ଆହୁରି ଭୟଙ୍କର ହେଲାଣି କରୋନା: ୧୫ଶହ ଟପିଲା ମୃତ୍ୟୁ ସଂଖ୍ୟା, ୬୭ ହଜାର ଆକ୍ରାନ୍ତ ଚିହ୍ନଟ୍

ବେଜିଂ ୧୫/୨: ଚୀନ୍‌ରେ କରୋନା ସଂକ୍ରମଣ ଯୋଗୁ ସଙ୍ଗୀନ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଭାଇରସ ଯୋଗୁ ଏପର୍ଯ୍ୟନ୍ତ ୧୫୨୬ ଜଣ ପ୍ରାଣ ହରାଇଥିଲାବେଳେ ୬୭,୧୦୨ ଜଣ ଆକ୍ରାନ୍ତ ହୋଇଛନ୍ତି । କେବଳ ଗୁରୁବାର ଚୀନ୍‌ରେ ଆଉ ୫୦୦୦ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ମୃତକଙ୍କ ମଧ୍ୟରୁ ୧୩୮୦ ଜଣ ଚୀନ୍‌ର ନାଗରିକ । କେବଳ ଚୀନ୍‌ରେ ୬୬,୪୯୩ ଜଣ ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇଛନ୍ତି । ବାକି ରୋଗୀ ଅନ୍ୟ ୨୯ଟି ଦେଶର ନାଗରିକ । କରୋନା ଯୋଗୁ ଚୀନ୍‌ରେ ସାଧାରଣ ଲୋକେ ବଡ଼ ବିପତ୍ତିର ସାମ୍ନା କରୁଥିଲାବେଳେ ସେଠାକାର ସ୍ୱାସ୍ଥ୍ୟକର୍ମୀ ବି ଏଥିରୁ ବର୍ତ୍ତିପାରୁନାହାନ୍ତି । ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର, ନର୍ସ ଓ ହସ୍ପିଟାଲର ଅନ୍ୟ କର୍ମଚାରୀମାନେ ବି ଏଥିରେ ଆକ୍ରାନ୍ତ ହେଉଛନ୍ତି ।

ଚୀନ୍‌ର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ପରିଷଦ ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ, ଦେଶର ବିଭିନ୍ନ ହସ୍ପିଟାଲରେ ୧୭୧୬ ଜଣ ସ୍ୱାସ୍ଥ୍ୟକର୍ମୀ ଏଥିରେଆକ୍ରାନ୍ତ ହୋଇଥିଲାବେଳେ ସେମାନଙ୍କ ମଧ୍ୟରୁ ୬ ଜଣ ପ୍ରାଣ ହରାଇଛନ୍ତି । ମୃତ ଓ ଆକ୍ରାନ୍ତ କର୍ମଚାରୀଙ୍କ ମଧ୍ୟରୁ ୮୭.୫% କେବଳ ହୁବେଇ ପ୍ରଦେଶର । ଏହି ପ୍ରଦେଶ ହିଁ କରୋନାରେ ଅଧିକ ପ୍ରଭାବିତ ହୋଇଛି। ଯେତିକି ସ୍ୱାସ୍ଥ୍ୟକର୍ମୀ ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କ ଭିତରୁ ୧୧୦୨ ଜଣ ଅର୍ଥାତ ୭୩% କେବଳ ହୁବେଇ ପ୍ରଦେଶର ରାଜଧାନୀ ୱୁହାନ ସହରରେ କାର୍ଯ୍ୟରତ ଥିଲେ । ଏହି ସହରରେ ମୋଟ ୩୯୮ଟି ହସ୍ପିଟାଲ ଥିଲାବେଳେ ୬୧ ହଜାର କର୍ମଚାରୀ ନିୟୋଜିତ ହୋଇଛନ୍ତି । ୱୁହାନ ସ୍ଥିତ ଏକ ହସ୍ପିଟାଲର ଜଣେ ନର୍ସ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ତାଙ୍କ ହସ୍ପିଟାଲରେ ୫୦୦ ଜଣ କର୍ମଚାରୀଙ୍କ ମଧ୍ୟରୁ ୧୩୦ ଜଣ ଆକ୍ରାନ୍ତ ହୋଇଛନ୍ତି । କେବଳ ଉକ୍ତ ନର୍ସ କାର୍ଯ୍ୟ କରୁଥିବା ହସ୍ପିଟାଲ ନୁହେଁ, ବରଂ ଅନ୍ୟ ହସ୍ପିଟାଲଗୁଡଡ଼କରେ ସମାନ ସ୍ଥିତି ଦେଖିବାକୁ ମିଳୁଛି । ୱୁହାନ ସେଣ୍ଟ୍ରାଲ ହସ୍ପିଟାଲରେ ୧୫୦ ଜଣ କର୍ମଚାରୀ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ଭିତରୁ କେତେଜଣଙ୍କର ମୃତ୍ୟୁ ହୋଇସାରିଛି ।

