କରୋନା କବଳରେ ବିଶ୍ବର ୨୧୦ଦେଶ: ୨୩ ଲକ୍ଷ ଛୁଇଁଲା ଆକ୍ରାନ୍ତ ସଂଖ୍ୟା, ମୃତ୍ୟୁ ସଂଖ୍ୟା ଦେଢ଼ ଲକ୍ଷ ପାର୍, ଆମେରିକାରେ ଦିନକରେ ୨,୫୩୫ ମୃତ

ନୂଆଦିଲ୍ଲୀ, ୧୯/୪: ସମସ୍ତ ପ୍ରକାର କଟକଣା ସତ୍ତେ୍ୱ ବିଶ୍ୱରେ କରୋନା ଭାଇରସ୍‌ (କୋଭିଡ-୧୯) କାୟା ମେଲାଇବାରେ ଲାଗିଛି । ଏପର୍ଯ୍ୟନ୍ତ ୨୧୦ଟି ଦେଶରେ ୨୨ ଲକ୍ଷ ୯୨ ହଜାର ୫୨୦ରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଲେଣି । ସେହିଭଳି ଏହି ରୋଗ ମଧ୍ୟ ୧ଲକ୍ଷ ୫୭ ହଜାର ୬୬୯ରୁ ଅଧିକ ଲୋକଙ୍କ ଜୀବନ ନେଲାଣି । ପ୍ରାୟ ୧୫ ଲକ୍ଷ ୩୭ ହଜାର ଲୋକ ଚିକିତ୍ସାଧୀନ ଥିଲା ବେଳେ ୫୩ ହଜାରଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି । ଅନ୍ୟପକ୍ଷରେ କରୋନାକୁ ମାତ୍‌ ଦେଇ ୫ ଲକ୍ଷ ୮୭ ହଜାର ଲୋକ ସୁସ୍ଥ ହୋଇଛନ୍ତି ।

କରୋନା ଯୋଗୁ ଆମେରିକାରେ ଭୟାବହ ସ୍ଥିତି ସୃଷ୍ଟି ହୋଇଛି । ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୭ଲକ୍ଷ ୧୬ ହଜାର ଅତିକ୍ରମ କରିଥିଲା ବେଳେ ମୃତ୍ୟୁସଂଖ୍ୟା ୩୭ ହଜାର ୯୫୭ ପାର୍‌ କରିଛି । ଗତକାଲି ଗୋଟିଏ ଦିନରେ ଏଠାରେ ୨,୫୩୫ ଜଣଙ୍କର ମୃତ୍ୟୁ ଘଟିଛି । ୬୩ ହଜାର ୮୪୧ ଜଣ ଆରୋଗ୍ୟଲାଭ କରିଛନ୍ତି । ଅନ୍ୟପକ୍ଷରେ ଦେଶରେ ଟେଷ୍ଟିଂ କିଟ୍‌ର ଘୋର ଅଭାବ ରହିଛି । ଫଳରେ ବ୍ୟାପକ ମାତ୍ରାରେ ଟେଷ୍ଟିଂ କରାଯାଇପାରୁ ନାହିଁ । ଏଥିସହ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ଉପକରଣର ମଧ୍ୟ ଅଭାବ ରହିଥିବା ଗଭର୍ଣ୍ଣରମାନେ ଅଭିଯୋଗ ଆଣିଛନ୍ତି । କିନ୍ତୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଯେଉଁମାନେ ଚାହିଁବେ ସେମାନେ ଟେଷ୍ଟ କରିପାରିବେ ।

ନ୍ୟୁୟର୍କ, ନ୍ୟୁଜର୍ସି, ଟେକ୍ସାସ, କାଲିଫର୍ଣ୍ଣିଆ ଆଦି ରାଜ୍ୟଗୁଡିକ ବିଶେଷ ଭାବେ ପ୍ରଭାବିତ ହୋଇଛି । ଆମେରିକା ତଳକୁ ଦ୍ୱିତୀୟ ସ୍ଥାନରେ ରହିଛି ସ୍ପେନ । ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୯୧ ହଜାର ୭୨୬ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୨୦ ହଜାର ଅତିକ୍ରମ କରିଛି । ଏଠାରେ ଶନିବାର ସୁଦ୍ଧା ୨୦ ହଜାର ୪୩ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ଦିନକରେ ୬୮୭ ଜଣ ପ୍ରାଣ ହରାଇଥିଲେ । ଦେଶର ପ୍ରମୁଖ ଡାକ୍ତର ଜିସସ୍‌ ବେକ୍ୟୁରୋଙ୍କ କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି । ତେବେ ଦେଶରେ ଏପର୍ଯ୍ୟନ୍ତ ୭୪ ହଜାର ୭୦୦ରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି ।

