ବେକାରଙ୍କୁ ଚାକିରି ନଦେବାକୁ ଷଡ଼ଯନ୍ତ୍ର କରିଛନ୍ତି ସରକାର: କଂଗ୍ରେସ

ଭୁବନେଶ୍ୱର,୯ା୩(ବ୍ୟୁରୋ): ରାଜ୍ୟରେ ଶିକ୍ଷିତ ବେକାରଙ୍କୁ ଚାକିରୀ ନଦେବାକୁ ଷଡ଼ଯନ୍ତ୍ର କରୁଛନ୍ତି ରାଜ୍ୟ ସରକାର । ଏହି ଅଭିଯୋଗ ଆଣିଛି କଂଗ୍ରେସ । ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ କହିଛନ୍ତି, ରାଜ୍ୟରେ ଖାଲିଥିବା ୧ ଲକ୍ଷ ୩୧ ହଜାର ୫୧୮ ସରକାରୀ ପଦବି ପୂରଣ ନହେବା ପଛରେ ରହିଛି ୪୦ ହଜାର କୋଟି ଟଙ୍କାର କାରବାର । ନିର୍ବାଚନ ଆଚରଣ ବିଧି ଲାଗୁ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ହଠାତ ୧୫୬୦ ଡାକ୍ତର ପଦବି ପୂରଣ କରି ସରକାର ତାଙ୍କ ଦାୟିତ୍ୱ ସାରିଦେଲେ । ଖୋଦ୍ ମୁଖ୍ୟମନ୍ତ୍ରୀ ଓଡ଼ିଶା ନିର୍ମାଣ କନ୍କ୍ଲେଭ ଓ ଦେଶ ବିଦେଶର ବଡ଼ ବଡ଼ ସହରରେ ରୋଡ୍ ସୋ କରିବାରେ ଶହ ଶହ କୋଟି ଖର୍ଚ୍ଚ କରୁଥିବା ବେଳେ ସରକାରୀ ଚାକିରିରେ ପଦ ପୂରଣ ପାଇଁ କୌଣସି ନିଷ୍ପତ୍ତି ନ ନେବା ରାଜ୍ୟର ଲକ୍ଷ ଲକ୍ଷ ଶିକ୍ଷିତ ବେକାର ଯୁବକ ଓ ଯୁବତୀଙ୍କ ପ୍ରତି ଉପହାସ ବୋଲି ଶ୍ରୀ ନାୟକ କହିଛନ୍ତି । ଯଦି ମୁଖ୍ୟମନ୍ତ୍ରୀ ୨୦୧୯ ନିର୍ବାଚନ ବର୍ଷରେ ୧୫୬୦ ଡାକ୍ତର ନିଯୁକ୍ତି ଦେଇପାରିଲେ ତାହଲେ ୨୦୧୫ ମସିହାରେ ଡାକ୍ତର ନିଯୁକ୍ତି ଶୂନ କାହିଁକି ରହିଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ୨୦୦୮ରେ ୪୪୦ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜଣକୁ ବି କାହିଁକି ନିଯୁକ୍ତି ଦେଲେ ନାହିଁ ବୋଲି ମଧ୍ୟ ପଚାରିଛନ୍ତି । ସରକାର ଗୃହରେ ରଖିଥିବା ତଥ୍ୟ ଅନୁଯାୟୀ ସରକାରୀ ଚାକିରୀରେ ଖାଲିଥିବା ବିଭିନ୍ନ ଗ୍ରେଡ୍ ଓ ଗ୍ରାଣ୍ଟ୍ ଇନ୍ ଏଡ୍ରେ ଖାଲିଥିବା ୧୧୬୦୦ ପଦବିକୁ ମିଶାଇ ମୋଟ୍ ୧ ଲକ୍ଷ ୩୧ ହଜାର ୫୧୮ ପଦବି ପାଇଁ ରାଜକୋଷରୁ ବାର୍ଷିକ ଦରମା ଓ ଭତ୍ତା ବାବଦରେ ୯ ହଜାର କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତେ । ମୋଟାମୋଟି ଭାବେ ଗତ ୫ ବର୍ଷରେ ୪୦ ହଜାର କୋଟି ଟଙ୍କା ଦରମା ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ସୁଯୋଗ ବାବଦରେ ଖର୍ଚ୍ଚ କରିଥାନ୍ତେ । କିନ୍ତୁ ଏହା ନକରି ଉକ୍ତ ୪୦ ହଜାର କୋଟି ଟଙ୍କାକୁ ନିଜର ତଥା ନିଜ ଦଳର ପ୍ରଚାର ଓ ପ୍ରସାର ବାବଦରେ ଖର୍ଚ୍ଚ କରିଦେଲେ ବୋଲି ଶ୍ରୀ ନାୟକ ଅଭିଯୋଗ କରିଛନ୍ତି । ପ୍ରତ୍ୟେକ ବର୍ଷ ରାଜ୍ୟର ହଜାର ହଜାର ଶିକ୍ଷିତ ଓ ବେକାର ଚାକିରୀ ଆଶାରେ ରାଜ୍ୟ ବାହାରକୁ ଯାଉଥିବାବେଳେ ମୁଖ୍ୟମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିବା ଆଦୌ ଶୁଭଙ୍କର ନୁହେଁ । ଉପରୋକ୍ତ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦେଶ କଂଗ୍ରେସର ଦାବି ହେଉଛି ଯେ ତୁରନ୍ତ ଶିକ୍ଷିତ ବେକାର ଯୁବକ ଯୁବତୀଙ୍କ ଭବିଷ୍ୟତ ସହିତ ଖେଳିବା ବନ୍ଦ କରନ୍ତୁ ଏବଂ ଖାଲିଥିବା ସମସ୍ତ ସରକାରୀ ପଦବିକୁ ଯୁଦ୍ଧକାଳୀନ ଭିତିରେ ପୂରଣ କରନ୍ତୁ । ଏହି ସମ୍ମିଳନୀରେ ମୁଖପାତ୍ର ପ୍ରଶାନ୍ତ ଶତପଥୀ, ନିଶିକାନ୍ତ ମିଶ୍ର, ରଜନୀ କୁମାର ମହାନ୍ତି, ଓମ୍ ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।