ପିନ୍ଧି ପାରିଲେନି ବାହା ମୁକୁଟ: ପ୍ରବାସରେ କରୋନାରେ ଚାଲିଗଲା ଜୀବନ, ବାପା’ମାଙ୍କ ଆଖିରୁ ଶୁଖୁନି ଲୁହ…

ଉଦଳା, ୯/୦୬: ସବୁ ପ୍ରସ୍ତୁତି ସରିଥିଲା । ବାହାଘର ପାଇଁ କିଣା ସରିଥିଲା ମୁକୁଟ ଓ ସେରୱାନି । ମାତ୍ର ବିଧିର ବିଧାନ ଥଲା ବିଚିତ୍ର । କରୋନାରେ ଚାଲିଗଲା ଜୀବନ। ପରିବାର ଭରଣ ପୋଷଣ ପାଇଁ ଦାଦନ ଯାଇଥିବା ସୁଶାନ୍ତଙ୍କୁ ଆରପାରିକୁ ଟାଣିନେଲା ମହାମାରୀ କରୋନା । ଖବର ପାଇବା ପରେ ବାପମାଆଙ୍କ ପାଦତଳୁ ଖସିଗଲା ମାଟି । ସବୁଠୁ ବଡ଼ ବିଡ଼ମ୍ବନା ସୁଶାନ୍ତଙ୍କ ଶବ ମଧ୍ୟ ଗାଁକୁ ଆସିଲାନି । ପୁଅର ମଲାମୁହଁକୁ ଦେଖିବା ମଧ୍ୟ ହତଭାଗ୍ୟ ବାପ ମା’ଙ୍କ ଭାଗ୍ୟରେ ନଥିଲା । ଏବେ କେବଳ ଦାରୁଣ ଦୁଃଖରେ ଶୂନ୍ୟ ଆକାଶକୁ ଚାହିଁ ବସିଛନ୍ତି ପରିବାର ଲୋକ ।

ସୁଶାନ୍ତଙ୍କ ବାହାଘର ପାଇଁ ଯେଉଁ ମୁକୁଟ ଓ ସେରୱାନୀ କିଣା ଯାଇଥିଲା ତାକୁ ଦେଖି ବାହୁନି ବାହୁନି କାନ୍ଦୁଛନ୍ତି ତାଙ୍କ ମା’। କରୋନା ସବୁ ଖୁସିକୁ ଧୂଳିସାତ୍‌ କରିଦେଲା । ଏପରି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧୀନ ଡିହିରାକୁଳ ଗ୍ରାମରେ । ସୁଶାନ୍ତ ସେନାପତି, ବୟସ ତାଙ୍କର ୩୦ ହେବ । କାମ କରିବା ପାଇଁ ସେ ଯାଇଥିଲେ ସୁଦୂର ହରିଆନା । ସୁଶାନ୍ତ ଦୀର୍ଘ ୧୫ ବର୍ଷ ହେବ ରାଜ୍ୟ ବାହାରେ କାମ କରି ଆସୁଥିଲେ । ଅନେକ ଥର ଘରକୁ ଆସନ୍ତି ପୁଣି ଫେରିଯାନ୍ତି ନିଜ କର୍ମସ୍ଥଳୀକୁ । ଏଥର ମଧ୍ୟ ଠିକ୍‌ ସେଇଆ ହିଁ ହୋଇଥିଲା । ହେଲେ ମନରେ ଥିଲା ଅନେକ ଆବେଗ ଏବଂ ଉତ୍ସାହ । କାହିଁକି ନା ଏଥର କର୍ମସ୍ଥଳୀରୁ ଘରକୁ ଫେରିଥିଲେ ତାଙ୍କର ହୋଇଥାଆନ୍ତା ବାହାଘର । ବାହାଘର ପାଇଁ ଝିଅ ଦେଖାରୁ ଦିନ ଧାର୍ଯ୍ୟ ସବୁ ସରିଥିଲା । ମାତ୍ର ଭଗବାନଙ୍କ ବିଚାର ଥିଲା ଭିନ୍ନ । ସବୁକିଛି ଅଧାରେ ଅଟକିଗଲା । ଗତ ମାର୍ଚ୍ଚ ମାସରେ ଘରୁ ବାହାରି କାମକୁ ଯାଇଥିଲେ ସୁଶାନ୍ତ । ହେଲେ ମାର୍ଚ୍ଚ ମାସରୁ ଘରୁ ବାହାରି ହରିଆନାରେ ପହଂଚିବା ପରେ କିଏ ଜାଣିଥିଲା ଏଭଳି ହେବ ସ୍ଥିତି । ଲକ୍‌ ଡାଉନ ପାଇଁ ଅଖଚକ ବନ୍ଦ ହୋଇପଡିବା ପରେ ସେ ଆଉ ଘରକୁ ଆସିପାରିଲେନି।

