ଦେଶର ସମସ୍ତ ଲୋକଙ୍କୁ ମିଳିବନି କରୋନା ଟିକା: କେନ୍ଦ୍ର ସ୍ବାସ୍ଥ୍ୟସଚିବ

ନୂଆଦିଲ୍ଲୀ: କେବେ ଦେଶବାସୀଙ୍କୁ ମିଳିବ କରୋନା ଟିକା ? ତାକୁ ସମସ୍ତେ ଚାତକ ଭଳି ଚାହିଁ ରହିଛନ୍ତି । ଏପରି ପରିସ୍ଥିତିରେ ଆଜି କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି । କରୋନା ଟିକା ଭାରତରେ ପହଞ୍ଚିଲେ ମଧ୍ୟ ଏହା ଦେଶର ପ୍ରତିଟି ନାଗରିକଙ୍କୁ ଦିଆଯିବ ନାହିଁ । ଦେଶର ସବୁ ନାଗରିକଙ୍କୁ କରୋନା ଟିକା ଦିଆଯିବ ବୋଲି କେନ୍ଦ୍ର ସରକାର କେବେ ବି କହିନାହାନ୍ତି । ତେଣୁ ସାରା ଦେଶବାସୀଙ୍କୁ ଟିକା କରଣ କରିବାର କୌଣସି ଯୋଜନା ନାହିଁ ବେଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ସ୍ପଷ୍ଟ କରିଛନ୍ତି ।

ରାଜେଶ ଭୂଷଣ କହିଛନ୍ତି ଯେ ଟିକା ତିଆରି କରିବାକୁ ୮ ରୁ ୧୦ ବର୍ଷ ସମୟ ଲାଗିଥାଏ । ସବୁଠୁ ଦୃତଗତିରେ ତିଆରି ହେଉଥିବା ଟିକା ମଧ୍ୟ ୪ ବର୍ଷରେ ତିଆରି ହେଉଛି । କିନ୍ତୁ କରୋନା ମହାମାରୀର ପ୍ରଭାବକୁ ବିଚାରକୁ ନେଇ ଆମେ ଏହାକୁ ଅଳ୍ପ ସମୟ ମଧ୍ୟରେ କରିବାକୁ ଚେଷ୍ଟା କରୁଛୁ । ଆମେ ୧୬ ରୁ ୧୮ ମାସ ମଧ୍ୟରେ କରୋନା ଟିକା ପ୍ରସ୍ତୁତ କରୁଛୁ ।

ଏଥିସହିତ ରାଜେଶ ଭୂଷଣ ଏହା ମଧ୍ୟ କହିଛନ୍ତି ଯେ ସମଗ୍ର ଦେଶରେ ଟୀକାକରଣ ବିଷୟରେ ସରକାର କେବେ କହି ନାହାଁନ୍ତି । ସେ କହିଛନ୍ତି ଯେ ଯେତେବେଳେ ଆମେ ବିଜ୍ଞାନ ସହ ଜଡିତ ବିଷୟ ଉପରେ ଆଲୋଚନା କରୁଛେ, ସେତେବେଳେ ଯଦି ଆମେ ପ୍ରକୃତ ତଥ୍ୟ ପାଇ ତା’ପରେ ବିଶ୍ଳେଷଣ କରିବା ତେବେ ଭଲ ହେବ।

ଆଜି କରୋନା ବାବଦରେ ସମ୍ବାଦିକ ମାନଙ୍କୁ ଅପଡେଟ ଦେବାବେଳେ ସେ କହିଥିଲେ କି ଟିକାକରଣ ଭ୍ୟାକସିନର ପ୍ରଭାବ ଉପରେ ନିର୍ଭର କରିବ । କରୋନା ଚେନକୁ ଭାଙ୍ଗିବା ଆମର ପ୍ରଥମ ଲକ୍ଷ୍ୟ । ଯଦି ଆମେ ସଂକ୍ରମଣ ଆଶଙ୍କାଥିବା ଲୋକ ବା ନିର୍ଦ୍ଧିଷ୍ଟ ବର୍ଗର ଲୋକଙ୍କୁ ଟିକା ଦେଇ ପାରିବୁ ଓ ଏହାଦ୍ବାରା ସଂକ୍ରମଣର ଚେନକୁ ଭାଙ୍ଗି ପାରିବୁ, ତାହେଲେ ସାରାଦେଶବାସୀଙ୍କୁ ଟିକା ଦେବାର କୌଣସି ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି ।