ପ୍ରମୁଖ ଖବର
  • ବିଶ୍ୱ ଐତିହ୍ୟ ଦିବସ: ଆଜି ସୂର୍ଯ୍ୟମନ୍ଦିରରେ ମାଗଣା ପ୍ରବେଶ କରିପାରିବେ ପର୍ଯ୍ୟଟକ
  • ||
  • ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ଶୁକ୍ରବାର ୧୦୨ ଆସନରେ ହେବ ମତଦାନ, ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ
  • ||
  • IPL 2024ରେ ପଞ୍ଜାବକୁ ଭେଟିବ ମୁମ୍ବାଇ, ତିଳକ-ଅର୍ଶଦୀପ ଲଢ଼େଇକୁ ଅପେକ୍ଷା
  • ||
  • ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ଲାଗି ଆଜି ବିଜ୍ଞପ୍ତି: ୨୫ ଯାଏ ନାମାଙ୍କନ, ମେ ୧୩ରେ ମତଦାନ
  • ||
  • ଆହୁରି ତେଜିବ ତାତି, ସପ୍ତାହେ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ଖରା ପାଇଁ ତିନି ଦିନ ସ୍କୁଲ ଛୁଟି
  • ||

କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକରେ ହେବ କୋଭିଡ୍‌-୧୯ ହସ୍ପିଟାଲ୍, ଭିତ୍ତିଭୂମି ଅନୁଧ୍ୟାନ କଲେ ୫-ଟି ସଚିବ ଓ ମୁଖ୍ୟ ସଚିବ

ଭୁବନେଶ୍ୱର ୦୯/୪: କରୋନା ସଂକ୍ରମଣ ଏଡ଼ାଇବାକୁ ମାସ୍କ ସବୁଠାରୁ ବଡ଼ ଅସ୍ତ୍ର ଭଳି କାମ କରିବ । ଏହାକୁ ଆଖିରେ ରଖି ଆଜି ଠାରୁ ସମଗ୍ର ରାଜ୍ୟରେ ଘରୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ବିନା ମାସ୍କରେ ଘରୁ ଗୋଡ଼ ନ କାଢ଼ିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଏହାଛଡ଼ା ରାଜ୍ୟରେ ଅଧିକ କୋଭିଡ୍‌ ହସପିଟାଲ ପ୍ରତିଷ୍ଠା ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି । କେନ୍ଦ୍ରାପଡ଼ା, ଯାଜପୁର ଓ ଭଦ୍ରକରେ କୋଭିଡ୍‌-୧୯ ହସପିଟାଲ ପ୍ରତିଷ୍ଠା ନେଇ ଆଜି ଜିଲ୍ଲା ଗସ୍ତ କରି ଭିତ୍ତିଭୂମି ସ୍ଥିତି ଅନୁଧ୍ୟାନ କରିଛନ୍ତି ୫ ଟି ସଚିବ ଭିକେ ପାଣ୍ଡିଆନ୍‌ ଓ ମୁଖ୍ୟସଚିବ ଅସିତ ତ୍ରିପାଠୀ ।

ରାଜ୍ୟରେ କରୋନା ମୁକାବିଲାରେ ଏଣିକି ଆୟୁଷ ଡାକ୍ତରମାନେ ସାମିଲ ହେବେ । ସେମାନଙ୍କୁ ଏ ନେଇ ତାଲିମ ପ୍ରଦାନ କରାଯିବ । ଚନ୍ଦ୍ରେଶେଖରପୁରରେ ଥିବା ‘ଇନଷ୍ଟିଚ୍ୟୁଟ୍‌ ଅଫ ଲାଇଫ ସାଇନସ୍‌’ (ଆଇଏଲଏସ୍‌)ରେ କରୋନା ପରୀକ୍ଷଣ କରିବାକୁ ଅନୁମତି ମିଳିଛି । ସେହିଭଳି ଆପୋଲା ହସପିଟାଲକୁ ଅନୁମତି ମିଳିଥିଲା ବେଳେ ସମ୍‌ ଓ କିମ୍ସ ହସପିଟାଲ କର୍ତ୍ତୃପକ୍ଷ ମଧ୍ୟ ଏ ନେଇ ଆବେଦନ କରିଥିବା ସୂଚନା ମିଳିଛି । କରୋନା ସଂକ୍ରମଣ ଭୟ ଏଡ଼ାଇବାକୁ ଗଞ୍ଜାମ ଜିଲ୍ଲାରେ ସବୁ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଝାରସୁଗୁଡ଼ା ଜିଲ୍ଲାର ୩ଟି ଅଞ୍ଚଳରେ ମଧ୍ୟ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି ।