କୁହାଯାଉଛି କି କରୋନା ସଂକ୍ରମଣ ଯୋଗୁ ଚୀନ୍‌ରେ ଏବେ ଆବଶ୍ୟକ ପରିମାଣରେ ମାସ୍କ ଓ ସୁରକ୍ଷା ପୋଷାକ ମିଳୁନାହିଁ। ତେଣୁ ଡାକ୍ତର ଓ ନର୍ସମାନେ ମୁହଁରେ ଜରି ବ୍ୟାଗ୍‌ ଏବଂ ଅନ୍ୟ ବସ୍ତୁ ବାନ୍ଧି ରୋଗୀଙ୍କ ଚିକିତ୍ସା କରୁଛନ୍ତି । କିନ୍ତୁ ଏହାଯୋଗୁ ସେମାନେ ଭାଇରସ ଆକ୍ରମଣର ଶିକାର ହେଉଛନ୍ତି । ତା’ଛଡ଼ା କରୋନା ଭାଇରସ ଯେପରି ଭାବେ ବ୍ୟାପୁଛି, ସେଥିରୁ କେହି ବର୍ତ୍ତିବା ବହୁତ ମୁସ୍କିଲ ଅଟେ । ଏହା ମାତ୍ର ୧୫ ସେକେଣ୍ଡରେ ଜଣକ ଦେହରୁ ଅନ୍ୟ ଜଣକ ଦେହକୁ ଡେଉଁଛି । ରୋଗୀର ବେଡ୍‌ ନିକଟରେ ଥିବା ଟେବୁଲ ଏବଂ ଅନ୍ୟ ବସ୍ତୁର ପୃଷ୍ଠରେ ବି ଏହି ଭାଇରସ ତିଷ୍ଠି ପାରୁଛି। ଏମିତିକି ହସ୍ପିଟାଲର ରୁମର ଡୋରରେ ଲାଗିଥିବା ହ୍ୟାଣ୍ଡଲ ଜରିଆରେ ବି ଏହା ଅନ୍ୟ ମାନଙ୍କ ପାଖକୁ ଯାଉଛି । ରୋଗୀ ସେହି ସ୍ଥାନରୁ ଯିବା ପରେ ସେଠାକାର ବାୟୁରେ ବି ଏହି ଭାଇରସ ତିଷ୍ଠି ରହୁଛି । କରୋନା ସଂକ୍ରମଣ ରୋକିବାକୁ ଏପର୍ଯ୍ୟନ୍ତ ଚୀନ୍‌ର ୪ଟି ପ୍ରଦେଶ ଅନ୍ତର୍ଗତ ୬୦ଟି ସହରକୁ ସମ୍ପୂର୍ଣ୍ଣ ଅଚଳ କରି ଦିଆଯାଇଥିଲାବେଳେ ସେଠାରେ ରହୁଥିବା ପ୍ରାୟ ୫୦୦ ନିୟୁତ ଲୋକ ନିଜ ଘରେ ଏକପ୍ରକାର ବନ୍ଦୀ ହୋଇ ରହିଛନ୍ତି ।

ଏଭଳି ପରିସ୍ଥିତିରେ ଚୀନ୍‌ର ରାଷ୍ଟ୍ରପତି ସି ଜିନପିଙ୍ଗ କହିଛନ୍ତି ଯେ ଏହା ଚୀନ୍‌ ପାଇଁ ଏକ ବଡ଼ ପରୀକ୍ଷା । ସେ କମ୍ୟୁନିଷ୍ଟ ପାର୍ଟିର କର୍ମୀମାନଙ୍କୁ କହିଛନ୍ତି ଯେ ମହାମାରୀ ନିୟନ୍ତ୍ରଣ ଏବଂ ଏହାକୁ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି । ସେହିପରି ସ୍ୱାସ୍ଥ୍ୟ ଏବଂ ବନ୍ୟଜନ୍ତୁଙ୍କ ସମ୍ପର୍କିତ ଆଇନରେ ସୁଧାର ଆଣିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଚୀନ୍‌ରେ ଆସନ୍ତା ମଙ୍ଗଳବାର ଠାରୁ କୋଟି କୋଟି ଲୋକ ପୁଣି କାମକୁ ଫେରିବାର ଥିଲାବେଳେ ସେମାନଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ସେଠାକାର କେତେକ କଂପାନି ନୂଆ ନୂଆ ଉପାୟ ଆପଣାଉଛନ୍ତି । ଗୋଟିଏ କଂପାନି ଏକ ଟନେଲ ତିଆରି କରିଛି ଯାହା ଭିତର ଦେଇ ଗଲେ ତାହା ଉପରେ ମେସିନ ଦ୍ୱାରା ବିଶୋଧକ ସିଞ୍ଚନ କରାଯିବ । ଚୀନ୍‌ରେ ଜଣେ ୯୬ ବର୍ଷୀୟା ମହିଳା କରୋନା ରୋଗୀ ଏବେ ସୁସ୍ଥ ହେଉଥିବାର ଦାବି କରାଯାଇଛି ।

