କରୋନାରେ ମିଳିଲାନି କାମ, ଭୋକ ଉପବାସରେ ଜାଗାଘର ବାରଣ୍ଡାରେ ଆଖିବୁଜିଲେ ବୃଦ୍ଧ: ଶତ ଚେଷ୍ଟା ସତ୍ତ୍ୱେ ବଞ୍ଚାଇ ପାରିଲେନି ସାମାଜିକ କର୍ମୀ

ପୁରୀ, ୩୦/୧୧: ପ୍ରାୟ ୩୦ ବର୍ଷ ତଳେ ପୁରୀ ଆସିଥିଲେ। ସାଙ୍ଗରେ କେହି ନ ଥିଲେ, ଦୋକାନ କିମ୍ବା ହୋଟେଲରେ କାମ କରି ଯେନତେନ ଚଳିଯାଉଥିଲେ। ଯେଉଁଠି ପାରିଲେ ଖାଉଥିଲେ ଓ ଶୋଇ ଯାଉଥିଲେ । ହେଲେ କରୋନା ମହାମାରୀ ଜନିତ ଲକ୍‌ଡାଉନ୍‌ ପରଠୁ ଆଉ ତାଙ୍କୁ କାମ ମିଳିଲାନି। ଭୋକ ଉପବାସରେ ଦୋକାନ କିମ୍ବା ଜାଗା ବାରଣ୍ଡାରେ ଶୋଇଯାଉଥିଲେ । ଏହି ସମୟରେ ତାଙ୍କ ଶରୀରକୁ ଆକ୍ରମଣ କରିଥିବା ବିଭିନ୍ନ ପ୍ରକାର ରୋଗ । ପ୍ରଶାସନ ସହାୟ ନ ହେବାରୁ ଏହି ଅସହାୟଙ୍କ କିଛିଦିନ ତଳେ ଉଦ୍ଧାର କରି ସେବାଯତ୍ନ କରିଥିଲେ ‘ସାହିଭାଇ’ ଅନୁଷ୍ଠାନର ସଦସ୍ୟମାନେ । ହେଲେ ଥଣ୍ଡା, କାକରରେ ପଡ଼ି ରୋଗ ଶେଷ ସୀମା ଛୁଇଁଥିବାରୁ ସଦର ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ପରଲୋକ ଘଟିଛି । ସାମାଜିକ ଅନୁଷ୍ଠାନର ସଦସ୍ୟମାନେ ଏହି ନିରାଶ୍ରୟଙ୍କ ଶବ ସ୍ୱର୍ଗଦ୍ୱାର ଠାରେ ସଂସ୍କାର କରିଛନ୍ତି । ଅନୁଷ୍ଠାନର କର୍ମୀ ବିଶ୍ୱଜିତ୍‌ ମହାନ୍ତି ମୁଖାଗ୍ନି ଦେଇଥିବା ବେଳେ ସତ୍ୟକାମ ସାହୁ ମହୋଦଧିରେ ଅସ୍ଥି ବିସର୍ଜନ କରିଛନ୍ତି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ବ୍ରଜବନ୍ଧୁ ମହାରଣା, ସମ୍ପାଦକ ଚନ୍ଦ୍ରଶେଖର ମିଶ୍ରଙ୍କ ସମେତ ଅନ୍ୟ ସଦସ୍ୟମାନେ ଶବକୁ କାନ୍ଧ ଦେଇ ଶେଷ ସଂସ୍କାର କରିବା ପରେ ତୀଳଦୋକ ଦେଇ କୁଟୁମ୍ବ ଭଳି ଦଶାହ ପାଳନ କରିଛନ୍ତି ।

ଶନିବାର ଦଶାହ ନିମନ୍ତେ ମରିଚକୋଟ ଛକ ପୁରୀ ସେବା ସମିତି ଗୃହରେ କିଛି ବ୍ରହ୍ମଣଙ୍କୁ ଡାକି ମହାପ୍ରସାଦ ଭୋଜନ ଦେଇ ଆତ୍ମାର ସଦ୍‌ଗତି କାମନା କରିଥିଲେ । ଅନୁଷ୍ଠାନ ପକ୍ଷରୁ ହୋଇଥିବା ଶୋକସଭାରେ ଅମର ଆତ୍ମାର ସଦ୍‌ଗତି କାମନା କରାଯିବା ସହ ଆଗାମୀ ଦିନରେ ନିରାଶ୍ରୟଙ୍କ ପାଖରେ ପ୍ରଶାସନ ଠିଆ ନ ହେଲେ ‘ସାହିଭାଇ’ ନିଶ୍ଚୟ ଠିଆ ହୋଇ ତାର କର୍ତ୍ତବ୍ୟ ତୁଲାଇବ ବୋଲି ଶପଥ ନିଆଯାଇଛି ।

