ନୟାଗଡ଼ରେ କରୋନା ସନ୍ଦିଗ୍ଧ ! ରୋଗୀକୁ କ୍ୟାପିଟାଲ ହସ୍ପିଟାଲ୍‌ ସ୍ଥାନାନ୍ତର

ଭାପୁର ୧୩/୩: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ ଜଣେ ବ୍ୟକ୍ତି କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ନେଇ ସନ୍ଦେହ କରାଯାଉଛି । ତାଙ୍କୁ କ୍ୟାପିଟାଲ ହସ୍ପିଟାଲ୍‌ ସ୍ଥାନାନ୍ତର କରାଯାଇଛି । ସେ ହେଲେ ବାଘୁଆପଲ୍ଲୀ ପଞ୍ଚାୟତର ବଳଦିଆନୁଆଗାଁ ଗ୍ରାମର ବିରଞ୍ଚି ରାଉତଙ୍କ ପୁଅ ମନୋଜ (୨୭) ।

ମନୋଜ ତାମିଲନାଡୁରେ ରହି କାମ କରନ୍ତି । ସେଠାରେ ଗତ ୬ ତାରିଖରେ ତାଙ୍କୁ ଥଣ୍ଡା ସହ ଜ୍ୱର ହୋଇଥିଲା । ସେଠାରେ ଚିକିତ୍ସା ପରେ ଜ୍ୱର ନ କମିବାରୁ ଗତ ସୋମବାର ଘରକୁ ଫେରିଥିଲେ । ଘରକୁ ଫେରିବା ପରେ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ସନ୍ଦେହରେ ଗତ ମଙ୍ଗଳବାର ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭେଷଜ ବିଶେଷଜ୍ଞ ଡା. ଶତ୍ରୁଘନ ନାୟକଙ୍କୁ ଭେଟିଥିଲେ । ଡା. ନାୟକ ତାଙ୍କୁ କରୋନା ଭାଇରସ ହୋଇଥିବା ସନ୍ଦେହ କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଥିଲେ ।

ମାତ୍ର ମନୋଜ କ୍ୟାପିଟାଲ ହସ୍ପିଟାଲ ଯିବା ବଦଳରେ ଏକ ଘରୋଇ ହସ୍ପିଟଲକୁ ଯାଇଥିଲେ । ସେଠାରେ ଚିକିତ୍ସା ହୋଇ ଫେରିଥିଲେ । କିନ୍ତୁ ଗୁରୁବାର ତୁରନ୍ତ ଉକ୍ତ ରୋଗୀଙ୍କୁ କ୍ୟାପିଟାଲ ହସ୍ପିଟାଲ୍‌କୁ ପଠାଇବା ପାଇଁ କର୍ତ୍ତୃପକ୍ଷ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିଠି କରିଥିଲେ । ପରେ ମନୋଜଙ୍କୁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ଡାକ୍ତର ଫନିଭୂଷଣ ପଟ୍ଟନାୟକ ତାଙ୍କୁ ଦେଖିବା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି ।