ବାପା ନଡାକିବାରୁ ଦେଢ ବର୍ଷର ଝିଅକୁ ସିଗାରେଟ୍ ଚେଙ୍କ, ଅଭିଯୁକ୍ତ କନଷ୍ଟେବଳ ଗିରଫ

ଛତିଶଗଡ,୩୧।୧୦: ବାପା ନଡାକିବାରୁ ୩ ଦେଢ ବର୍ଷ ଶିଶୁକନ୍ୟାକୁ ସିଗାରେଟ୍ ଚେଙ୍କ। ଏଭଳି ଏକ ଅମାନବୀୟ କାଣ୍ଡ  ଘଟାଇଛନ୍ତି ବାଲୋଦ ଜିଲ୍ଲାର ଜଣେ  କନଷ୍ଟେବଳ ଅବିନାଶ ରାୟ। ଅବିନାଶ ଶିଶୁଟିର ବିଭିନ୍ନ ସ୍ଥାନକୁ ସିଗାରେଟ୍‌ରେ ଚେଙ୍କ ଦେଇ ଜଳାଇ ଦେଇଛି। ପୋଲିସ ଅଭିଯୁକ୍ତକୁ ଗିରଫ କରିନେଇଛି। ବାଲୋଦ ଜିଲ୍ଲା ପୋଲିସ ଅଧିକାରୀ ଶନିବାର କହିଛନ୍ତି, ପୋଲିସ କନଷ୍ଟେବଳ ଅବିନାଶ ରାୟଙ୍କୁ ଗିରଫ କରିଦିଆଯାଇଛି। ଅବିନାଶ ଗତ ଗୁରୁବାର ଦେଢ ବର୍ଷର ଏକ ଝିଅକୁ ସିଗାରେଟ୍ ଚେଙ୍କ ଦେବା ସହ ନିସ୍ତୁକ ମାଡ ମାରିଛି।  ଘଟଣା ପରେ ଅବିନାଶ ଫେରାର ହୋଇଯାଇଥିଲା। ମହିଳାଙ୍କର ଅଭିଯୋଗରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।

ଅବିନାଶ କିଛି ଦିନ ତଳେ ବଲୋଦ ଥାନାରେ ନିଯୁକ୍ତ ହୋଇଥିଲା ଓ ଏହି ସମୟରେ ସହରର ସିଭନିରେ ଜଣେ ମହିଳାଙ୍କ ଘରେ ଭଡାରେ ରହୁଥିଲା। ମହିଳାଜଣଙ୍କର ସ୍ବାମୀ ନାଗପୁରରେ ରୁହନ୍ତି। ମହିଳା ଜଣକ ଅବିନାଶଠାରୁ କିଛି ଟଙ୍କା ଉଦ୍ଧାରରେ ନେଇଥିଲେ ଓ ଏହି ମାସ ୨୪ ତାରିଖରେ ସେ ମହିଳାଙ୍କଠାରୁ ଟଙ୍କା ନେବାକୁ ଆସିଥିଲା। ମହିଳାଙ୍କ ଅଭିଯୋଗ ଅନୁସାରେ, ଗୁରୁବାର ରାତିରେ ଅବିନାଶ ତାଙ୍କ ଝିଅକୁ କହିଥିଲା ବାପା ଡାକିବାକୁ। ଝିଅ ଏଭଳି ନକହିବାରୁ ସେ ସିଗାରେଟରେ  ଝିଅର ହାତ, ପେଟ ସହିତ ବିଭିନ୍ନ ସ୍ଥାନରେ ସିଗାରେଟ୍ ଚେଙ୍କ ଦେବା ସହ ତାଙ୍କୁ ମାରପିଟ୍ କରିସେଠାରୁ ଫେରାର ହୋଇଯାଇଥିଲା।