
ଭୁବନେଶ୍ୱର,୧୪/୦୧: ଟିକା ଆସିଯାଇଛି । ଟିକାଦାନ ଆରମ୍ଭ ହେବା ମଝିରେ ଆଉ ଗୋଟିଏ ଦିନ । କେମିତି ଟିକାଦାନ ହେବ? କେମିତି ସତର୍କତା ଅବଲମ୍ବନ କରାଯିବ । ଏ ସବୁ ସମ୍ପର୍କରେ ଗାଇଡ଼ଲାଇନ୍ ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଜଣାଇଛନ୍ତି ।
ରାଜ୍ୟକୁ ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ୪ ଲକ୍ଷ ୨୮ ହଜାର ଡୋଜ୍ ଆସି ପହଞ୍ଚିଛି । କୋଭିସିଲ୍ଡ ଓ କୋଭାକ୍ସିନ୍ ଦୁଇଟି ଟିକା ଆସିଛି । ଉଭୟ ଟିକାର ଅବଧି ୬ ମାସ ରହିବ । ଟିକା ତିଆରି ହୋଇଥିବା ତାରିଖ ଭାଏଲ୍ରେ ଲେଖା ରହିବ। ତେବେ ଏକ୍ସପାଏରୀ ତାରିଖ ଲେଖା ରହିବନି । ଥରେ ଭାଏଲ୍ ଖୋଲିବା ପରେ ୪ ଘଣ୍ଟା ମଧ୍ୟରେ ଡୋଜ୍ ସାରିବାକୁ ହେବ । ଟିକା ଖୋଲିବା ପରେ ଯେମିତି ଖରାପ ନହେବ, ସେଥିପାଇଁ ସତର୍କ ରହିବାକୁ ହେବ। ପ୍ରଥମରେ ପ୍ରସ୍ତୁତ ହୋଇଥିବା ଟିକା ପ୍ରଥମେ ବ୍ୟବହାର କରାଯିବ ।
କୋଭିସିଲ୍ଡର ଗୋଟିଏ ଭାଏଲ୍ରେ ୧୦ଟି ଡୋଜ୍ ଓ କୋଭାକ୍ସିନ୍ର ଗୋଟିଏ ଭାଏଲ୍ରେ ୨୦ ଟି ଡୋଜ୍ ରହିଛି। ପହଞ୍ଚିଥିବା ଟିକାରୁ ୫୦ ପ୍ରତିଶତ ଜିଲ୍ଲାକୁ ଏବେ ପଠାଯିବ । ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ଦିଆଯିବ । ସେ ସମୟରେ ଆଉ ୫୦ ପ୍ରତିଶତ ଟିକା ପଠାଯିବ ଜିଲ୍ଲାକୁ । ତେବେ ଯେଉଁ ବ୍ୟକ୍ତି କୋଭିସିଲଡ୍ର ପ୍ରଥମ ଡୋଜ୍ ନେବେ, ସମାନ ଟିକାର ୨ୟ ଡୋଜ୍ ୨୮ ଦିନ ପରେ ନେବେ । ସେହିଭଳି କୋଭାକ୍ସିନ୍ର ପ୍ରଥମ ଡୋଜ୍ ନେଇଥିବା ବ୍ୟକ୍ତି ଦ୍ୱିତୀୟ ଡୋଜ୍ରେ ମଧ୍ୟ କୋଭାକ୍ସିନ୍ ହିଁ ନେବେ । କୌଣସି ପରିସ୍ଥିତିରେ ଡୋଜ୍ରେ ଅଲଗା ଅଲଗା ଟିକା ଦିଆଯାଇ ପାରିବନି ।
ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ହୋଇଥିବା ଟିକାକରଣ କେନ୍ଦ୍ରରେ କୋଭାକ୍ସିନ୍ ଦିଆଯିବ। ତେବେ ୩୦ ଜିଲ୍ଲାକୁ କୋଭିସିଲ୍ଡ୍ ଟିକା ଦିଆଯିବ। ସ୍ୱାସ୍ଥ୍ୟକର୍ମୀଙ୍କ ପଞ୍ଜିକରଣ ଅନୁସାରେ ହିଁ କେଉଁ ଜିଲ୍ଲାକୁ କେତେ ଟିକା ଦିଆଯିବ, ତାହା ଚୂଡ଼ାନ୍ତ ହେବ। ଆସିଥିବା ଟିକା ପ୍ରଥମ ପର୍ଯ୍ୟାୟରେ ୧.୯ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ । ଯେଉଁ ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ଟିକାକରଣ ପାଇଁ ଚୟନ କରାଯିବ, ସେଥିରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ ଟିକା ଦିଆଯିବ। ସଫେଇ କର୍ମଚାରୀଙ୍କଠୁ ଆରମ୍ଭ କରି ଡାକ୍ତର ସମସ୍ତେ ଟିକା ନେବେ। କେହି ଜଣେ ବି ଏଥିରୁ ବାଦ୍ ପଡିବେନି । ଗୋଟିଏ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଟିକାକରଣ ସଂପୂର୍ଣ୍ଣ ହେବା ପରେ ଅନ୍ୟ ସ୍ୱାସ୍ଥ୍ୟ ଅନୁଷ୍ଠାନ ଟିକାକରଣ ହେବ ।
