ପାରିତ ହେଲା ସଂକ୍ରାମକ ରୋଗ ବିଲ୍‌, କରୋନା ନିୟମ ଉଲ୍ଲଂଘନ କଲେ ଲକ୍ଷେ ଜରିମାନା, ଦୁଇ ବର୍ଷ ଜେଲ୍‌

ଭୁବନେଶ୍ୱର, ୦୧/୧୦ : ବିଧାନସଭାରେ ପାରିତ ହୋଇଛି ସଂକ୍ରାମକ ରୋଗ ବିଲ୍‌ ୨୦୨୦ । ବିରୋଧୀଙ୍କ ବିରୋଧ ସତ୍ତେ୍ୱ ଗୃହରେ ଏ ବିଲ୍‌ ପାରିତ ହୋଇଯାଇଛି । କରେନା ମହାମାରୀ ସଂକ୍ରମଣକୁ ରୋକିବାକୁ ସରକାର ଏଥିରେ କଠୋର ଦଣ୍ଡବିଧାନ ବ୍ୟବସ୍ଥା କରିଛନ୍ତି । କରୋନା ନିୟମ ଉଲ୍ଲଂଘନ କଲେ ଏଣିକି ଲକ୍ଷେ ଟଙ୍କା ଜରିମାନା ଦଣ୍ଡ ସହ ୨ ବର୍ଷ ଜେଲ୍‌ ଦଣ୍ଡ ହେବ । ଏ ଆଇନ କେବଳ ବିରୋଧୀଙ୍କୁ ସାବାଡ଼ କରିବାକୁ ସରକାର ଆଣିଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଥିଲେ । ତେବେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଲେ, ଏହା ଭୁଲ୍‌ କଥା । କେବଳ ଜନସାଧାରଣଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ସରକାର ଏ ଆଇନ କରୁଛନ୍ତି ।


ବିଲ୍‌କୁ ବିରୋଧ କରି ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାୟକ କହିଥିଲେ ଯେ ଏ ବିଲ୍‌ କେବଳ ବିରୋଧୀଙ୍କ ମୁହଁ ବନ୍ଦ କରିବାକୁ ଉଦ୍ଦିଷ୍ଟ । ସରକାର ମଦ, ପାନ, ଗୁଟଖା ନିଷେଧ କରିପାରୁ ନାହାନ୍ତି, ହେଲେ ଅନ୍ୟପକ୍ଷରେ ଯିଏ ବାଟରେ ଘାଟରେ ଛେପ ପକାଇବ ତା’ଠାରୁ ୧ଲକ୍ଷ ଟଙ୍କା ଜୋରିମାନା ଆଦାୟ କରିବାକୁ ବାହାରିଛନ୍ତି । ଆଇନକୁ କେବଳ କଠୋର କରିଦଲେ ହେବନାହିଁ ପ୍ରୟୋଗ ଦିଗକୁ ଦେଖିବାର ଆବଶ୍ୟକତା ରହିଛି । ବିଜେପି ସଦସ୍ୟ ଜୟନାରାୟଣ ମିଶ୍ର କହିଥିଲେ ଯେ ଏହା ଏକ ମାରାତ୍ମକ ବିଲ୍‌ । ବିରୋଧୀମାନଙ୍କ ପାଟି ଚୁପ୍‌ କରିବା କିମ୍ବା ତାଙ୍କୁ ଜେଲ୍‌ ପୂରାଇବା ପାଇଁ ସରକାର ଏହି ଆଇନରେ ସଂଶୋଧନ ଆଣୁଛନ୍ତି । ସରକାର ତୁରନ୍ତ ଏଭଳି କଳା ଆଇନକୁ ପ୍ରତ୍ୟାହାର କରିବା ଆବଶ୍ୟକ । ସେହିପରି ବିରୋଧୀଦଳ ମୁଖ୍ୟସଚେତକ ମୋହନ ମାଝୀ ରାଜ୍ୟରେ ବହୁ ଲୋକ ଦାରିଦ୍ର‌୍ୟ ସୀମାରେଖା ତଳେ ରହିଛନ୍ତି । ଖାଇବାକୁ ପାଉ ନଥିବା ବେଳେ ଏ ଆଇନ କିଭଳି କାର୍ଯ୍ୟକାରୀ ହେବ । ଏହା କେବଳ ଗରିବଙ୍କୁ ବାନ୍ଧିବାକୁ ଉଦ୍ଦିଷ୍ଟ ବୋଲି ଅଭିଯୋଗ କରିଥିଲେ ।


