ନୀଳଗିରି: ଡାକ୍ତରଖାନାରେ ଅବ୍ୟବସ୍ଥା ପ୍ରତିବାଦରେ ସିପିଆଇଏମର ଗଣଧାରଣା

ନୀଳଗିରି  ୧୨/୮: ବାଲେଶ୍ଵର ଜିଲ୍ଲା ନୀଳଗିରି ଆଦିବାସୀ ବହୁଳ ଅଂଚଳରେ ଅଞ୍ଚଳବାସୀ  ଉପଖଣ୍ଡ ଚିକିତ୍ସାଳୟ ଉପରେ ନିର୍ଭର କରିଥାନ୍ତି। ହେଲେ ଏଠାରେ ଚିକିତ୍ସାଳୟ ଅବ୍ୟବସ୍ଥାରେ ଗତି କରୁଥିବା ବେଳେ ସୁଧାର ନହେଲେ ସିପିଆଇଏମ ନୀଳଗିରି ଆଞ୍ଚଳିକ କମିଟି ଗଣଧାରଣା ଦେବା ନେଇ ପୂର୍ବରୁ ଚେତାବନୀ ଦେଇଥିଲା। ହେଲେ ସୁଧାର ନହେବାରୁ ଆଜି ସିପାଆଇଏମ ଉପଖଣ୍ଡ ଡାକ୍ତରଖାନା ଆଗରେ ଧାରଣା ଦେଇଛନ୍ତି। ନୀଳଗିରି ଏକ ଆଦିବାସୀ ବହୁଳ ଅଂଚଳ।ନୀଳଗିରି ଉପଖଣ୍ଡ ଡାକ୍ତରଖାନା ଉପରେ ନୀଳଗିରି ବ୍ଲକ ଓ ଏନଏସି ,ଔପଦା ବ୍ଲକ ର ୫ ଟି ପଂଚାୟତ, ବହାନାଗା ଓ ରେମୁଣାର  ଦୁଇଟି ପଂଚାୟତ ର ଅଧିବାସୀ ନିର୍ଭର କରିଥାନ୍ତି । ଏବେ କରୋନା ଭଳି ଜରୁରୀ କାଳୀନ ପରିସ୍ଥିତିରେ କେନ୍ଦ୍ର ଓ ରାଜ୍ୟସରକାର ସ୍ୱାସ୍ଥ ସେବା ଉପରେ ଗୁରୁତ୍ୱ ଦେଉଛନ୍ତି। ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ମଧ୍ୟ କୋଭିଡ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ସ୍ୱାସ୍ଥ୍ୟସେବା ନେଇ ଗୃହ ନିର୍ମାଣ କରାଯାଇଛି। ହେଲେ ସେବା ଯୋଗାଇବା ପାଇଁ ଡ଼ାକ୍ତର କିମ୍ବା ନର୍ସ ନାହାନ୍ତି। ମାତ୍ର ଜଣେ ଫାର୍ମାସିଷ୍ଟ ନିୟୋଜିତ ହୋଇଥିବାବେଳେ ସେ ଏବେ ଡେପୁଟେସନ ରେ ଅନ୍ୟତ୍ର କାର୍ଯ୍ୟ କରୁଛନ୍ତି।

