୧୭ରେ କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୧୨ା୩(ବ୍ୟୁରୋ): ଦୀର୍ଘ ଦିନର କସରତ ପରେ ପ୍ରଥମ ପର୍ଯ୍ୟାୟରେ ୨୧ଟି ଲୋକସଭା ଆସନରୁ କଂଗ୍ରେସ ମାତ୍ର ୫ଟି ଆସନରେ ସହମତି କରିପାରିଛି । ସେହିପରି ୧୪୭ଟି ବିଧାନସଭା ଆସନରୁ ଦିଲ୍ଳୀରେ ପାଖାପାଖି ୬୦ଟି ବିଧାନସଭା ସିଟ୍ ବାବଦରେ ସହମତି ହୋଇଥିବା ଜଣାପଡ଼ିଛି । କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି)ରେ ମୋହର ବାଜିବା ପରେ ଏହି ତାଲିକା ଘୋଷଣା କରାଯିବ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେଉଥିବା ସିଟ୍ଗୁଡ଼ିକ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ୧୭ରେ ଚୂଡ଼ାନ୍ତ ହେବ । ୧୮ରୁ ଦଳୀୟ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ ଆରମ୍ଭ କରିବେ ବୋଲି ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ସୂଚନା ଦେଇଛନ୍ତି ।
ସୋମବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ନିଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସ୍କ୍ରିନିଂ କମିଟିର ବୈଠକରେ ଛିଣ୍ଡି ପାରିନଥିଲା ଟିକେଟ୍ ବଣ୍ଟନ ଅଙ୍କ । ପୁଣି ସକାଳେ ସକାଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରେ ବସିଥିଲା ମାରାଥନ୍ ବୈଠକ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ସିଟ୍ଗୁଡ଼ିକ ପାଇଁ ତର୍ଜମା କରାଯାଇଥିଲା । ପିସିସି ସଭାପତି ନିରଞ୍ଜନ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି, ଚିରଞ୍ଜୀବ ବିଶ୍ୱାଳଙ୍କ ସମେତ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ, ଟି. ଏସ୍ ସିଂହଦେଓ, ସମ୍ପାଦକ ଅନିଲ୍ ଚୌଧୁରୀ, ସେକ୍ ମସ୍ତାନ ଭାଲି, ରୁଦ୍ର ରାଜୁ, ଅନିଲ ଚୌଧୁରୀ, ଯୁଗ୍ମ ସମ୍ପାଦକ ଆଦିତ୍ୟ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ୫ଟି ଲୋକସଭା ଓ ପାଖାପାଖି ୬୦ଟି ବିଧାନସଭା ସିଟ୍ ପାଇଁ ସହମତି ହୋଇଥିଲା । କେବଳ ସିଇସି ମୋହର ବାଜିଲେ ସେଗୁଡ଼ିକ ବିଦ୍ଧିବଧ ଭାବେ ଘୋଷଣା କରାଯିବ ।
ପ୍ରଥମ ପର୍ଯ୍ୟାୟରେ ଲୋକସଭା ପ୍ରାର୍ଥୀ ପାଇଁ ସହମତି ହୋଇଥିବା ତାଲିକାରେ ନବରଙ୍ଗପୁର ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କ ନାମ ଚୂଡ଼ାନ୍ତ ହୋଇଥିବା ବେଳେ କଳାହାଣ୍ଡି ଲୋକସଭା ପାଇଁ ପୂର୍ବତନ ସାଂସଦ ଭକ୍ତ ଦାସଙ୍କ ପ୍ରାର୍ଥୀତ୍ୱକୁ ସବୁଜ ସଙ୍କେତ ମିଳିଛି । ସେହିପରି କୋରାପୁଟ ଲୋକସଭା ପ୍ରାର୍ଥୀ ପାଇଁ ରାୟଗଡ଼ାର ପୂର୍ବତନ ବିଧାୟକ ତଥା ସାଂସଦ ରାମଚନ୍ଦ୍ର ଉଲାକାଙ୍କ ପୁଅ ସପ୍ତଗିରି ଉଲାକା, ବଲାଙ୍ଗୀର ଲୋକସଭା ପାଇଁ ବିରୋଧୀ ଦଳ ନେତା ନରସିଂହଙ୍କ ପୁଅ ସମରେନ୍ଦ୍ର ମିଶ୍ର, ବ୍ରହ୍ମପୁର ଲୋକସଭା ପାଇଁ ଜି. ଚନ୍ଦ୍ରଶେଖର ନାଇଡ଼ୁଙ୍କ ନାମ ଆପାତତଃ ଚୂଡ଼ାନ୍ତ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ସୂଚନା ଦେଇଛନ୍ତି । ସେହିପରି ରାଜ୍ୟରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଥିବା ବିଧାନସଭା ସିଟ୍ଗୁଡ଼ିକର ପ୍ରାର୍ଥୀମାନଙ୍କ ତାଲିକା ମଧ୍ୟ ସହମତି ସରିଛି । ଯାହା କେବଳ ମୋହର ବାଜିବା ବାକି ରହିଛି ।
ଦିଲ୍ଲୀରେ ପ୍ରାର୍ଥୀ ଚୟନ ସମୟରେ ହେଉଥିବା ତର୍ଜମା ବେଳେ ଜିତବା ସମ୍ଭାବନାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିବା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ସୂଚନା ଦେଇଛନ୍ତି । ସେହିପରି କଂଗ୍ରେସ ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟକୁ ମଧ୍ୟ ଆଲୋଚନାକୁ ନିଆଯାଇଥିଲା । ଚୂଡ଼ାନ୍ତ ତାଲିକାରେ କିଛି ପୁରୁଣା ଅଭିଜ୍ଞ ମୁହଁ ସହ ନୂଆ ଓ ଯୁବପିଢ଼ିଙ୍କୁ ଦେଖିବାକୁ ମିଳିବ ବୋଲି ପ୍ରଦୀପ କହିଛନ୍ତି । ଏହା ବ୍ୟତୀତ ସମାନତାକୁ ଗୁରୁତ୍ୱ ଦେଇ ମହିଳାଙ୍କୁ ମଧ୍ୟ ସୁଯୋଗ ଦିଆଯିବ ବୋଲି ସେ କହିଛନ୍ତି ।