ଘାତକ କରୋନା ନେଲାଣି ୩ହଜାରରୁ ଉର୍ଦ୍ଧ୍ବ ଜୀବନ, ୮୮ ହଜାରରୁ ଅଧିକ ଲୋକ ସଂକ୍ରମିତ: ୬୪ ଦେଶରେ କାୟା ମେଲାଇଲାଣି ଭାଇରସ୍‌

ବେଜିଂ ୨/୩: ଚୀନ୍‌ରେ ଦେଖାଦେଇଥିବା ଘାତକ କରୋନା ଭାଇରସ୍‌ ବର୍ତ୍ତମାନ ପ୍ରାୟ ୬୪ଟି ଦେଶକୁ ବ୍ୟାପିଛି । ଏଥିରେ ପାଖାପାଖି ୩ ହଜାର ଲୋକଙ୍କର ମୃତ୍ୟୁ ଘଟିଲାଣି । ୮୮,୬୫୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭,୩୬୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେହିଭଳି ୪୨,୬୧୯ ଜଣ ଏହି ରୋଗରୁ ଆରୋଗ୍ୟଲାଭ କରିଛନ୍ତି। ଚୀନ୍‌ରେ ସର୍ବାଧିକ ୨,୮୭୦ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଏଠାରେ ୭୯,୮୨୭ ଜଣ ଆକ୍ରାନ୍ତ ହୋଇଛନ୍ତି । ରବିବାର କେବଳ ୩୫ ଜଣଙ୍କର ମୃତ୍ୟୁ ଘଟିଛି । ଏଠାରେ ଗତ ୩ ଦିନ ହେଲା ଲଗାତାର ଭାବେ ମୃତ୍ୟୁ ହାର କମିବାରେ ଲାଗିଛି । ଶନିବାର ୫୭୩ ନୂଆ ରୋଗୀ ସୃଷ୍ଟି ହୋଇଥିବା ବେଳେ ୪୭ ଜଣଙ୍କର ମୃତ୍ୟୁ ଘଟିଥିଲା । ସେହିଭଳି ଚୀନ୍‌ର ବିଭିନ୍ନ ସ୍ଥାନରେ ୫୧,୮୫୬ ଜଣଙ୍କୁ ସନ୍ଦେହରେ ଅଟକ ରଖି ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି ।

ଚୀନ୍‌ ତଳକୁ ରହିଛି ଦକ୍ଷିଣ କୋରିଆ । ଏଠାରେ ୩,୭୩୬ ଜଣ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିଲା ବେଳେ ୨୦ ଜଣ ପ୍ରାଣ ହରାଇଛନ୍ତି । ଅନ୍ୟପକ୍ଷରେ ଇରାନ୍‌ରେ ଏହି ରୋଗର ପ୍ରଭାବ କ୍ରମାଗତ ଭାବେ ବଢ଼ି ଚାଲିଛି । ସେଠାରେ ରବିବାର ସୁଦ୍ଧା ୫୪ ଜଣଙ୍କର ମୃତ୍ୟୁ ଘଟିଲାଣି । ସେହିଭଳି ଇଟାଲୀରେ ୨୯ ଓ ଜାପାନରେ ୬ ଜଣଙ୍କ ମୁଣ୍ଡ ନେଇଛି ଏହି ଘାତକ ଭାଇରସ୍‌ । ଇଟାଲୀରେ ୧୧୨୮, ଇରାନ୍‌ରେ ୯୭୮ ଓ ଜାପାନରେ ୨୪୧ ଜଣ ଏହି ରୋଗରେ ଆକ୍ରାନ୍ତ ଅଛନ୍ତି । ଜାପାନର ୟୋକୋହାମା ଉପକୂଳରେ ଅଟକି ରହିଥିବା ଜାହାଜ ଡାଏମଣ୍ଡ ପ୍ରିନ୍‌ସେସ୍‌ରେ ୭୦୫ ଯାତ୍ରୀ ସଂକ୍ରମିତ ଥିଲା ବେଳେ ୬ ଜଣଙ୍କର ମୃତ୍ୟୁ ଘଟିଛି ।

