ଦୁର୍ଦ୍ଦାନ୍ତ ଚିନୁ ସମେତ ୭ ଗିରଫ

ଭୁବନେଶ୍ୱର,୨୩ା୩(ବ୍ୟୁରୋ): ଡକାୟତି ପାଇଁ ଯୋଜନା କରୁଥିବା ବେଳେ କ୍ରାଇମ୍‌ବ୍ରାଞ୍ଚର ସ୍ପେଶାଲ୍‌ ଟାକ୍ସ୍‌ ଫୋର୍ସ (ଏସ୍‌ଟିଏଫ୍‌) ହାତରେ ଧରା ପଡ଼ିଛନ୍ତି ଦୁର୍ଦ୍ଦାନ୍ତ ଚିନୁ ସମେତ ୭ ଡକାୟତ । ଗିରଫ ଡକାୟତମାନେ ହେଲେ ଧଉଳି ଥାନା ଅନ୍ତର୍ଗତ ନୂଆଗାଁର ଚିନୁ ଓରଫ୍‌ ଚିନ୍ମୟ ବଡ଼ଜେନା, ବିଶ୍ୱଜିତ ବରାଳ, ରବିନ୍ଦ୍ର ବରାଳ, ନିରାକାରପୁରର ପ୍ରକାଶ ବେହେରା, ଜଟଣୀର ବୁବୁ ବାରିକ, ଜଙ୍କିଆର ସନ୍ତୋଷ ରାଉତ ଓ ମନୋଜ କାଣ୍ଡି । ଏସ୍‌ଟିଏଫ୍‌ ୭ ଜଣଙ୍କ ସହ ଜବତ କରିଥିବା ଗାଡ଼ି ଓ ଖୋକାକୁ ଧଉଳି ଥାନା ପୁଲିସ ଜିମା ଦେଇଥିଲା । ଧଉଳି ଥାନା ପୁଲିସ କେସ୍‌ ନଂ-୩୬/୧୯ରେ ଏକ ମାମଲା ରୁଜୁକରି ଆଇପିସିର ଦଫା-୩୯୯/୪୦୨ ଓ ୨୫/୨୭ ଆର୍ମସ୍‌ ଆକ୍ଟ ଲଗାଇ ୭ ଜଣଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ।

ପୁଲିସ ସୂଚନା ଅନୁଯାୟୀ, ଗୁରୁବାର ରାତିରେ କିଛି ଅପରାଧୀ ନୂଆଗାଁ ନିକଟସ୍ଥ ଦୟାନଦୀ ବନ୍ଧ ରାସ୍ତାରେ ଡକାୟତି ପାଇଁ ଯୋଜନା କରୁଥିଲେ । ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଏସ୍‌ଟିଏଫ୍‌ ଆଇଆଇସି ଆଲୋକ ଜେନା ଓ ତାଙ୍କ ଟିମ୍‌ ସେଠାରେ ଚଢ଼ଉ କରିଥିଲେ । ଦୁର୍ଦ୍ଦାନ୍ତ ଅପରାଧୀ ନୂଆଗାଁର ଚିନ୍ମୟ ସମେତ ୭ ଜଣଙ୍କୁ ସେଠାରୁ କାବୁ କରିଥିଲେ । ସେମାନଙ୍କ ଠାରୁ ବୋଲେରୋ, ଟୟୋଟା କାର୍‌ ସହିତ ବାଇକ୍‌, ୯ଟି ମୋବାଇଲ୍‌ ଫୋନ୍‌ ଓ ଗୋଟିଏ ଖୋକା ଜବତ କରିଥିଲେ । ୭ ଡକାୟତ ଓ ଜବତ ହୋଇଥିବା ଗାଡ଼ି, ମୋବାଇଲ୍‌ ଓ ଖୋକାକୁ ଧଉଳି ଥାନା ପୁଲିସ ଜିମା ଦିଆଯାଇଥିଲା । ଜବତ ବୋଲେରୋ ଗାଡ଼ିରେ ବିଧାୟକ ଫଳକ ଲାଗିଥିଲା । ଚିନ୍ମୟ ଏହି ୭ ଜଣିଆ ଡକୟତ ଗ୍ୟାଙ୍ଗ୍‌ର ଲିଡର ଥିଲା ବୋଲି ପୁଲିସ କହିଛି ।

