ରାଜଧାନୀରେ ସୀମା ଟପିଲାଣି ଚିକିତ୍ସା ଅବହେଳା: ଦୁଃଖ ବଖାଣିଲେ ବିଏମ୍‌ସି ୱାର୍ଡ ଅଫିସର,ଗୁରୁତର ରୋଗୀଙ୍କୁ ଡିସ୍‌ଚାର୍ଜ କରି ମାରିଦେଲେ…

ଭୁବନେଶ୍ୱର,୧୮/୦୯: ରାଜଧାନୀରେ ଚିକିତ୍ସା ଅବହେଳା ସବୁ ସୀମା ଟପିଗଲାଣି । ସହରର ବିଭିନ୍ନ ସ୍ଥାନରୁ ଏଭଳି ଗଦା ଗଦା ଅଭିଯୋଗ ଆସି ପହଞ୍ଚୁଛି। କେଉଁଠି କୋଭିଡ୍‌ ଚିକିତ୍ସା ପାଇବାକୁ ରୋଗୀଙ୍କୁ ସଂଘର୍ଷ କରିବାକୁ ପଡୁଛି ତ, ଆଉ କେଉଁଠି କିଛି କୋଭିଡ୍‌ ହସ୍ପିଟାଲରେ ଅବହେଳା ଚରମ ସୀମାରେ ପହଞ୍ଚିଲାଣି। ସାଧାରଣ ଲୋକଙ୍କ କଥା ତ ଦୂର, ଖୋଦ୍‌ ବିଏମ୍‌ସିର ଜଣେ ୱାର୍ଡ ଅଫିସରଙ୍କ ନିକଟ ସମ୍ପର୍କୀୟ ଚିକିତ୍ସା ଅଭାବରୁ ପ୍ରାଣ ହରାଇଛନ୍ତି।

ୱାର୍ଡ ନଂ ୫୧ର ୱାର୍ଡ ଅଫିସର କାଳୁ ପଟ୍ଟନାୟକଙ୍କ କହିବା ଅନୁସାରେ, ତାଙ୍କ ଦାଦା ଘନଶ୍ୟାମ ପଟ୍ଟନାୟକ ଓ ଖୁଡ଼ୀ ପ୍ରମିଳା ପଟ୍ଟନାୟକ ମାସକ ତଳେ ନୀଳାଞ୍ଚଳ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଭଭୟଙ୍କର ଡାଏଲିସିସ୍‌ ଚାଲିଥିଲା। ଦୀର୍ଘ ଦିନ ଧରି ଚିକିତ୍ସା ହେବା ପରେ ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। କିନ୍ତୁ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ କେଉଁ ହସ୍ପିଟାଲକୁ ନିଆଗଲା ତାହା ସେମାନଙ୍କ ଘର ଲୋକଙ୍କୁ ଜଣାଇଲେନି। ଘର ଲୋକ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ, କିନ୍ତୁ ନା ବିଏମ୍‌ସି ନା ହସ୍ପିଟାଲ କର୍ତ୍ତୃପକ୍ଷ କେହି ବି ସେମାନଙ୍କୁ ସୂଚନା ଦେଲେନି।

ତିନି ଦିନ ପରେ ୱାର୍ଡ ଅଫିସର ଥିବା ଶ୍ରୀ ପଟ୍ଟନାୟକ ଅନେକ ଧାଁ ଦୌଡ଼ ପରେ ତାଙ୍କ ଦାଦା ନୀଳାଚଳ କୋଭିଡ୍‌ ହସ୍ପିଟାଲରେ ଓ ଖୁଡୀ ହାଇଟେକ୍‌ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଛନ୍ତି ବୋଲି ଜାଣିବାକୁ ପାଇଲେ। ହସ୍ପିଟାଲକୁ ଯୋଗାଯୋଗ କରିବା ପରେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଅଛି ବୋଲି କୁହାଗଲା। ସେଠାରେ ଚିକିତ୍ସା ଚାଲିଲା । ପ୍ରାୟ ୧୩ ଦିନ ପରେ ଗତ ଶନିବାର ଦିନ ହଠାତ୍‌ ଘର ପାଖରେ ଆସି ଆମ୍ବୁଲାନ୍ସ ଲାଗିଲା। ଘନଶ୍ୟାମଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ହୋଇଯାଇଥିବାରୁ ଡିସଚାର୍ଜ କରିଦିଆଯାଇଛି ବୋଲି ହସ୍ପିଟାଲ ପକ୍ଷରୁ କୁହାଗଲା । କିନ୍ତୁ ସେତେବେଳକୁ ଘନଶ୍ୟାମଙ୍କ ସ୍ୱାସ୍ଥ୍ୟ ଭଲ ନଥିଲା। ସେ ବହୁତ ଅସୁସ୍ଥ ଥିଲେ । ରାତି ପାହି ସକାଳ ହେବା ବେଳକୁ ଘନଶ୍ୟାମ ଆଖି ବୁଜିଦେଲେ।

