ଦେଶରେ ଥମିବା ନାଁ ଧରୁନାହିଁ ସଂକ୍ରମଣ: ଆକ୍ରାନ୍ତ ୫.୪୮ ଲକ୍ଷ ଡେଇଁଲା, ମୃତ୍ୟୁ ସଂଖ୍ୟା ୧୬,୪୭୫ ପାର୍‌

ନୂଆଦିଲ୍ଲୀ, ୩୦/୦୬: ଭାରତରେ କରୋନା ଭୂତାଣୁ ସଂକ୍ରମଣ ଥମିବା ନାଁ ଧରୁନାହିଁ । ସୋମବାର ପୁଣି ୧୯,୪୫୯ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତ ସଂଖ୍ୟା ଦେଶରେ ୫,୪୮,୩୧୮କୁ ବୃଦ୍ଧି ପାଇଛି। ସେହିଭଳି ୨୪ ଘଣ୍ଟାରେ ୩୮୦ ଲୋକଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧୬,୪୭୫କୁ ବୃଦ୍ଧି ପାଇଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଏବେସୁଦ୍ଧା ୩,୨୧,୭୨୩ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ୨,୧୦,୧୨୦ ରୋଗୀଙ୍କ ଚିକିତ୍ସା ଜାରି ରହିଛି।

ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୫୪୯୩ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ଇତିମଧ୍ୟରେ ୧,୬୪,୬୨୬କୁ ବୃଦ୍ଧି ପାଇଛି। ଏଠାରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୭,୪୨୯ରେ ପହଞ୍ଚିଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୮୬,୫୭୫ ରୋଗୀ ସୁସ୍ଥ ହୋଇଥିବା ବେଳେ ଏବେ ବି ୭୦,୬୨୨ ରୋଗୀଙ୍କ ଚିକିତ୍ସା ଜାରି ରହିଛି। ତାମିଲନାଡୁରେ ସୋମବାର ସକାଳ ୮ଟା ସୁଦ୍ଧା ୩,୯୪୦ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଏଠାରେ ମୋଟ ଆକ୍ରାନ୍ତ ସଂଖ୍ୟା ୮୨,୨୭୫କୁ ବୃଦ୍ଧି ପାଇଛି। ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧,୦୭୯ରେ ପହଞ୍ଚିଥିବା ବେଳେ ମୋଟ ୪୫,୫୩୭ ରୋଗୀ ସୁସ୍ଥ ହୋଇସାରିଛନ୍ତି। ଦିଲ୍ଲୀରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୮୩,୦୭୭ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨,୬୨୩କୁ ବୃଦ୍ଧି ପାଇଛି। ଏବେ ରାଜ୍ୟରେ ୨୭,୮୪୭ ରୋଗୀଙ୍କ ଚିକିତ୍ସା ଜାରି ରହିଥିବା ବେଳେ ୫୨,୬୦୭ ରୋଗୀ ସୁସ୍ଥ ହୋଇଛନ୍ତି।

ଗୁଜରାଟରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୧,୩୨୦ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧,୮୦୮କୁ ବୃଦ୍ଧି ପାଇଛି। ସେହିଭଳି ରାଜସ୍ଥାନରେ ମୃତ୍ୟୁ ସଂଖ୍ୟା ୩୯୯କୁ ବଢ଼ିଥିବା ବେଳେ ଆକ୍ରାନ୍ତ ସଂଖ୍ୟା ୧୭,୨୭୧କୁ ବୃଦ୍ଧି ପାଇଛି। ତେଲଙ୍ଗାନାରେ ୯,୦୦୦ ରୋଗୀଙ୍କ ଚିକିତ୍ସା ଚାଲିଥିବା ବେଳେ ୫,୧୭୨ ରୋଗୀ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୪,୪୧୯ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୪୭ରେ ପହଞ୍ଚିଛି। ଉତ୍ତର ପ୍ରଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୨୨,୧୪୭ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୬୬୦କୁ ବଢ଼ିଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୧୪,୮୦୮ ରୋଗୀ ସୁସ୍ଥ ହୋଇଛନ୍ତି। ପଶ୍ଚିମବଙ୍ଗରେ ୧୭,୨୮୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧୧,୧୯୩ ଜଣ ଆରୋଗ୍ୟ ଲାଭ କରିସାରିଲେଣି। ସେହିଭଳି ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୬୩୯କୁ ବୃଦ୍ଧି ପାଇଛି।

ମଧ୍ୟ ପ୍ରଦେଶ ଏବେ ଦେଶରେ ସର୍ବାଧିକ ପ୍ରଭାବିତ ହୋଇଥିବା ରାଜ୍ୟ ତାଲିକାରୁ ବାହାରି ଯାଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ଆକ୍ରାନ୍ତ ସଂଖ୍ୟା ୧୩,୧୮୬ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧୦,୦୮୪ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଅର୍ଥାତ ଆରୋଗ୍ୟ ହାର ରାଜ୍ୟରେ ୭୬% ହୋଇଛି। ଏବେ ମଧ୍ୟ ପ୍ରଦେଶକୁ ଅତିକ୍ରମ କରି କର୍ଣ୍ଣାଟକ ତାଲିକାର ଦଶମ ସ୍ଥାନରେ ପହଞ୍ଚିଛି। କିନ୍ତୁ ଦୁଇ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ମଧ୍ୟରେ ଏବେ ବେଶି ଫରକ ନାହିଁ। କର୍ଣ୍ଣାଟକରେ ମୋଟ ଆକ୍ରାନ୍ତ ସଂଖ୍ୟା ଏବେ ୧୩,୧୯୦ରେ ପହଞ୍ଚିଛି ।

