ଅଟୋ ଶିଳ୍ପକୁ କରୋନା ଝଟ୍‌କା: ଦିନକୁ ୨୩୦୦ କୋଟିର କ୍ଷତି

ମୁମ୍ବାଇ ୩/୫: କରୋନା ମହାମାରୀ ଦେଶର ଅଟୋମୋବାଇଲ ଶିଳ୍ପ ଉପରେ ଭୟଙ୍କର ପ୍ରଭାବ ପକାଇଛି । ଏହାର ତୀବ୍ରତାକୁ ଦେଖି ମାର୍ଚ୍ଚ ୨୦ରୁ ହିଁ ଅନେକ ଅଟୋ ନିର୍ମାତା ଉତ୍ପାଦନ ବନ୍ଦ କରିଦେଇଥିଲେ । ଇତି ମଧ୍ୟରେ ପ୍ରାୟ ୪୫ ଦିନ ହେବ ଉତ୍ପାଦନ, ବିକ୍ରି ତଥା ସମ୍ପୂର୍ଣ୍ଣ ଇକୋସିଷ୍ଟମ୍‌ ବନ୍ଦ । ଦିନକୁ ପ୍ରାୟ ୨୩୦୦ କୋଟି ଟଙ୍କାର କ୍ଷତି ସହୁଛି ଶିଳ୍ପ । ୪୫ ଦିନରେ ଶିଳ୍ପର କ୍ଷତି ୧ ଲକ୍ଷ କୋଟି ଟଙ୍କାରୁ ଊଦ୍ଧ୍ୱର୍ ହୋଇପାରେ ବୋଲି ଏକ ରିପୋର୍ଟରୁ ଜଣାଯାଇଛି । ଲକ୍‌ଡାଉନ୍‌କୁ ପୁଣି ଦୁଇ ସପ୍ତାହ ବଢ଼ାଯାଇଛି । ଏଭଳି କ୍ଷେତ୍ରରେ ଶିଳ୍ପ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିବ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)ରେ ଅଟୋ ଶିଳ୍ପର ଯୋଗଦାନ ୦.୫% ରହିଛି ।

ଉତ୍ପାଦନ ଶୂନ ଥିବାରୁ ସରକାରଙ୍କ ଜିଏସ୍‌ଟି ସଂଗ୍ରହ ପ୍ରଭାବିତ ହେବ । ଶିଳ୍ପ ବନ୍ଦ ରହିବା କାରଣରୁ ସରକାରଙ୍କ ଜିଏସ୍‌ଟି ସଂଗ୍ରହ ୨୮,୦୦୦ କୋଟିରୁ ଊଦ୍ଧ୍ୱର୍ ହ୍ରାସ ଘଟିବ ବୋଲି ବିଶ୍ଳେଷଣରୁ ଜଣାଯାଇଛି । ରାଜ୍ୟ ଶୁଳ୍କ ବାବଦ ଆୟ ପାଖାପାଖି ୧୪୦୦୦ କୋଟି କମିଯିବ ବୋଲି ଆକଳନ କରାଯାଇଛି । ଯଦିଓ ସରକାର କେତେକ ପ୍ଲାଣ୍ଟ ଖୋଲିବା ପାଇଁ ଅନୁମତି ଦେଇଛନ୍ତି କମ୍ପାନିଗୁଡିକ ଏହାକୁ ଖୋଲୁନାହାନ୍ତି । ସେମାନଙ୍କ କହିବାନୁଯାୟୀ, ଭେଣ୍ଡରମାନଙ୍କ ପକ୍ଷରୁ ଯୋଗାଣକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ସୋ’ରୁମ୍‌ଗୁଡିକ ବନ୍ଦ ରହିଛି । ଇନ୍‌ଭଣ୍ଟୋରିଗୁଡିକ ଭର୍ତ୍ତି ପଡ଼ିଛି । ବର୍ତ୍ତମାନ ପରିସ୍ଥିତିରେ କେହି ଗାଡି କିଣୁନାହାନ୍ତି । ଲକ୍‌ଡାଉନ୍‌କୁ ଆଉ ଦୁଇ ସପ୍ତାହ ବଢ଼ାଇ ଦିଆଯାଇଛି । ସମ୍ପୂର୍ଣ୍ଣ ଇକୋସିଷ୍ଟମ୍‌ ବନ୍ଦ ଥିବାରୁ ପ୍ଲାଣ୍ଟ ଖୋଲିବାର କୌଣସି ଯଥାର୍ଥତା ନାହିଁ । ଅଟୋ କମ୍ପାନିଗୁଡିକ ଚାହୁଁଛନ୍ତି, ବ୍ୟବସାୟ ଆରମ୍ଭ କରିବା ପାଇଁ ଇକୋସିଷ୍ଟମ୍‌ର ସମସ୍ତ ଦ୍ୱାର ଖୋଲା ରହୁ । ଏହା ବିନା କାରବାର ଆରମ୍ଭ କରିବା ସମ୍ଭବ ନୁହେଁ । ଲକ୍‌ଡାଉନ୍‌ ସରିବା ପରେ ସମ୍ପୂର୍ଣ୍ଣ ସାବଧାନତାର ସହ ପ୍ଲାଣ୍ଟ ଖୋଲିବାକୁ କମ୍ପାନିଗୁଡିକ ଚାହୁଁଛନ୍ତି ।

