କରୋନା କରୁଣ ଚିତ୍ର, ଭୋକ ଓପାସରେ ଚାଲିଗଲେ ‘ସାବିତ୍ରୀ’

ଭୁବନେଶ୍ୱର ୨୭/୩: ପେଟ ଚାଖଣ୍ଡକ ପାଇଁ ବାରଦୁଆର ଘୁରି ବୁଲୁଥିଲେ । କିଏ କେମିତି ମୁଠାଏ ଦେଲେ ଖାଉଥିଲେ । ଶେଷରେ କରୋନା ଆତଙ୍କ ଜୀବନ ଯୁଦ୍ଧରେ ପ୍ରତିବନ୍ଧକ ସାଜିଲା । ଦୁଇଓଳି ଖାଇବାକୁ ନ ପାଇ ଆଖି ବୁଜିଦେଲେ ‘ସାବିତ୍ରୀ’ । ପାତ୍ରପଡ଼ା ଉଦୟଗିରି ବିହାରସ୍ଥିତ ଏକ ପରିତ୍ୟକ୍ତ ଅର୍ଦ୍ଧନିର୍ମିତ ଘରୁ ଖଣ୍ଡଗିରି ଥାନା ପୁଲିସ ସାବିତ୍ରୀଙ୍କ ମୃତଦେହ ଜବତ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ମହିଳା ଜଣଙ୍କର ବୟସ ଆନୁମାନିକ ୫୦ରୁ ୫୫ ବର୍ଷ ମଧ୍ୟରେ । ପ୍ରାୟ ୭/୮ ମାସ ଧରି ମହିଳା ଜଣଙ୍କ ଏହି ଅଞ୍ଚଳକୁ ଆସି ବୁଲାବୁଲି କରୁଥିଲେ । କିଏ ଗଣ୍ଡାଏ ଦେଲେ ଖାଉଥିଲେ । ଘରଦ୍ୱାର ଓ ପରିବାର କଥା ପଚାରିଲେ ଚୁପ୍‌ ରହୁଥିଲେ । ନାଁ ପଚାରିଲେ କେବଳ ସାବିତ୍ରୀ ବୋଲି କହୁଥିଲେ । ତେଣୁ ସ୍ଥାନୀୟ ଲୋକେ ତାଙ୍କୁ ସାବିତ୍ରୀ ନାମରେ ଡାକୁଥିଲେ । ସାବିତ୍ରୀ ପେଟ ଚାଖଣ୍ଡକ ପାଇଁ ଦିନରେ ବୁଲି ଲୋକଙ୍କ ଠାରୁ ମାଗିଯାଚି ଖାଉଥିଲେ । ସନ୍ଧ୍ୟା ହେଲେ ଉଦୟଗିରିରେ ଥିବା ଏକ ଅର୍ଦ୍ଧନିର୍ମିତ ଘରେ ଯାଇ ରହୁଥିଲେ । ଧୀରେ ଧୀରେ ସେ ରୋଗରେ ପୀଡ଼ିତ ହୋଇ ଦୁର୍ବଳ ହୋଇ ପଡ଼ିିଥିଲେ । ତଥାପି ଜୀବନଯୁଦ୍ଧରେ ଲଢ଼ି ଚାଲିଥିଲେ । ହେଲେ କରୋନା ଆତଙ୍କ ପରେ ଲୋକେ ଘରୁ ବାହାରିଲେ ନାହିଁ । ତେଣୁ ଖାଇବା ପିଇବାକୁ ନ ପାଇ ଆଜି ଭୋର ସମୟରେ ସାବିତ୍ରୀ ଆଖି ବୁଜି ଦେଇଥିଲେ । ସକାଳେ ଲୋକେ ସାବିତ୍ରୀଙ୍କ ମୃତଦେହ ଉକ୍ତ ଘରେ ପଡ଼ିଥିବା ଦେଖି ଖଣ୍ଡଗିରି ଥାନା ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ସାବିତ୍ରୀଙ୍କ ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଚିହ୍ନଟ ହୋଇ ନଥିବାରୁ ମୃତଦେହକୁ ପୁଲିସ ଏମ୍‌ସ ହସ୍ପିଟାଲ ଶବାଗାରରେ ରଖି ପରିଚୟ ଖୋଜିବା ପାଇଁ ଉଦ୍ୟମ ଚଳାଇଛି ।

   ସମ୍ବନ୍ଧିତ ଖବର


କ୍ବାରେଣ୍ଟାଇନରେ ଥିବା ଯୁବକ ଉଲଘ୍ନ ଅବସ୍ଥାରେ ଖସି ପଳାଇଲେ, ରାଗରେ ପଡୋଶୀ ମହିଳାଙ୍କୁ କାମୁଡିବା ପରେ ମୃତ୍ୟୁ

କରୋନା ଲକଡାଉନ ଭିତରେ ଭୟଙ୍କର ସ୍ଥିତି, ଘରକୁ ଫେରିବାକୁ ଆନନ୍ଦ ବିହାରରେ ହଜାର ହଜାର ସଂଖ୍ୟାରେ ଶ୍ରମିକଙ୍କ ଭିଡ

ଲକ ଡାଉନ : ୨୧ ବର୍ଷୀୟ ଯୁବକ ଜୀବନ ହାରିଦେଲେ !

କରୋନା ବେଶରେ ଲୋକଙ୍କୁ ଲକ୍‌ଡାଉନ୍‌ ବିଷୟରେ ବୁଝାଇଲା ପୁଲିସ୍‌