ନିରବ ମୃତ୍ୟୁର ଉପତ୍ୟକା “ୱୁହାନ’

ବେଜିଂ ୧୫/୨: କରୋନା ଭାଇରସ ଯୋଗୁ ଚୀନ୍‌ର ହୁବେଇ ପ୍ରଦେଶ ଅନ୍ତର୍ଗତ ୱୁହାନ ସହର ସବୁଠାରୁ ବେଶୀ ପ୍ରଭାବିତ ହୋଇଛି । ଚୀନ୍‌ରେ ଯେତିକି ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି କିମ୍ବା ମୃତ୍ୟୁବରଣ କରିଛନ୍ତି, ତାହାର ୭୦ରୁ ୮୦% ଲୋକ କେବଳ ଏହି ସହରର ବାସିନ୍ଦା ଅଟନ୍ତି । କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ସବୁ ଲୋକଙ୍କୁ ଘରେ ରହିବା ପାଇଁ କହିଥିଲାବେଳେ ପୂରା ସହରକୁ ଅଚଳ କରିଦେଇଛନ୍ତି । ତା’ ସାଙ୍ଗକୁ କରୋନା ଚିହ୍ନଟ ପାଇଁ ହସ୍ପିଟାଲରେ ଆବଶ୍ୟକ ସମ୍ବଳ ନାହିଁ । ତେଣୁ ଏଥିରେ ଆକ୍ରାନ୍ତ ବ୍ୟକ୍ତି ଠିକ୍‌ ସମୟରେ ଚିକିତ୍ସିତ ହୋଇପାରୁନାହାନ୍ତି। ସେମାନଙ୍କୁ କେବଳ ନିଜ ଘରେ କିମ୍ବା ହୋଟେଲରେ ଅଲଗା ରହିବାକୁ ବାଧ୍ୟ କରାଯାଉଛି । ଠିକ୍‌ ସମୟରେ ଚିକିତ୍ସା ଏବଂ ଅନ୍ୟ ସୁବିଧା ମିଳୁନଥିବାରୁ ସେମାନେ କେବଳ ନିରବ ରହି ନିଜର ମୃତ୍ୟୁକୁ ଅପେକ୍ଷା କରୁଛନ୍ତି । ଯିଏ ପ୍ରାଣ ହରାଉଛନ୍ତି, ତା’ ପାଇଁ ପରିବାର ଲୋକଙ୍କୁ ଶୋକ ପାଳନ କରିବାକୁ ବି ସୁଯୋଗ ଦିଆଯାଉନାହିଁ ।

1198565887

ୱୁହାନର ୱାଙ୍ଗ ଜିଆଙ୍ଗକାଇ (୬୧ ବର୍ଷ) ଏବଂ ୱାଙ୍ଗ ଜିଆଙ୍ଗୟୁ (୬୨ ବର୍ଷ) ହେଉଛନ୍ତି ଦୁଇ ଭାଇ । ସେମାନଙ୍କୁ ସ୍ଥାନୀୟ ପ୍ରଶାସନ ଏକ ହୋଟେଲରେ ଅନ୍ୟମାନଙ୍କ ଠାରୁ ଅଲଗା କରି ରଖିଥିଲା । କିନ୍ତୁ ଦିନେ ସକାଳେ ଉଠି ଜିଆଙ୍ଗକାଇ ତାଙ୍କ ଭାଇଙ୍କର ଦେହାନ୍ତ ହୋଇଥିବାର ଦେଖିବାକୁ ପାଇଲେ । ଏହାପରେ ଏକ ଶବଦାହ ଗୃହ ତରଫରୁ ମୃତ ଭାଇଙ୍କ ମରଶରୀର ନେବାକୁ ଏକ ଗାଡ଼ି ପଠାଗଲା । କିନ୍ତୁ ତାଙ୍କର ପରିବାର ଲୋକଙ୍କୁ ସ୍ପଷ୍ଟ ଭାବେ କୌଣସି ପ୍ରକାର ଶୋକ ପାଳନ ନକରିବା ଏବଂ ଅଧିକ ଲୋକଙ୍କୁ ଏକତ୍ରିତ ନକରିବାକୁ କୁହାଗଲା । ସେମାନଙ୍କୁ କେବଳ ଏତିକି ଜଣାଇ ଦିଆଗଲା ଯେ ୧୫ ଦିନ ପରେ ସେମାନେ ମୃତ ବ୍ୟକ୍ତିଙ୍କର ଚିତାଭସ୍ମ ଆଣିପାରିବେ ।