ଅନ୍ୟପକ୍ଷରେ ଚୀନ୍‌ ସରକାର ଏହାକୁ ଠିକ୍‌ ସମୟରେ ମୁକାବିଲା କରିବାରେ ବିଫଳ ହୋଇଥିବା ଅଭିଯୋଗ କରି ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଚୀନ୍‌ ଲୋକମାନେ ସରକାର ଓ ଶାସକ କମ୍ୟୁନିଷ୍ଟ ପାର୍ଟି ବିରୋଧରେ ଜୋର୍‌ଦାର ବର୍ଷିଛନ୍ତି । କିନ୍ତୁ ଚୀନ୍‌ର ବିଭିନ୍ନ ଗଣମାଧ୍ୟମ ସରକାରଙ୍କ କରୋନା ମୁକାବିଲାକୁ ପ୍ରଶଂସା କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ ଆମେରିକା, ଦକ୍ଷିଣ କୋରିଆ ଓ ଇରାନ ଭଳି ଦେଶ ଏହାକୁ ରୋକିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଇତିମଧ୍ୟରେ କରୋନା ଭାଇରସ୍‌ର ମୁକାବିଲା କରିବା ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ସହାୟତାର ହାତ ବଢ଼ାଇଛି ।

ପ୍ରଭାବିତ ଦେଶକୁ ଡବ୍ଲ୍ୟୁଏଚ୍‌ଓ ୬୭.୫ କୋଟି ଡଲାର ସହାୟତା ଦେବାକୁ ଘୋଷଣା କରିଛି । ସେହିଭଳି ପ୍ରଭାବିତ ଦେଶମାନଙ୍କରେ ମାସ୍କ ଓ ଶ୍ୱାସ ପ୍ରଶ୍ୱାସ ନେବା ଲାଗି ଆବଶ୍ୟକ ଉପକରଣର ଅଭାବ ରହିଛି । ତାହା ମଧ୍ୟ ଯେଗାଇଦେବା ଲାଗି ସଙ୍ଗଠନ ଯୋଜନା କରୁଛି । ଯାହାଫଳରେ ବିଶ୍ୱବ୍ୟାପୀ ବଢ଼ିଚାଲିଥିବା ଏହି ରୋଗର ପ୍ରାଦୁର୍ଭାବ ରୋକିବାରେ ସହାୟକ ହୋଇପାରିବ ।

   ସମ୍ବନ୍ଧିତ ଖବର


ଦେଶର ସୀମାରେ ବଡ଼ ବିପଦ, ଆତଙ୍କବାଦୀଙ୍କ ଅନୁପ୍ରବେଶ ଚେଷ୍ଟା ଜାରି – ସେନା ମୁଖ୍ୟ

କରୋନା ଟିକା ଆସିବାର ତିନିରୁ ୪ ସପ୍ତାହ ମଧ୍ୟରେ ସମସ୍ତଙ୍କୁ ଟିକା ଦେବେ ଏହି ରାଜ୍ୟର ସରକାର

ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ଶୋଇଥିବା ନିରୀହ ପୁଅର ତଣ୍ଟି ଚିପି ଦେଲା ନିଷ୍ଠୁର ପିତା –ପତ୍ନୀଙ୍କୁ କହିଲା ,ଏବେ ସେ ସବୁଦିନ ପାଇଁ ନିରାପଦ !

ଅଷ୍ଟ୍ରେଲିଆ ଉପରେ ଚୀନ୍‌ର ରାଗ- ଆମଦୀନୀ ହେଉଥିବା ମଦ ଉପରେ ବସାଇଲା ଦୁଇ ଶହ ପ୍ରତିଶତ ଟ୍ୟାକ୍ସ

ନିଖୋଜ ନେଭି କମାଣ୍ଡରଙ୍କର ଚିଠି ଭାଇରାଲ : କାହିଁକି ସେ ଲେଖିଲେ – ମୁଁ ବୋମା ପକାଇବାକୁ ଚାହୁଁଛି