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଏବେ ମାସ୍କ ପିନ୍ଧିବା ଉପରେ ଜୋର୍‌ ଦେଉଛନ୍ତି । ଆସନ୍ତାକାଲି (ଗୁରୁବାର) ସକାଳ ୭ଟାରୁ ଯଦି କେହି ଜରୁରୀ କାମରେ ବାହାରକୁ ବାହାରନ୍ତି ତେବେ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଏପରିକି ବିପର୍ଯ୍ୟୟ ପରିଚାଳନା ଆଇନରେ ଏହାକୁ ଅନ୍ତର୍ଭୁକ୍ତ କରାଯାଇ ବିଜ୍ଞପ୍ତି ଜାରି ହୋଇଛି । ମାସ୍କର ବିକଳ୍ପ ଭାବେ ରୁମାଲ, ଗାମୁଛା କିମ୍ବା ଓଢ଼ଣୀକୁ ମୁହଁରେ ଘୋଡ଼ାଇବାକୁ ପରାମର୍ଶ ଦିଆଯାଇଛି । ଜିଲ୍ଲା ପ୍ରଶାସନ ଓ ପୌର କର୍ତ୍ତୃପକ୍ଷ ଏହା ଉପରେ ନିଜର ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

କରୋନା ଯୁଦ୍ଧକୁ ଅଧିକ ତେଜିୟାନ କରିବାକୁ ଯାଇ ରାଜ୍ୟ ସରକାର ବିଭିନ୍ନ ଅଞ୍ଚଳରେ ଗୋଟିଏ ପରେ ଗୋଟିଏ କୋଭିଡ୍‌-୧୦ ହସ୍‌ପିଟାଲ ପ୍ରତିଷ୍ଠା କରୁଛନ୍ତି । ରାଜ୍ୟରେ ଇତିମଧ୍ୟରେ ୮ଟି କୋଭିଡ୍‌ ହସ୍‌ପିଟାଲ ଖୋଲିଥିଲା ବେଳେଶଯ୍ୟାସଂଖ୍ୟା ୧୬୦୦ ଡେଇଁଛି । ଆସନ୍ତା ୧୫ ସୁଦ୍ଧା ରାଜ୍ୟରେ ୩ ହଜାର କୋଭିଡ୍‌ ଶଯ୍ୟା ପ୍ରସ୍ତୁତ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା, ଯାଜପୁର ଓ ଭଦ୍ରକରେ କୋଭିଡ ହସ୍‌ପିଟାଲ ଖୋଲିବା ନେଇ ଭିତ୍ତିଭୂମି ଅନୁଧ୍ୟାନ କରିବାକୁ ଆଜି ୫ ଟି ସଚିବ ଓ ମୁଖ୍ୟ ସଚିବ ମାରାଥନ ଗସ୍ତରେ ଯାଇଥିଲେ ।

