ଶିବସେନା ଓ ବିଜେପି ମେଣ୍ଟ ମହାଅପମିଶ୍ରଣ ନା ମହାଭୟ: କଂଗ୍ରେସ

ମୁମ୍ବାଇ,୧୯।୨: ଲୋକସଭା ନିର୍ବାଚନ ୨୦୧୯ ପୂର୍ବରୁ ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି(ବିଜେପି) ଓ ଶିବସେନା ମଧ୍ୟରେ ମେଣ୍ଟ ଓ ଆସନ ବୁଝାମଣା ପରେ କଂଗ୍ରେସ ଏବେ ଟାର୍ଗେଟ କରିଛି ଏହି ଦୁଇ ଦଳକୁ। ମେଣ୍ଟକୁ ନେଇ କଟାକ୍ଷ କରି କଂଗ୍ରେସ ନେତା ଅହମ୍ମଦ ପଟେଲ କହିଛନ୍ତି ଏହା ମହାଅପମିଶ୍ରଣ ନା ମହାଭୟ? ଏନେଇ ଅହମ୍ମଦ ପଟେଲ ଟ୍ବିଟ୍ କରି କହିଛନ୍ତି, ପୂର୍ବରୁ ବିହାର, ପରେ ମହାରାଷ୍ଟ୍ର ଆଉ ଏବେ ତାମିଲନାଡୁ ପରେ ଗୋଟିଏ ପରେ ଗୋଟିଏ ସ୍ଥାନରେ ବିଜେପି ମେଣ୍ଟ କରିବାରେ ଲାଗିଛି। ତେଣୁ ଏଠାରେ ମହାପ୍ରଶ୍ନ ହେଉଛି ଯେ ଏହା ମହାଅପମିଶ୍ରଣ ନା ମହାଭୟ?

ଉଲ୍ଲେଖନୀୟ ଯେ, ଶିବସେନା ଓ ବିଜେପି ସୋମବାର ଏକାଠି ଲୋକସଭା ନିର୍ବାଚନ ଲଢିବାର ଘୋଷଣା କରିଛନ୍ତି। ଏହି ମେଣ୍ଟ ଅନୁଯାୟୀ ବିଜେପି ୨୫ ଓ ଶିବସେନା ୨୩ ଟି ଆସନରେ ନିର୍ବାଚନ ଲଢିବେ। ଦୁଇ ଦଳ ମଧ୍ୟରେ ମେଣ୍ଟ ସମ୍ପର୍କରେ ଘୋଷଣା ପରେ ପୁଣେରେ ରାଜ୍ୟ ବିଧାନସଭରେ ବିରୋଧୀ ଦଳ ନେତା ଭିକେ ପାଟିଲ କହିଛନ୍ତି, ମୋ ପାଖରେ ସୂଚନା ରହିଛି ଶିବସେନାକୁ ବିଜେପି ପ୍ରବର୍ତ୍ତନ ନିର୍ଦେଶାଳୟର ଭୟ ଦେଖାଇ ମେଣ୍ଟ କରିବାକୁ ବାଧ୍ୟ କରିଛି। କଂଗ୍ରେସର ବରିଷ୍ଠ ନେତା କହିଛନ୍ତି ଏହି ମେଣ୍ଟ ଦର୍ଶାଉଛି ଯେ ଶାସକ ମେଣ୍ଟ ନିର୍ବାଚନ ହାରିବା ଭୟରେ ଏକାଠି ହୋଇଛନ୍ତି। ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ଅଶୋକ ଚୌହାନ କହିଛନ୍ତି ନିର୍ବାଚନୀ ମେଣ୍ଟ ‘ରାଫେଲ ଚୋର ଓ କ୍ଷମତା ଲୋଭି ଦଳଙ୍କ ମଧ୍ୟରେ ତାଳମେଳ ଅଟେ। ଶିବସେନାକୁ ମଜାଳିଆ ଢଙ୍ଗରେ ସେ କହିଛନ୍ତି ବାଘ ମଧ୍ୟ ଏବେ ନିରୁପାୟ।