ତାତିଛନ୍ତି । ଏଭଳି ନିଷ୍ପତ୍ତିକୁ ବିରୋଧ କରି ସେ ଦଳ ଛାଡ଼ିଛନ୍ତି । ବିଭୁ ଇସ୍ତଫା ଦେବା ପରେ ତିର୍ତ୍ତୋଲ ଆସନରେ କଂଗ୍ରେସ ନୂଆ ପ୍ରାର୍ଥୀ ସନ୍ଧାନ ଆରମ୍ଭ କରିଛି ।

ମଙ୍ଗଳବାର ରାତି ଅଧିଆ କେତେକ ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଥିଲା କଂଗ୍ରେସ । ଦଳ ଘୋଷଣା କରିଥିଲା, ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ବେଗୁନିଆରୁ ପ୍ରାର୍ଥୀ ହେବେ । ମାତ୍ର ବୁଧବାର ସକାଳୁ ପୃଥ୍ୱୀବଲ୍ଲଭ ମନା କରିଦେଲେ । କହିଲେ, ମୁଁ ନିର୍ବାଚନ ଲଢ଼ିବିନି । କଂଗ୍ରେସ ଟିକେଟକୁ ପୃଥ୍ୱୀବଲ୍ଲଭଙ୍କ ଏଭଳି ପ୍ରତ୍ୟାଖ୍ୟାନ ଦଳ ମୁହଁରେ ଶକ୍ତ ଚାପୁଡ଼ା ମାରିଛି ।

ପିପିଲିରୁ ବି ଝଟ୍‌କା ଦେଇଛନ୍ତି ଭେଟେରାନ୍‌ ଯୁଧିଷ୍ଠିର ସାମନ୍ତରାୟ । ଗତକାଲି ରାତି ଅଧରେ ତାଙ୍କୁ ପିପିଲିରୁ ପ୍ରାର୍ଥୀ ଘୋଷଣା କରିଥିଲା କଂଗ୍ରେସ । ମାତ୍ର ଏଥିରେ ସନ୍ତୁଷ୍ଟ ନାହାନ୍ତି ଯୁଧିଷ୍ଠିର । ମନ ଭିତରେ ଚାପି ରଖିଥିବା ବିଷ ଓଗାଳିଛନ୍ତି । ଦଳୀୟ କର୍ମୀଙ୍କ ବୈଠକ ଡାକି ବର୍ଷିଛନ୍ତି ରାଜ୍ୟ ନେତୃତ୍ୱ ବିରୋଧରେ । ଖୋଲାଖୋଲି କହିଛନ୍ତି, କଂଗ୍ରେସ ଟିକେଟ ପାଇଁ ଟଙ୍କା କାରବାର ହୋଇଛି । ୫ କୋଟି ଟଙ୍କାରେ ଟିକେଟ ବିକ୍ରି ହେଉଛି । ସିଧାସଳଖ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରକୁ ଆଙ୍ଗୁଠି ଉଠାଇଛନ୍ତି ଯୁଧିଷ୍ଠିର । ତେବେ ସେ ନିର୍ବାଚନ ଲଢ଼ିବେନି କି ଅନ୍ୟ ଦଳକୁ ଯିବେନି ବୋଲି କହିଛନ୍ତି । ଏବେ ପିପିଲିରେ ବିଜେଡି, ବିଜେପି ଅପେକ୍ଷା କଂଗ୍ରେସ ପାଇଁ ବଡ଼ ଚାଲେଞ୍ଜ ହୋଇଛନ୍ତି ଯୁଧିଷ୍ଠିର । ପିପିଲିକୁ ନେଇ ଦଳ ଏବେ ଚିନ୍ତାରେ ପଡ଼ିଯାଇଛି ।

ସେହିପରି ବଲାଙ୍ଗିରର ବହୁ ବରିଷ୍ଠ ନେତା ଓ କର୍ମୀ ଆଜି କଂଗ୍ରେସ ଛାଡ଼ିଛନ୍ତି । ଟିକେଟ ବଣ୍ଟନରେ ପରିବାରବାଦକୁ ଗୁରୁତ୍ୱ ଦିଆଯାଉଥିବା ଅଭିଯୋଗ କରି ସେମାନେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଦର୍ଶାଇଛନ୍ତି । ସମ୍ବଲପୁରରେ ବି ବିଦ୍ରୋହ ତେଜିଛି । ସମ୍ବଲପୁର ଲୋକସଭା ଓ ବିଧାନସଭା ଆସନରେ ପ୍ରାର୍ଥୀ ଚୟନରେ ଅସନ୍ତୁଷ୍ଟ ହୋଇଛନ୍ତି ସ୍ଥାନୀୟ କର୍ମକର୍ତ୍ତା । ବହୁ କର୍ମକର୍ତ୍ତା ରାଗରେ ଦଳରୁ ଇସ୍ତଫା ଦେଇଛନ୍ତି । ଏପଟେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ବି ଅସନ୍ତୁଷ୍ଟ ରହିଛନ୍ତି ଟିକେଟ ବଣ୍ଟାକୁ ନେଇ ।

