କ୍ରାଇମ୍ ପଏଣ୍ଟ ପାଲଟିଛି ଷ୍ଟିଲ୍ ସିଟି: କୋଡୱାର୍ଡରେ କାରବାର, ‘ମୁର୍ଗା’ ଡେଲିଭରୀ କଲେ ୩୦୦ ବକ୍ସିସ୍ !

ରାଉରକେଲା,୦୪/୦୩: ରାଉରକେଲା ସ୍ମାର୍ଟ ସିଟିରେ ବିକାଶର ପ୍ରକ୍ରିୟା ତ୍ୱରାନିତ୍ୱ ହେବା ସଙ୍ଗେ ଅପରାଧର ମାତ୍ରା ମଧ୍ୟ ସେହି ଅନୁପାତରେ ବଢିବାରେ ଲାଗିଛି । କଟକ, ଭୁବନେଶ୍ୱର ପରେ ରାଉରକେଲାରେ ବଢିବାରେ ଲାଗିଛି ଅପରାଧର କ୍ରମ ଓ ସଂଖ୍ୟା । ପୁଲିସ ଫାଇଲରେ ଅପରାଧର କଳାଫର୍ଦ୍ଦ ଗୋଟିକ ପରେ ଗୋଟିଏ ଯୋଡ଼ି ହେବାରେ ଲାଗିଛି । ଛିନ୍ତାଇ, ଚୋରି, ଡକାୟତି ଦିନକୁ ଦିନ ବଢି ଚାଲିଥିବା ବେଳେ ଜୋର ଧରିବାରେ ଲାଗିଛି ସଟ୍ଟା,ସ୍କ୍ରାପ ଓ ଚୋରା ବିଦେଶୀ ଓ ଦେଶୀ ମଦ କାରବାର। ଏହା ସହିତ ସହରରେ ଏବେ ଡ୍ରଗ୍ସ କାରବାର ଜୋର ଧରିଛି । ଦିନ ରାତି ସହରରେ ଲୁଚାଛପାରେ ଘୁରି ବୁଲୁଛି ଡ୍ରଗ୍ସ ରୂପୀ ରାକ୍ଷସ। କୋମଳମତି ୧୫ରୁ ୨୫ ବର୍ଷ ବୟସର ପିଲାମାନଙ୍କୁ ନିଜ କବଳରେ ଜାବୁଡ଼ି ଧରୁଛି । ବହୁ ଯୁବକ ଏହି ନିଶାରେ ସହରର ବିଭିନ୍ନ ଛକରେ ଉଦ୍ଭ୍ରାନ୍ତ ଭଳି ଘୁରି ବୁଲୁଛନ୍ତି ।
ଧଳା ଜହରର ଚେର ବର୍ତ୍ତମାନ ରାଉରକେଲାର ବିଭିନ୍ନ ଅଞ୍ଚଳ ଯେପରି ରାଉରକେଲା ରେଳଷ୍ଟେସନ, ବସ ଷ୍ଟାଣ୍ଡ, ବିଭିନ୍ନ ହାଟ, ବଜାର, ପାନ ଦୋକାନକୁ ମାଡ଼ି ଚାଲିଛି । ଡ୍ରଗ୍ସର ଦାମ ଅହେତୁକ ଟଙ୍କା ହୋଇଥିବା ବେଳେ ଏହାକୁ ସେବନ କରିବାକୁ ଯୁବପିଢି ଏକ ପ୍ରକାର ପାଗଳ ହୋଇ ଉଠିଛନ୍ତି ! ଡ୍ରଗ୍ସ ନିଶାରେ ବହୁ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧିପାଉଛି । ପୁଲିସ୍ର ନାକ ତଳେ ଚାଲୁଛି ଡ୍ରଗ୍ସ କାରବାର । ଯାହାର ଟିକେ ହେଲେ ଖୋଜ ଖବର ପାଇପାରୁନି ପୁଲିସ୍ ।
