‘କପ୍‌ ସିରପ୍‌ କ୍ଲିନ୍‌ ମିଶନ୍‌’ରେ ନୂଆପଡ଼ା ପୁଲିସକୁ ବଡ଼ ସଫଳତା: ୮୧୨୩ ବୋତଲ କଫ ସିରପ ଜବତ, ୪ ଗିରଫ

ନୂଆପଡ଼ା ୨୪/୧: ‘କଫ୍‌ ସିରପ୍‌ କ୍ଲିନ୍‌ ମିଶନ୍‌’ରେ ବଡ଼ ସଫଳତା ହାସଲ କରିଛି ନୂଆପଡ଼ା ପୁଲିସ । ଜିଲ୍ଲାରେ ତଥା ଜିଲ୍ଲା ବାହାରେ କାୟା ବିସ୍ତାର କରିଥିବା ଏକ ଆନ୍ତଃରାଜ୍ୟ କଫ୍‌ ସିରପ୍‌ ରାକେଟ୍‌ର ପର୍ଦ୍ଦାଫାସ କରିଛି ସ୍ଥାନୀୟ ପୁଲିସ । ଛତିଶଗଡ଼ର ରାୟପୁରରୁ ବେଆଇନ ଚାଲାଣ ହୋଇ ଜିଲ୍ଲାର କୋମନାକୁ ଆସୁଥିବା ୮୧୨୩ ବୋତଲ କଫ ସିରପ ଜବତ କରିଛି ସଦର ପୁଲିସ । ଏହାସହ ୪ ଜଣ ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରିଛି । ଜବତ କଫ୍‌ ସିରପ୍‌ର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ସଦର ଥାନାରେ ଆହୁତ ସମ୍ବାଦିକ ସମ୍ମିଳନୀରେ ନୂଆପଡ଼ା ଏସ୍‌ପି ବିନିତ ଅଗ୍ରୱାଲ ସୂଚନା ଦେଇଛନ୍ତି ।

