‘ହ୍ୱାଏ ଆଇ କିଲ୍ଡ ଗାନ୍ଧୀ’; ‘ କାହିଁକି ମୁଁ ଗାନ୍ଧୀଙ୍କୁ ମାରିଲି’ ଚଳଚ୍ଚିତ୍ରକୁ ନେଇ ବିବାଦ, ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଲା କଂଗ୍ରେସ, ପ୍ରତିବନ୍ଧକ ଲଗାଇବାକୁ ଦାବି

pic- amarujala.com
ମୁମ୍ୱାଇ,୨୪/୦୧: ‘ହ୍ୱାଏ ଆଇ କିଲ୍ଡ ଗାନ୍ଧୀ’ ଚଳଚ୍ଚିତ୍ରକୁ ନେଇ ମହାରାଷ୍ଟ୍ରରେ ଆରମ୍ଭ ହୋଇଛି ରାଜନୀତି। କଂଗ୍ରେସ ଏହି ଚଳଚ୍ଚିତ୍ରକୁ ବିରୋଧ କରିବା ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ରାଜ୍ୟରେ ଓ ଓଟିଟି ପ୍ଲାଟଫର୍ମରେ ‘ହ୍ୱାଏ ଆଇ କିଲ୍ଡ ଗାନ୍ଧୀ’ ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଦାବି କରିଛନ୍ତି। ଏହି ଚଳଚ୍ଚିତ୍ର ରାଥୁରାମ ଗୋଡ଼ସେଙ୍କ ଉପରେ ଆଧାରିତ। ଯିଏ କି ଜାତିର ପିତା ମହତ୍ମା ଗାନ୍ଧୀଙ୍କୁ ଗୁଳି କରି ହତ୍ୟା କରିଥିଲେ।
ରାଜ୍ୟ କଂଗ୍ରେସ କମିଟି ଅଧ୍ୟକ୍ଷ ନାନା ପଟେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏହି ଚଳଚ୍ଚିତ୍ର ବ୍ୟାନ କରିବା ପାଇଁ ଚିଠି ଲେଖିଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ ୧୯୪୮ ମସିହା ଜାନୁଆରୀ ୩୦ ତାରିଖରେ ଫାସିବାଦୀ ନାଥୁରାମ ଗୋଡ଼ସେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲେ। ଚଳଚ୍ଚିତ୍ର ନିର୍ମାତା ଗାନ୍ଧୀଙ୍କ ହତ୍ୟାକୁ ସମର୍ଥନ କରି ୨୦୨୨ ଜାନୁଆରୀ ୩୦ ତାରିଖରେ ଏହି ଚଳଚ୍ଚିତ୍ର ରିଲିଜ୍ କରିବା ପାଇଁ ପ୍ରୟାସ କରୁଛନ୍ତି । ସୂଚନା ଯୋଗ୍ୟ, ଏହି ଦିନ ଗାନ୍ଧିଜୀଙ୍କୁ ନାଥୁରାମ ଗୁଳି କରି ହତ୍ୟା କରିଥିଲେ।
ନାନା ପଟେଲେ ଏହି ଚିଠିରେ ଆହୁରି ଲେଖିଛନ୍ତି ଯେ କୌଣସି ଘୃଣ୍ୟ ତଥା ଅମାନୁଷିକ କାର୍ଯ୍ୟକୁ ପ୍ରତ୍ସହନ ଦେବା ଭାରତୀୟ ସଂସ୍କୃତି ବିରୋଧରେ ଯାଉଛି। ତେଣୁ ଏହି ଚଳଚ୍ଚିତ୍ର ରାଜ୍ୟର ଯେକୌଣସି ସିନେମାହଲ୍ ଏବଂ OTT ରେ ପ୍ରଦର୍ଶିତ କରାଯିବା ଉଚିତ୍ ନୁହେଁ। ଏହା ଉପରେ ପ୍ରତିବନ୍ଧକ ଲଗାଇବାକୁ କଂଗ୍ରେସ ଦଳ ଦାବି କରିଛି ବୋଲି ପଟେଲେ କହିଛନ୍ତି।