ନୂଆ ମୁହଁକୁ କଂଗ୍ରେସ ଟିକେଟ

ଭୁବନେଶ୍ୱର,୨୯ା୩(ବ୍ୟୁରୋ): ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ କଂଗ୍ରେସ ଆଜି ୭ ଲୋକସଭା ଆସନ ସହ ୨୦ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଘୋଷଣା କରିଛି । ୬ଟି ଲୋକସଭା ଆସନରେ ଦଳ ପ୍ରାର୍ଥୀ ବଦଳାଇଥିବାବେଳେ ୨ଟି ଆସନରେ ମହିଳାଙ୍କୁ ଟିକେଟ ମିଳିଛି । ଲୋକସଭା ପ୍ରାର୍ଥୀ ମଧ୍ୟରୁ ୫ଜଣ ନୂଆ ମୁହଁ, ଯିଏକି ପ୍ରଥମ ଥର ନିର୍ବାଚନ ମଇଦାନକୁ ଓହ୍ଲାଇବେ । ସେହିପରି ୨୦ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ କେବଳ ୩ଟି ଆସନରେ ଦଳ ପ୍ରାର୍ଥୀଙ୍କୁ ରିପିଟ୍ କରିଛି । ବାକି ୧୭ଟି ଜାଗାରେ ପ୍ରାର୍ଥୀ ବଦଳିଛନ୍ତି । ପ୍ରାୟ ୧୬ଜଣ ନୂଆ ମୁହଁ ଏଥିରେ ରହିଛନ୍ତି ।
ତୃତୀୟ ପର୍ଯ୍ୟାୟରେ ଭୋଟ୍ ହେବାକୁ ଥିବା ସମ୍ବଲପୁର ଓ କଟକ ଲୋକସଭା ଆସନ ପାଇଁ ଦଳ ଆଜି ମଧ୍ୟ ପ୍ରାର୍ଥୀ ଘୋଷଣା କରିନାହିଁ । ସେହିପରି ଚୌଦ୍ୱାର-କଟକ, ଘସିପୁରା, ହିନ୍ଦୋଳ, କାମାକ୍ଷାନଗର, ପିପିଲି, ଚିଲିକା, ଜୟଦେବ, ମଧ୍ୟ ଭୁବନେଶ୍ୱର, ଉତ୍ତର ଭୁବନେଶ୍ୱର, ବେଗୁନିଆ, ଖୋର୍ଦ୍ଧା, ବଡ଼ମ୍ବା ଓ ଖଣ୍ଡପଡ଼ା ବିଧାନସଭା ଆସନ ବି ଲଟକିଛି ।
ପରିବାର ରାଜନୀତିରେ ଆଉ ପାଦେ ଆଗକୁ ବଢ଼ିଛି କଂଗ୍ରେସ । ବାଲେଶ୍ୱର ଲୋକସଭା ଆସନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କୁ କଗ୍ରେସ ଟିକେଟ ଦେଇଛି । ଗତ ଥର ଏହି ଆସନରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ପ୍ରାର୍ଥୀ ଥିଲେ । ଶ୍ରୀକାନ୍ତ ଦଳରୁ ବିଦା ହେବା ପରେ ଏଥର ଆସିଛନ୍ତି ନବଜ୍ୟୋତି । ଏବେ ସେ ବିଜେଡି ସାଂସଦ ରବୀନ୍ଦ୍ର ଜେନା ଓ ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଟକ୍କର ଦେବେ ।
ସେହିପରି ଭଦ୍ରକ ଲୋକସଭା ଆସନରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଅନନ୍ତ ସେଠୀଙ୍କ ଝିଅ ମଧୁସ୍ମିତା ସେଠୀଙ୍କୁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ଆଜି ଘୋଷଣା ହୋଇଥିବା ଲୋକସଭା ଆସନ ମଧ୍ୟରୁ କେବଳ କେନ୍ଦ୍ରାପଡ଼ାରେ କଂଗ୍ରେସ ୨୦୧୪ର ପ୍ରାର୍ଥୀଙ୍କୁ ପୁଣି ସୁଯୋଗ ଦେଇଛି । ଏଠାରୁ ପୁଣି ଥରେ ପ୍ରାର୍ଥୀ ହୋଇଛନ୍ତି ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ । କେନ୍ଦ୍ରାପଡ଼ା ମଇଦାନରେ ବିଜେଡିର ଅନୁଭବ ମହାନ୍ତି ଓ ବିଜେପିର ବୈଜୟନ୍ତ ପଣ୍ଡାଙ୍କୁ ମୁକାବିଲା କରିବେ ଧରଣୀଧର ।
ଢେଙ୍କାନାଳ ଲୋକସଭା ଆସନରେ ଭେଟେରାନ୍ କାମାକ୍ଷା ପ୍ରସାଦ ସିଂହଦେଓଙ୍କୁ ଦଳ ଏଥର ପ୍ରାର୍ଥୀ କରିଛି । ଗତ ଥର ଏହି ଆସନରେ କଂଗ୍ରେସରୁ ପ୍ରାର୍ଥୀ ଥିବା ସୁଧୀର ସାମଲ ଏବେ ବିଜେଡିରେ ଅଛନ୍ତି ।
