ଆଗାମୀ ୨୦ ବର୍ଷ ଯାଏ ରହିବ କରୋନା, ଏଭଳି ଯୁକ୍ତି ରଖିଲା ସିରମ୍‌ ଇନଷ୍ଟିଚ୍ୟୁଟ୍‌

ନୂଆଦିଲ୍ଲୀ, ୨୩/ ୧୦: ମହାମାରୀ କରୋନା ଭାଇରସ୍‌ ସାରା ବିଶ୍ବବାସୀଙ୍କୁ ହନ୍ତସନ୍ତ କରି ସାରିଲାଣି। ଏହି ମହାମାରୀ ସଂକ୍ରମଣରେ ପାଖାପାଖି ୧.୪ ମିଲିୟନ୍ ଲୋକଙ୍କର ଜୀବନ ଚାଲି ଗଲାଣି। ଏଥିସହିତ ସାରା ବିଶ୍ବବାସୀ କରୋନା ଟିକାକୁ ଅପେକ୍ଷା କରିଛନ୍ତି। କରୋନା ଟିକା ନିର୍ମାଣରେ ବିଶ୍ବର ବହୁ ନାମିଦାମୀ କମ୍ପାନୀ ଲାଗିଛନ୍ତି। ଏସବୁ ମଧ୍ୟରେ ଦୁନିଆର ଅଗ୍ରଣୀ ଟିକା ନିର୍ମାଣକାରୀ କମ୍ପାନୀ ସିରମ୍‌ ଇନଷ୍ଟିଚ୍ୟୁଟ୍‌ ନୂଆ ଦାବି ଉପସ୍ଥାପନା କରିଛି। ଦାବି ମୁତାବିକ ମହାମାରୀ ଶୀଘ୍ର ଶେଷ ହେବ ନାହିଁ। ମହାମାରୀ କରୋନ ସଂକ୍ରମଣ ଆଗାମୀ ୨ ଦଶନ୍ଧି ପର୍ଯ୍ୟନ୍ତ ବିଶ୍ବରେ ରହିବ। କମ୍ପାନୀର ସିଇଓ ଅଦାର ପୁନାବାଲା ଏକ ବିଜନେସ୍‌ ଓ୍ବେବସାଇଟ୍‌ ସହ ସାକ୍ଷାତକାର ସମୟରେ କହିଛନ୍ତି ଯେ, ବିଶ୍ବରେ କରୋନା ସଂକ୍ରମଣ ଆଗାମୀ ୨୦ ବର୍ଷ ପର୍ଯ୍ୟନ୍ତ ରହିବ ଏବଂ ସେ ପର୍ଯ୍ୟନ୍ତ କରୋନା ଟିକାର ଆବଶ୍ୟକତା ମଧ୍ୟ ରହିଥିବ ।

ବିଜନେସ୍‌ ଟୁଡେ ସହ ହୋଇଥିବା ଆଲୋଚନାରେ ଅଦାର ପୁନାବାଲା କହିଛନ୍ତି ଯେ, ଇତିହାସରେ କେବେ ବି ଭ୍ୟାକସିନର ଆବଶ୍ୟକତା ଗୋଟିଏ ଥରରେ ଶେଷ ହୋଇ ଯାଇନି। ସେ ପୋଲିଓ, ନିମୋନିଆ, ସ୍ବାଇନ୍‌ ଫ୍ଲୁ ଭଳି ରୋଗର ଉଦାହରଣ ଦେଇ କହିଛନ୍ତି ଯେ ଏହି ସବୁ ରୋଗର ଟିକା ଗୁଡ଼ିକ କେଉଁ ବର୍ଷରୁ ଚାଲି ଆସୁଛି। ଏସବୁ ମଧ୍ୟରେ କୌଣସି ଟିକା ବନ୍ଦ ହୋଇ ନାହିଁ। କୋଭିଡ ଭ୍ୟାକସିନ୍‌କୁ ନେଇ ମଧ୍ୟ ଏଭଳି ମତ ରଖିଛନ୍ତି ଅଦାର।

ପୁନାବାଲା ଆହୁରି କହିଛନ୍ତି ଯେ, ଯଦି ଶତ ପ୍ରତିଶତ ଟିକାକରଣ କରାଯାଏ ତେବେ ବି କୋଭିଡ ଟିକାର ଆବଶ୍ୟକତା ଶେଷ ହେବ ନାହିଁ। ସେ ଆହୁରି ଯୁକ୍ତିର ସହ କହିଛନ୍ତି ଯେ, ଟିକାର କୌଣସି ସଠିକ୍‌ ବୈଜ୍ଞାନିକ ଉପାୟ ନାହିଁ। ଟିକା କେବଳ ଆପଣଙ୍କର ଇମ୍ୟୁନିଟି ବୃଦ୍ଧି କରାଇବାରେ ସହାୟକ ହୋଇଥାଏ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏହା ଆପଣଙ୍କୁ ରୋଗରୁ ରକ୍ଷା କରିଥାଏ ହେଲେ ଶତପ୍ରତିଶତ ନୁହେଁ ବୋଲି ସେ କହିଛନ୍ତି।

ସୂଚନା ଥାଉକି, ସିରମ୍‌ ଇଣ୍ଡିଆ ଅକ୍ସଫୋର୍ଡ ୟୁନିଭର୍ସିଟି ଏବଂ ଏଷ୍ଟ୍ରୋଜେନେକାର ରିସର୍ଚ୍ଚରେ କୋଭିଶିଲ୍ଡ ନାମକ କରୋନା ଟିକା ନିର୍ମାଣ କରୁଛି। ଭ୍ୟାକସିନର ଏବେ ତୃତୀୟ ଚରଣ ଟ୍ରାଏଲ ଚାଲିିଛି।