ଦେଶରେ ଏବେ ପ୍ରତି ୧୦୦ ନମୁନାରୁ ୬ ଜଣ ପଜିଟିଭ ବାହାରୁଛନ୍ତି। ଏହି ତାଲିକାରେ ଭାରତ ଏବେ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି। ସବା ଉପରେ ବ୍ରାଜିଲ ରହିଛି, ଯେଉଁଠାରେ ପ୍ରତି ୧୦୦ ଟେଷ୍ଟିଙ୍ଗରେ ୪୫ ରୋଗୀ ବାହାରୁଛନ୍ତି। ଏହାପରେ ଆମେରିକା, ରୁଷ ଓ ବ୍ରିଟେନ ରହିଛନ୍ତି। ଆମେରିକାରେ ପ୍ରତି ୧୦୦ ନମୁନା ପରୀକ୍ଷାରେ ୮ ଜଣ ପଜିଟିଭ ବାହାରୁଥିବା ବେଳେ ରୁଷରେ ୧୦୦ରେ ୩, ବ୍ରିଟେନରେ ମଧ୍ୟ ୩ ଜଣ ରୋଗୀ ଚିହ୍ନଟ ହେଉଛନ୍ତି।

ସେପଟେ ଦିଲ୍ଲୀରେ କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ପ୍ଲାଜ୍‌ମା ଥେରାପି ଭଲ କାମ ଦେଉଥିବାରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ରାଜ୍ୟରେ ଏକ ପ୍ଲାଜ୍‌ମା ବ୍ୟାଙ୍କ ଖୋଲିବା ପାଇଁ ଘୋଷଣା କରିଛନ୍ତି । ଭିଡିଓ କନଫରେନ୍ସ ଜରିଆରେ କେଜରିୱାଲ କହିଛନ୍ତି, ଆଗାମୀ ଦୁଇଦିନ ମଧ୍ୟରେ ଏହି ବ୍ୟାଙ୍କ କାର୍ଯ୍ୟକ୍ଷମ ହେବ। କୋଭିଡ-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ଲୋକଙ୍କୁ ପ୍ଲାଜ୍‌ମା ଦାନ କରିବା ପାଇଁ ଆପ୍‌ ସରକାର ସେମାନଙ୍କୁ ପ୍ରୋତ୍ସାହିତ କରିବ। ପ୍ଲାଜ୍‌ମା ଥେରାପି ସଂକ୍ରାନ୍ତ ତଥ୍ୟଗୁଡ଼ିକୁ ନେଇ ସରକାର ଏକ ହେଲ୍‌ପଲାଇନ୍‌ ସ୍ଥାପନ କରିବେ। ତାଙ୍କ ମୁତାବକ ରାଜ୍ୟରେ ଏ ପର୍ଯ୍ୟନ୍ତ ୨୯ ରୋଗୀଙ୍କ ଉପରେ ପ୍ଲାଜ୍‌ମା ଥେରାପି ପ୍ରୟୋଗ କରାଯାଇଥିଲା। ଏଥିରୁ ସକାରାତ୍ମକ ଫଳ ମିଳିଛି । ତେବେ ଇନଷ୍ଟିଚ୍ୟୁଟ ଅଫ୍‌ ଲିଭର ଆଣ୍ଡ୍‌ ବାଇଲିୟରି ସାଇନ୍ସେସ (ଆଇଏଲ୍‌ବିଏସ୍‌) ହସ୍ପିଟାଲରେ ଏହି ପ୍ଲାଜ୍‌ମା ବ୍ୟାଙ୍କ ସ୍ଥାପନ ହେବ ବୋଲି ଜଣାପଡ଼ିଛି। ଡାକ୍ତରଙ୍କ ସୁପାରିସକ୍ରମେ ଏଠାରେ ପ୍ଲାଜ୍‌ମା ଉପଲବ୍ଧ ହେବ।

   ସମ୍ବନ୍ଧିତ ଖବର


ଭାରତର ହିନ୍ଦୁତ୍ୱ ଜୀବନ ଶୈଳୀକୁ ମାନିଲେ ବ୍ରିଟେନ୍‌ର ରାଜକୁମାର

୧୨ ଶହ ଠେଲା ଗାଡି ଅଚଳ , ଦୁର୍ଦ୍ଦିନରେ ଅଢ଼େଇ ହଜାର ରିକ୍ସାବାଲା

ସିଲିଗୁଡ଼ି ପୁଲିସର ସୋରିଷ ତେଲ ଥେରାପି – କରୋନା ବିରୋଧରେ ନୂଆ ଅସ୍ତ୍ର କହି ଖାଦ୍ୟରେ ବ୍ୟବହାର ପାଇଁ ନିର୍ଦ୍ଦେଶ

ଠକେଇର ଚରମ ସୀମା-ନକଲି ଏସ୍‌ବିଆଇ ଶାଖା ଖୋଲି ୩ ଗିରଫ

ମୁଣ୍ଡିଆ ମାରିଥିଲେ ବି ଶିଶୁ ବିଶେଷଜ୍ଞ ଆସିନଥିଲେ , ଚିକିତ୍ସା ଅଭାବରୁ ନବଜାତକର ମୃତ୍ୟୁ!

ନୂଆପଡାରେ ନିର୍ମାଣାଧୀନ ବ୍ରିଜରେ ଝୁଲିଲା ଟ୍ରକ୍‌, ଡ୍ରାଇଭର ଗୁରୁତର