କୋଭିଡ-୧୯ର ଭୟଙ୍କର ରୂପ: ନୂଆ ମ୍ୟୁଟାଣ୍ଟରେ ପରିଣତ ହେବା ପରେ ପୂର୍ବାପେକ୍ଷା ଅଧିକ ସଂକ୍ରାମକ ପାଲଟିଛି

ୱାଶିଂଟନ ୮/୫: ଚୀନର ୱୁହାନ ସହରରେ ଯେଉଁ କରୋନା ଭୂତାଣୁ (କୋଭିଡ-୧୯) ବ୍ୟାପିଥିଲା, ତାହା ଏବେ ଅଧିକ ଭୟାନକ ରୂପ ନେଇଛି । ଏହି ଭୂତାଣୁ ଏବେ ନିଜକୁ ବଦଳାଇ ଏକ ନୂଆ ମ୍ୟୁଟାଣ୍ଟରେ ପରିଣତ କରିଦେଇଛି । ଫଳରେ ପୂର୍ବାପେକ୍ଷା ଏହା ଅଧିକ ପ୍ରଭାବୀ ଓ କ୍ଷତିକାରକ ପାଲଟିଛି । ଏମିତି କି ଏହା ଅଧିକ ସଂକ୍ରାମକ ହୋଇଯାଇଛି, ଯାହା ଦ୍ୱାରା କମ୍‌ ସମୟରେ ଅଧିକରୁ ଅଧିକ ଲୋକଙ୍କୁ ଏହା ସଂକ୍ରମିତ କରିପାରିବ । ଆମେରିକା ବୈଜ୍ଞାନିକମାନେ କୋଭିଡ-୧୯ର ଏହି ଭୟଙ୍କର ରୂପ ଠାବ କରିଛନ୍ତି ।

ଆମେରିକୀୟ ବୈଜ୍ଞାନିକମାନଙ୍କ ଏହି ଅଧ୍ୟୟନ ରିପୋର୍ଟ ଯଦି ସତ ହୁଏ, ତେବେ ଆଗକୁ ଏହା ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିବ । କରୋନାକୁ ପ୍ରତିହତ କରିବା ପାଇଁ ବୈଜ୍ଞାନିକମାନେ ଯେଉଁ ପ୍ରୟାସ ଚଳାଇଛନ୍ତି, ତାହା ନିଷ୍ଫଳ ହୋଇଯିବ । କରୋନାର ଇତିମଧ୍ୟରେ ୧୪ଟି ମ୍ୟୁଟେସନ ଠାବ କରାଯାଇ ସାରିଲାଣି । ସଦ୍ୟ ମ୍ୟୁଟେସନ ସବୁଠୁ ଅଧିକ କ୍ଷତିକାରକ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି । ଏଭଳି ହେଲେ ବୈଜ୍ଞାନିକମାନେ କରୋନା ଭୂତାଣୁକୁ ନିଷ୍କ୍ରିୟ କରିବା ପାଇଁ ଯେଉଁ ଟିକା ବିକାଶ କରିବେ, ତାହା କାମ ଦେବ ନାହିଁ । କରୋନାର ବିଭିନ୍ନ ରୂପ ଓ ଗୁଣ ଦୃଷ୍ଟିରୁ ଟିକା ଏହାକୁ କାଟୁ କରିବ ନାହିଁ ବୋଲି କୁହାଯାଉଛି ।

ଆମେରିକାସ୍ଥିତ ଲସ ଆଲାମୋସ ନ୍ୟାସନାଲ ଲାବୋରଟୋରି ନେତୃତ୍ୱରେ ଆମେରିକାର ଏକ ବୈଜ୍ଞାନିକ ଦଳ କରୋନାର ଏହି ନୂଆ ଭୟଙ୍କର ଷ୍ଟ୍ରେନ ଚିହ୍ନଟ କରିଛନ୍ତି । ଏହି ନୂଆ ଷ୍ଟ୍ରେନ ଚଳିତବର୍ଷ ଫେବ୍ରୁଆରୀରେ ୟୁରୋପରେ ବ୍ୟାପିଥିଲା । ଏବେ ଏହା ବିଶ୍ୱର ଅନ୍ୟ ଅଞ୍ଚଳକୁ ବ୍ୟାପିଛି । ଆମେରିକାରେ ମଧ୍ୟ ଏହି ଷ୍ଟ୍ରେନ ପହଞ୍ଚିସାରିଛି । ମାର୍ଚ୍ଚ ଶେଷ ବେଳକୁ ଏହା ସାରା ବିଶ୍ୱରେ ପହଞ୍ଚିଥିବା ବୈଜ୍ଞାନିକମାନେ ଦାବି କରିଛନ୍ତି ।

ବୈଜ୍ଞାନିକମାନେ ନିଜର ୩୩ ପୃଷ୍ଠା ସମ୍ୱଳିତ ରିପୋର୍ଟରେ ଦର୍ଶାଇଛନ୍ତି ଯେ ଗ୍ରୀଷ୍ମ ଋତୁରେ ଋତୁକାଳୀନ ଫ୍ଲୁଗୁଡ଼ିକ ସ୍ୱାଭାବିକ ଭାବେ କମିଯାଇଥାନ୍ତି । ସେହି ଦୃଷ୍ଟିରୁ କୋଭିଡ-୧୯ର ପ୍ରଭାବ ମଧ୍ୟ କମିବ ବୋଲି ଆଶା କରାଯାଉଛି । ଯଦି ତାହା ନ ହୁଏ, ତେବେ ଏହି ଭୂତାଣୁ ପୁନଃ ମ୍ୟୁଟେଟ (ରୂପ ବଦଳାଇବା) ହେବାର ଆଶଙ୍କା ରହିଛି । ପୁଣି ମ୍ୟୁଟେଟ ହେଲେ ଏହା ଆହୁରି ଅନିଷ୍ଟକାରୀ ହୋଇପଡ଼ିବ । ଏଭଳି ବାରମ୍ୱାର ହେଲେ କରୋନା ଭୂତାଣୁକୁ ରୋକିବା ପାଇଁ ଆଦୌ ଟିକା ବାହାରି ପାରିବ ନାହିଁ ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ।