କରୋନା ସଙ୍କଟ ଆସିବା ପୂର୍ବରୁ ହିଁ ଶିଳ୍ପର ଅବସ୍ଥା ଭଲ ନ ଥିଲା । ଏବେ ଶିଳ୍ପର ଚିନ୍ତା ବହୁଗୁଣିତ ହୋଇଛି ।
ସମଗ୍ର ଅଟୋ ଶିଳ୍ପରୁ ଯେତେ ମାତ୍ରାରେ ସରକାର ଜିଏସ୍‌ଟି ରାଜସ୍ୱ ହରାଇବେ ତାହାର ଦୁଇ ତୃତୀୟାଂଶ ନୂଆ ଯାନଗୁଡିକରୁ ହରାଇବେ । ଏହା ପଛକୁ ପଞ୍ଜୀକରଣ ଟିକସ ଏବଂ ବୀମା ଉପରେ ଜିଏସ୍‌ଟି ବାବଦ କ୍ଷତି ରହିବ ।
ଯାନ ପରିବହନ ଉପରେ କଟକଣା ଯୋଗୁ ଇନ୍ଧନ ଉପରେ ଉତ୍ପାଦ ଶୁଳ୍କ ବାବଦ ରାଜସ୍ୱ କମିଛି । କରୋନା ମୁକାବିଲା ପାଇଁ ରାଜ୍ୟଗୁଡିକ ପ୍ରଚୁର ମାତ୍ରାରେ ପାଣ୍ଠି ଆବଶ୍ୟକ କରୁଥିବାବେଳେ ରାଜସ୍ୱ ହ୍ରାସ ସଙ୍କଟଜନକ ସ୍ଥିତି ସୃଷ୍ଟି କରିଛି ।
କେନ୍ଦ୍ର ସରକାର ଆଦାୟ କରୁଥିବା ମୋଟ ଜିଏସ୍‌ଟିରେ ଅଟୋ ଶିଳ୍ପର ଯୋଗଦାନ ପ୍ରାୟ ୧୫% ରହିଛି । ମୋଟ ଟିକସ ସଂଗ୍ରହରେ ନୂଆ ଯାନ ପଞ୍ଜୀକରଣ ବାବଦ ଟିକସର ଯୋଗଦାନ ୫ରୁ ୭% ରହିଛି । ଏଭଳି କ୍ଷେତ୍ରରେ ସରକାର ବଡ଼ ଆକାରରେ ଟିକସ ହରାଇବେ ବୋଲି ଆଶଙ୍କା କରାଯାଇଛି ।

ସଟ୍‌ଡାଉନ୍‌ ଯେତିକ ଗଡିଚାଲିଛି ଉତ୍ପାଦନରେ ସୁଧାର ସେତିକି ମନ୍ଥର ହେବ ବୋଲି ଶିଳ୍ପ ସହ ଜଡ଼ିତ କେତେ ଜଣ ଅଧିକାରୀ ପ୍ରକାଶ କରିଛନ୍ତି । ଜୁନ୍‌ ତ୍ରୟମାସରେ ବିକ୍ରି ୫୦%ରୁ ଊଦ୍ଧ୍ୱର୍ କମିବ ବୋଲି ଏମାନେ ଆଶଙ୍କା କରିଛନ୍ତି । ୨୦୨୦ କ୍ୟାଲେଣ୍ଡର ବର୍ଷରେ ଭାରତୀୟ ଅଟୋମୋବାଇଲ ବଜାର ୨୫ରୁ ୩୦% ସଙ୍କୁଚିତ ହୋଇପାରେ । ଏବେ ଏହା ପଞ୍ଚମ ଅଟୋମୋବାଇ ବଜାର ଥିବାବେଳେ ଆଗକ ୬କୁ ଖସିପାରେ ବୋଲି ଆଇଏଚ୍‌ଏସ୍‌ ମର୍କିଟର ସହ ନିର୍ଦ୍ଦେଶକ ଗୌରବ ଭାଙ୍ଗଲ ପ୍ରକାଶ କରିଛନ୍ତି ।

   ସମ୍ବନ୍ଧିତ ଖବର


7th pay commission: କେନ୍ଦ୍ରୀୟ କର୍ମଚାରୀଙ୍କୁ ଦିପାବଳୀ ଉପହାର ଦେବେ ସରକାର, ଜାଣନ୍ତୁ କ’ଣ ନୂଆ ନିଷ୍ପତ୍ତି…

ଟିଆରପି ସ୍କାମର ତଦନ୍ତ କରିବ CBI, ଯୋଗୀ ସରକାରଙ୍କ ସୁପାରିସ ପରେ ତଦନ୍ତ ଆରମ୍ଭ …

ପୂର୍ବରୁ କରୋନା ବିଷୟରେ ଦେଇଥିଲେ ଭବିଷ୍ୟବାଣୀ, କହିଲେ ଆଉ ଏତେ ଦିନ ରହିବ

ନୋକିଆ ୱେୟାରଲେସ୍ ହେଡଫୋନ୍: ୪୦ ଘଣ୍ଟା ବ୍ୟାକଅପ୍, ଜାଣନ୍ତୁ ଦାମ୍ ଓ ଫିଚର୍ସ

ଆଫଗାନିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୨ ପୋଲିସ କର୍ମଚାରୀ ମୃତ

WHO ମୁଖ୍ୟ ହିନ୍ଦୀରେ ଟୁଇଟ କରି ଭାରତକୁ ଧନ୍ୟବାଦ ଦେଲେ, ଜାଣନ୍ତୁ କ’ଣ..