ଥମିବାର ନାଁ ନେଉନି କରୋନା: ବିଶ୍ୱରେ୨ଲକ୍ଷ ୮୨ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା, ଆକ୍ରାନ୍ତଙ୍କ ସଂଖ୍ୟା ୪୧ଲକ୍ଷ ୫୦ହଜାର ପାର୍

ନୂଆଦିଲ୍ଲୀ, ୧୧/୫: ବିଶ୍ୱର ୨୧୨ଟି ଦେଶରେ ଆତଙ୍କ ମଚାଇଛି କରୋନା ଭାଇରସ୍‌ (କୋଭିଡ-୧୯) । ଏହି ମହାମାରୀ ଏପର୍ଯ୍ୟନ୍ତ ୨ ଲକ୍ଷ ୮୨ ହଜାର ୫୦୦ରୁ ଅଧିକ ଲୋକଙ୍କ ଜୀବନ ନେଲାଣି । ୪୧ ଲକ୍ଷ ୫୧ ହଜାର ୮୦୦ରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୪ ଲକ୍ଷ ୪ ହଜାର ୫୦୦ରୁ ଅଧିକ ସଂକ୍ରମିତ ଲୋକ ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଥିଲା ବେଳେ ୧୪ ଲକ୍ଷ ୬୫ ହଜାରରୁ ଅଧିକ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ଗତକାଲି ଗୋଟିଏ ଦିନରେ ୮୮ ହଜାର ୯୯୭ ନୂଆ ମାମଲା ସାମ୍‌ନାକୁ ଆସିଥିଲା ବେଳେ ୪ହଜାର ୨୪୮ ଜଣଙ୍କ ମୃତ୍ୟୁ ଘଟିଛି ।

କରୋନା ମହାମାରୀରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ସେଠାରେ ଏହି ରୋଗରେ ଏପର୍ଯ୍ୟନ୍ତ ୮୦ ହଜାରରୁ ଅଧିକ (୮୦,୩୫୦) ଲୋକଙ୍କ ଜୀବନ ଗଲାଣି । ଦେଶରେ ୧୩ ଲକ୍ଷ ୫୩ ହଜାର ୩୮୨ ଜଣ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୩୯ ହଜାର ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ଗତକାଲି ଏଠାରେ ୨୫ ହଜାର ୫୨୪ଟି ନୂଆ ମାମଲା ସାମ୍‌ନାକୁ ଆସିଥିଲା ଓ ୧୪୨୨ ଜଣ ପ୍ରାଣ ହରାଇଥିଲେ । ଦେଶର ସମସ୍ତ ୫୦ଟି ଯାକ ରାଜ୍ୟକୁ କରୋନା ବ୍ୟାପିଛି । ହ୍ୱାଇଟ୍‌ହାଉସ୍‌ ସହ ଜଡିତ ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ୧୪ ଦିନିଆ କ୍ୱାରେଣ୍ଟାଇନରେ ପଠାଇ ଦିଆଯାଇଛି । ସେହିଭଳି କରୋନା ମୁକାବିଲା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗଠନ କରିଥିବା ଟାସ୍କଫୋର୍ସର ଦୁଇଜଣ ଅଫିସର ଡାକ୍ତର ରବର୍ଟ ରେଡ୍‌ଫିଲ୍ଡ ଓ ଷ୍ଟିଫନ ହାନ୍‌ଙ୍କୁ କ୍ୱାରେଣ୍ଟାଇନରେ ମଧ୍ୟ ପଠାଇ ଦିଆଯାଇଛି । ସେମାନେ କରୋନା ପଜିଟିଭ୍‌ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ । ତେବେ ଦେଶରେ କରୋନା ମୁକାବିଲା କ୍ଷେତ୍ରରେ ଟ୍ରମ୍ପ ପ୍ରଶାସନ ନେଉଥିବା ପଦକ୍ଷେପକୁ ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା ସମାଲୋଚନା କରିଛନ୍ତି । କହିଛନ୍ତି ଆମେ ସ୍ୱାର୍ଥନ୍ୱେଷୀ ଓ ବିଭାଜିତ ହୋଇପଡିଛୁ । ଅନ୍ୟକୁ ଶତ୍ରୁ ବୋଲି ମନେକରିବା ପ୍ରବୃତ୍ତି ସହିତ ଦୀର୍ଘଦିନ ଧରି ଲଢ଼େଇ କରିଆସୁଛୁ । ଏହି ପ୍ରବୃତ୍ତି ଆମେରିକୀୟଙ୍କ ଜୀବନରେ ଦୃଢ଼ ଭାବେ ବସା ବାନ୍ଧି ରହିଛି । ଆମେ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଏହାକୁ ଦେଖୁଛୁ । ଏଥିପାଇଁ ବିଶ୍ୱର ଏଭଳି ସଙ୍କଟ ବେଳେ ଆମର ପଦକ୍ଷେପ କିମ୍ବା କାର୍ଯ୍ୟାନୁଷ୍ଠାନ ଦୁର୍ବଳ ହୋଇପଡୁଛି ।

