ଭୁବନେଶ୍ୱରରେ ମିଳୁଛି କୋଭିଡ ଟିକା !

ଭୁବନେଶ୍ୱର-ରାଜଧାନୀ ଭୁବନେଶ୍ୱରରେ ଏବେ କିଛି କମ୍ପାନୀଙ୍କ ଦ୍ୱାରା ଲୁଚା ଛପାରେ କୋଭିଡ୍‌ ଟିକା ଦିଆଯାଉଥିବାର ଖବର ସାମ୍ନାକୁ ଆସିଛି ।  ବିଶେଷ କରି ଆର୍ଥିକ ସ୍ୱଚ୍ଛଳ ବର୍ଗଙ୍କୁ ଏମାନେ ଟାର୍ଗେଟ କରୁଛନ୍ତି । ଏହି କାରବାରକୁ ପୂରା ଗଣମାଧ୍ୟମର ଆଢୁଆଳରେ ରଖାଯାଉଛି । ନିର୍ଦ୍ଦିଷ୍ଟ ଭାବେ ପଟିଆ ଶ୍ରୀବିହାର ଅଞ୍ଚଳରେ ଏକ ଆପାର୍ଟମେଣ୍ଟକୁ ଟିକା ଥିବା ନାଇଟ୍ରୋଜେନ୍‌ ବକ୍ସ ଧରି ବାଇକରେ ଯାଉଥିବା ଯୁବକ ଯୁବତୀଙ୍କୁ ଆମ ପ୍ରତିନିଧି ଠାବ କରିଥିଲେ ।

 ଏପରିକି ସଂପୃକ୍ତ ଆପାର୍ଟମେଣ୍ଟକୁ ଯିବାଆସିବା କରୁଥିବା ଜଣେ ବ୍ୟକ୍ତି ନିଜ ପରିଚୟ ଲୁଚାଇବା ସର୍ତ୍ତରେ ଏକ ସଂସ୍ଥାର ନମ୍ବର ଦେଇଥିଲେ । ତେବେ ସଂପୃକ୍ତ ସଂସ୍ଥା ଗଣମାଧ୍ୟମର ନାଁ ଶୁଣି ଟିକା ବିକ୍ରି କରିବା କଥାକୁ ସଂପୂର୍ଣ୍ଣ ମନା କରିଦେିଇଥିଲେ । ଭୁବନେଶ୍ୱରରେ ମିଳୁଥିବା ଟିକା ରୁଷିଆ ପ୍ରସ୍ତୁତ ସ୍ପୁଟନିକ-ଭି ବୋଲି ଖବର ମିଳିଛି । ସ୍ଥାନ ବିଶେଷରେ ଅଢେଇ ହଜାରରୁ ତିନି ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ଏହି ଟିକାର କାରବାର ରାଜଧାନୀରେ ଚାଲିଛି ।ତେବେ ଏହା ପ୍ରକୃତ ଟିକି ନା ମୁନାଫା କମାଇବା ନାଁରେ କେତକ ଲୋକ ଅନ୍ୟ କିଛି ଟିକା ନାଁରେ ବିକ୍ରି କରୁଛନ୍ତି ତାହା ତଦନ୍ତ ସାପେକ୍ଷ । ଏହି ଟିକାର ସତ୍ୟାସତ୍ୟ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବମ୍ବେର ଏକ ସଂସ୍ଥା ଏହାର ଏଜେଣ୍ଟଙ୍କ ଦ୍ୱାରା ଭୁବନେଶ୍ୱରରେ ଗୁପ୍ତରେ ବ୍ୟବସାୟ କରୁଥିବା ଜଣାଯାଇଛି । ଅନ୍ୟ ଜଣେ ବ୍ୟକ୍ତି ଗ୍ରାହକ ହୋଇ ସଂପୃକ୍ତ ସଂସ୍ଥାକୁ ଫୋନ କରିବାରୁ ସେପଟରୁ ରଙ୍ଗ ନମ୍ବର କହି କର୍ମଚାରୀ ଟେଲିଫୋନ୍‌ କଲ୍‌ଟିକୁ କାଟିଦେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଏଭଳି ଟିକାର କାରବାର ଉପରେ ନଜର ରଖିଲେ ପ୍ରକୃତ ସତ ସାମ୍ନାକୁ ଆସିପାରନ୍ତା ।