ସେହିଭଳି ଇଟାଲୀ, ଫ୍ରାନ୍ସ, ଜର୍ମାନୀ ଓ ବ୍ରିଟେନର ସ୍ଥିତିରେ କୌଣସି ଉନ୍ନତି ଘଟିନାହିଁ । ଇଟାଲୀରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୭୫ ହଜାର ୯୨୫ରେ ପହଞ୍ଚିଥିଲା ବେଳେ ମୃତ୍ୟୁ ସଂଖ୍ୟା ୨୩ ହଜାର ୨୨୯ ଅତିକ୍ରମ କରିଛି । ଶନିବାର ୪୮୨ ଜଣ ପ୍ରାଣ ହରାଇଥିଲା ବେଳେ ଶୁକ୍ରବାର ୫୭୫ ଜଣଙ୍କ ଜୀବନ ଯାଇଛି । ତେବେ ସେଠାକାର ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବାନୁଯାୟୀ ଦେଶରେ ବହୁ ଲୋକ ସୁସ୍ଥ ହୋଇଛନ୍ତି । ହସ୍ପିଟାଲଗୁଡିକରେ ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଛି । ରିପୋର୍ଟ ଅନୁସାରେ ଇଟାଲୀରେ ୪୪ ହଜାର ୯୨୭ ଜଣ ସୁସ୍ଥ ହୋଇଛନ୍ତି ।

ଫ୍ରାନ୍ସରେ ସ୍ଥିତି ପୂର୍ବଭଳି ବଜାୟ ରହିଛି । ଏଠାରେ ସଂକ୍ରମଣ ସଂଖ୍ୟା ୧ ଲକ୍ଷ ୪୭ ହଜାର ୯୬୯ରେ ପହଞ୍ଚିଛି । ଅନ୍ୟପକ୍ଷରେ ମୃତ୍ୟୁସଂଖ୍ୟା ୧୮ ହଜାର ୬୮୧ ହୋଇଛି । ଗତକାଲି ୭୬୧ ଜଣଙ୍କର ମୃତ୍ୟୁ ହୋଇଥିଲା । ଫ୍ରାନ୍ସ ଦାବି କରିଛି ଯେ ହସ୍ପିଟାଲକୁ ଆସୁଥିବା ରୋଗୀ ସଂଖ୍ୟା ଏବେ ହ୍ରାସ ପାଇବାରେ ଲାଗିଛି । ଦେଶରେ ଲକ୍‌ଡାଉନ ଯୋଗୁ ଏଭଳି ସମ୍ଭବ ହୋଇପାରିଛି । ଅନ୍ୟପକ୍ଷରେ ଜର୍ମାନୀରେ ରୋଗ ସଂକ୍ରମଣ ନିୟନ୍ତ୍ରଣ ହୋଇଥିବା ସେଠାକାର ସ୍ୱାସ୍ଥ୍ୟମନ୍ତ୍ରୀ ଜେମ୍‌ସ ସ୍ପାହ୍ନ ଦାବି କରିଛନ୍ତି । ସେ କହିଛନ୍ତି ଆସନ୍ତା ସପ୍ତାହରୁ ଲକ୍‌ଡାଉନ କୋହଳ କରାଯିବ । ସୋମବାରରୁ କିଛି ବ୍ୟବସାୟିକ ପ୍ରତିଷ୍ଠାନ ଓ ସ୍କୁଲ ଖୋଲିବ । ୟୁରୋପର ସବୁଠାରୁ ମଜଭୁତ ଆର୍ଥିକ ଶକ୍ତି ହେଉଛି ଜର୍ମାନୀ । ଏଠାରେ ମୋଟ ସଂକ୍ରମିତ ସଂଖ୍ୟା ୧ଲକ୍ଷ ୪୨ ହଜାର ୨୧୦ ଥିଲାବେଳେ ମୃତ୍ୟୁସଂଖ୍ୟା ୪ ହଜାର ୩୮୧ ।