ସେପଟେ ସ୍ପେନ୍‌ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି । ଦେଶରେ ଏପର୍ଯ୍ୟନ୍ତ ୨ ଲକ୍ଷ ୬୪ ହଜାର ୬୬୩ ଜଣ ସଂକ୍ରମିତ ହୋଇଥିଲା ବେଳେ ୨୬ ହଜାର ୬୨୧ ଜଣ ପ୍ରାଣ ହରାଇଛନ୍ତି । ତେବେ ମୃତ୍ୟୁସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଶନିବାର ୧୭୯ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ରବିବାର ୧୪୩ ଜଣ ପ୍ରାଣ ହରାଇଛନ୍ତି । ସଂକ୍ରମଣ ତାଲିକାରେ ଇଟାଲୀକୁ ପଛରେ ପକାଇ ବ୍ରିଟେନ ତୃତୀୟ ସ୍ଥାନକୁ ଉଠିଛି । ମୃତ୍ୟୁସଂଖ୍ୟାରେ ଏହାର ସ୍ଥାନ ଦ୍ୱିତୀୟରେ ରହିଛି । ଏଠାରେ କରୋନା ୩୧ ହଜାର ୮୫୫ ଜଣଙ୍କ ଜୀବନ ନେଇସାରିଲାଣି । ସେହିଭଳି ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୧୯ ହଜାର ୧୮୩ରେ ପହଞ୍ଚିଛି । ସେପଟେ ସରକାରୀ ଲ୍ୟାବରେ ସମସ୍ୟା ଯୋଗୁ ଦେଶର ସ୍ୱାସ୍ଥ୍ୟ ବିଭାଗ ପ୍ରାୟ ୫୦ ହଜାର ନମୁନା ପରୀକ୍ଷା ଲାଗି ଆମେରିକା ପଠାଇଛି ।

ସେହିଭଳି ଇଟାଲୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୧୯ ହଜାର ୭୦କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ମୃତ୍ୟୁସଂଖ୍ୟା ୩୦ ହଜାର ୫୬୦ରେ ପହଞ୍ଚିଛି । ଗତକାଲି ୧୯୪ ଜଣଙ୍କ ମୃତ୍ୟୁ ଘଟିଥିଲା । ରୁଷରେ ସଂକ୍ରମଣ ମାମଲା ଲଗାତାର ଭାବେ ବଢ଼ି ଚାଲିଛି । ଫଳରେ ରୁଷ ଏବେ ୫ମ ସ୍ଥାନରେ ପହଞ୍ଚିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ଅତିକ୍ରମ କରିଛି । ରବିବାର ୧୧ ହଜାର ନୂଆ ମାମଲା ସାମ୍‌ନାକୁ ଆସିବା ପରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯ ହଜାର ୬୮୮କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ରବିବାର ୮୮ ଜଣ ପ୍ରାଣ ହରାଇବା ପରେ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୧୯୧୫ ହୋଇଛି ।

ସେହିଭଳି ଫ୍ରାନ୍ସରେ ୧ ଲକ୍ଷ ୭୬ ହଜାର ୬୫୮ ଜଣ କରୋନା ସଂକ୍ରମିତ ହୋଇଥିଲା ବେଳେ ସେଠାରେ ୨୬ ହଜାର ୩୧୦ ଜଣଙ୍କର ମୃତ୍ୟୁ ଘଟିଛି । ଜର୍ମାନୀରେ ୧ ଲକ୍ଷ ୭୧ ହଜାର ୭୦୪ ସଂକ୍ରମିତ ହୋଇଛନ୍ତି ଓ ୭ ହଜାର ୫୪୯ ଜଣ ପ୍ରାଣ ହରାଇଛନ୍ତି । ବ୍ରାଜିଲରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୫୬ ହଜାର ୬୦୪ରେ ପହଞ୍ଚିଛି । ସେହି ଦେଶରେ ମୃତ୍ୟୁ ସଂଖ୍ୟା ୧୦ ହଜାର ୬୯୭କୁ ବୃଦ୍ଧି ପାଇଛି । ତୁର୍କୀରେ ୧ ଲକ୍ଷ ୩୮ ହଜାର ୬୫୭ ଓ ଇରାନ୍‌ରେ ୧ ଲକ୍ଷ ୭ ହଜାର ୬୦୩ ଜଣ ସଂକ୍ରମିତ ହୋଇଛନ୍ତି । ସେହିଭଳି ତୁର୍କୀରେ ୩ ହଜାର ୭୮୬ ଜଣଙ୍କ ଜୀବନ ଯାଇଥିଲା ବେଳେ ଇରାନ୍‌ରେ ୬ ହଜାର ୬୪୦ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟପକ୍ଷରେ କରୋନାର ଉତ୍ପତ୍ତିସ୍ଥଳ ଚୀନ୍‌ରେ ରବିବାର ୧୪ଟି ନୂଆ ସଂକ୍ରମଣ ମାମଲା ସାମ୍‌ନାକୁ ଆସିଛି । ଏପ୍ରିଲ ୨୮ ତାରିଖ ପରେ ପ୍ରଥମ କରି ଗୋଟିଏ ଦିନରେ ଏତେ ସଂଖ୍ୟକ ମାମଲା ଚିହ୍ନଟ ହୋଇଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୮୨ ହଜାର ୯୦୧ ହୋଇଥିଲା ବେଳେ ମୃତ୍ୟୁସଂଖ୍ୟା ୪ ହଜାର ୬୩୩ରେ ରହିଛି । ତେବେ ସେଠାରେ ୭୮ ହଜାର ୧୨୦ ଜଣ ଚିକିତ୍ସା ପରେ ଆରୋଗ୍ୟ ଲାଭ କରିଛନ୍ତି । ବର୍ତ୍ତମାନ ୧୪୮ ଜଣ କରୋନା ସଂକ୍ରମିତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ରହିଥିବା ଜଣାପଡିଛି ।

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now