ଏଥର ହାଇପ୍ରୋଫାଇଲ୍ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଥିବା ପୁରୀ ଲୋକସଭା ଆସନରେ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକଙ୍କୁ ଓହ୍ଲାଇଛି କଂଗ୍ରେସ । ବିଜେଡି ସାଂସଦ ପିନାକୀ ମିଶ୍ର ଓ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ ପୁରୀରେ ସାମ୍ନା କରିବେ ସତ୍ୟପ୍ରକାଶ । ଗତ ଥର ପୁରୀରେ ସୁଚରିତା ମହାନ୍ତିଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିଲା ।
ଜଗତସିଂହପୁର ଓ କେନ୍ଦୁଝର ଲୋକସଭା ଆସନରେ ଦଳ ନୂଆ ମୁହଁକୁ ସୁଯୋଗ ଦେଇଛି । ଜଗତସିଂହପୁରରୁ ପ୍ରତିମା ମଲ୍ଲିକ ଓ କେନ୍ଦୁଝରରୁ ଫକୀରମୋହନ ନାଏକ ପ୍ରାର୍ଥୀ ହୋଇଛନ୍ତି ।
ଆଜି ଘୋଷଣା ହୋଇଥିବା ବିଧାନସଭା ଆସନ ମଧ୍ୟରୁ ଭୋଗରାଇ, ସୁକିନ୍ଦା ଓ ପାଟକୁରାରେ ଦଳ ପ୍ରାର୍ଥୀ ବଦଳାଇ ନାହିଁ । ଭୋଗରାଇ ଆସନରେ ବରିଷ୍ଠ ସାମ୍ବାଦିକ ସତ୍ୟଶିବ ଦାସ, ସୁକିନ୍ଦାରେ ଶରତ ରାଉତ ଓ ପାଟକୁରାରେ ଜୟନ୍ତ ମହାନ୍ତିଙ୍କୁ ପୁଣି ଥରେ କଂଗ୍ରେସ ଟିକେଟ ଦେଇଛି । ବାକି ସବୁ ଆସନରେ ଦଳ ପ୍ରାର୍ଥୀ ବଦଳାଇଛି । ତେଲକୋଇରେ ଗତଥର କଂଗ୍ରେସ ପ୍ରାର୍ଥୀ ଥିବା ଧନର୍ଜୟ ସିଦ୍ଧୁ ଏବେ ବିଜେପିରେ । ତେଣୁ କଂଗ୍ରେସ ଏଠାରେ ମୋହନ ହେମ୍ବ୍ରମଙ୍କୁ ଟିକେଟ ଦେଇଛି ।
ପାଟଣାରେ ପ୍ରାର୍ଥୀ ବଦଳାଇ ଗୋପେଶ୍ୱର ନାଏକଙ୍କୁ କଂଗ୍ରେସ ଟିକେଟ ଦେଇଛି । ଗତଥର ଗୋପେଶ୍ୱର ବିଏସ୍ପି ଟିକେଟରେ ଲଢ଼ିଥିଲେ । ଯଶିପୁରରେ ମହେନ୍ଦ୍ର ନାଏକ, ଉଦଳାରେ ବେଣୁଧର ମହାପାତ୍ର, ବାରିପଦାରେ ଦାଶରଥ ସିଂହ, ବସ୍ତାରେ ବିଜନ ନାୟକ, ରେମୁଣାରେ ପ୍ରତାପ ସେଠୀ, ବାସୁଦେବପୁରରେ ଅଶୋକ ଦାସ, ଧାମନଗରରେ ଡକ୍ଟର ବିଦ୍ୟାଧର ଜେନା, ବିଞ୍ଝାରପୁରରେ ମନୋରଞ୍ଜନ ଦାସ ଓ ବରୀ ଆସନରେ ଉମେଶ ଜେନାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି ।
ଜଗତସିଂହପୁର ଲୋକସଭା ଆସନରେ ଗତ ଥର କଂଗ୍ରେସ ପ୍ରାର୍ଥୀ ଥିବା ବିଭୁପ୍ରସାଦ ତରାଇଙ୍କୁ ଦଳ ଏଥର ତିର୍ତ୍ତୋଲ ବିଧାନସଭା ମଇଦାନରେ ଓହ୍ଲାଇଛି । ମାହାଙ୍ଗାରୁ ଦେବେନ୍ଦ୍ର ସାହୁଙ୍କୁ ଟିକେଟ ମିଳିଥିବାବେଳେ ପୁରୀରେ ଯୁବ ଚେହେରା ଅରୋପ୍ରସାଦ ମିଶ୍ର ଓ ନୟାଗଡ଼ରେ ନବାଗତ ମନୋଜ ସାହୁଙ୍କୁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ବିଧାନସଭା ପ୍ରାର୍ଥୀ ତାଲିକାରେ ୨ଜଣ ମହିଳାଙ୍କୁ ସୁଯୋଗ ମିଳିଛି । ପର୍ଜଙ୍ଗ ବିଧାନସଭା ଆସନରେ ଯଶ୍ୱସିନୀ ରାଉତ ଓ ନିଆଳିରେ ମମତା ଭୋଇଙ୍କୁ କଂଗ୍ରେସ ଟିକେଟ ଦେଇଛି ।
ଆଜିକୁ ମିଶାଇ କଂଗ୍ରେସ ମୋଟ ୧୫ଟି ଲୋକସଭା ଆସନ ଓ ୧୧୧ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ୭ଟି ବିଧାନସଭା ଆସନ ଓ ୩ଟି ଲୋକସଭା ଆସନ ସହଯୋଗୀ ଦଳ ପାଇଁ ଛାଡ଼ିବାକୁ ଦଳ ଘୋଷଣା କରିଛି । ଅର୍ଥାତ୍ କଂଗ୍ରେସ ଆହୁରି ୩ଟି ଲୋକସଭା ଆସନ ଓ ୨୯ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିବାକୁ ବାକି ଅଛି ।