ପ୍ରମୁଖ ଖବର
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||
  • ଆଗକୁ ଆହୁରି ବଢ଼ିବ ତାତି, ଆଜି ୪୦ ଡିଗ୍ରୀ ଛୁଇଁବ ପାରଦ ! ଦିନ, ରାତି ତାପମାତ୍ରା ୨ ଡିଗ୍ରୀ ବଢ଼ିପାରେ
  • ||

କରୋନା ମାଡ଼ରେ ଫିକା ପଡ଼ିବ ଖୁଦୁରୁକୁଣୀ ଓଷା, ରୋଜଗାର ଚିନ୍ତାରେ ମୂର୍ତ୍ତି କାରିଗର

ଭୁବନେଶ୍ୱର ୦୮/୦୮: ଦିନକ ପରେ ଆରମ୍ଭ ହେବ ଭାଇ-ଭଉଣୀ ସମ୍ପର୍କର ଆଉ ଏକ ପର୍ବ ଖୁଦୁରୁକୁଣୀ ଓଷା। ଭାଇମାନଙ୍କ ଶୁଭ ମନାସି ବ୍ରତ କରିବେ ପ୍ରତିଟି ଓଡିଆ ଝିଅ । ଭାଲୁକୁଣୀ ମୂର୍ତ୍ତିକୁ ପ୍ରତି ଘରେ ଘରେ ପୂଜା କରିବେ । ଗାଁଠୁ ସହର ଓ ଗଳିକନ୍ଦିରେ ଶୁଭିବ ଖୁଦୁରୁକୁଣୀ ଓଷାର ଗୀତ । କିନ୍ତୁ କରୋନା ପାଇଁ ସବୁ ପର୍ବ ଭଳି ଏ ପର୍ବ ବି ଫିକା ପଡିଯିବ । ରବିବାର ସଟ୍‌ଡାଉନ୍‌ ପାଇଁ ନା କେହି କୁଆଡେ ଯାଇପାରିବେ ନା ଉତ୍ସବ ମନାଇବେ । ସମସ୍ତେ ନିଜ ନିଜ ଘରେ ରହି ମା’ଙ୍କ ପୂଜାର୍ଚ୍ଚନା କରିବେ । ରକ୍ଷା ବନ୍ଧନ ପର୍ବରେ ଭଉଣୀମାନେ ଭାଇ ହାତରେ ରାଖୀ ବାନ୍ଧିଥିଲେ । ଏବେ ଭାଇର ଶୁଭ ମନାସିବା ପାଇଁ ରବିବାରଠୁ ଖୁଦୁରୁକୁଣୀ ବ୍ରତ କରିବେ ।

ସବୁବର୍ଷ ବେଶ୍‌ ଧୁମ୍‌ଧାମ୍‌ରେ ଏହି ଓଷା କରନ୍ତି ଝିଅମାନେ । ବିଶେଷକରି ଗାଁରେ ଏହାକୁ ବହୁତ ଭଲ ଭାବେ ପାଳନ କରାଯାଏ । ସାହିର ଝିଅମାନେ ଏକାଠି ହୋଇ ଭୋର୍‌ରୁ ଫୁଲ ତୋଳିବାଠୁ ଆରମ୍ଭ କରି ମାଳ ତିଆରି କରିବା, ଭାଗବତଟୁଙ୍ଗୀ ସଜାଇବା, ସକାଳୁ ଗାଧୋଇାବା ଏବଂ ଭାଗବତ ଟୁଙ୍ଗୀରେ ଭାଲୁକୁଣୀ ପୂଜା କରନ୍ତି । ହେଲେ ଏବର୍ଷ କରୋନା ପାଇଁ ଏହି ଦୃଶ୍ୟ ଆଉ ଦେଖିବାକୁ ମିଳିବନି । ଗାଁଠୁ ସହର ସମସ୍ତେ ନିଜ ଘରେ ରହି ସୁରକ୍ଷିତ ଭାବେ ବ୍ରତ ପାଳନ କରିବେ । ଆଉ ମା’ ମଙ୍ଗଳାଙ୍କୁ ପୂଜା କରି ନିଜ ଭାଇର ଦୀର୍ଘ ଜୀବନ କାମନା କରିବେ । ଖୁଦୁରୁକୁଣୀ ଓଷାରେ ମା ଭାଲୁକୁଣୀ ମୂର୍ତ୍ତି ପୂଜା କରାଯାଏ । ଏଥିପାଇଁ ପ୍ରତିବର୍ଷ ମୂର୍ତ୍ତି କାରିଗରମାନେ ମୂର୍ତ୍ତି ତିଆରି କରନ୍ତି । ଏହି ପର୍ବରେ ସେମାନଙ୍କ ଭଲ ରୋଜଗାର ହୋଇଥାଏ । ଏଥର କିନ୍ତୁ ରୋଜଗାର ଉପରେ ପ୍ରଭାବ ପକାଇଛି କରୋନା । ପୂର୍ବବର୍ଷ ଭଳି କାରିଗରମାନେ ଅଧିକ ପରିମାଣର ମୂର୍ତ୍ତି ତିଆରି କରିନାହାନ୍ତି ।

