ସିପିଙ୍କୁ ଟ୍ୱିଟ୍‌ କରିବା ପଡିଲା ମହଙ୍ଗା, ‘ମିଛୁଆ ରାଧୁଆ’ ଆଖ୍ୟା ପାଇଲେ ଯୁବକ

ଭୁବନେଶ୍ୱର ୦୮/୪: ଲକ୍‌ଡାଉନ୍‌ ବେଳେ ଉପୁଜୁଥିବା ସମସ୍ୟାର ସମାଧାନ ପାଇଁ ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ ଟ୍ୱିଟରକୁ ଅସ୍ତ୍ର କରିଥିଲେ । ଏଥିଯୋଗେ ସମାଧାନ ପାଇଁ ପ୍ରଶ୍ନ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଥିଲେ । ହେଲେ ଜଣେ ବ୍ୟକ୍ତି ଆଜି ଏହାର ଅପବ୍ୟବହାର ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଛି । ମେଡିସିନ୍‌ ଆଣିବା ନାଁରେ ମିଛ କହି ଭୁବନେଶ୍ୱର ଆସିବାକୁ ଚାହୁଁଥିବା ଉକ୍ତ ବ୍ୟକ୍ତିଙ୍କୁ ସିପି ଡ. ଷଡ଼ଙ୍ଗୀ ‘ମିଛୁଆ ରାଧୁଆ’ ଆଖ୍ୟା ଦେବାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ପୁରା ଘଟଣାଟି ଏମିତି । ନିମାପଡ଼ା ଅଞ୍ଚଳର ଗୁରୁପ୍ରସାଦ ସାହୁ ନାମକ ବ୍ୟକ୍ତି ଆଜି ସିପି ଡ. ଷଡ଼ଙ୍ଗୀଙ୍କୁ ଟ୍ୱିଟ୍‌ କରିଥିଲେ । ଏଥିରେ ସେ ଉଲ୍ଲେଖ କରିଥିଲେ ଯେ ତାଙ୍କ ସମ୍ପର୍କୀୟଙ୍କ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗ ଅଛି । ଯାହାର ମେଡିସିନ୍‌ ନିମାପଡ଼ା ଅଞ୍ଚଳରେ ମିଳୁନାହିଁ । ଭୁବନେଶ୍ୱର ରାମମନ୍ଦିରଠାରେ ଥିବା ଏକ ମେଡିସିନ୍‌ ଷ୍ଟୋରରେ ଏହି ମେଡିସିନ୍‌ ଉପଲବ୍ଧ ଅଛି । ଏଣୁ ସେ ଭୁବନେଶ୍ୱର ଯାଇପାରିବେ କି ନାହିଁ, ଏନେଇ ସିପିଙ୍କୁ ପ୍ରଶ୍ନ କରିଥିଲେ । ତାଙ୍କ ଟୁଇଟ୍‌ରେ ସେ ଉକ୍ତ ମେଡିସିନ୍‌ ଲିଷ୍ଟର ଫଟୋ ଅପ୍‌ଲୋଡ କରିିଥିଲେ ।

ଏହାର ଜବାବ୍‌ରେ ସିପି ଡ. ଷଡ଼ଙ୍ଗୀ ରି-ଟ୍ୱିଟ୍‌ କରି କହିଥିଲେ, ଏନେଇ ସେ ଉକ୍ତ ଅଞ୍ଚଳରେ ଯାଞ୍ଚ ପରେ ଜାଣିବାକୁ ପାଇଛନ୍ତି, ଏସବୁ ମେଡିସିନ୍‌ ସେଠାରେ ମିଳୁଛି । ତୁମେ ଟ୍ୱିଟ୍‌ ଯୋଗେ ମିଛ କହିବା ଅତି ଦୁଃଖଦାୟକ ବିଷୟ । ତୁମେ ଭବିଷ୍ୟତରେ ଦାୟିତ୍ୱବାନ୍‌ ହୁଅ । ଆମ ସମୟକୁ ନଷ୍ଟ କର ନାହିଁ । ଲକ୍‌ଡାଉନ୍‌ ବେଳେ ଏଭଳି ମେଡିସିନ୍‌ ରୂପକ ମିଛକୁ ଅସ୍ତ୍ର କରି ଅନେକ ବାହାରେ ବୁଲୁଥିବା ଦେଖାଯାଉଛି । ଯାହାକି, ଅନ୍ୟ ସମସ୍ତଙ୍କ ପାଇଁ ‘ରାଧୁଆ ମିଛୁଆ’ ଭଳି ସମସ୍ୟା ପାଲଟୁଥିବା ସେ ଉଲ୍ଲେଖ କରିଛନ୍ତି । ଏହାସହ ଏଭଳି ମିଛ କହିବାରୁ ବିରତ ରହି ଘରେ ନିଜକୁ ସୀମିତ ରଖିବାକୁ ସେ ପରାମର୍ଶ ଦେଇଛନ୍ତି ।