ଏସ୍‌ପିଙ୍କ ସୂଚନା ମୁତାବକ, ବୁଧବାର ସକାଳ ସାଢ଼େ ୬ଟାରେ ଏକ ଟାଟା ଏସିଇ ସିପ୍‌ରେ ଛତିଶଗଡ଼ର ରାଜଧାନୀ ରାୟପୁର ସହରରୁ ବହୁ ପରିମାଣରେ ବେଆଇନ କଫ୍‌ ସିରପ କୋମନାକୁ ଚାଲାଣ ହେଉଥିବା ଖବର ମିଳିଥିଲା । ଏନେଇ ସଦର ଆଇଆଇସି ଆଦିତ୍ୟ ମହାକୁଡ଼ଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ସଦର ଥାନା ସିଲଦା ନିକଟରେ ଜାତୀୟ ରାଜପଥ ୩୫୩ ଉପରେ ଗାଡ଼ିକୁ ଅଟକାଇଥିଲେ । ଯାଞ୍ଚ ପରେ ବେଆଇନ କଫ୍‌ ସିରପ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ । ପରେ ଗାଡ଼ି ଜବତ କରି ଥାନାକୁ ଆଣିଥିଲେ । ମାଜିଷ୍ଟ୍ରେଟ ଓ ଡ୍ରଗ୍‌ସ ଇନ୍ସପେକ୍ଟରଙ୍କ ଉପସ୍ଥିତିରେ ତଦନ୍ତ କରି ୮୧୨୩ ବୋତଲ ବିଭିନ୍ନ କମ୍ପାନିର କଫ ସିରପ ଚିହ୍ନଟ କରିଥିଲା । ଘଟଣାରେ କୋମନା ପାଇକପଡ଼ାର ସୁମିତ ବୈଠାରୁ(୩୦), କ୍ରିଷ୍ଣା ଗାଁର ସଂଜୟ ଯୋଶୀ(୩୬), ଜୋଙ୍କ ଥାନା ଖରିଆରରୋଡ଼ ସହର ୱାର୍ଡ ନଂ ୧ର ରମେଶ ସାହୁ(୩୦) ଓ ୱାର୍ଡ଼ ନଂ ୮ର ପ୍ରକାଶ କୁକ୍ରେଜା(୬୧) ପ୍ରମୁଖ ୪ ଜଣ ବ୍ୟବସାୟୀଙ୍କୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା । ତାଙ୍କ ଠାରୁ ୨ଟି ମୋବାଇଲ, ନଗଦ ୧୨୦୦ ଓ କିଛି ଏସ୍କପାୟାରି ଲେବଲ ଷ୍ଟିକରିଂ ଜବତ କରିଥିଲା । ଆଜି ସନ୍ଧ୍ୟାରେ ୪ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ସୂଚନାଥାଉକି, ଏହି ରାକେଟ ରାଜ୍ୟ ବାହାରେ ଏକ ନକଲି ଔଷଧ କାରଖାନରେ କଫ ସିରପ ତିଆରି କରୁଛନ୍ତି । ସେହି କଫ ସିରପକୁ ବୋତଲରେ ଭର୍ତ୍ତି କରି ଅନ୍ୟ ଔଷଧର ଷ୍ଟିକରିଂ କରିଥାନ୍ତି । ତାକୁ କାର୍ଟୁନରେ ଭର୍ତ୍ତି କରି ଟ୍ରାନ୍ସପୋର୍ଟ ଜରିଆରେ ରାୟପୁର, ଖରିଆରରୋଡ଼ ସହରକୁ ଆଣିଥାନ୍ତି । ସେଠାରୁ ଚୋରା ଚାଲାଣ କରି କୋମନା ସହରକୁ ନେଇଥାନ୍ତି । ସେଠାରେ ଔଷଧର ଷ୍ଟିକରିଂ ଖୋଳି ଏସ୍କପାୟାରି ଡେଟ୍‌ ଲୋଗୋ ଲଗାଇ କଫ ସିରପ ଭାବେ ବିକ୍ରି କରୁଛନ୍ତି । ଏହି ଷ୍ଟିକରରେ କଫ ସିରପର ଦର ୧୦୫ ଟଙ୍କା ରହିଥିବା ବେଳେ ଏହାକୁ ୨ ଶହରୁ ୨୫୦ ଟଙ୍କାରେ ବିକ୍ରି କରି ବ୍ୟାବସାୟୀ ମାଲାମାଲ ହେଉଛନ୍ତି । ଜିଲ୍ଲାରେ ନିଶା କାରବାରର ଏଭଳି ସ୍ଥିତିକୁ ନଜରରେ ରଖି ଏସ୍‌ପି ଶ୍ରୀ ଅଗ୍ରୱାଲଙ୍କ ତତ୍ତ୍ୱାବଧାନରେ କଫ ସିରପ କ୍ଲିନ ମିଶନ ଆରମ୍ଭ ହୋଇଛି । ୬ ମାସ ଭିତରେ ସଦର ପୁଲିସ ୮୫୪୫ ବୋତଲ କଫ ସିରପ ଜବତ କରିବା ସହ ୧୫ ଜଣକୁ ଗିରଫ କରିଛି ।

   ସମ୍ବନ୍ଧିତ ଖବର


ପିଆଜ ବୋଝେଇ ଟ୍ରକ୍‌ରୁ ୭ କୁଇଣ୍ଟାଲ୍‌ ଗଞ୍ଜେଇ ଜବତ: ଡ୍ରାଇଭର, ହେଲ୍‌ପର ଅଟକ

ସିଡିଏ ହସ୍‌ପିଟାଲ୍‌ର ସୁଇପର୍‌, ସିକ୍ୟୁରିଟି ଗାର୍ଡଙ୍କୁ କରୋନା: ଗୋଷ୍ଠୀ ସଂକ୍ରମଣ ଆଶଙ୍କା, ଚିନ୍ତାରେ ଅଞ୍ଚଳ ବାସୀ

ଅନ୍‌ଲାଇନ୍‌ ମଦ ବିକ୍ରି ପାଇଁ ଟୋଲ୍‌ ଫ୍ରି’ ନମ୍ୱର ଜାରି

ଏବେ ବି ରହସ୍ୟରେ: ସ୍ୱାମୀ-ସ୍ତ୍ରୀଙ୍କ କଳହରୁ ବଳିପଡିଲା କି ୫ ବର୍ଷର ଶିଶୁ ଜୀବନ?

ରାଜ୍ୟରେ ଆଉ ଏକ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

ନିଶାରେ ମା’କୁ ମାଡ଼ ମାରି ପୁଅ ଗିରଫ