ରାଜଧାନୀର ରାଜରାସ୍ତାରେ ହାବିଲଦାରଙ୍କ ଦବଙ୍ଗଗିରି, ଆନ୍ଦୋଳନକାରୀଙ୍କ ମୁଣ୍ଡରେ ଲଗାଇଲେ ପିସ୍ତଲ

ଭୁବନେଶ୍ୱର,୧୯ ।୪(ବ୍ୟୁରୋ): ରାଜଧାନୀର ରାଜରାସ୍ତାରେ କମିଶନରେଟ୍‌ ପୁଲିସର ଦବଙ୍ଗଗିରି । ରାସ୍ତାରୋକ ହଟାଇବାକୁ ଯାଇ ଜଣେ ହାବିଲଦାର ଆନ୍ଦୋଳନକାରୀଙ୍କୁ ସର୍ଭିସ ପିସ୍ତଲ ଦେଖାଇ ସଫା କରି ଦେବାକୁ ଧମକଚମକ ଦେଇଛନ୍ତି । ପୂରା ସିନେମା ଷ୍ଟାଇଲ୍‌ରେ ଲୋକଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ଭୟଭୀତ କରିଛନ୍ତି । ଆଜି ଏଭଳି ଘଟଣା ଘଟିଛି ନୂଆପଲ୍ଲୀ ଥାନା ଅନ୍ତର୍ଗତ ଜୟଦେବବିହାର ଛକରେ । ଏହା ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି । ବିଚ୍‌ ରାସ୍ତାରେ ହାବିଲଦାରଙ୍କ ଏଭଳି କାଣ୍ଡର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ଡିସିପି ଅନୁପ ସାହୁ ।
ଘଟଣାରୁ ଜଣାଯାଇଛି, ଦୀର୍ଘଦିନ ଧରି ଦରମା ପାଇ ନଥିବା ବିଏମ୍‌ସି ସଫେଇ କର୍ମଚାରୀମାନେ ପୂର୍ବାହ୍ନରେ ଜୟଦେବବିହାର ଛକରେ ରାସ୍ତାରୋକ କରିଥିଲେ । ଖବରପାଇ ସେଠାରେ ନୂଆପଲ୍ଲୀ ଥାନା ପିସିଆର-୧୮ ପହଞ୍ଚିଥିଲା । ସେଥିରୁ ଓହ୍ଲାଇଥିଲେ ହାବିଲଦାର ଜୁନୁର ଅଲ୍ଲୀ । ଅଣ୍ଟାରୁ ପିସ୍ତଲ ବାହାର କରି ଆନ୍ଦୋଳନକାରୀଙ୍କୁ ରାସ୍ତାରୁ ହଟିଯିବାକୁ କହିଥିଲେ । ତେବେ ଆନ୍ଦୋଳନକାରୀମାନେ ତାଙ୍କ କଥାକୁ ନମାନିବାରେ ହାବିଲଦାର ଜୁନୁର ଆତଙ୍କରାଜ ଆରମ୍ଭ କରି ଦେଇଥିଲେ । ଜଣ ଜଣ କରି ଆନ୍ଦୋଳନାରୀଙ୍କୁ ପିସିଆରକୁ ଘୋଷାଡ଼ି ନେଉଥିଲେ । ଯିଏ ପ୍ରତିରୋଧ କରୁଥିଲା ତା’ ମୁଣ୍ଡରେ ବନ୍ଧୁକ ଲଗାଇ ସଫା କରି ଦେବାକୁ ଧମକ ଦେଉଥିଲେ । ଏହି ସମୟରେ ସେଠାରେ ଥାନା ଅଧିକାରୀ ଅରୁଣ କୁମାର ସ୍ୱାଇଁ ପହଞ୍ଚିଥିଲେ । ଥାନା ଅଧିକାରୀ ଥାଇ ମଧ୍ୟ ଜୁନୁର ପୂରା ଅଧଘଣ୍ଟା ପର୍ଯ୍ୟନ୍ତ ସେଠାରେ ଆତଙ୍କ ଖେଳାଇଥିଲେ ।
ସୂଚନା ଥାଉକି, ରାଜଧାନୀରେ ବଢ଼ି ଚାଲିଥିବା ରାହାଜାନୀ ଓ ଲୁଟ୍‌ପାଟକୁ ନିୟନ୍ତ୍ରଣ କରିବା ଲାଗି କମିଶନରେଟ୍‌ ପୁଲିସ ପକ୍ଷରୁ ତାଲିମପ୍ରାପ୍ତ ପିସିଆର କର୍ମଚାରୀଙ୍କୁ ପିସ୍ତଲ ଦିଆ ଯାଇଛି । ତେବେ ଜନସାଧାରଣଙ୍କୁ ସୁରକ୍ଷା ଦେବା ବଦଳରେ ପିସିଆର କର୍ମଚାରୀ ଲୋକଙ୍କ ମୁଣ୍ଡରେ ପିସ୍ତଲ ଲଗାଇବା କେତେଦୂର ଯୁକ୍ତିଯୁକ୍ତ ତାହା ପ୍ରଶ୍ନବାଚୀ ପାଲଟିଛି । ସଂପୃକ୍ତ ପୁଲିସ ଆଗ୍ନେୟାସ୍ତ୍ରର ଅପବ୍ୟବହାର କରିଛନ୍ତି ବୋଲି ମତପ୍ରକାଶ ପାଇଛି । ଏଠାରେ ପ୍ରଶ୍ନ ଉଠୁଛି, ଯଦି ଠେଲାପେଲାରେ ଫୁଟି ଯାଇ କିଛି ଅଘଟଣ ଘଟିଥାଆନ୍ତା ତେବେ ଏଥିପାଇଁ କିଏ ଦାୟୀ ହୋଇଥାନ୍ତା । ଆନ୍ଦୋଳକାରୀଙ୍କୁ ପିସ୍ତଲ ଦେଖାଇବା ସମ୍ପର୍କରେ ଡିସିପି ଅନୁପ ସାହୁଙ୍କୁ ଅବଗତ କରିବାରେ ସେ କହିଛନ୍ତି ଘଟଣାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।
ସେପଟେ ଏହି ଘଟଣାକୁ ନେଇ ରାଜନୈତିକ ହଟଚମଟ ଆରମ୍ଭ ହୋଇଯାଇଛି । ବିଏମ୍‌ସିର ଗୁମର ପଦାରେ ପଡ଼ିଯିବା ଆଶଙ୍କାରେ ସରକାର ପୁଲିସ ଲଗାଇ ଆନ୍ଦୋଳକାରୀଙ୍କୁ ଘଉଡ଼ାଇବା ପାଇଁ ଏଭଳି ପ୍ରୟାସ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।