ଘରୋଇ ହେଉ କି ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନ, ପ୍ରଥମେ ତୃତୀୟସ୍ତରର ଚିକିତ୍ସା(ଟର୍ସରୀ କେୟାର), ପରେ ଦ୍ୱିତୀୟ ଶ୍ରେଣୀର ଚିକିତ୍ସା ଓ ପ୍ରାଥମିକ ସେବା ଯୋଗାଉଥିବା ଅନୁଷ୍ଠାନକୁ ଅଗ୍ରାଧିକାରରେ ଟିକା ଯୋଗାଇ ଦିଆଯିବ । ଯଦି ଟିକାକରଣ ବେଳେ ଟିକା ସବୁ ସ୍ୱାସ୍ଥ୍ୟ ଅନୁଷ୍ଠାନ ପାଇଁ ପର୍ଯ୍ୟାପ୍ତ ନହୁଏ, ତେବେ ଅଧିକ ରୋଗୀ ହେଉଥିବା ହସ୍ପିଟାଲକୁ ଗୁରୁତ୍ୱ ଦିଆଯିବ । ଟିକାକରଣ ବେଳେ ସ୍ୱାସ୍ଥ୍ୟ ଅନୁଷ୍ଠାନର ବୟସ୍କ ବ୍ୟକ୍ତିଙ୍କୁ ଆଗୁଆ ଟିକା ଦିଆଯିବ ।
ଜଗିବ ଟାସ୍କଫୋର୍ସ
ଟିକାକରଣ ସୁରୁଖୁରୁରେ କରିବାକୁ ତିନିସ୍ତରୀୟ କମିଟି ଗଠନ କରାଯାଇଛି । ଷ୍ଟେଟ୍ ଟାସ୍କଫୋର୍ସ, ଜିଲ୍ଲା ଟାସ୍କଫୋର୍ସ ଓ ବ୍ଲକ୍ସ୍ତରରେ ଟାସ୍କଫୋର୍ସ ସବୁ ନଜର ରଖିବ । ଟିକାଦାନ କେନ୍ଦ୍ର ଚୟନଠୁ ଆରମ୍ଭ କରି ଟିକାଦାନ ପରବର୍ତ୍ତୀ ପାଶ୍ୱର୍ପ୍ରତିକ୍ରିୟା ସବୁ ଉପରେ ନଜର ରଖାଯିବ । ପରସ୍ପର ମଧ୍ୟରେ ସମନ୍ୱୟ ରଖି ସଫଳ କରିବାକୁ ପୂରା ଯୋଜନା କରିଛି ରାଜ୍ୟ ସରକାର । ଏହାବାଦ୍ ପାଶ୍ୱର୍ପ୍ରତିକ୍ରିୟା ଦେଖାଗଲେ ତତ୍କ୍ଷଣାତ୍ ମୁକାବିଲା କରିବାକୁ ଇଞ୍ଜେକ୍ସନ୍ ଥିବା କିଟ୍ ଦିଆଯାଇଛି । ଯଦି ଆବଶ୍ୟକ ପଡ଼େ, ସେମାନଙ୍କୁ ହସ୍ପିଟାଲ ଆଣି ଚିକିତ୍ସା କରିବାର ମଧ୍ୟ ବ୍ୟବସ୍ଥା ରହିଛି ।
କେମିତି ହେବ ଟିକାକରଣ?
କିଏ କେଉଁ ଦିନ ଟିକା ନେବ, ତାର ତାଲିକା ଆଗୁଆ ପ୍ରସ୍ତୁତ ହୋଇଛି । ଟିକାଦାନ ପୂର୍ବରୁ ସେମାନେ ପଞ୍ଜିକରଣ କରିଥିବା ମୋବାଇଲ୍ରେ ସୂଚନା ଦିଆଯିବ । ବ୍ୟକ୍ତି ଜଣଙ୍କ ପଞ୍ଜିକରଣ ସମୟରେ ବ୍ୟବହାର କରିଥିବା ପରିଚୟପତ୍ରକୁ ସାଙ୍ଗରେ ନେଇ ଆସିବେ । ଉକ୍ତ ପରିଚୟପତ୍ର ଟିକାକରଣ କେନ୍ଦ୍ର ବାହାରେ ଥିବା ସିକ୍ୟୁରିଟି ଅଫିସରଙ୍କୁ ଦେଖାଇବେ । କେଉଁ କେଉଁ ଅଧିକାରୀ ଟିକା ନେବେ, ତାର ଏକ ତାଲିକା ପୂର୍ବରୁ ସିକ୍ୟୁରିଟି ଅଧିକାରୀଙ୍କ ପାଖରେ ଥିବ । ସେ ତାଲିକା ଦେଖିବା ସହ ପରିଚୟପତ୍ର ଯାଞ୍ଚ କରି ଭିତରକୁ ଛାଡ଼ିବେ । ପରେ ଆଉ ଜଣେ ଅଧିକାରୀ ସବୁ ଯାଞ୍ଚ କରିବେ । ଏହାପରେ ପ୍ରତିକ୍ଷାଳୟରେ ବସିବାକୁ ପଡ଼ିବ । ସେଠାରୁ ଜଣେ ଜଣେ କରି ଯାଇ ଟିକା ନେବେ । ଟିକା ନେବା ପରେ ଅଧଘଣ୍ଟା ଅବ୍ଜରଭେସନ୍ ରୁମ୍ରେ ରହି ଘରକୁ ଯିବେ । ୨୮ ଦିନ ପରେ ସମାନ ବ୍ୟକ୍ତି ଟିକାର ଦ୍ୱିତୀୟ ଡୋଜ୍ ନେବେ । ଟିକାର ଦୁଇଟି ଡୋଜ୍ ନେଇଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଆଯିବ । ପଞ୍ଜିକରଣ ସମୟରେ ଆଧାର, ଭୋଟ ପରିଚୟପତ୍ର, ପାନ୍ କାର୍ଡ, ବ୍ୟାଙ୍କ ପାସ୍ ବହି, ଅଫିସ୍ ଆଇକାର୍ଡ ଓ ଜବ୍କାର୍ଡ ଜରିଆରେ ନାମ ପଞ୍ଜିକରଣ କରିହେବ ।