ଜିଆଙ୍ଗୟୁଙ୍କ ମୃତ୍ୟୁର ଦୁଇ ଦିନ ପୂର୍ବରୁ ଏକ ହସ୍ପିଟାଲରେ ସିଟି ସ୍କାନ କରାଯାଇ ଦୁଇ ଭାଇଙ୍କ ଫୁସଫୁସ ପୂରା ଧଳା ହୋଇଯାଇଥିବା ଏବଂ ସେଥିରେ ପ୍ୟାଚ୍‌ ପଡିଥିବାର ଦେଖାଯାଇଥିଲା । ଏହା କରୋନା ସଂକ୍ରମଣ ଯୋଗୁ ହୋଇଛି ବୋଲି ଡାକ୍ତରମାନେ କହିଥିଲେ । ଏହା ସୁନିଶ୍ଚିତ କରିବା ପାଇଁ ଉକ୍ତ ହସ୍ପିଟାଲରେ ଆବଶ୍ୟକ ଆରଏନଏ କିଟ୍‌ ନଥିଲା । ଆରଏନଏ କିଟ୍‌ ମାଧ୍ୟମରେ ପରୀକ୍ଷା କରାଯାଇନଥିବାରୁ ସେମାନଙ୍କର ଚିକିତ୍ସା କରାଗଲା ନାହିଁ । ବରଂ ସେମାନଙ୍କୁ ସ୍ଥାନୀୟ ପ୍ରଶାସନ ଏକ ହୋଟେଲ (ବର୍ତ୍ତମାନ କରୋନା ରୋଗୀଙ୍କ ପାଇଁ କ୍ୟାମ୍ପରେ ପରିଣତ କରାଯାଇଛି)ରେ ରଖାଯାଇଥିଲା । ବଡ଼ ଭାଇଙ୍କ ପରେ ସାନ ଭାଇ ଆଉ ସେଇ ହୋଟେଲରେ ନରହି ନିଜର ଜଣେ ସମ୍ପର୍କୀୟଙ୍କ ଘରକୁ ପଳାଇଲେ । ସେଠାକୁ ତାଙ୍କର ପତ୍ନୀ ପ୍ରତିଦିନ ଖାଦ୍ୟ ଏବଂ ଅନ୍ୟ ସାମଗ୍ରୀ ନେଇକରିଆସୁଥିଲେ । କିନ୍ତୁ କିଛି ଦିନ ପରେ ସେ ବି କରୋନାରେ ଆକ୍ରାନ୍ତ ହେଲେ ।

