ଭାରତକୁ କରୋନା ଆଣିଛନ୍ତି ଦୁବାଇ, ବ୍ରିଟେନ ଯାତ୍ରୀ-ମଣ୍ଡି ଆଇଆଇଟି ଅଧ୍ୟୟନରୁ ମିଳିଲା ତଥ୍ୟ

ନୂଆଦିଲ୍ଲୀ, : ଦୁବାଇ ଓ ବ୍ରିଟେନରୁ ଆସିଥିବା ବିମାନ ଯାତ୍ରୀମାନେ ଭାରତକୁ ହିଁ ପ୍ରଥମେ କରୋନା ଭାଇରସ୍‌ (କୋଭିଡ-୧୯) ଆଣିଛନ୍ତି । ସେହି ଯାତ୍ରୀଙ୍କ ଯୋଗୁ ବିଭିନ୍ନ ରାଜ୍ୟରେ କରୋନା କାୟା ମେଲାଇ ଥିଲା । ମଣ୍ଡି ଆଇଆଇଟି (ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଏକଥା ଜଣାପଡିଛି । ଏ ସଂକ୍ରାନ୍ତ ତଥ୍ୟ ଜର୍ଣ୍ଣାଲ ଅଫ୍‌ ଟ୍ରାଭେଲ ମେଡିସିନରେ ପ୍ରକାଶ ପାଇଛି ।

ଅଧ୍ୟୟନରୁ ଜଣାପଡିଛି ଯେ ତାମିଲନାଡୁ, ଦିଲ୍ଲୀ ଓ ଆନ୍ଧ୍ରପ୍ରଦେଶର ଲୋକମାନେ ନିଜ ରାଜ୍ୟ ଭିତରେ କିମ୍ବା ଅନ୍ୟ ରାଜ୍ୟକୁ ଅଧିକ କରୋନା ସଂକ୍ରମିତ କରିନାହାନ୍ତି । କିନ୍ତୁ ଗୁଜରାଟ, ରାଜସ୍ଥାନ, ମହାରାଷ୍ଟ୍ର, କେରଳ, ଜମ୍ମୁ-କାଶ୍ମୀର ଓ କର୍ଣ୍ଣାଟକ ରାଜ୍ୟର ଲୋକମାନେ ନିଜ ରାଜ୍ୟରେ ଓ ଅନ୍ୟ ରାଜ୍ୟରେ କରୋନା ସଂକ୍ରମଣ ବଢ଼ାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଅଧ୍ୟୟନରେ ସାମିଲ ମଣ୍ଡି ଆଇଆଇଟିର ସହକାରୀ ପ୍ରଫେସର ସରିତା ଆଜାଦଙ୍କ କହିବାନୁଯାୟୀ ବିଦେଶରୁ ଆସିଥିବା କିଛି ଲୋକ ଭାରତରେ କରୋନା ସଂକ୍ରମଣ ବଢ଼ାଇଛନ୍ତି । ଏପରିକି ସେମାନଙ୍କ ମଧ୍ୟରୁ କିଛି ସୁପର ସ୍ପ୍ରେଡର ମଧ୍ୟ ଥିଲେ, ଯେଉଁମାନେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ମାତ୍ରାରେ ଅନ୍ୟମାନଙ୍କୁ ସଂକ୍ରମିତ କରିଥିଲେ । ଭାରତରେ କରେନା ବ୍ୟାପିବାର ମୁଖ୍ୟ ସ୍ରୋତ ହେଉଛନ୍ତି ବିଦେଶୀ ଯାତ୍ରୀ । ଅଧ୍ୟୟନରେ ଗତ ଜାନୁଆରୀରୁ ଏପ୍ରିଲ ମାସ ମଧ୍ୟରେ ବିଦେଶରୁ ଆସିଥିବା କୋଭିଡ ରୋଗୀମାନଙ୍କ ଯାତ୍ରାକାଳୀନ ତଥ୍ୟ ଆକଳନ କରାଯାଇଥିଲା ।