ବର୍ତ୍ତମାନ ସ୍ଥିତିକୁ ଦେଖି ଅଧାରୁ କମ୍‌ ମୂର୍ତ୍ତି ତିଆରି କରିଛନ୍ତି । ବଜାରରେ ମଧ୍ୟ ମୂର୍ତ୍ତି ପାଇଁ ଅଧିକ ଦୋକାନ ଖୋଲିନାହିଁ । ଯେତିକି ଦୋକାନ ଖୋଲିଛି ସେଠାରେ ପୂର୍ବ ବର୍ଷ ଅପେକ୍ଷା କମ୍‌ ମୂର୍ତ୍ତି ରଖାଯାଇଛି । ଏ ସମ୍ପର୍କରେ ଏକ ନମ୍ବର ହାଟର ମୂର୍ତ୍ତି ବିକୁଥିବା ଦୋକାନୀ ଶିବ ବେହେରା କହିଛନ୍ତି, ସବୁବର୍ଷ ଖୁଦୁରୁକୁଣୀ ଓଷା ପାଇଁ ପାଖାପାଖି ୨୦୦ରୁ ଅଧିକ ମୂର୍ତ୍ତି ତିଆରି କରିବାକୁ କାରିଗରଙ୍କୁ ବରାଦି ଦେଇଥାଏ । ମାସକ ଭିତରେ ସବୁକିଛି ବିକ୍ରି ହୋଇଯାଏ । ଏବର୍ଷ କିନ୍ତୁ କରୋନା ପାଇଁ ବେପାର ନାହିଁ । ରବିବାର ଖୁଦୁରୁକୁଣୀ ଓଷା ଥିବାରୁ ପ୍ରତି ଶନିବାର ସମସ୍ତେ ଆସି ମୂର୍ତ୍ତି ନିଅନ୍ତି । ଶେଷ ଖୁଦୁରୁକୁଣୀ ଓଷା ପର୍ଯ୍ୟନ୍ତ ବିକ୍ରି ହୁଏ । ଏବର୍ଷ କିନ୍ତୁ ଶନିବାର ଆଉ ରବିବାର ସଟ୍‌ଡାଉନ୍‌ । କେହି କୁଆଡେ ଯିବାଆସିବା ନାହିଁ । ତେଣୁ ବେପାର ଆଶା ନାହିଁ । ସ୍ଥିତିକୁ ଲକ୍ଷ୍ୟ କରି ମାତ୍ର ୬୦-୭୦ଟି ମୂର୍ତ୍ତି ଆଣିଛି । ଏଗୁଡିକର ଦାମ୍‌ ୧୦୦ ଟଙ୍କାରୁ ଆରମ୍ଭ କରି ୮୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଦେଖିବା ଏସବୁ ବିକ୍ରି ହେଉଛି କି ନାହିଁ । ଏପଟେ ଦୁଇଦିନ ସଟ୍‌ଡାଉନ୍‌ ଥିବାରୁ ପୂଜା ପାଇଁ ସମସ୍ତେ ଶୁକ୍ରବାରଠୁ ସବୁ ସାମଗ୍ରୀ କିଣି ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.