ୱୁହାନ ସହରର ଅନ୍ୟ ଏକ ଭାଗରେ ଜିଆଙ୍ଗକାଇଙ୍କ ଝିଅ ରୁହନ୍ତି । କିନ୍ତୁ ଯାତାୟାତ ବ୍ୟବସ୍ଥା ବନ୍ଦ ଥିବାରୁ ସେ ଘରକୁ ଫେରିପାରୁନାହାନ୍ତି । ସେ ଚୀନ୍‌ର ସୋସିଆଲ ମିଡିଆରେ ସରକାରୀ ସଂସ୍ଥାଙ୍କ ସହିତ ଯୋଗାଯୋଗ କରି ତାଙ୍କର ବାପା ଓ ମାଆଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇବାକୁ ନିବେଦନ କଲେ । ତାଙ୍କୁ ସରକାରଙ୍କ ତରଫରୁ କୁହାଗଲା ଯେ ଭାଇରସ ନିୟନ୍ତ୍ରଣ ପାଇଁ ଗଠିତ ଟାସ୍କଫୋର୍ସ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବ । ଗତ ସୋମବାର ମଧ୍ୟରାତ୍ରିରେ ତାଙ୍କୁ ମେସେଜ ଦିଆଗଲା ଯେ ଗୋଟିଏ ହସ୍ପିଟାଲ ବେଡ୍‌ ଉପଲବ୍ଧ ଅଛି । ହେଲେ ତାଙ୍କ ବାପାଙ୍କୁ ହସ୍ପିଟାଲ ନେବା ପାଇଁ କୌଣସି ଗାଡି ମିଳିନଥିଲା । ଏଣୁ ତାଙ୍କ ମାଆ ତାଙ୍କ ବାପାଙ୍କୁ ଏକ ହ୍ୱିଲ୍‌ ଚେୟାରରେ ବସାଇ ଠେଲି ଠେଲି କରି ହସ୍ପିଟାଲକୁ ନେଇଥିଲେ ଯାହାକି ତାଙ୍କ ଘର ଠାରୁ ଅଳ୍ପ ବାଟ ଦୂରରେ ଥିଲା । ଏଥିପାଇଁ ମାତ୍ର ୧୦ ମିନିଟ ସମୟ ଲାଗିଥିଲା । ସେଠାରେ ଜିଆଙ୍ଗକାଇଙ୍କର ପରୀକ୍ଷା କରାଯିବାରୁ ତାଙ୍କର ଫୁସଫୁସ କରୋନା ସଂକ୍ରମଣ ଯୋଗୁ ଅଧିକ ଖରାପ ହୋଇଯାଇଥିବାର ଜଣାପଡିଛି । ଏବେ ସେମାନେ ଆରଏନଏ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରିଛନ୍ତି ।

ଜିଆଙ୍ଗକାଇଙ୍କ ଝିଅ କହିଛନ୍ତି ଯେ ଗତ ଜାନୁଆରୀ ୨୨ରେ ପରିବାରର ସମସ୍ତେ ନୂଆବର୍ଷ ପାଳନ ପାଇଁ ଏକାଠି ରାତ୍ରି ଭୋଜନ କରିବା ସହିତ ଫଟୋ ବି ଉଠାଇଥିଲେ । ହେଲେ ଏଇ କିଛି ଦିନ ଭିତରେ ବହୁତ କିଛି ବଦଳିଯାଇଛି । କରୋନା ଭାଇରସ ସେମାନଙ୍କ ସୁଖ ଛଡାଇ ନେଇଛି । ଆମକୁ କି ପାପର ଦଣ୍ଡ ମିଳୁଛି, ଆମେ ବୁଝିପାରୁନାହୁଁ । ୱୁହାନର ଲକ୍ଷ ଲକ୍ଷ ଲୋକ ଏବେ ଏଇଭଳି ପରିସ୍ଥିତିର ସାମ୍ନା କରୁଛନ୍ତି ।

   ସମ୍ବନ୍ଧିତ ଖବର


ମୁଁ ବଞ୍ଚିଛି … : ୨ ବର୍ଷ ହେଲା ନିଜକୁ ଜୀବିତ ପ୍ରମାଣିତ କରିବାକୁ ଅଫିସରୁ ଅଫିସ୍‌ ଘୂରି ବୁଲୁଛନ୍ତି ମହିଳା

ଏଣିକି ଖୋଲାରେ ବିକ୍ରି ହେଉଥିବା ମିଠାର ଏକ୍ସପାୟରୀ ଡେଟ୍ ଲେଖିବାକୁ ପଡିବ

ଆମେରିକା ଫେରି ଟ୍ରମ୍ପ ଲେଖିଲେ ଭାରତ ମହାନ…ସଫଳ ହୋଇଛି ଯାତ୍ରା

ଦିଲ୍ଲୀ ହିଂସା: ପ୍ରତିଦିନ ୧୦୦ କୋଟି ଟଙ୍କାର କ୍ଷତି; ଫ୍ୟାକ୍ଟ୍ରି ବନ୍ଦ, ହୋଲସେଲ୍ ଧନ୍ଦା ମାନ୍ଦା