ଭୁବନେଶ୍ଵରରେ ସୁଧୁରୁଛି ସ୍ଥିତି, ସଂକ୍ରମଣ ହାର ହ୍ରାସ ପାଇଥିଲେ ବି ସତର୍କ ରହିବାକୁ ପଡ଼ିବ : ବିଏମସି କୋଭିଡ ନୋଡାଲ ଅଧିକାରୀ

ଭୁବନେଶ୍ଵର, ୨୪/୦୧ : ଭୁବନେଶ୍ଵରରେ ସୁଧୁରୁଛି ସ୍ଥିତି। ତଥାପି ସତର୍କ ରହିବାକୁ ପଡ଼ିବ। ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଏମସି ନୋଡାଲ ଅଧିକାରୀ ଶୁଭେନ୍ଦୁ କୁମାର ସାହୁ। ସେ କହିଛନ୍ତି ଯେ, ଦୈନିକ ସଂକ୍ରମଣ ହଜାରେ ଉପରେ ରହୁଛି। ଭୁବନେଶ୍ଵରରେ ୪ଟି ସ୍ଵତନ୍ତ୍ର କୋଭିଡ୍ ହସ୍ପିଟାଲ ଓ ୨ଟି କୋଭିଡ କେୟାର ସେଣ୍ଟର କାର୍ଯ୍ୟକ୍ଷମ ଅଛି। ସଂକ୍ରମଣକୁ ଚେକ୍ ଦେବାକୁ ଯାଇ ଗତ ମାସକ ମଧ୍ୟରେ ଭୁବନେଶ୍ୱରରେ ୩୦୦ କଣ୍ଟେନମେଣ୍ଟ ଓ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ମଧ୍ୟ କରାଯାଇଛି। ସେଥିମଧ୍ୟରୁ ଅନେକ ପ୍ରତ୍ୟାହୃତ ହୋଇ ବର୍ତ୍ତମାନ ଏହି ସଂଖ୍ୟା ୧୩୫ରେ ସୀମିତ ରହିଛି।
ଦକ୍ଷିଣପୂର୍ବ ଜୋନରେ ୪୦ଟି, ଦକ୍ଷିଣପଶ୍ଚିମ ଜୋନରେ ୬୨ଟି ଏବଂ ଉତ୍ତର ଜୋନରେ ୩୩ଟି କଣ୍ଟେନମେଣ୍ଟ ଓ ମାଇକ୍ରୋ କଣ୍ଟେନମେଣ୍ଟ ରହିଛି। ସେହିଭଳି ବିଭିନ୍ନ ହସ୍ପିଟାଲରେ ମାତ୍ର ୪୮୨ଜଣ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ବେଳେ ଅନ୍ୟମାନେ ସଙ୍ଗରୋଧରେ ଅଛନ୍ତି। ପୂର୍ବ ଭଳି ରାପିଡ୍ ରେସପନ୍ସ ଟିମ୍ ବା ଆରଆରଟି ସକ୍ରିୟ ରହି ସଙ୍ଗରୋଧରେ ଥିବା ସଂକ୍ରମିତଙ୍କୁ ନଜରରେ ରଖିଛନ୍ତି। ସଂକ୍ରମଣ ହାର ହ୍ରାସ ପାଇଥିଲେ ହେଁ ଆମକୁ ସତର୍କ ରହିବାକୁ ହେବ। ତେଣୁ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି।
ଏହା ସହ ଘର ଘର ବୁଲି ଅଳିଆ ସଂଗ୍ରହ କରାଯାଉଥିବା ଗାଡ଼ି ଜରିଆରେ କୋଭିଡ ସଚେତନତା କରାଯାଉଛି। ସେଭଳି ଦାସକାଠିଆ ଓ ଲୋକକଳା ମାଧ୍ୟମରେ ମଧ୍ୟ ସଚେତନ କରାଯାଉଛି। ଏହା ସହିତ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସେପଟେ ଟିକାକରଣ ଓ ଟେଷ୍ଟିଂ ବ୍ୟାପକ ହୋଇଛି। ଅଧିକ ହସ୍ପିଟାଲ, ବିମାନବନ୍ଦର, ରେଳଷ୍ଟେସନ ଏବଂ ଦୈନିକ ବହୁ ଲୋକଙ୍କ ଯାତାୟତ ଫଳରେ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ଅନ୍ୟ ସହର ଅପେକ୍ଷାକୃତ ଅଧିକ ରହୁଥିବା କହିଛନ୍ତି ବିଏମସି କୋଭିଡ ନୋଡାଲ ଅଧିକାରୀ ଶୁଭେନ୍ଦୁ କୁମାର ସାହୁ।