ତୃତୀୟ ପର୍ଯ୍ୟାୟ ଭୋଟ୍‌ ପାଇଁ ଗୁରୁବାର ନାମାଙ୍କନ ଦାଖଲର ଶେଷ ଦିନ । ମାତ୍ର ଟିକେଟକୁ ନେଇ କଂଗ୍ରେସରେ କେଁ ଛିଣ୍ଡୁନି । କେଉଁ ଆସନରେ ପ୍ରାର୍ଥୀ ଚୟନ ହୋଇପାରୁନି ତ ଆଉ କେଉଁଠି ଟିକେଟ ଘୋଷଣା ପରେ ପ୍ରାର୍ଥୀ ନିର୍ବାଚନ ଲଢ଼ିବାକୁ ମନା କଲେଣି । ଟିକେଟ ବଣ୍ଟନରେ ଅସନ୍ତୁଷ୍ଟ ନେତା ଖୋଲାଖୋଲି ବିଦ୍ରୋହ ଡାକରା ଦେଲେଣି । ଏମିତି ପରିସ୍ଥିତିରେ ବୁଧବାର ସନ୍ଧ୍ୟାରେ କଂଗ୍ରେସ ସମ୍ବଲପୁର ଲୋକସଭା ସମେତ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ରୋଚକ କଥା ହେଲା, ଏହି ୯ଟି ବିଧାନସଭା ଆସନ ଭିତରୁ ସମ୍ବଲପୁର, କଟକ ସଦର ଓ ବେଗୁନିଆ ପାଇଁ ପୂର୍ବ ଘୋଷିତ ପ୍ରାର୍ଥୀଙ୍କୁ ବଦଳାଯାଇଛି । ସମ୍ବଲପୁର ଲୋକସଭା ଆସନରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ । ଗତ ନିର୍ବାଚନରେ ଏଠାରୁ ପ୍ରାର୍ଥୀ ଥିବା ବରିଷ୍ଠ ନେତା ଅମର ପ୍ରଧାନଙ୍କୁ ଦଳ ନିରାଶ କରିଛି । ତେବେ ଗତ ନିର୍ବାଚନରେ ବଲାଙ୍ଗିର ଲୋକସଭା ଆସନରୁ ପ୍ରାର୍ଥୀ ଥିବା ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କଂଗ୍ରେସ ଏଥର ସମ୍ବଲପୁରରୁ ସାଂସଦ ପ୍ରାର୍ଥୀ କରିଛି । ପୃଥ୍ୱୀବଲ୍ଲଭ ନିର୍ବାଚନ ଲଢ଼ିବାକୁ ମନା କରିବା ପରେ ବେଗୁନିଆ ଆସନରେ ଦଳ ପ୍ରଦୀପ ସାହୁଙ୍କୁ ଟିକେଟ ଦେଇଛି । ପ୍ରଦୀପ ଗତ ଥର ଆମ ଓଡ଼ିଶା ପାର୍ଟିରୁ ନିର୍ବାଚନ ଲଢ଼ି ୩୦ ହଜାରରୁ ଅଧିକ ଭୋଟ୍‌ ପାଇଥିଲେ ।

କଟକ ସଦର ବିଧାନସଭା ଆସନରେ ପୁଣି ପ୍ରାର୍ଥୀ ବଦଳିଛନ୍ତି । ଏହି ଆସନ ପାଇଁ ପ୍ରଥମେ ରତ୍ନାକର ବେହେରାଙ୍କ ନାମ ଘୋଷଣା କରାଯାଇଥିଲା । ମାତ୍ର ସ୍ୱାସ୍ଥ୍ୟଗତ କାରଣରୁ ରତ୍ନାକର ନିର୍ବାଚନ ମଇଦାନରୁ ଓହରିଯିବା ପରେ ଦଳ ଯୁବ ଚେହେରା ଭାବେ ପିସିସି ସୋସିଆଲ୍‌ ମିଡିଆ ସେଲ୍‌ ଅଧ୍ୟକ୍ଷ ଅଭିଷେକ ମହାନନ୍ଦଙ୍କୁ ପ୍ରାର୍ଥୀ କରିଛି । ଅଭିଷେକଙ୍କ ମା’ ତଥା ପୂର୍ବତନ ମହିଳା କଂଗ୍ରେସ ଅଧ୍ୟକ୍ଷା ଦିବଂଗତ ଅସୀମା ମହାନନ୍ଦ ୨୦୦୯ରେ କଟକ ସଦରରୁ ବିଧାୟକ ପ୍ରାର୍ଥୀ ଥିଲେ । ସମ୍ବଲପୁର ବିଧାନସଭା ଆସନରେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ବଦଳାଇଛି । ପ୍ରଥମେ ଅଶ୍ୱିନୀ ଗୁରୁଙ୍କୁ ଟିକେଟ ମିଳିଥିଲା । ଆଜି ତାଙ୍କ ଟିକେଟ କଟିଛି । ନୂଆ କରି ଦଳରେ ଯୋଗ ଦେଇଥିବା ଭିମ୍‌ସାରର ପୂର୍ବତନ ନିର୍ଦ୍ଦେଶକ ଡା.ଅଶ୍ୱିନୀ ପୂଜାରୀଙ୍କୁ କଂଗ୍ରେସ ଏଠାରୁ ପ୍ରାର୍ଥୀ ଘୋଷଣା କରିଛି ।

ଘସିପୁରାରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନାମ ଘୋଷଣା କରାଯାଇଛି । ତେବେ ନାଁ ଘୋଷଣା ହେବା ପୂର୍ବରୁ ଗତକାଲି ନିରଞ୍ଜନ ସେଇ ଆସନରୁ ନାମାଙ୍କନ ଭରିଛନ୍ତି । କଟକ ଚୌଦ୍ୱାର ପାଇଁ ନୂଆ ମୁହଁ ଭାବେ ଜଗଦୀଶ ମହାନ୍ତିଙ୍କୁ ଟିକେଟ ମିଳିଛି । ସେହିପରି ଜୟଦେବ ଆସନ ପାଇଁ ଆଦୌ ଚର୍ଚ୍ଚାରେ ନଥିବା ଯୁବ ସମାଜସେବୀ ସୁକାନ୍ତ ତିଆଡ଼ି ଭୋଇଙ୍କ ଭଳି ନୂଆମୁହଁକୁ ପ୍ରାର୍ଥୀ କରିଛି କଂଗ୍ରେସ । ଭୁବନେଶ୍ୱରର ମଧ୍ୟ ଓ ଉତ୍ତର ଆସନରେ ଯୁବ ଚେହେରାଙ୍କୁ କଂଗ୍ରେସ ଭରସା କରିଛି । ମଧ୍ୟ ଭୁବନେଶ୍ୱରରୁ ଛାତ୍ର କଂଗ୍ରେସର ଜାତୀୟ ସମ୍ପାଦକ ରାଜୀବ ପଟ୍ଟନାୟକ ଓ ଉତ୍ତର ଆସନରୁ ଛାତ୍ର ନେତା ଇତିଶ ପ୍ରଧାନଙ୍କୁ ଟିକେଟ ମିଳିଛି । ଚିଲିକାରେ ନବାଗତ ପ୍ରଦୀପ ସ୍ୱାଇଁଙ୍କୁ ଟିକେଟ ଦେଇଛି କଂଗ୍ରେସ ।

ମଙ୍ଗଳବାର ରାତି ଅଧିଆ କଂଗ୍ରେସ ୯ଟି ବିଧାନସଭା ଓ ୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । କଟକ ଲୋକସଭା ଆସନରେ ଭେଟେରାନ୍‌ ପଞ୍ଚାନନ କାନୁନ୍‌ଗୋ ଓ ଯାଜପୁର ଲୋକସଭା ମଇଦାନରେ ମାନସ ଜେନାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ପାରାଦୀପ ବିଧାନସଭା ଆସନରୁ ଅରିନ୍ଦମ (ବାପି) ସର୍ଖେଲ, ବାଲେଶ୍ୱରୁ ମାନସ ଦାସ ପଟ୍ଟନାୟକ, ଧର୍ମଶାଳାରୁ ସ୍ମୃତିରେଖା ପହି, ଯାଜପୁରରୁ ସନ୍ତୋଷ ନନ୍ଦ, କାମାକ୍ଷାନଗରରୁ ଭବାନୀ ଶଙ୍କର ମହାପାତ୍ର, ବଡ଼ମ୍ବାରୁ ବବି ମହାନ୍ତି, ପିପିଲି ପାଇଁ ଯୁଧିଷ୍ଠିର ସାମନ୍ତରାୟ ଓ ବେଗୁନିଆ ଲାଗି ପୃଥ୍ୱୀବଲ୍ଲଭ ପଟ୍ଟନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା କଂଗ୍ରେସ । ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ଭୋଟ୍‌ ପାଇଁ ନାମାଙ୍କନ ସରିବ । ମାତ୍ର ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଖଣ୍ଡପଡ଼ା ଓ ଖୋର୍ଦ୍ଧା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନଥିଲା କଂଗ୍ରେସ ।

ସମ୍ବନ୍ଧିତ ଖବର