ଲସ ଆଲୋମୋସ ନ୍ୟାସନାଲ ଲାବୋରଟୋରିରେ କମ୍ପ୍ୟୁଟେସନାଲ ବାୟୋଲୋଜିଷ୍ଟ ଭାବେ କାବେଯ କରୁଥିବା ବେଟ କୋର୍ବର କହିଛନ୍ତି, ଏହା ଅତ୍ୟନ୍ତ ଖରାପ ଖବର । କରୋନାର ଏଭଳି ରୂପ ବଦଳାଇବା ଘଟଣା ଚିନ୍ତାଜନକ । ଟିକା ଅଥବା ଔଷଧ ଉପରେ ଅଧ୍ୟୟନ କରୁଥିବା ବୈଜ୍ଞାନିକମାନଙ୍କ ସବୁ ପରିଶ୍ରମ ବେକାର ହେବା ଆଶଙ୍କା ରହିଛି । କିନ୍ତୁ ଏଥିପାଇଁ ନିରୁାହିତ ହେବା ଉଚିତ ନୁହେଁ ।

ଲସ ଆଲୋମୋସ ନ୍ୟାସନାଲ ଲାବୋରଟୋରିର ବୈଜ୍ଞାନିକଙ୍କ ମୁତାବକ ଠାବ ହୋଇଥିବା କରୋନାର ନୂଆ ଷ୍ଟ୍ରେନ ଅଧିକ କ୍ଷତିକାରକ । ବିଶେଷକରି ଆଉଥରେ ସଂକ୍ରମଣ ହେଉଥିବା ଲୋକଙ୍କ ପ୍ରତି ଏହା ବିପଦ ସୃଷ୍ଟି କରିପାରେ । ତେଣୁ ଏ ନେଇ ଟିକା ବିକାଶରେ ଲାଗିଥିବା ଗବେଷକଙ୍କୁ ସତର୍କ କରାଇବା ଜରୁରି ଥିଲା । ସେମାନେ ଅଧିକ ଭୟଙ୍କର କରୋନା ଷ୍ଟ୍ରେନକୁ ଦୃଷ୍ଟିରେ ରଖି ଟିକା ତିଆରି କରିବାକୁ ଚେଷ୍ଟିତ ହେବେ । ପୂର୍ବ କରୋନା ଭୂତାଣୁଠାରୁ ନୂଆ ଷ୍ଟ୍ରେନ ଅଧିକ ଶକ୍ତିଶାଳୀ ରହିଛି । ବିଶ୍ୱରୁ ୬,୦୦୦ କରୋନା ଭୂତାଣୁ ସିକ୍ୱେନ୍ସର ବିଶ୍ଳେଷଣ କରି ବୈଜ୍ଞାନିକମାନେ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ।

ଡ୍ୟୁକ ୟୁନିଭର୍ସିଟି ଏବଂ ୟୁନିଭର୍ସିଟି ଅଫ ସେଫିଲ୍ଡର ବୈଜ୍ଞାନିକଙ୍କ ସହ ମିଶି ଲସ ଆଲାମୋସ ଟିମ ଏ ପର୍ଯ୍ୟନ୍ତ କରୋନାର ୧୪ଟି ମ୍ୟୁଟେସନ ଠାବ କରିଥିବା ଜଣାପଡ଼ିଛି । କୋର୍ବରଙ୍କ ମୁତାବକ ଏହି ସଦ୍ୟ ମ୍ୟୁଟେସନ ଥିବା ଭୂତାଣୁ ଯଦି ଏକ ଅଞ୍ଚଳରେ ପ୍ରବେଶ କରେ, ତେବେ ଏହା ସ୍ଥାନୀୟ ଅଞ୍ଚଳ ପାଇଁ ମହାମାରୀ ପରିସ୍ଥିତି ସୃଷ୍ଟି କରିବ । କାରଣ ଏହା ଅଧିକ ସଂକ୍ରାମକ ହୋଇଯିବ । ତେଣୁ ଏହି ‘ସ୍ପାଇକ ଡି୬୧୪ଜି’ ମ୍ୟୁଟେସନକୁ ନେଇ ସତର୍କତା ଅବଲମ୍ୱନ କରାଯିବା ଆବଶ୍ୟକ ।

   ସମ୍ବନ୍ଧିତ ଖବର


ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ଆମେରିକାରେ ସମସ୍ତଙ୍କୁ ମାଗଣା କୋରନା ଟିକା ଦେବା ପାଇଁ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ୍‌

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ, ଭୁଲରେ ବି ଡାଉନଲୋଡ କରନ୍ତୁ ନାହିଁ ଏହି ୧୯ ଆପ୍ସ

ଟ୍ରାଫିକ୍ କନଷ୍ଟେବଳଙ୍କୁ ମାଡ଼ ମାରିଲେ ମହିଳା , ଭିଡ଼ିଓ ଭାଇରାଲ

ଦେଖନ୍ତୁ- ନୁସରତ୍‌ ଜାହାନ୍‌ ନୃତ୍ୟ କରିବା ସହ ଢାକ ବଜାଇବାର ଦୃଶ୍ୟ ଭାଇରାଲ୍‌