ଅନ୍ୟପକ୍ଷରେ ବ୍ରିଟେନରେ ରୋଗ ସଂକ୍ରମଣ ଲଗାତାର ଭାବେ ବଢ଼ିଚାଲିଛି । ବର୍ତ୍ତମାନ ଦେଶରେ ୧ ଲକ୍ଷ ୧୪ ହଜାର ୨୧୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶନିବାର ୫ ହଜାର ୫୨୫ ନୂଆ ସଂକ୍ରମଣ ମାମଲା ସାମ୍‌ନାକୁ ଆସିଥିଲା ବେଳେ ୮୮୮ ଜଣ ପ୍ରାଣ ହରାଇଛନ୍ତି । ଗତକାଲି ଏଠାରେ ୮୪୭ ଜଣଙ୍କର ମୃତ୍ୟୁ ହୋଇଥିଲା । ବ୍ରିଟେନ ସରକାର କରୋନା ମହାମାରୀ ରୋକିବାକୁ ଯଥାସମ୍ଭବ ପ୍ରୟାସ କରୁଛନ୍ତି । ଏଥିସହ ଟିକା ବିକଶିତ କରିବା ଲାଗି ଏକ ଟାସ୍କଫୋର୍ସ ଗଠନ କରାଯାଇଛି । ଇତିମଧ୍ୟରେ ବ୍ରିଟେନ ମହାରାଣୀ ଦ୍ୱ୍‌ିତୀୟ ଏଲିଜାବେଥ୍‌ ଆସନ୍ତା ୨୧ରେ ହେବାକୁ ଥିବା ତାଙ୍କର ଜନ୍ମଦିନ ଉତ୍ସବ ଗନ ସାଲ୍ୟୁଟକୁ ରଦ୍ଦ କରିଦେଇଛନ୍ତି । ତାଙ୍କର ୬୮ ବର୍ଷର କାର୍ଯ୍ୟକାଳ ଭିତରେ ପ୍ରଥମ କରି ଏଭଳି ଘଟଣା ଘଟିଛି । ଏପ୍ରିଲ ୨୧ରେ ମହାରାଣୀ ୯୪ ବର୍ଷ ବୟସରେ ପଦାର୍ପଣ କରିବେ ।

ସେପଟେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ କରୋନା ମୁକାବିଲାରେ ଭାରତ ନେଉଥିବା ପଦକ୍ଷେପ ଓ ଅନ୍ୟ ଦେଶକୁ କରୁଥିବା ସହାୟତାକୁ ପ୍ରଶଂସା କରିଛନ୍ତି । କହିଛନ୍ତି ଏହି ମହାମାରୀ ବିରୋଧରେ ସମସ୍ତେ ଏକାଠି ଲଢ଼ିବାକୁ ହେବ । ଯେଉଁ ଦେଶର ସାମର୍ଥ୍ୟ ରହିଛି ତାହା ଅନ୍ୟ ଦେଶମାନଙ୍କୁ ସହାୟତା କରିବା ଆବଶ୍ୟକ । ସାର୍କ ସଦସ୍ୟ ରାଷ୍ଟ୍ରଙ୍କୁ ଭାରତ ସବୁ ପ୍ରକାର ସହାୟତା ଯୋଗାଇ ଦେଇଥିଲାବେଳେ ଆମେରିକା, ବ୍ରାଜିଲ ଓ ଇସ୍ରାଏଲକୁ ଔଷଧ ଯୋଗାଇଦେଇଛି । ଏଥିସହ କୁଏତ ଓ ମାଳଦ୍ୱୀପକୁ କରୋନା ବିରୋଧରେ ଲଢ଼ିବା ଲାଗି ସାମରିକ ସ୍ୱାସ୍ଥ୍ୟ ଅଧିକାରୀ ଓ କର୍ମଚାରୀଙ୍କୁ ଭାରତ ପଠାଇଛି ।

   ସମ୍ବନ୍ଧିତ ଖବର


ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ : ବାଇକ୍‌ରେ ଆସି ନିଆଁ ଲଗାଇଦେଲେ ୧୦ରୁ ୧୨ ଯୁବକ, ଅଳ୍ପକେ ବର୍ତ୍ତିଲେ ଗାଡ଼ିରେ ଥିବା ୩ ବ୍ୟକ୍ତି

ଜମ୍ମୁ-କଶ୍ମୀର: କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ଚାଲିଗଲା ୩ ବିଜେପି ନେତାଙ୍କ ଜୀବନ

କଲରାପତରିଆର ଡିଆଁ ଦେଖି ଲୋକେ କହିଲେ ଅଲମ୍ପିକ୍ ଯିବା ଉଚିତ୍, ଭିଡିଓ ଭାଇରାଲ

ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର

କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’