ଡ୍ରଗ୍ସ ମାଫିଆ ମାନେ ବାହାର ରାଜ୍ୟ ଯଥା କୋଲକାତା, ମୁମ୍ବାଇ, ଝାଡଖଣ୍ଡ ଆଦିରୁ ବହୁ ସତର୍କତା ସହିତ ରାଉରକେଲାକୁ ଡ୍ରଗ୍ସ ଆଣିବା ପରେ ଏ ଗୁଡ଼ିକୁ ଚଢାଦର (ପ୍ରତି ୧୦ ଗ୍ରାମକୁ ୧୫୦୦ ଟଙ୍କା ଆନୁମାନିକ)ରେ ବିକ୍ରି କରିବା ଲାଗି ପ୍ରଥମେ ଦଲାଲ ଖୋଜୁଥିବା ଏକ ବିଶେଷ ଅନୁସନ୍ଧାନରୁ ଜାଣିବାକୁ ମିଳିଛି । ଜଣେ ଡ୍ରଗ୍ସ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ନିରାପଦରେ ପହଞ୍ଚାଇଲେ ଜଣ ପିଛା ୩୦୦ ଟଙ୍କା ବକ୍ସିସ୍ ରହିଛି । ମୋବାଇଲ୍ରେ କଥାବାର୍ତ୍ତା ବେଳେ ଡ୍ରଗ୍ସକୁ କୋଡୱାଡରେ ‘ମୁର୍ଗା’ବୋଲି ସମ୍ବୋଧନ କରାଯାଉଛି ।
ମୁର୍ଗା(ଡ୍ରଗ୍ସ) ଡେଲିଭରୀ ସରିଲାପରେ ଦଲାଲକୁ ତାର ପ୍ରାପ୍ୟ ମିଳିଯାଉଛି । ଦଲାଲ ଭାବେ କାର୍ଯ୍ୟକରୁଛନ୍ତି ସହରର କିଛି ବେକାରୀ ଯୁବକ ଓ ଯୁବତୀ । ଯୁବତୀ ମାନେ ଡ୍ରଗ୍ସ ନେଲେ କୌଣସି ସନ୍ଦେହ ଉପୁଜୁ ନଥିବା କାରଣରୁ ଡ୍ରଗ୍ସମାଫିଆଙ୍କ ଦଲାଲ ଭାବେ ଯୁବତୀମାନେ କାର୍ଯ୍ୟ କରୁଛନ୍ତି । ପରିବାରର ବୋଝ ତଥା ଆର୍ଥିକ ପରିସ୍ଥିତି ଠିକ୍ ନଥିବା କାରଣରୁ କିଛି ନିରୀହ ବେକାର ଯୁବକ ଯୁବତୀ ଏହି ଡ୍ରଗ୍ସ କାରବାରରେ ଦଲାଲ ଭାବେ କାର୍ଯ୍ୟ କରିବାକୁ ଏକ ପ୍ରକାର ବାଧ୍ୟ ହେଉଛନ୍ତି । ସହରର କିଛି ମନ୍ଦିର ସ୍ଥଳ,ପାର୍କ, ଡାକ୍ତରଖାନା ପରିସର ଆଦି ଜନବହୁଳ ଅଞ୍ଚଳରେ ଡ୍ରଗ୍ସ୍ର ଡେଲିଭରି ହେଉଛି । ପ୍ରାୟତଃ ଖରାବେଳ ସମୟରେ ଏହି କାରବାର ଜୋର ଧରୁଛି । ଡ୍ରଗ୍ସ୍ ଡେଲିଭରୀ ପରେ ସମ୍ପୃକ୍ତ ଯୁବକ, ଯୁବତୀ ନିଜର ପୋଷାକ ତୁରନ୍ତ ବଦଳାଇ ଘଟଣା ସ୍ଥଳରୁ ଉଭାନ ହୋଇଯାଉଛନ୍ତି । ଫଳରେ ପୁଲିସ୍ ପକ୍ଷରୁ ସେମାନଙ୍କୁ କାବୁ କରିବା ଅବା ଯାଞ୍ଚ କରିବା ସମ୍ଭବ ପର ହୋଇପାରୁନାହିଁ ।
ପ୍ରକାଶ ଥାଉକି ଗତ ୨୮ ତାରିଖ ଦିନ ସେକ୍ଟର-୭ ଥାନା ପୁଲିସ୍ ଜଣେ ଛିନ୍ତାଇ ଲୁଟେରାକୁ ଗିରଫ କରିଥିଲା। ନିଶାଶକ୍ତ ଅବସ୍ଥାରେ ସେ ଛିନ୍ତାଇ କରିଥିବା ପ୍ରକାଶ କରିଥିଲେ । ସେ ଡ୍ରଗ୍ସ ଜାଲରେ ପଡ଼ିଥିବା ବେଳେ ସ୍ଥାନୀୟ ନାଲାରୋଡ଼ରୁ ଡ୍ରଗ୍ସ ଆଣୁଥିବା ଗଣମାଧ୍ୟମ ସମ୍ମୁଖରେ କହିଥିଲେ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ସହରରେ ଧଳାଜହର ନିଜର କାୟା ବିସ୍ତାରେ କରିବାରେ ଲାଗିଛି ।