   ସମ୍ବନ୍ଧିତ ଖବର


କଟକ IIFL ଶାଖାରୁ ଲୁଟ୍ ଘଟଣା : ଜଣେ ମହିଳାଙ୍କ ସମେତ ୪ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା

ମହଙ୍ଗା ପଡ଼ିଲା ଓଟିଭି ଜମି ଅନିୟମିତତା, ବେଗୁନିଆର ପୂର୍ବତନ ତହସିଲଦାର ବିବେକାନନ୍ଦ ପରିଡ଼ା ନିଲମ୍ବିତ

ଓଡ଼ିଆ ଝିଅକୁ ବାହା ହେବା ପାଇଁ ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରୁ ବଲାଙ୍ଗିର ଆସି ଠକେଇର ଶିକାର ଦୁଇ ଯୁବକ -ଥାନା ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷାକଲେ ଯୁବତୀ

ସାଧାରଣ ଲୋକଙ୍କୁ ୨ ହଜାର ଜରିମାନା, ଆଉ ନିଜେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ବୁଲୁଛନ୍ତି ବିନା ମାସ୍କରେ !

ସାଙ୍ଗକୁ ଧମକାଇ ତଡିଲେ, ପରେ ଶୂନଶାନ ସ୍ଥାନରେ ଆଦିବାସୀ ନାବାଳିକାକୁ ନେଇ ୪ଜଣ କଲେ ଗଣଦୁଷ୍କର୍ମ…

୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଏମସି ଅଧିକାରୀ