କମ୍ପାନୀ ବନ୍ଦ, କାମଧନ୍ଦା ବନ୍ଦ । ୮ ଦିନ ପୂର୍ବରୁ ତାଙ୍କ ଦେହ ଅସୁସ୍ଥ ହେଲା । ଜ୍ୱର ଲାଗି ରହିଲା । ଡାକ୍ତରଖାନାରେ ଭର୍ତି ହୋଇଥିବା ବଳେ ଖବର ଆସିଲା ସୁଶାନ୍ତଙ୍କ ଘରକୁ ଯେ ତାଙ୍କ ପୁଅର ମୃତ୍ୟୁ ହୋଇଛି । ତେବେ କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ଜାଣିବାକୁ ଲାଗିଲା ଦୁଇ ଦିନ । ପରିବାର ଲୋକେ ଆଶା ବାନ୍ଧି ବସିଥିଲେ କମ୍ପାନୀ କର୍ତୃପକ୍ଷ ସୁଶାନ୍ତଙ୍କ ମୃତଦେହକୁ ଘରକୁ ପଠାଇବେ । ଶେଷ ମୁହୂର୍ତ୍ତରେ ପୁଅର ମୁହଁ ଦେଖିବେ ବାପା ମା’ ଓ ଭାଇ । ହେଲେ ସୁଶାନ୍ତ ଜ୍ୱରରେ ପୀଡିତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କର ସ୍ୱାବ ଟେଷ୍ଟ ନିମନ୍ତେ ଯାଇଥିଲା । ସ୍ୱାବ ଟେଷ୍ଟ ନିମନ୍ତେ ଯାଇଥିବାରୁ ମୃତଦେହକୁ ରଖାଯାଇଥିଲା ଡାକ୍ତରଖାନାରେ । ଶେଷରେ ରିପୋର୍ଟ ଆସିଲା ସ୍ୱାବ ଟେଷ୍ଟରେ ସୁଶାନ୍ତ କରୋନା ପଜିଟିଭ୍‌ ବାହାରିଛନ୍ତି । ଯାହା ଶୁଣିବା ପରେ ପରିବାର ଲୋକଙ୍କ ପାଦତଳୁ ମାଟି ଖସିଗଲା । କାହିଁକି ନା କରୋନାରେ ସୁଶାନ୍ତ ଆକ୍ରାନ୍ତ ହୋଇଥିବାରୁ ଆଉ ମୃତ ଦେହ ଘରକୁ ଆସିପାରିବ ନାହିଁ ।

ଏହା ଶୁଣିବା ପରେ ବାପାମା’ଙ୍କ ଆଖିରୁ ଲୁହ ଆଉ ବୋଲ ମାନୁନାହିଁ । ପୁଅର ବାହାଘର କରିବା ଆଶାରେ ବସିଥିବା ବାପାମା’ ପୁଅର ମୃତ୍ୟୁ ଖବର ଶୁଣି ଧୈର୍ଯ୍ୟହରା ହୋଇପଡ଼ିଛନ୍ତି । ପୁଅର କିଣା ହୋଇଥିବା ମୁକୁଟକୁ କୁଣ୍ଢାଇ ବାପା ରାହା ଧରି କାନ୍ଦୁଥିବା ବେଳେ ମାଆ ପୁଅର ଫଟୋକୁ ଦେଖି ମୁଣ୍ଡ ବାଡେଇ କାନ୍ଦୁଛନ୍ତି । ସୁଶାନ୍ତ କରୋନାରେ ମୃତ୍ୟୁବରଣ କରିବା ଏବଂ ତାଙ୍କର ମୃତଦେହ ଘରକୁ ନ ଆସିପାରିବା ନେଇ ପରିବାର ଦୁଃଖରେ ଭାଙ୍ଗି ପଡିଥିବା ବେଳେ ଗ୍ରାମରେ ମଧ୍ୟ ଶୋକର ପରିବେଶ ।

   ସମ୍ବନ୍ଧିତ ଖବର


ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!

ଓଡ଼ିଶାରେ ରି-ଇନ୍‌ଫେକ୍ସନ୍‌ ହେଉଛି କରୋନା : ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ

ପୁଅର ଅସ୍ଥି ଟିକକ ମିଳିଲେ ଗଙ୍ଗାରେ ବିସର୍ଜନ କରନ୍ତି…

ବାଇକ୍‌ରେ ଯାଉଥିଲେ, ଚଢ଼ିଗଲା ଟ୍ରକ୍: ଅଜା-ନାତିଙ୍କ ଚାଲିଗଲା ଜୀବନ

ମୁହାଁ ମୁହିଁ ଧକ୍କା ହେଲା ଟ୍ରକ୍‌ : ଗୁରୁତର ଡ୍ରାଇଭରଙ୍କୁ ହସ୍ପିଟାଲରେ ଭର୍ତ୍ତି

ଆଜି ଧରାପୃଷ୍ଠରେ ଅବତରଣ କରିବେ ମା’ ଗଜଲକ୍ଷ୍ମୀ: ସବୁଠି କୋଭିଡ୍‌ ନିୟମ ଅନୁସାରେ ହେବ ପୂଜା, ଦର୍ଶନ କରିବେନି ଭକ୍ତ