ଭାରତରେ ପ୍ରାଥମିକ ଭାବେ କରୋନା ବ୍ୟାପିବାର କାରଣ ଅନୁଧ୍ୟାନ କରିବା ପରେ ସେଥିରୁ ଜଣାପଡିଛି ଯେ ଦୁବାଇରୁ ଆସିଥିବା ୧୪୪ ଯାତ୍ରୀ ଓ ବ୍ରିଟେନରୁ ଆସିଥିବା ୪୪ ଯାତ୍ରୀ ହିଁ କରୋନାର ପ୍ରସାର କରାଇଛନ୍ତି । ଦେଶବ୍ୟାପୀ ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ (ମାର୍ଚ୍ଚ ୨୫ରୁ ଏପ୍ରିଲ ୧୪) ଜାରି ଥିଲା ବେଳେ ତାମିଲନାଡୁ, ଦିଲ୍ଲୀ ଓ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ କରୋନା ଧିରେ ଧିରେ ବ୍ୟାପିଥିଲା । କିନ୍ତୁ ସେସବୁ ରାଜ୍ୟର ସଂକ୍ରମିତ ବ୍ୟକ୍ତିମାନେ ସ୍ଥାନୀୟ ଅଞ୍ଚଳ ହେଉ କିମ୍ବା ଅନ୍ୟ ରାଜ୍ୟରେ ସଂକ୍ରମଣର ପ୍ରସାର କରିନଥିଲେ । ତେବେ କରୋନା ସଂକ୍ରମଣ ଥମିବା ପରେ ଏହା ଉପରେ ବ୍ୟାପକ ଭାବେ ଅଧ୍ୟୟନ କରାଯିବ, ଯାହାକି ଭବିଷ୍ୟତରେ ଏହି ରୋଗର ସଂକ୍ରମଣ ବିଷୟରେ ଜାଣିବା ପାଇଁ ବିଶେଷ ଉପଯୋଗୀ ହୋଇପାରିବ । ଭାରତରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୬୦ ଲକ୍ଷରେ ପହଞ୍ଚିଥିଲା ବେଳେ ମୃତ୍ୟୁ ସଂଖ୍ୟା ୯୪ ହଜାର ୫୦୩ରେ ପହଞ୍ଚିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି ।

   ସମ୍ବନ୍ଧିତ ଖବର


WHO ମୁଖ୍ୟ ହିନ୍ଦୀରେ ଟୁଇଟ କରି ଭାରତକୁ ଧନ୍ୟବାଦ ଦେଲେ, ଜାଣନ୍ତୁ କ’ଣ..

କରୋନା କଟକଣାକୁ ଫୁ… ଭିଡିଓ ଭାଇରାଲ

ଦେଶ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ : ଆମେ ଭୁଲିବା ନାହିଁ ଲକ୍‌ଡାଉନ୍‌ ଚାଲିଯାଇଛି ଭାଇରସ୍‌ ନୁହେଁ – ପ୍ରଧାନମନ୍ତ୍ରୀ

ସମ୍‌ କୋଭିଡ ହସ୍ପିଟାଲ୍‌ରେ କରୋନାରୁ ସୁସ୍ଥ ହେଲେ ୯୦ ବର୍ଷୀୟ କ୍ୟାନ୍ସର ପୀଡିତ

ସମ୍‌ରେ ନୂତନ ରେନାଲ୍‌ ପାଥୋଲୋଜି ବିଭାଗର ମାଇକ୍ରୋସ୍କୋପ୍‌ ଯନ୍ତ୍ର ଉଦ୍‌ଘାଟିତ

ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କର ବାର୍ତ୍ତା, ପାର୍ବଣ ସମୟରେ କରୋନା କଟକଣା ମାନିବା ପାଇଁ ଦେଲେ ପରାମର୍ଶ