ରାଜଧାନୀରେ ଅପରାଧୀଙ୍କୁ ସୁହାଉଛି କୋଭିଡ୍‌ ଲଢ଼େଇ: ଗିରଫଦାରିରେ ପଡିଛି ମରୁଡି, ଅଧିକାଂଶ ଅଭିଯୁକ୍ତଙ୍କୁ ଥାନାରୁ ନୋଟିସ୍‌ ଦେଇ ଛାଡୁଛି ପୁଲିସ୍‌

ଭୁବନେଶ୍ୱର,୨୯/୦୬: ଏପଟେ କରୋନା ଲଢ଼େଇରେ ବ୍ୟସ୍ତ ପୁଲିସ୍‌ । ସେପଟେ ସଂକ୍ରମଣ ରୋକିବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶନାମା । ଯାହାକି, ଲକ୍‌ଡାଉନ୍‌ ବେଳେ ଅପରାଧୀଙ୍କୁ ବେଶ୍‌ ସୁହାଉଛି । ଅଧିକାଂଶ ଅଭିଯୁକ୍ତଙ୍କୁ ନୋଟିସ୍‌ ଧରାଇ ଥାନାରୁ ଛାଡ଼ିଦେଉଛି ପୁଲିସ । ବିଚାରପତିଙ୍କ ଦରବାର ଯାଏଁ ବି ସେମାନଙ୍କୁ ପଠାଯାଉନି । ଲକ୍‌ଡାଉନ୍‌ ବେଳେ ପାଖାପାଖି ୮୦ ପ୍ରତିଶତ ଗିରଫଦାରି କମିଛି । ସତେ ଯେମିତି ଲାଗୁଛି, କରୋନା ବେଳେ ଅପରାଧୀଙ୍କୁ ଏକରକମର ରିଲାକ୍ସ କରାଯାଇଛି ।
  

କମିଶନରେଟ୍‌ ପୁଲିସର ସିଏସ୍‌ଆଇ ଦପ୍ତରରୁ ମିଳିଥିବା ତଥ୍ୟ ମୁତାବକ, ଲକ୍‌ଡାଉନ୍‌ ପୂର୍ବରୁ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ଜିଲ୍ଲା (ଯୁପିଡି)ର ୭-୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପ୍ରତିଦିନ କୋର୍ଟଚାଲାଣ କରାଯାଉଥିଲା । ଏମିତିକି ଏକାବେଳକେ ୧୩-୧୫ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗୋଟିଏ ଦିନରେ ଅଦାଲତରେ ହାଜର କରାଯାଉଥିଲା । ଗତ ଜାନୁଆରୀରେ ମୋଟ ୨୧୬ ଜଣ ଅଭିଯୁକ୍ତଙ୍କୁ ବିଭିନ୍ନ ଅଦାଲତରେ ହାଜର କରାଯାଇଛି । ସେହିପରି ଫେବୃୟାରୀରେ ୨୧୩ ଜଣ ଓ ମାର୍ଚ୍ଚ ଶେଷ ବେଳକୁ ଏହି ସଂଖ୍ୟା ୨୧୭ରେ ପହଞ୍ଚିଥିଲା ।
  

ଲକଡାଉନ୍‌ ପରେ କିନ୍ତୁ ଗିରଫଦାରିରେ ମରୁଡି଼ ପଡି଼ଛି । ଅଭିଯୁକ୍ତମାନଙ୍କ କୋର୍ଟ ଚାଲାଣ ଗ୍ରାଫ୍‌ ହଠାତ୍‌ ତଳକୁ ଖସିଯାଇଛି । ଏବେ ଦିନକୁ ଜଣେ କି ଦୁଇ ଜଣ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଉଛି । ଦିନେ ଦିନେ ଅଦାଲତରେ ଜଣେ ବି ଅଭିଯୁକ୍ତଙ୍କ ଦର୍ଶନ ମିଳୁନି । ବିଭିନ୍ନ ଥାନାରୁ ମୋଟ ୫୮ଜଣ ଅଭିଯୁକ୍ତ ଏପ୍ରିଲ ମାସରେ ଗିରଫ ହୋଇ କୋର୍ଟଚାଲାଣ ହୋଇଥିଲେ । ମେ’ ମାସରେ ୫୫ଜଣଙ୍କୁ ଅଦାଲତକୁ ପଠାଯାଇଥିଲା ।
  

ଏପ୍ରିଲ୍‌ ଓ ମେ’ ମାସରେ କରୋନା ମୁକାବିଲାରେ ପୁଲିସ୍‌ ସମ୍ପୂର୍ଣ୍ଣ ବ୍ୟସ୍ତ ରହୁଥିଲା । ଏହାବାଦ୍‌ ଲକ୍‌ଡାଉନ୍‌ ଯୋଗୁଁ ଅପରାଧର ମାତ୍ରା ଢ଼େର୍‌ କମିଯାଇଥିଲା । ତେଣୁ ଗିରଫଦାରି ଢେର କମିଥିଲା । ତେବେ ଲକଡାଉନ କୋହଳ ହେବା ପରେ ଚଳିତ ମାସରେ ଆଜି ପର୍ଯ୍ୟନ୍ତ ମୋଟ ୧୦୮ ଜଣ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର୍‌ କରାଯାଇଛି । ଏଥିରୁ ବିଭିନ୍ନ ଥାନାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ୁଥିବା ଜଣାପଡି଼ଛି ।
  

ବରିଷ୍ଠ ଆଇନ୍‌ଜୀବୀ ଚିତ୍ତରଞ୍ଜନ ଦାଶଙ୍କ କହିବା ମୁତାବକ, କରୋନା ମହାମାରୀରୁ ବର୍ତ୍ତିବା ପାଇଁ ସୁପ୍ରିମ୍‌କୋର୍ଟ ଏକ ନିର୍ଦ୍ଦେଶମାନା ଜାରି କରିଛନ୍ତି । ମଦ, ଚୋରି, ଠକେଇ ଭଳି ୭ ବର୍ଷରୁ କମ୍‌ ସଜ୍ଜା ଥିବା ଅପରାଧ ମାମଲାରେ ଅଭିଯୁକ୍ତଙ୍କୁ ଯଥାସମ୍ଭବ କୋର୍ଟ ଚାଲାଣ ନ କରିବାକୁ ପୁଲିସକୁ ପରାମର୍ଶ ଦିଆଯାଇଛି । ଏବେ ପୁଲିସ ସେମାନଙ୍କୁ ସିଆର୍‌ପିସି ୪୧ ଧାରାରେ ନୋଟିସ୍‌ ଧରାଇ ଥାନାରୁ ଛାଡ଼ି ଦେଉଛି । କୋର୍ଟ ଚାଲାଣ କରୁନାହିଁ । ପରିସ୍ଥିତି ସୁଧୁରିବା ପରେ ଏହି ଅଭିଯୁକ୍ତମାନଙ୍କୁ ହାଜିର ହେବାକୁ ଅଦାଲତଙ୍କ ପକ୍ଷରୁ ନୋଟିସ୍‌ ପଠାଯିବ ।

ସେପଟେ ସମ୍ପ୍ରତି କରୋନା ପରିସ୍ଥିତିରେ ପୁଲିସ ପାଇଁ ସବୁଠୁ ଅଡୁଆ ପାଲଟିଛନ୍ତି ଅପରାଧୀ । ସେମାନଙ୍କୁ ଧରିବାଠୁ କୋର୍ଟରେ ହାଜର କରିବା ଯାଏଁ ପୁଲିସକୁ ସତର୍କ ରହିବାକୁ ପଡୁଛି । କୋଭିଡ୍‌ ଟେଷ୍ଟ ନ ହେଲେ, ଅଭିଯୁକ୍ତଙ୍କ ପାଇଁ ଅଦାଲତଙ୍କ ଫାଟକ ଫିଟୁନି। ଏଥିଯୋଗୁଁ ଅନେକ ଅଭିଯୋଗରେ ପୁଲିସ ମାମଲା ରୁଜୁ କରୁଛି ସତ । କିନ୍ତୁ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ ନ କରି ଛାଡି ଦେଉଛି।

ସୂଚନା ଥାଉ କି, ଭୁବନେଶ୍ୱର ୟୁପିଡିର ୨୨ଟି ଥାନା ସହ ଜିଆର୍‌ପି, କ୍ରାଇମ୍‌ବ୍ରାଞ୍ଚ, ସାଇବର ସେଲ୍‌, ଏସ୍‌ଟିଏଫ୍‌ ଓ ଇଓଡବ୍ଲ୍ୟୁରୁ ଅଭିଯୁକ୍ତମାନେ ଭୁବନେଶ୍ୱରସ୍ଥିତ ବିଭିନ୍ନ ଅଦାଲତଙ୍କଠାରେ ହାଜିର ହୋଇଥାନ୍ତି । ରାଜଧାନୀ ଉପକଣ୍ଠରେ ଥିବା ବାଲିଅନ୍ତା, ବାଲିପାଟଣା, ଜଟଣୀ, ଚନ୍ଦକା ଓ ନନ୍ଦନକାନନ ଭଳି ଥାନାଗୁଡି଼କରୁ ଗିରଫ ଅଭିଯୁକ୍ତମାନଙ୍କୁ ଜେଏମ୍‌ଏଫ୍‌ସି ରୁରାଲ କୋର୍ଟରେ ହାଜର କରାଯାଇଥାଏ । ଏହାଛଡ଼ା ଅନ୍ୟ ଥାନାରୁ ଆସୁଥିବା ଅଭିଯୁକ୍ତ ଏସ୍‌ଡିଜେଏମ୍‌, ଏଡିଜେ, ଜେଜେବି ଓ ପୋକ୍‌ସୋ ଅଦାଲତରେ ହାଜର କରାଯାଇଥାଏ ।

   ସମ୍ବନ୍ଧିତ ଖବର


୧୨ ଶହ ଠେଲା ଗାଡି ଅଚଳ , ଦୁର୍ଦ୍ଦିନରେ ଅଢ଼େଇ ହଜାର ରିକ୍ସାବାଲା

ମୁଣ୍ଡିଆ ମାରିଥିଲେ ବି ଶିଶୁ ବିଶେଷଜ୍ଞ ଆସିନଥିଲେ , ଚିକିତ୍ସା ଅଭାବରୁ ନବଜାତକର ମୃତ୍ୟୁ!

ନୂଆପଡାରେ ନିର୍ମାଣାଧୀନ ବ୍ରିଜରେ ଝୁଲିଲା ଟ୍ରକ୍‌, ଡ୍ରାଇଭର ଗୁରୁତର

ରହସ୍ୟ ଘେରରେ ବନ୍ଦ ଘର ! ସାଢ଼େ ତିନି ବର୍ଷ ଧରି ଝୁଲୁଛି ତାଲା

ଟ୍ୟୁସନ୍‌ ନ କଲେ ଫେଲ୍‌ ହେବାର ଧମକ! ରିପୋର୍ଟ ତଲବ

ପୁଅ ମୃତ୍ୟୁକୁ ନେଇ ବିଷ ଖାଇଲେ ମା’