ଏ ସମ୍ପର୍କରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ମିଶ୍ର କହିଛନ୍ତି, ନିରାଶ୍ରୟ ଜଣକ ପ୍ରାୟ ୩୦ ବର୍ଷ ତଳେ କଲିକତାରୁ ଆସି ପୁରୀ ମିଠା ଓ ଜଳଖିଆ ଦୋକାନରେ କାମ କରୁଥିଲେ । ପେଟପୋଷିବା ନିମନ୍ତେ ହୋଟେଲରେ ବାସନ ମାଜିବା ଓ ଅନ୍ୟ ସହାୟତା କାମ କରୁଥିଲେ । ହେଲେ କରୋନା ମହାମାରୀ ଯୋଗୁ ଦୋକାନ ବଜାର ବନ୍ଦ ପରେ ସେ ଖାଦ୍ୟପେୟ ଓ ରହିବା ସୁବିଧା ନ ପାଇ ଅସୁସ୍ଥ ହୋଇପଡ଼ିଥିଲେ । ଜମ୍ପାଗଡ ଜାଗା ପିଣ୍ଡାରେ ସେ ଅସୁସ୍ଥ ଅବସ୍ଥାରେ ଶୋଇଥିବା ଅନୁଷ୍ଠାନର ଜଣେ ସଦସ୍ୟ ଦେଖିବା ପରେ ତାଙ୍କୁ ଉଦ୍ଧାର କରାଯାଇ ସଦର ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା । ସେଠାରେ ସେ ତାଙ୍କ ନାମ ଗୁରୁବାରୀ ବେହେରା(୭୬), ଘର କଲିକତା କାଳିମନ୍ଦିର ନିକଟ ବୋଲି କହିଥିଲେ । ଦିନ ଦୁଇଟା ପରେ ଚିକିତ୍ସା ପରେ ତାଙ୍କୁ ସ୍ଥାନୀୟ ଏକ ବୃଦ୍ଧାଶ୍ରମରେ ରଖାଯାଇଥିଲା । ଦିନ କେଇଟା ରହିଛନ୍ତି ନା ନାହିଁ ପେଟରେ ପାଣି ଜମିବା ଓ ମୁଣ୍ଡରେ ଯନ୍ତ୍ରଣା ହେବାରୁ ପୁଣି ସଦର ମୁଖ୍ୟ ଚିକିତ୍ସାଳୟ ଆସିଥିଲେ ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ବୃଦ୍ଧଙ୍କ ଅଧିକ ଚିକିତ୍ସା ନିମନ୍ତେ କୌଣସି ପଦକ୍ଷେପ ନିଆଯାଇ ନ ଥିଲା । ଶଯ୍ୟାରୁ ଉଠିବାରେ ଦମ୍ଭ ନ ଥିବାରୁ ବୃଦ୍ଧାଶ୍ରମମାନେ ଦାୟିତ୍ୱ ନେବାକୁ ପରବର୍ତ୍ତୀ ସମୟରେ ରାଜି ହୋଇ ନ ଥିଲେ । ଶେଷରେ ଡାକ୍ତରଖାନା ଶଯ୍ୟାରେ ଚିକିତ୍ସା ବେଳେ ତାଙ୍କ ମୃତ୍ୟୁ ଚଳିତ ମାସ ୧୯ ତାରିଖରେ ହୋଇଥିଲା । ଅଜଣା ବ୍ୟକ୍ତି ହୋଇଥିବାରୁ ତାଙ୍କ ଆତ୍ମୀୟଙ୍କ ଅପେକ୍ଷାରେ ପୁଲିସ ଓ ଡାକ୍ତରଖାନା କର୍ତ୍ତୃପକ୍ଷ ୯୬ ଘଣ୍ଟା ଶବାଗାରରେ ଶବ ରଖିଥିଲେ।

୨୩ ତାରିଖରେ ପୁଲିସ ଶବ ସଂସ୍କାର ନିମନ୍ତେ ଦେବାରୁ ଅନୁଷ୍ଠାନ ପକ୍ଷରୁ ସମ୍ମାନ ପ୍ରଦର୍ଶନ ପୂର୍ବକ ଶବ ସଂସ୍କାର ଓ ଦଶାହ ପାଳନ କରାଯାଇଥିଲା । ପୁରୀରେ ନିରାଶ୍ରୟଙ୍କ ସଂଖ୍ୟା ବଢ଼ୁଛି । ଲକ୍‌ଡାଉନ୍‌ ପରଠୁ ଅନେକ ନିରାଶ୍ରୟ ବହୁ କଷ୍ଟ ଓ ରୋଗଯନ୍ତ୍ରଣାରେ ଦିନ କାଟୁଛନ୍ତି । ପ୍ରଶାସନ ସେମାନଙ୍କ ଉଦ୍ଧାର ଓ ଥଇଥାନ କରୁ । ପ୍ରତ୍ୟେକ ବ୍ୟକ୍ତି ମଧ୍ୟ ନିରାଶ୍ରୟଙ୍କ ଉଦ୍ଧାର ଓ ଥଇଥାନ ନିମନ୍ତେ ସହଯୋଗର ହାତ ବଢ଼ାଇବା ଜରୁରି ହୋଇପଡ଼ିଥିବା ସେ ପ୍ରକାଶ କରିଛନ୍ତି ।