ତାଙ୍କ ଘର ମଦନପୁର ପଞ୍ଚାୟତରେ ହୋଇଥିବାରୁ ଓ ଏହା ବିଏମ୍‌ସି ଅଞ୍ଚଳ ବାହାରେ ହୋଇଥିବାରୁ ଶେଷ ସଂସ୍କାର ପାଇଁ ପରିବାର ଲୋକେ ତୁରନ୍ତ ସ୍ଥାନୀୟ ସରପଞ୍ଚ, ବିଡିଓ ଓ ଉପଜିଲ୍ଲାପାଳଙ୍କୁ ଜଣାଇଥିଲେ । କିନ୍ତୁ କୌଣସି ସରକାରୀ ଅଧିକାରୀ ସେମାନଙ୍କ କଥା ଶୁଣିନଥିଲେ । ଶେଷରେ ବାଧ୍ୟ ହୋଇ ସେମାନେ ଏକ ଘରୋଇ ଆମ୍ବୁଲାନ୍ସରେ ସତ୍ୟନଗର ମଶାଣିକୁ ନେଇ ଅନ୍ତିମ ସଂସ୍କାର କରିଥିଲେ ।

ଯଦି ମୋ ଦାଦାଙ୍କ ଅବସ୍ଥା ଗୁରୁତର ଥିଲା ତା ହେଲେ ହସ୍ପିଟାଲ କର୍ତ୍ତୃପକ୍ଷ କାହିଁକି ତାଙ୍କୁ ଭଲ ଅଛନ୍ତି କହି ଡିସ୍‌ଚାର୍ଜ କରିଦେଲେ? ଯଦି ତାଙ୍କୁ ଅନ୍ୟ ଚିକିତ୍ସା ଜରୁରୀ ଥିଲା ତା ହେଲେ ଆମକୁ କୁହାଗଲାନି କାହିଁକି? କୋଭିଡ୍‌ ହସ୍ପିଟାଲରୁ ଡିସ୍‌ଚାର୍ଜ ପରେ ତାଙ୍କୁ ଡାଏଲିସିସ୍‌ ପାଇଁ ପୁଣି ହସ୍ପିଟାଲ ଆଣି ଆଇସୋଲେସନ୍‌ ୱାର୍ଡରେ କାହିଁକି ରଖିଲେନି? ୱାର୍ଡ ଅଫିସର ଶ୍ରୀପଟ୍ଟନାୟକ କୋହଭରା କଣ୍ଠରେ ଏଭଳି ଅନେକ ପ୍ରଶ୍ନ କରିବା ସହ ଅବହେଳା ପାଇଁ ତାଙ୍କ ଦାଦା ଚାଲିଗଲେ ବୋଲି କହିଛନ୍ତି । ଯଦି ୱାର୍ଡସ୍ତରରେ କୋଭିଡ୍‌ ମୁକାବିଲା ପାଇଁ ନୋଡାଲ ଅଫିସର ହୋଇଥିବା ଜଣେ ୱାର୍ଡ ଅଫିସରଙ୍କ ଅବସ୍ଥା ଏଭଳି ତା ହେଲେ ସାଧାରଣ ରୋଗୀଙ୍କ ଅବସ୍ଥା କିଭଳି ଥିବ ଏଥିରୁ ସହଜରେ ବୁଝା ପଡିଯାଉଛି ।

