ଭିସୁଟ୍ ପରେ ସମ୍ୱଲପୁର ବିଶ୍ୱବିଦ୍ୟାଳୟକୁ କରୋନା ଭୟ: ଛାତ୍ରାବାସ ପାଇଁ ସତର୍କତା ନୋଟିସ ଜାରି, ଏଣିକି ସନ୍ଧ୍ୟା ସାଢ଼େ ୭ଟା ମଧ୍ୟରେ ହଷ୍ଟେଲକୁ ପ୍ରବେଶ ନିର୍ଦ୍ଦେଶ

ବୁର୍ଲା,୦୨/୩: ବୀର ସୁରେନ୍ଦ୍ର ସାଏବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ ସହରରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମ୍ୱଲପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆଗୁଆ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ।ଏନେଇ ସୋମବାର ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ରାବାସ ଏବଂ ଛାତ୍ରୀ ନିବାସରେ ରହୁଥିବା ଅନ୍ତେବାସୀଙ୍କ ପାଇଁ ସତର୍କତା ଅବଲମ୍ୱନ କରିବା ପାଇଁ ନିର୍ଦ୍ଦେଶ ନାମା ଜାରି କରାଯାଇଛି ।
ଏଣିକି ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ରାବାସରେ ରହୁଥିବା ଅନ୍ତେବାସୀ ସନ୍ଧ୍ୟା ୭ଟା ୩୦ ଯାଏ ନିଜ ନିଜ ହଷ୍ଟେଲକୁ ଫେରିବେ । ସେହିପରି ସନ୍ଧ୍ୟା ପୂର୍ବରୁ ଛାତ୍ରୀ ନିବାସରେ ରହୁଥିବା ଅନ୍ତେବାସୀମାନେ ମଧ୍ୟ ନିଜ ନିଜ ହଷ୍ଟେଲରୁମ୍କୁ ଫେରିବେ । ଏଥିସହିତ ସମସ୍ତ ଛାତ୍ରଛାତ୍ରୀ ମାସ୍କ ପରିଧାନ କରିବା ସହିତ ନିଜ ନିଜ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବେ ।ହାତକୁ ସାନିଟାଇଜର୍ରେ ସଫା କରିବା ସହ ବିନା ଅନୁମତିରେ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ରୁ ବାହାରକୁ ଯିବେ ନାହିଁ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।
ସେହିପରି କୌଣସି ଅନ୍ତେବାସୀଙ୍କ କାଶ, ଥଣ୍ଡା, ଜ୍ୱର ଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ହଷ୍ଟେଲରେ ଥିବା ଅଧିକାରୀଙ୍କୁ ସୂଚନା ଦେବା ପାଇଁ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି । ପ୍ରତିଦିନ ସମସ୍ତ ଛାତ୍ରାବାସ ଏବଂ ଛାତ୍ରୀନିବାସକୁ ହଷ୍ଟେଲ ଅଧୀକ୍ଷକ ଏବଂ ଅତିରିକ୍ତ ଅଧୀକ୍ଷକ ପରିଦର୍ଶନ କରିବେ ଏବଂଛାତ୍ରଛାତ୍ରୀଙ୍କ ଉପରେ କଡ଼ା ନଜର ରଖିବେ ବୋଲି ଉଲ୍ଲେଖ ରହିଛି । ବିଶ୍ୱବିଦ୍ୟାଳୟରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କୌଣସି ଲକ୍ଷଣ ଦେଖାଗଲେ ସେମାନଙ୍କୁ ବୁର୍ଲା ମେଡିକାଲ ନେବା ପାଇଁ ଦୁଇଟି ଆମ୍ୱୁଲାନ୍ସର ବ୍ୟବସ୍ଥା କରାଯାଇଛି ।
ଆମ୍ୱୁଲାନ୍ସ ଚାଳକଙ୍କ ମୋବାଇଲ୍ ନମ୍ବର ମଧ୍ୟ ନୋଟିସ୍ ବୋର୍ଡରେ ଜାରି କରାଯାଇଛି । ସେହିପିର ଜରୁରି ପରିସ୍ଥିତିରେ ଯୋଗାଯୋଗ କରିବାକୁ ବିଶ୍ୱବିଦ୍ୟାଳୟ ଡିସ୍ପେନ୍ସେରୀ ଏବଂ ଭିମ୍ସାର୍ ନିର୍ଦ୍ଦେଶକଙ୍କ ମୋବାଇଲ୍ ନମ୍ବର ମଧ୍ୟ ଜାରି କରାଯାଇଛି । ଅନ୍ୟପଟେ ଭିସୁଟ୍ରେ କରୋନା ସଂକ୍ରମଣ ଓ ସ୍ଥିତି ସମ୍ପର୍କରେ ଗଣମାଧ୍ୟମକୁ ଭିସୁଟ୍ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଉନାହିଁ ।ଭିସୁଟ୍ର ଏକ ଛାତ୍ରାବାସରେ କରୋନା ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କୁ ରଖିବା ପାଇଁ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି । ପୁଲ୍ହ ହଷ୍ଟେଲରେ ଅଧିକ ସଂକ୍ରମିତ ହୋଇଥିବା ଛାତ୍ର ରହିଥିବା ଜଣାପଡ଼ିଛି।