କରୋନା ଯୁଦ୍ଧରେ ହାରିଗଲେ ଯୋଦ୍ଧା: ବେଦବ୍ୟାସ ସ୍ୱର୍ଗଦ୍ୱାରରେ ହେଲା ବରିଷ୍ଠ ଡାକ୍ତର ଅରୁଣ କୁମାର ଦାସଙ୍କ ଶେଷକୃତ

ରାଉରକେଲା,୨୩/୦୮: ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ୍‌)ରେ କାର୍ଯ୍ୟରତ ବରିଷ୍ଠ ଡାକ୍ତର ଅରୁଣ କୁମାର ଦାସଙ୍କ ପରଲୋକ ଘଟିଛି । ଗତ କିଛି ଦିନ ତଳେ ସେ ପଜିଟିଭ ଚିହ୍ନଟ ହୋଇଥିଲେ । ତାଙ୍କୁ ଚିକିତ୍ସା ଲାଗି କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା । ତାଙ୍କ ମରଶରୀରକୁ ବେଦବ୍ୟାସ ସ୍ୱର୍ଗଦ୍ୱାରକୁ ନିଆଯାଇଥିଲା ।

ସ୍ୱର୍ଗଦ୍ୱାରରେ ରାଜଗାଙ୍ଗପୁର ବିଧାୟକ ଡା. ସି.ଏସ୍‌.ରାଜନ ଏକ୍କା, ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ରାଉରକେଲା ମହାନଗର ନିଗମର କମିଶନର ଦିବ୍ୟଜ୍ୟୋତି ପରିଡ଼ା, ରାଉରକେଲା ତହସିଲଦାର ମାନସ ରଞ୍ଜନ ସାହୁ, କୋଭିଡ୍‌ ହସ୍ପିଟାଲର ଭାରପ୍ରାପ୍ତ ଅଧିକାରୀ ଡା. ଶଶାଙ୍କ କବିଶତପଥି, ଆରଜିଏଚ୍‌ ସୁପରିନ୍‌ଟେଣ୍ଡେଣ୍ଟ ଡା. ଲାଲମୋହନ ରାଉତରାୟ, ଆରଜିଏଚ୍‌ ଡେପୁଟି ସୁପରିନ୍‌ଟେଣ୍ଡେଣ୍ଟ ଡା. ପଣ୍ଡିତ ସାହୁ, ଚକ୍ଷୁ ବିଶେଷଜ୍ଞ ଡା. ସମୀର ପାତ୍ର, ଡା. ତରୁଣକାନ୍ତି ଦାସ, ଡା. ସତ୍ୟମ୍‌ କର, ଡା. ସତ୍ୟ ରଞ୍ଜନ ଦାସ, ଡା. ସଞ୍ଜୟ ରାୟ, ଡା. ଜେ.ଏସ୍‌. ଟପ୍ପୋ, ଡା. ରଜତ ସାଦୁଆଲ ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପୁଲିସ୍‌ ପ୍ରଶାସନ ପକ୍ଷରୁ କୋଭିଡ୍‌ ଯୋଦ୍ଧାଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା । କୋଭିଡ୍‌ ନିୟମାନୁସାରେ ଯୋଦ୍ଧାଙ୍କ ପାର୍ଥୀବ ଶରୀରକୁ ସତ୍କାର କରାଯାଇଥିଲା । ବରିଷ୍ଠ ଡାକ୍ତରଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।