PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ପରୀକ୍ଷାକୁ ଛାଡ଼ି ସମସ୍ତ ଅଫ୍‌ଲାଇନ୍‌ କ୍ଲାସ୍‌ ବାତିଲ ହେଲା- ଭିସୁଟ୍‌ ଏବେ କରୋନା ହଟ୍‌ସ୍ପଟ୍‌ କଣ୍ଟେନମେଣ୍ଟ ଜୋନ୍‌ରେ ୧୧ ଛାତ୍ରାବାସ,ସନ୍ଧ୍ୟା ଯାଏ ୪୦ ଛାତ୍ର ଆକ୍ରାନ୍ତ


-କଣ୍ଟେନମେଣ୍ଟ ଜୋନ୍‌ର ସମସ୍ତ ଦୋକାନ,ବଜାର ବନ୍ଦ

  • ଖୋଲିବ ଅସ୍ଥାୟୀ କଣ୍ଟ୍ରୋଲ୍‌ ରୁମ୍‌
    ବୁର୍ଲା,୨୭ା୨(ଆପ୍ର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ଗତ ୩ ଦିନ ହେବ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହି ଘଟଣା ନେଇ ପ୍ରଥମେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମୁହଁ ଖୋଲୁନଥିବା ବେଳେ ଶନିବାର କୁଳପତି ପ୍ରଫେସର ବି.ବି.ପତି ଗଣମାଧ୍ୟମକୁ ସୂଚନା ଦେଇ ମୋଟ ୨୫ ଜଣ ଛାତ୍ରଛାତ୍ରୀ ସଂକ୍ରମିତ ହୋଇଥିବା କହିଛନ୍ତି । ମାତ୍ର ଭିମ୍‌ସାରରେ ଛାତ୍ରଛାତ୍ରୀଙ୍କର କରୋନା ପରୀକ୍ଷା ହୋଇଥିବା ସମୟରେ ସେଠାରେ ୪୦ ଜଣ ଛାତ୍ରଙ୍କର ପଜିଟିଭ୍‌ ବାହାରିଥିବା ନେଇ ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି । ଭିସୁଟ୍‌ରେ ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅପରପକ୍ଷେ, ସଂକ୍ରମିତ ଛାତ୍ରଛାତ୍ରୀଙ୍କୁ ଭିସୁଟ୍‌ର ପୁଲହ ଛାତ୍ରାବାସର ‘ଡି’ ବ୍ଲକରେ ରଖାଯାଇଥିବା ବେଳେ ସଂଖ୍ୟା ବୃଦ୍ଧି ହେବାରୁ ସଂକ୍ରମିତଙ୍କୁ ଅନ୍ୟ ଏକ ଛାତ୍ରବାସକୁ ସ୍ଥାନାନ୍ତର କରାଯାଇଥିବା ନେଇ କୁଳପତି ପ୍ରଫେସର ପତି ‘ପ୍ରମେୟ’କୁ କହିଛନ୍ତି । ଏହି ଘଟଣା ପରେ ବିଳମ୍ବିତ ରାତିରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ଭିସୁଟ୍‌ର ୧୧ଟି ଛାତ୍ରାବାସକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରିଛନ୍ତି । ପୁଲହ, ପୁଲସ୍ତ୍ୟ, ଅତ୍ରି, କ୍ରତୁଃ, ବାଶିଷ୍ଠ, ମରିଚି, ଅନୁରାଧା, ଅରୁନ୍ଧତୀ, ରୋହିଣୀ, ବିଶାଖା ଓ ବସୁନ୍ଧରା ଛାତ୍ରାବାସରେ ଏହି କଟକଣା ଜାରି କରାଯାଇଛି । ଏହାସହିତ ପୁଲହ ଛାତ୍ରାବାସର ଚତୁଃପାଶ୍ୱର୍କୁ ବଫର ଜୋନ୍‌ ଭାବେ ଘୋଷଣା କରାଯାଇଛି । କେବଳ ଜରୁରୀ କାର୍ଯ୍ୟ ଛଡ଼ା ଏହି ଜୋନ୍‌ରେ ଯାତାୟତ ଉପରେ ମଧ୍‌ୟ କଟକଣା ଜାରି କରାଯାଇଛି । ଏହାବାଦ୍‌ ପୁଲହ ଛାତ୍ରାବାସ ନିକଟରେ ପୁଲିସ୍‌, ମେଡିକାଲ ଓ ଏସ୍‌ଏମ୍‌ସିର ଏକ ସମନ୍ୱିତ ଅସ୍ଥାୟୀ କଣ୍ଟ୍ରୋଲ୍‌ ରୁମ୍‌ ମଧ୍ୟ ଖୋଲାଯିବ ବୋଲି ନିର୍ଦେଶନାମାରେ ଉଲେ୍‌୍‌ଲଖ ରହିଛି । ଏସ୍‌ଏମ୍‌ସି କମିସନରଙ୍କ ତତ୍ତ୍ୱାବଧାନରେ ଏହି ଅଞ୍ଚଳକୁ ଜରୁରୀ ସାମଗ୍ରୀ ପଠାଯିବ । ଏହାସହିତ କଣ୍ଟେନମେଣ୍ଟ ଜୋନ୍‌କୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକରେ ପୁଲିସ୍‌ ନିୟୋଜିତ ହେବେ ବୋଲି ଉଲ୍ଲେଖ କରାଯାଇଛି । ୨୭ ତାରିଖ ରାତିରୁ ହିଁ ଏହି ସଟ୍‌ଡାଉନ୍‌ ଲାଗୁହେବ ବୋଲି ନିର୍ଦେଶ ଦିଆଯାଇଛି ।