ବିଭିନ୍ନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ହଂକଂରେ ଏହି ସଂଖ୍ୟା ୫୬କୁ ବୃଦ୍ଧି ପାଇଛି । ସିଙ୍ଗାପୁରରେ ୫୪ଟି ମାମଲା ସାମ୍ନାକୁ ଆସିଛି । ଜାପାନରେ ଆଉ ଦୁଇ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲାବେଳେ ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୭କୁ ବୃଦ୍ଧି ପାଇଛି । ସେମାନଙ୍କ ଭିତରେ ୟୋକୋହାମାରେ ଅଟକ ରଖାଯାଇଥିବା ଜାହାଜର ୨୧୯ ଜଣ ଯାତ୍ରୀ ବି ଅନ୍ତର୍ଭୁକ୍ତ । ଉକ୍ତ ଜାହାଜରେ ୧୩୫ ଜଣ ଭାରତୀୟ ନାଗରିକ ଥିଲାବେଳେ ତିନି ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସେଇ ଜାହାଜର ୧୩ ଜଣ ଯାତ୍ରୀଙ୍କ ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ବାହାରିବା ପରେ ସେମାନଙ୍କୁ ଆଜି ଜାହାଜ ଭିତରୁ ବାହାର କରାଯାଇ ଅନ୍ୟ ଏକ ଘରେ ଅଲଗା କରି ରଖାଯାଇଛି ।

ଆମେରିକାର ଜଣେ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ଯେ କରୋନା ଭାଇରସକୁ ଏପର୍ଯ୍ୟନ୍ତ ଗବେଷକମାନେ ଠିକ୍‌ସେ ବୁଝିପାରିନାହାନ୍ତି । ଗ୍ରୀଷ୍ମଋତୁରେ ଏହି ଭାଇରସର ପ୍ରକୋପ କମିଯିବ ବୋଲି ଯାହା କୁହାଯାଉଛି ତାହା ଠିକ୍‌ ନୁହେଁ । ଏହା ଗ୍ରୀଷ୍ମ ଋତୁ ପରେ ଏମିତିକି ଏବର୍ଷ ଶେଷ ହେବା ପରେ ନିଜର ପ୍ରକୋପ ଜାରି ରଖିପାରେ । ଏହି ଭାଇରସ ନିଜକୁ ବଞ୍ଚାଇ ରଖିବା ପାଇଁ ଏବଂ ଅନ୍ୟ ଦେହକୁ ଡେଇଁବା ପାଇଁ ନୂଆ ନୂଆ ଉପାୟ ବିକଶିତ କରୁଛି । ଏପରି ଘଟିଲେ ଏହି ଭାଇରସ ଆଗାମୀ ଦିନରେ କମ୍ୟୁନିଟି ଭାଇରସରେ ପରିଣତ ହେବ ଅର୍ଥାତ୍‌ ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଉପାୟରେ ନିଜର ଆସ୍ଥାନ ଜମାଇବ ଏବଂ ଲୋକଙ୍କୁ ସଂକ୍ରମିତ କରିବ । ତେଣୁ ଗୋଟିଏ ଗୋଟିଏ ଅଞ୍ଚଳର ସମସ୍ତ ଲୋକେ ଏହାଯୋଗୁ ପ୍ରଭାବିତ ହେବେ ଏବଂ ଏହାକୁ ରୋକିବା ମୁସ୍କିଲ ହୋଇଯିବ । ୟୁଏସ ସେଣ୍ଟରସ ଫର ଡିଜିଜ କଣ୍ଟ୍ରୋଲ ଏଣ୍ଡ ପ୍ରିଭେସନର ନିର୍ଦ୍ଦେଶକ ରବର୍ଟ ରେଡଫିଲ୍ଡ ଏଭଳି ମତ ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ସାମ୍ଭବ୍ୟ କରୋନା ଟୀକା ‘INO-4800’ DNA vaccineର ମାନବୀୟ ପରୀକ୍ଷଣ ଆରମ୍ଭ

ରାୟ ସପକ୍ଷରେ ନଆସିବାରୁ ବିଚାରପତିଙ୍କୁ ଓକିଲଙ୍କ ଅଭିଶାପ: ‘ତୁମକୁ କରୋନା ହୋଇଯାଉ’

କରୋନା ସଙ୍କଟ ମଧ୍ୟରେ ଆଉ ଏକ ବଡ ସମସ୍ୟାରେ ପଡିଲା ପାକିସ୍ତାନ

କରୋନା ଯୋଗୁଁ ମହଙ୍ଗା ହେବ ଟିଭି-ଫ୍ରିଜ୍ ସମେତ ଏହି ସବୁ ସାମଗ୍ରୀ