ବିଲ୍‌କୁ ବିରୋଧ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ଏହି ଆଇନ କେବଳ ବିରୋଧୀଙ୍କୁ ବାନ୍ଧିବା ପାଇଁ ଉଦ୍ଦିଷ୍ଟ । ୧୮୯୭ର ଆଇନକୁ ସରକାର ଯଦି କଡ଼ାକଡ଼ି ପାଳନ କରିବାରେ ଅସୁବିଧା କେଉଁଠି? ଯଦି ଜଣେ ପୁଲିସ କର୍ମଚାରୀ କିମ୍ବା ଅଧିକାରୀ ଏହି ଆଇନର ଉଲ୍ଲଘଂନ କରେ ତେବେ ତା’ଠାରୁ କିଏ ଜରିମାନା ଆଦାୟ କରିବ ବୋଲି ଶ୍ରୀ ମିଶ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ । ଏହାଛଡ଼ା ତରବରିଆ ବିଲ୍‌ ଆଣି ପାରିତ କରି ଅତୀତରେ ସରକାର ଆଇନର କାଠଗଡ଼ାରେ ଛିଡ଼ା ହୋଇଛନ୍ତି । ସରକାର ଶିକ୍ଷା ପାଇଲେନି ଯେ ଏବେ ପୁଣି ବିଲକୁ ପାସ୍‌ କରିବାକୁ ବ୍ୟାକୁଳ ହେଉଛନ୍ତି । ତାରା ପ୍ରସାଦ ବାହିନୀପତି କହିଲେ ଯେ କେବିକେ ଭଳି ଆଦିବାସୀ ଅଧ୍ୟୁଷିତ ଜିଲାରେ ଲୋକେ ମାସ୍କ ପିନ୍ଧିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । ତେବେ ତାଙ୍କଠାରୁ ୧ଲକ୍ଷ ଟଙ୍କା ଜରିମାନା ନଚେତ୍‌ ୨ବର୍ଷ ଜେଲରେ ସରକାର ପୂରାଇବେ କି ବୋଲି ପ୍ରଶ୍ନ କରିଥିଲେ । ଏହି ଆଇନ ଆଣିବା ବେଳେ ତା’ର ଉପଯୋଗିତା ଦିଗକୁ ସରକାର ବିଚାର କରିବାର ଆବଶ୍ୟକତା ରହିଛି । ସରକାର ମନ୍ଦ ଉଦ୍ଦେଶ୍ୟରେ ଆଇନରେ ସଂଶୋଧନ କରୁଛନ୍ତି ।


ଅନ୍ୟପକ୍ଷରେ ଶାସକଦଳ ସଦସ୍ୟ ଅମର ପ୍ରସାଦ ଶତପଥୀ ବିଲ୍‌କୁ ସ୍ୱାଗତ କରିବା ସହିତ କେଉଁ ବର୍ଗର ଅଧିକାରୀ ଏହି ଜୋରିମାନା କରିବେ ତାହା ନିର୍ଦିଷ୍ଟ ଭାବେ ଉଲ୍ଲେଖ ରହିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଶାସକଦଳ ପକ୍ଷରୁ ଭୂପିନ୍ଦର ସିଂହ ଓ ଅଶ୍ୱିନୀ ପାତ୍ର ପ୍ରମୁଖ କରୋନା ମହାମାରୀକୁ ରୋକିବାପାଇଁ ଆଇନର ସଂଶୋଧନର ପ୍ରାସଙ୍ଗିକତା ରହିଛି ବୋଲି କହିଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କହିଥିଲେ ଯେ ଏହା କେବଳ ମାନବ ସମାଜ କଲ୍ୟାଣ ପାଇଁ ଉଦ୍ଦିଷ୍ଟ । କୌଣସି ବ୍ୟକ୍ତିବିଶେଷଙ୍କୁ ଦୃଷ୍ଟିରେ ରଖି ସରକାର ଆଇନର ସଂଶୋଧନ କରୁନାହାନ୍ତି । ଯେଉଁମାନେ ସରକାରଙ୍କ ମାର୍ଗଦର୍ଶିକା ନମାନିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ଲୋକେ ସଚେତନ ହେଲେ ସାମାଜିକ ଦୂରତା ବଜାୟ ରହିବ ଏବଂ ରୋଗକୁ ନିୟନ୍ତ୍ରଣ କରାଯାଇ ପାରିବ । କୋଭିଡ଼ ମହାମାରୀ ପରିସ୍ଥିତିରେ ବିରୋଧୀମାନେ ରାଜନୈତିକ ଭେଦଭାବ ଭୁଲି ସରକାରଙ୍କୁ ସହଯୋଗ କରିବା ଜରୁରୀ ବୋଲି ଶ୍ରୀ ଦାସ କହିଥିଲେ ।

   ସମ୍ବନ୍ଧିତ ଖବର


ବନ୍ଧୁକ ମୁନରେ ବିଲ୍‌ଡର୍‌ଙ୍କୁ ୨୦ ଲକ୍ଷ ବଟି ଧମକ: ୨ ଅଭିଯୁକ୍ତ ଗିରଫ, ଦୁଇ ମାଉଜର ଓ ଗାଡ଼ି ଜବତ

ସପିଂ ମଲରେ ଭୀଷଣ ଅଗ୍ନିକାଣ୍ଡ, ପାଖ ବିଲ୍ଡିଂରୁ ୩୫୦୦ ଲୋକଙ୍କୁ ସୁରକ୍ଷିତ ବାହାର କରାଗଲା

ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ କରୋନା

ପୋଲିଓ ଟିକା ନେଇ ଶିଶୁ ମୃତ ! ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା

ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ: ଶବ ରଖି କାର୍ଯ୍ୟବନ୍ଦ କଲେ ସହକର୍ମୀ, ସ୍ୱାମୀକୁ ଅଟକ ରଖିଲା ପୁଲିସ୍

ଭାରସାମ୍ୟ ହରାଇ ପିଟି ହେଲା କାର, ଚାଳକ ଆହତ