  • ଯେଉଁସବୁ ଛାତ୍ରାବାସରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଉକ୍ତ ଛାତ୍ରାବାସଗୁଡ଼ିକୁ ବିଶୋଧନ କରାଯାଉଥିବା ଜଣାପଡ଼ିଛି । ବିଶ୍ୱବିଦ୍ୟାଳୟରେ ସଂକ୍ରମଣ ବୃଦ୍ଧି ପରେ ଏହା ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଶନିବାର ସଦର ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି ସଂକ୍ରମଣକୁ କିଭଳି ନିୟନ୍ତ୍ରଣ କରାଯିବ ସେନେଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ଏହି ଘଟଣା ପରେ ରବିବାରଠାରୁ ପ୍ରଥମ ସେମିଷ୍ଟାର୍‌ କ୍ଲାସ୍‌ ଅନ୍‌ଲାଇନ୍‌ ଯୋଗେ କରିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିଜ୍ଞପ୍ତି ଜାରି କରିଛନ୍ତି । ସେପଟେ, ଅଫ୍‌ଲାଇନ୍‌ରେ ଚାଲିଥିବା ଦ୍ୱିତୀୟ, ଚତୁର୍ଥ, ଷଷ୍ଠ, ଅଷ୍ଟମ ଓ ଦଶମ ସେମିଷ୍ଟାର୍‌ ଛାତ୍ରଛାତ୍ରୀଙ୍କର କ୍ଲାସ୍‌ ଆସନ୍ତା ୧୫ ତାରିଖ ଯାଏ ଅନ୍‌ଲାଇନ୍‌ କରିବାକୁ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ସପ୍ତମ ସେମିଷ୍ଟାର୍‌ର ଅଫ୍‌ଲାଇନ୍‌ ପରୀକ୍ଷା ଜାରି ରହିଥିବା ବେଳେ ସେଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।
    ଗୋଟିଏ ପଟେ ବିଶ୍ୱବିଦ୍ୟାଳୟରେ ସଂକ୍ରମଣ ହାର ବଢ଼ି ଚାଲିଥିବା ସମୟରେ ଏଭଳି ସ୍ଥିତିରେ ଛାତ୍ରଛାତ୍ରୀଙ୍କର ଅଫ୍‌ଲାଇନ୍‌ ପରୀକ୍ଷା ପୁଣିଥରେ ବିପଦକୁ ଡାକିପାରେ ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଗତବର୍ଷ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏଭଳି ଖାମଖିଆଲି ମନୋଭାବ ଯୋଗୁ କ୍ୟାମ୍ପସରେ ସଂକ୍ରମଣ ବୃଦ୍ଧି ପାଇବା ସହ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ପରେ ସଟ୍‌ଡାଉନ୍‌ ଘୋଷଣା କରାଯାଇଥିଲା । ମାତ୍ର ବର୍ତ୍ତମାନ ବିଭିନ୍ନ ଛାତ୍ରାବାସରେ ବଢ଼ି ଚାଲିଥିବା ସଂକ୍ରମଣ ପୂର୍ବସ୍ଥିତିକୁ ମଧ୍ୟ ଟପି ଯିବା ନେଇ ଏବେ ଆଶଙ୍କା ଦେଖାଦେଇଛି ।