କଂଗ୍ରେସରେ ଯୋଗଦେଇ ପାରନ୍ତି ଉର୍ମିଲା ମାତୋଣ୍ଡେକର

ନୂଆଦିଲ୍ଲୀ,୨୫।୩: ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡେକର ରାଜନୈତିକ ପାରି ଆରମ୍ଭ କରିପାରନ୍ତି। ଶୁଣିବାକୁ ମିଳୁଛି ଯେ ଆଗାମୀ ଦୁଇ-ତିନି ଦିନରେ ସେ କଂଗ୍ରେସରେ ଯୋଗ ଦେବାକୁ ଯାଉଛନ୍ତି। ଉର୍ମିଲା କଂଗ୍ରେସର ଉତ୍ତର ମୁମ୍ବାଇ ଲୋକସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି। କଂଗ୍ରେସ ଏହି ଆସନରୁ ବଲିଉଡର ଜଣାଶୁଣା ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କୁ ମଇଦାନକୁ ଓହ୍ଲାଇବା ନେଇ ଚର୍ଚ୍ଚା ଜୋର ଧରିଛି।
ଏହି ଆସନରେ କଂଗ୍ରେସରେ ପୂର୍ବରୁ ସାମିଲ ବିଗ ବସ ଫେମ ଶିଳ୍ପା ସିନ୍ଦେ ଓ ଅସାଓ୍ଵରୀ ଯୋଶୀ ମଧ୍ୟ ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ କିଛି ନିଷ୍ପତ୍ତି ହୋଇନାହିଁ। ୨୦୧୪ରେ ଏହି ଲୋକସଭା ଆସନରୁ କଂଗ୍ରେସର ପକ୍ଷରୁ ସଞ୍ଜୟ ନିରୁପମ ନିର୍ବାଚନ ଲଢିଥିଲେ। ବିଜେପିର ଏହି ମଜବୁତ ଆସନରେ ବିଜେପିର ଗୋପାଳ ସେଟ୍ଟୀଙ୍କ ଠାରୁ ହାରିଯାଇଥିଲେ।
ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ଅନେକ କଳାକାର ଓ ଖେଳାଳିଙ୍କୁ ସୁଯୋଗ ଦେଇଛି। କଂଗ୍ରେସ ମଧ୍ୟ ଏଥିରେ ପଛେଇ ନାହିଁ। ଦଳ ମଧ୍ୟ କଳାକାର ଓ ଚର୍ଚ୍ଚିତ ଚେହେରାଙ୍କୁ ପାର୍ଟିରେ ସାମିଲ କରାଇବାରେ ଲାଗିପଡିଛି। ୨୦୦୪ରେ ଏହି ଆସନରୁ ବଲିଉଡ ଅଭିନେତା ଗୋବିନ୍ଦା ନିର୍ବାଚନ ଲଢିଥିଲେ।