କାଉଣ୍ଟ ଡାଉନ୍ ଆରମ୍ଭ, ହାତରେ ଆଉ ମାତ୍ର ୧୨ ଦିନ: ଆର୍‌ଟିଓ ଅଫିସରେ ବଢ଼ୁଛି ଭିଡ଼, ଅସ୍ଥାୟୀ ଶିବିରରେ ଲୋକ ହଟହଟା

ଭୁବନେଶ୍ୱର ୧୯/୧୧: କିଛି ଦିନ ପରେ ପୁଣି ଆଞ୍ଚଳିକ ପରିବହନ ଅଧିକାରୀ (ଆର୍‌ଟିଓ) ଅଫିସ୍‌ ମୁହାଁ ହୋଇଛନ୍ତି ବିନା ଲାଇସେନ୍ସଧାରୀ ଗାଡ଼ିଚାଳକ। ୩ ମାସର ମହଲତ ପାଇ ମଠେଇ ଯାଇଥିବା ଗାଡି଼ଚାଳକ ମନ୍ତ୍ରୀଙ୍କ କଡ଼ା ବାଣୀ ପରେ ଏବେ ପୁଣି ହଡବଡେଇ ଯାଇଛନ୍ତି। ଲର୍ଣ୍ଣିଂ ଲାଇସେନ୍ସ(ଏଲ୍‌ଏଲ୍‌) ଓ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ପାଇଁ ଅଫିସ୍‌ କାଉଣ୍ଟର ସାମ୍ନାରେ ଭିଡ଼ ବଢ଼ିଲାଣି। ହେଲେ ଅସ୍ଥାୟୀ ଶିବିରରେ ଅବ୍ୟବସ୍ଥା ଓ କର୍ମଚାରୀ ଅଭାବ ଯୋଗୁଁ ଲୋକେ ହଟହଟା ହେଉଥିବା ଅଭିଯୋଗ ହୋଇଛି ।
  

ରାଜଧାନୀର ଆର୍‌ଟିଓ-୧ ଓ ଆର୍‌ଟିଓ-୨ରେ ଗତ ୧୫ ତାରିଖ ପରଠୁ ପୁଣି ଭିଡ଼ ବଢ଼ିବାରେ ଲାଗିଛି । ଆର୍‌ଟିଓ-୧ରେ ପୂର୍ବରୁ ଦିନକୁ ୮୦୦-୧୦୦୦ ଗାଡି଼ଚାଳକ ଲାଇସେନ୍ସ ପାଇଁ ଆବେଦନ କରୁଥିବା ବେଳେ ଦୁଇଦିନ ହେଲା ଏହା ସଂଖ୍ୟା ବଢ଼ି ଦେଢ଼ ହଜାରରେ ପହଞ୍ଚିଛି । ସେହିପରି ପୂର୍ବରୁ ଆର୍‌ଟିଓ-୨କୁ ଦୈନିକ ୩୦୦-୪୦୦ ବିନା ଲାଇସେନ୍ସଧାରୀ ଆସୁଥିଲେ । ଏବେ ପ୍ରାୟ ୭୦୦-୧୦୦୦ ଜଣ ଲାଇସେନ୍ସ ପାଇଁ ଧାଉଁଛନ୍ତି । ତେବେ ଆର୍‌ଟିଓ ତଥ୍ୟ ଅନୁସାରେ, ଆର୍‌ଟିଓ-୧ରେ ପ୍ରତିଦିନ ଏଲ୍‌ଏଲ୍‌ ପ୍ରଦାନର କ୍ଷମତା ୯୦୦ ଅଛି । ମାତ୍ରାଧିକ ସଂଖ୍ୟାରେ ଆସିବା ଯୋଗୁଁ ଆବେଦନକାରୀଙ୍କୁ ଲାଇସେନ୍ସ ଦେବାରେ ବିଳମ୍ବ ହେଉଛି । ସେହିପରି ଆରଟିଓ-୨ରେ ପ୍ରତିଦିନ ୭୦୦ ଜଣଙ୍କୁ ଲାଇସେନ୍ସ ଦେବାର କ୍ଷମତା ଥିବାରୁ ଅଧିକାଂଶ ଆବେଦନକାରୀଙ୍କୁ ଲାଇସେନ୍ସ ମିଳିଯାଉଛି ।
  

ଆର୍‌ଟିଓ-୧ ପକ୍ଷରୁ ଖୋଲାଯାଇଥିବା ୩ ଅସ୍ଥାୟୀ ଶିବିରକୁ ଯାଉଥିବା ଆବେଦନକାରୀ ଅନେକ ସମସ୍ୟା ଭୋଗୁଥିବା ଦେଖାଦେଉଛି। ଏଜି ଛକସ୍ଥିତ ଓଏସ୍‌ଆର୍‌ଟିସି ଓ କଳ୍ପନାଛକସ୍ଥିତ ବିଏମ୍‌ସି ଅଫିସ ଓ ସହିଦନଗରସ୍ଥିତ ବିଏମ୍‌ସି ୱାର୍ଡ ଅଫିସରେ ସମାନ ଅବସ୍ଥା ଦେଖାଦେଉଛି । ଆର୍‌ଟିଓ ଅଫିସଠାରୁ ଅପେକ୍ଷାକୃତ ଜଲ୍‌ଦି ଲାଇସେନ୍ସ ପାଇବା ଆଶାରେ ଯାଉଥିବା ଏସବୁ ଶିବିରକୁ ଯାଉଥିବା ଆବେଦନକାରୀ ମଧ୍ୟ ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଛିଡା ହେଉଛନ୍ତି। ସହିଦନଗର ବିଏମ୍‌ସି ୱାର୍ଡ ଅଫିସ୍‌ ଓ ଓଏସ୍‌ଆର୍‌ଟିସି ପରିସରରେ ଥିବା ଶିବିରରେ ମାତ୍ର ୨ଜଣ ଲେଖାଏଁ ଆର୍‌ଟିଓ କର୍ମଚାରୀ ଅଛନ୍ତି। ପ୍ରତିଦିନ ସେଠାରେ ୫ ଶହରୁ ଅଧିକ ଲୋକଙ୍କ ଭିଡ଼ ଜମୁଥିବା ବେଳେ ମାତ୍ର ଦେଢ଼ ଶହରୁ ୨ ଶହ ଜଣଙ୍କୁ କଷ୍ଟେମଷ୍ଟେ ଏଲ୍‌ଏଲ୍‌ ମିଳୁଛି । ଆର୍‌ଟିଓ ତଥ୍ୟ କହୁଛି, ସେପ୍ଟେମ୍ବର ପହିଲାରୁ ନଭେମ୍ବର ପହିଲା ଯାଏଁ ଆର୍‌ଟିଓ-୧ରେ ୫୩,୪୮୨ଜଣ ଗାଡି଼ଚାଳକ ଏଲ୍‌ଏଲ ପାଇଁ ଆବେଦନ କରିଥିଲେ। ଆର୍‌ଟିଓ-୨ରେ ଏହାର ସଂଖ୍ୟା ୨୪୮୦୦ରେ ପହଞ୍ଚିଥିଲା।