ସେହିପରି ମେଡ଼ିସିନ ସ୍ପେଶାଲିଷ୍ଟ ଡାକ୍ତର ପଦବୀ ବହୁଦିନ ଧରି ଫାଙ୍କା ପଡିଛି। ଫଳରେ ରୋଗୀଙ୍କୁ ଖାଲି ରେଫର କରାଯାଉଛି। ତିନୋଟି ନର୍ସିଂ ସିଷ୍ଟର ପଦବୀ ଫାଙ୍କା ଥିବାବେଳେ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ଜଣେ ନର୍ସ ସେ ସ୍ଥାନରେ ଦାୟିତ୍ୱ ନେଇଥିବାରୁ  ୱାର୍ଡ ରେ ସ୍ୱାସ୍ଥ୍ୟ ସେବା ବ୍ୟାଘାତ ଘଟୁଛି। କିଛି ନର୍ସ ଡେପୁଟେସନରେ ଯାଇ ଅନ୍ୟତ୍ର କାର୍ଯ୍ୟକରୁଛନ୍ତି। ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ରୋଗୀ ସ୍ଥାନାନ୍ତର କରାଯାଉଥିବାରୁ ଅଯଥା ଖର୍ଚ୍ଚର ସମ୍ମୁଖୀନ ସେମାନେ  ହେଉଛନ୍ତି। ଭୀଷଣ ଗରମ ହେଉଥିବାରୁ ପୁରୁଷ ଓ ମହିଳା ବିଭାଗରେ ପୂର୍ବରୁ ଲାଗିଥିବା ଏସି କାର୍ଯ୍ୟକ୍ଷମ ହୋଇନି।ହସ୍ପିପିଟାଲ ଭିତରେ ମେଡିସିନ ଦଲାଲ ସକ୍ରିୟ ହୋଇଉଠିଛନ୍ତି।ସ୍ୱାସ୍ଥ୍ୟ ସେବା ଯୋଗାଇବା ନାଁରେ ମଧ୍ୟ ଦଲାଲ ଘୁରିବୁଲୁଛନ୍ତି । ଏଭଳି ଅନେକ ସମସ୍ୟା ଦେଖିବାକୁ ମିଳିଛି। ତେବେ ଡାକ୍ତର ଓ ନର୍ସ ସମସ୍ୟା ସହ ୬ ଦଫା ଦାବିନେଇ ନୀଳଗିରି ଆଞ୍ଚଳିକ କମିଟି ତରଫରୁ ତୁରନ୍ତ ସମାଧାନ ପାଇଁ କରିବାକୁ କୁହାଯାଇଥିଲା। ହେଲେ କିଛି ପ୍ରତିକାର ନହେବାରୁ ଆଜି ଉପଖଣ୍ଡ ଡାକ୍ତରଖାନା ଆଗରେ ଗଣଧାରଣା ଦିଆଯାଇଛି।

ଯେ ପର୍ଯ୍ୟନ୍ତ ପ୍ରତିକାର ନହୋଇଛି ସେ ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି ସିପିଆଇଏମ ନେତା ଯୋଗାନନ୍ଦ ଦାସ, ବିଜୟ ପାତ୍ର, ରାମଚନ୍ଦ୍ର ସ, ଜ୍ୟୋତିର୍ମୟୀ ରାଉତ, ଲଷ୍ମୀଧର ସାହୁ, ସତ୍ୟଜିତ ଦାସ, ସନ୍ଧ୍ୟା ଦାସ ମଜୁମଦାର, ରାଜ କିଶୋର ଲେଙ୍କା ପ୍ରମୁଖ ଚେତାବନୀ ଦେଇଥିଲେ। ପରେ ଘଟଣାସ୍ଥଳକୁ ଉପଜିଲ୍ଳାପାଳ ହରିଶ୍ଚନ୍ଦ୍ର ଜେନା, ତହସିଲଦାର ଅଶେଷ କୁମାର ନାୟକ, ଏସଡିଏମଓ ଅଜୟ କୃଷ୍ଣ ସାମଲ ଆସି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ।ମେଡ଼ିସିନ ବିଭାଗ ଡାକ୍ତର ନୂଆ ନ ଆସିବା ପର୍ଯ୍ୟନ୍ତ ସପ୍ତାହକୁ ଦୁଇଦିନ ଏହି ବିଭାଗର ଡାକ୍ତର ଆସି ସ୍ୱାସ୍ଥସେବା ଯୋଗାଇଦେବା ସହ ନିସ୍ତେଜକ ବିଭାଗର ଡାକ୍ତର ସପ୍ତାହକୁ ଦିନେ ଆସିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଡେପୁଟେସନରେ ଅନ୍ୟତ୍ର ଯାଇଥିବା କର୍ମଚାରୀଙ୍କୁ ଫେରାଇ ଆଣିବାକୁ ମଧ୍ୟ ପ୍ରତିଶୃତି ଦିଆଯାଇଥିଲା। ଏହା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।