ସେପଟେ ସତ୍ୟାସତ୍ୟ ଯାଞ୍ଚ ନ କରି ମିଛୁଆ ଯାଞ୍ଚ ନ କରି ପ୍ରତିଉତ୍ତର ଦେବା ଠିକ୍‌ ନୁହେଁ ବୋଲି ଗୁରୁପ୍ରସାଦ ରି-ଟ୍ୱିଟ୍‌ ଯୋଗେ ସିପିଙ୍କୁ ଜଣାଇଥିଲେ । ଆପଣ ନିମାପଡ଼ା ଆସି ପ୍ରକୃତ ଘଟଣା ଯାଞ୍ଚ କରନ୍ତୁ ବୋଲି ଗୁରୁପ୍ରସାଦ ସିପିଙ୍କୁ ନିବେଦନ କରିଥିଲେ । ଏହାର ପ୍ରତିଜବାବରେ ସିପି ରି-ଟ୍ୱିଟ୍‌ କରି କହିଥିଲେ, ନିମାପଡ଼ା ପୁଲିସ ଦ୍ୱାରା ଘଟଣା ସମ୍ପର୍କରେ ଯାଞ୍ଚ କରାଯାଇଥିଲା । ସେଠାକାର ପୁଲିସ ଅଧିକାରୀ ବଜାର ବୁଲିବା ପରେ କିଛି ମେଡିସିନ୍‌ ଷ୍ଟୋରରେ ଉକ୍ତ ମେଡିସିନ୍‌ ମିଳୁଥିବା ଜଣାଇଥିଲେ । ତେବେ ଏନେଇ ଯାଞ୍ଚ କରିବା ସହ ସମସ୍ୟାର ସମାଧାନ କରିବାକୁ ୁପୁରୀ ଏସ୍‌ପିଙ୍କୁ ନିବେଦନ କରାଯାଇଥିବା ସିପି ଡ. ଷଡ଼ଙ୍ଗୀ ଟ୍ୱିଟ୍‌ ଯୋଗେ ଗୁରୁପ୍ରସାଦଙ୍କୁ କହିଛନ୍ତି ।

   ସମ୍ବନ୍ଧିତ ଖବର


ରାଜ୍ୟ ପାଇଁ ଆଶ୍ବସ୍ତି ଖବର: ସୁସ୍ଥ ହେଲେ ଆଉ ୧୧୨ ଜଣ କରୋନା ଆକ୍ରାନ୍ତ, କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ

ଅର୍ଜୁନ ପୁରସ୍କାର ପାଇଁ ଦୀପଗ୍ରେସଙ୍କ ନାମ ସୁପାରିସ !

କରୋନା ସମୟରେ ପ୍ରଥମ ରାଜ୍ୟ ଭାବେ ଖେଳ ଆୟୋଜନ କରିବ ଓଡ଼ିଶା, ଟି-୧୦ ପ୍ରିମିୟର ଲିଗ୍ ପାଇଁ‌ ଅନ୍‌ଲାଇନ୍‌ରେ ଆବେଦନ

ଆସନ୍ତା ୮ ତାରିଖରେ ଓଡ଼ିଶାର ଜନସାଧାରଣଙ୍କୁ ସମ୍ବୋଧିତ କରିବେ ଅମିତ ଶାହ

ଜୁଲାଇ ୧୫ ସୁଦ୍ଧା ସବୁ ସ୍କୁଲରେ ପିଲାଙ୍କ ନାମଲେଖା ସରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ

ଆଜିଠୁ ଏସ୍‌ସିବିରେ ପିଜି ପରୀକ୍ଷା ଆରମ୍ଭ, ହୋଇଛି ଆଇସୋଲେସନ୍‌ ହଲ୍‌ ବ୍ୟବସ୍ଥା