୫ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ସିପିଏମ୍

ଭୁବନେଶ୍ୱର,୧୭ା୩(ବ୍ୟୁରୋ): ଭାରତୀୟ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଏମ୍) ୫ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ସୁନ୍ଦରଗଡ଼ ଜିଲ୍ଲାର ବଣେଇ (ଏସ୍ଟି) ବିଧାନସଭା ଆସନ ପାଇଁ ଲକ୍ଷ୍ମଣ ମୁଣ୍ଡାଙ୍କୁ ପ୍ରାର୍ଥୀ କରିବା ପାଇଁ ରାଜ୍ୟ କମିଟି ସ୍ଥିର କରିବା ସହିତ କେନ୍ଦ୍ର କମିଟିକୁ ଅନୁମୋଦନ ପାଇଁ ପଠାଇଛି । ସେହିପରି ବାଲେଶ୍ୱର ଜିଲ୍ଲାର ନୀଳଗିରି ବିଧାନସଭା ଆସନ ପାଇଁ ଯୋଗାନନ୍ଦ ଦାଶ, ନୟାଗଡ଼ ଜିଲ୍ଲାର ରଣପୁର ବିଧାନସଭା ଆସନ ପାଇଁ ସତ୍ୟାନନ୍ଦ ପରିଡ଼ା, ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବିଧାନସଭା ଆସନ ପାଇଁ ଗିରେନ୍ଦ୍ର ଗୋସ୍ୱାମୀ ଓ ଅନୁଗୁଳ ଜିଲ୍ଲା ପାଲଲହଡ଼ା ବିଧାନସଭା ଆସନ ପାଇଁ ମୀନା ପ୍ରଧାନ (ମହିଳା)ଙ୍କୁ ଚୂଡ଼ାନ୍ତ କରାଯାଇଥିବା ସିପିଏମ୍ ରାଜ୍ୟ କମିଟି ସମ୍ପାଦକ ଅଳି କିଶୋର ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ଓଡ଼ିଶାରେ ସିପିଏମ୍ ବିଜେଡି ଓ ବିଜେପି ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ । ଗତ ନିର୍ବାଚନରେ ଉଭୟ ବିଜେଡି ଓ ବିଜେପି ଦେଇଥିବା ପ୍ରତିଶ୍ରୁତି ପାଳନ କରିନାହାନ୍ତି । ତେଣୁ ଆଗାମୀ ନିର୍ବାଚନରେ ଚାଷୀ, ଶ୍ରମଜୀବୀ, ଦଳିତ, ବେକାର ଯୁବକ ଓ ମହିଳାଙ୍କ ସମସ୍ୟା ନେଇ ଦଳ ଲଢିବ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି । ସମ୍ମିଳନୀରେ ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ସନ୍ତୋଷ ଦାସ, ଦୁଷ୍ମନ୍ତ କୁମାର ଦାସ, ସୁରେଶ କୁମାର ପାଣିଗ୍ରାହୀ, ନିର୍ମଳ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।
ଅପରପକ୍ଷେ ଗତକାଲି ସିପିଏମ୍ ପଲିଟିବ୍ୟୁରୋ ମହାସଚିବ ସୀତାରାମ ୟେଚୁରୀ ନୂଆଦିଲ୍ଲୀରେ ୪୫ ଜଣିଆ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ । ସେହି ତାଲିକାରେ ଭୁବନେଶ୍ୱର ଲୋକସଭା ସିଟ୍ରୁ ଜନାର୍ଦ୍ଦନ ପତି ଲଢ଼ିବେ ବୋଲି ସୂଚନା ଦିଆଯାଇଥିଲା ।