ଭିିତ୍ତିଭୂମି ପ୍ରସ୍ତୁତି ଅନୁଧ୍ୟାନ କରିବା ସହ ୩ ଜିଲ୍ଲା ପ୍ରଶାସନ ସହ ୫ ଟି ସଚିବ ଆଲୋଚନା କରି ପ୍ରସ୍ତୁତିକୁ ତ୍ୱରିିତ କରିବା ଉପରେ ଜୋର ଦେଇଥିଲେ । ୩ ହସପିଟାଲ ପାଇଁ ଆବଶ୍ୟକ ମାନବସମ୍ବଳ, ଔଷଧପତ୍ର, ଆଇସିୟୁ ସୁବିଧା ଓ ଆଇସୋଲେସନ ୱାର୍ଡ ସଂପର୍କରେ ଆଲୋଚନା କରିଥିଲେ । କେନ୍ଦ୍ରାପଡ଼ାରେ ସମ ହସପିଟାଲ ୨୦୦ ଶଯ୍ୟାର କୋଭିଡ ହସପିଟାଲ ପରିଚାଳନା କରିବାକୁ ଥିଲା ବେଳେ ଯାଜପୁରରେ ଟାଟା ଷ୍ଟିଲ ୧୫୦ ଶଯ୍ୟା ଏବଂ ଭଦ୍ରକରେ ସାଳନ୍ଦୀ ହସପିଟାଲ ୧୨୦ ଶଯ୍ୟାର କୋଭିଡ ହସ୍‌ପିଟାଲ ପରିଚାଳନା କରିବ । ଏ ଗସ୍ତ ବେଳେ ଜିଲ୍ଲାରେ ଲକଡାଉନ ପରିସ୍ଥିତି, ସାମାଜିକ ଦୂରତା ରକ୍ଷା ସହ ସାଂପ୍ରଦାୟିକ ସଦ୍‌ଭାବ ନେଇ ଜିଲ୍ଲାପାଳ ଓ ଏସପିଙ୍କ ସହ ୫ ଟି ସଚିବ ଆଲୋଚନା କରିଥିଲେ ।

ଲକଡାଉନ ଅବଧି ପୂରିବାକୁ ସମୟ ପାଖେଇ ଆସୁଥିଲା ବେଳେ ପୁଣି ଅବଧି ବଢ଼ିବ ନା ନାହିଁ ତାହା ସ୍ପଷ୍ଟ ହୋଇନି । ମାତ୍ର ଗଞ୍ଜାମ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଦୁଆର ଦୁଆର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି । ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ଶିକ୍ଷକମାନଙ୍କୁ ସାମିଲ କରି ଟିମ୍‌ ଗଠନ ସହ ଏ କାମ କରିବାକୁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଛି । ଝାରସୁଗୁଡ଼ା ଓ ବ୍ରଜରାଜନଗର ପୌରାଞ୍ଚଳ ସହ ଲଇକେରା ବ୍ଲକରେ ସବୁ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଝାରସୁଗୁଡ଼ା ଜିଲ୍ଲାପାଳ ମଧ୍ୟ ନିଷ୍ପତ୍ତି ନେଇଛନ୍ତି । ବାହାରୁ ବହୁ ଲୋକ ଏସବୁ ଅଞ୍ଚଳକୁ ଆସିଥିବାରୁ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ବଡ଼ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ।

କରୋନା ମୁକାବିଲାରେ ଏମବିବିଏସ୍‌ ଛାତ୍ରଛାତ୍ରୀଙ୍କୁ ତାଲିମ ଦେଇ ନିୟୋଜନ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ । ଏବେ ହୋମିଓପ୍ୟାଥିକ୍‌ ଓ ଆୟୁର୍ବେଦିକ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ତାଲିମ ଦେଇ କରେନା ଲଢ଼େଇ ଲଢ଼ିବାକୁ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି । ରାଜ୍ୟରେ ଏବେ ପ୍ରାୟ ୧୬୨୦ ଜଣ ଆୟୁଷ ଡାକ୍ତର ଅଛନ୍ତି । ସେମାନଙ୍କୁ ତୁରନ୍ତ ତାଲିମ ସହ କାମରେ ଲଗାଇବାକୁ ସ୍ୱାସ୍ଥ୍ୟ ସଚିବ ସବୁ ଜିଲ୍ଲା ଆୟୁର୍ବେଦିକ ମେଡିକାଲ ଅଫିସର ଓ ହୋମିଓପ୍ୟାଥିକ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ଲାବେରେଟୋରୀ ଟେକନିସିଆନ ଓ ଏଏନଏମଙ୍କୁ ମଧ୍ୟ ତାଲିମ ଦେଇ କରୋନା ଚିକିତ୍ସା କାମରେ ଲଗାଇବାକୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.