କନଷ୍ଟେବଳଙ୍କୁ ମହଙ୍ଗା ପଡିଲା ପରକୀୟା ପ୍ରୀତି: ଅବିବାହିତ କହି ଯୁବତୀଙ୍କ ସହ ରଖିଥିଲେ ଶାରୀରିକ ସମ୍ପର୍କ, ଫେରାର କର୍ମଚାରୀକୁ ବାନ୍ଧିଲା ପୁଲିସ୍

ରେମୁଣା,୨୭/୧୧: ରେମୁଣା ଥାନାର ଜଣେ ବିବାହିତ ପୁଲିସ କର୍ମଚାରୀ ନିଜକୁ ଅବିବାହିତ କହି ପରିକୀୟାରେ ଲିପ୍ତଥିବା କଥା ଲୋକଲୋଚନକୁ ଆସିବା ପରେ ସଂପୃକ୍ତ ଯୁବତୀ ଥାନାରେ ମାମଲା ରୁଜୁ କରିଥିଲେ । ସେହିଦିନଠାରୁ କନଷ୍ଟେବଳ ଫେରାର ଥିଲେ। ବିଳମ୍ବିତ ରାତ୍ରିରେ ବାଲେଶ୍ୱର ଡିଆଇବି ଆଇଆଇସି ମୋନାଲିସା କର ଗିରଫ କରିବାରେ ସଫଳ ହୋଇଛନ୍ତି।

ପୁଲିସ ସୂଚନା ଅନୁଯାୟୀ, ଦୀର୍ଘ ୨ ବର୍ଷ ଧରି ମୟୂରଭଞ୍ଜର ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ କନଷ୍ଟେବଳ ଦୈହିକ ସମ୍ପର୍କ ରଖିଥିଲେ । ମାତ୍ର ଯୁବତୀ ଜଣକ ବିବାହ କରିବାକୁ କହୁଥିବା କାରଣରୁ ସେ ଦିନ ଗଡ଼ାଇ ଗଡ଼ାଇ ଚାଲିଥିଲେ । ଏପରିକି ଉକ୍ତ ଯୁବତୀ ସେ ବିବାହିତ ବୋଲି ଜାଣିପାରିଥିଲେ । ପରେ ରେମୁଣା ଥାନାକୁ ଆସି ଉକ୍ତ ଯୁବକ ବିରୋଧରେ ଏତଲା ଦାୟର କରିଥିଲେ । ଇତିମଧ୍ୟରେ ସମ୍ପୃକ୍ତ କନଷ୍ଟେବଳ ପଦ୍ମନ ସାଉଁଟା କୋରାପୁଟ ଜିଲ୍ଲାର କାକିରିଗୁମା ଥାନାକୁ ବଦଳ ହୋଇଯାଇଥଲେ । ଏ ନେଇ ଯୁବତୀ ଜଣକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଓ ପୂର୍ବାଞ୍ଚଳ ଆଇଜିଙ୍କୁ ବାରମ୍ବାର ଭେଟି ଥିଲେ । ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏଥିରେ ହସ୍ତକ୍ଷେପ କରି ଉକ୍ତ ମାମଲାକୁ ଡିଆଇବିର ଆଇଆଇସି ମୋନାଲିସା କରଙ୍କୁ ଦାୟିତ୍ୱ ଦେଇଥିଲେ । ଆଇଆଇସି ଶ୍ରୀମତୀ କର ଉକ୍ତ ଯୁବକକୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । ଗିରଫ କନଷ୍ଟେବଳ ପଦ୍ମନ ସାଉଁଟାଙ୍କୁ କେସ ନଂ ୧୬୩/୨୦ରେ ଗୁରୁବାର କୋର୍ଟ ଚାଲାଣ କରାଯାଇଛି ।