ସେହିଭଳି ୧୯୨୯ ହେଲପଲାଇନ୍‌ ନମ୍ବର ୨୪ ଘଣ୍ଟିଆ କାମ କରୁଛି ଓ ଲୋକଙ୍କୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଉଛି ବୋଲି ବିଏମ୍‌ସି ପ୍ରଚାର କରିଚାଲିଛି । କିନ୍ତୁ ବାସ୍ତବ ସ୍ଥିତି ପୂରା ଓଲଟା । ୪ ଦିନ ତଳେ ଆମେ ନିଜେ ବିଏମ୍‌ସିର ୧୯୨୯ ନମ୍ବରକୁ ଫୋନ୍‌ କରି କୋଭିଡ୍‌ ହସ୍ପିଟାଲରେ ଥିବା ଜଣେ ରୋଗୀଙ୍କ ସ୍ଥିତି ବିଷୟରେ ଜାଣିବାକୁ ଚାହିଁଥିଲୁ । ଆମକୁ ସୂଚନା ଦିଆଯିବ କହି ସେପଟୁ ଫୋନ୍‌ରେ କୁହାଗଲା । କିନ୍ତୁ ୨୪ ଘଣ୍ଟା ଯାଇ ୪୮ ଘଣ୍ଟା ବିତିଥିଲା କିନ୍ତୁ କୌଣସି ସୂଚନା ମିଳିନଥିଲା । କରୋନାରେ ଆକ୍ରାନ୍ତ ବିଏମ୍‌ସିର ଆଉ ଜଣେ କର୍ମଚାରୀ ନିଜ ସ୍ୱାସ୍ଥ୍ୟ ସମ୍ବନ୍ଧରେ କିଛି ସୂଚନା ପାଇବା ପାଇଁ ଅପରାହ୍ନ ୨ଟା ସମୟରେ ବାରମ୍ବାର ଏହି ହେଲପଲାଇନ୍‌ ନମ୍ବର ସହ ଯୋଗାଯୋଗ କରିଥିଲେ । କିନ୍ତୁ ଦୀର୍ଘ ପ୍ରୟାସ ସତ୍ତେ୍ୱ ଫୋନ୍‌ ଲାଗିଲାନି ବୋଲି ସେ ଆମକୁ ଜଣାଇଛନ୍ତି ।

   ସମ୍ବନ୍ଧିତ ଖବର


ବିସିଜି ଟିକା କରୋନା ବିରୋଧରେ ଲଢିପାରିବ – ଏଭଳି ସୂଚନା ଦେଲେ ICMR ର ବୈଜ୍ଞାନିକ

ଚଳିତ ବର୍ଷ କାର୍ତ୍ତିକରେ ଶ୍ରୀକ୍ଷତ୍ର ପୁରୀରେ ହବିଷ୍ୟାଳୀଙ୍କୁ ମନା- ନ ଆସିବା ପାଇଁ କହିଲେ ପୁରୀ ପ୍ରଶାସନ

ସମ୍‌ ଡାକ୍ତରଙ୍କର ସଫଳ ଅସ୍ତ୍ରୋପଚାର ପ୍ଲାଷ୍ଟିକ୍‌ସର୍ଜରୀ ଦ୍ୱାରା ଯୋଡା ହେଲା ୯ ବର୍ଷ ବାଳକର କଟା ଅଙ୍ଗୁଳି

Inoxର ଦମଦାର୍ ଅଫର: ୨୯୯୯ ଟଙ୍କାରେ ବୁକ୍ କରନ୍ତୁ ଥିଏଟର, ପରିବାର କିମ୍ବା ସାଙ୍ଗମାନଙ୍କ ସହ ଦେଖନ୍ତୁ ନିଜ ପସନ୍ଦର ଫିଲ୍ମ

ସ୍ବାମୀକୁ ହତ୍ୟା ପରେ ବି ଫେସବୁକରେ ପୋଷ୍ଟ କରୁଥିଲେ ପତ୍ନୀ, ଜାଣନ୍ତୁ ବରେଲିର ଅଧ୍ୟାପକଙ୍କ ହତ୍ୟା ପଛର କାରଣ

ଭାରତରେ ନିଲାମ ହେଲା ସବୁଠାରୁ ଦାମୀ ଚା’, କେଜିକୁ ରହିଛି ଏତେ ଟଙ୍କା