ଗାଡ଼ିରେ ବିଜେଡିର ଶଙ୍ଖ ଚିହ୍ନ, ବିଧାୟକ ଫଳକ ସହିତ ନିଜକୁ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତା ବୋଲି ପରିଚୟ ଦେଇ ଚିନ୍ମୟ ଅପରାଧ ପରେ ଅପରାଧ ଘଟାଇ ଚାଲିଥିଲେ । ତାଙ୍କ ନାମରେ ଧଉଳି ଥାନାରେ ୨ଟି ସଂଗୀନ୍‌ ମାମଲା ଥିବା ବେଳେ ରାଜଧାନୀର ବିଭିନ୍ନ ଥାନାରେ ୧୪ଟି ମାମଲା ଥିବା ପୁଲିସ କହିଛି । ଏହି ଗ୍ୟାଙ୍ଗ୍‌ ଡକାୟତି ଓ ଦାଦାବଟି ସହିତ ଚୋରା ବନ୍ଧୁକ କାରବାର ମଧ୍ୟ କରୁଥିଲେ । ଖବରପାଇ ଭୁବନେଶ୍ୱର ଡିସିପି ଅନୁପ ସାହୁ ଓ ଅନ୍ୟ ଅଧିକାରୀମାନେ ଧଉଳି ଥାନାରେ ପହଞ୍ଚି ଚିନ୍ମୟଙ୍କୁ ଜେରା କରିଥିଲେ । ତେବେ ସେମାନଙ୍କ ଠାରୁ ବନ୍ଧୁକ ଜବତ ହୋଇ ନଥିବା ଧଉଳି ଥାନା ପୁଲିସ କହିଛି ।

ବନ୍ଧୁକ ଗଲା କୁଆଡ଼େ?
ଏସ୍‌ଟିଏଫ୍‌ର ଜଣେ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗିରଫ ଚିନ୍ମୟ ଓ ତାଙ୍କ ସହଯୋଗୀମାନେ ଚୋରା ବନ୍ଧୁକ କାରବାର କରନ୍ତି । ଏସ୍‌ଟିଏଫ୍‌ର ଜଣେ କର୍ମଚାରୀ ଚିନ୍ମୟ ଗ୍ୟାଙ୍ଗ୍‌ ଠାରୁ ଚୋରା ବନ୍ଧୁକ କିଣିବା ପାଇଁ ଯୋଗାଯୋଗ କରିଥିଲେ । ଗୁରୁବାର ରାତିରେ ଏସ୍‌ଟିଏଫ୍‌ ଟିମ୍‌ ଗଙ୍ଗୁଆ ବ୍ରିଜ୍‌ ନିକଟରେ ଛକି ରହିଥିବା ବେଳେ କର୍ମଚାରୀ ଜଣଙ୍କ ଫୋନ୍‌ରେ କଥା ହୋଇ ଚିନ୍ମୟ ଗ୍ୟାଙ୍ଗ୍‌ ସଦସ୍ୟଙ୍କ ପାଖରେ ପହଞ୍ଚିଥିଲେ । ସେମାନେ ଗୋଟିଏ ବନ୍ଧୁକ ଦାମ୍‌ ୪୫ ହଜାର ଟଙ୍କା ପଡ଼ିବ ବୋଲି କହିଥିଲେ । ଏସ୍‌ଟିଏଫ୍‌ କର୍ମଚାରୀ ଟଙ୍କା ଦେବାକୁ ରାଜି ହୋଇଥିଲେ । କିନ୍ତୁ ପ୍ରଥମେ ବନ୍ଧୁକ ଦେଖିବା ପାଇଁ କହିଥିଲେ । ତେଣୁ ଗ୍ୟାଙ୍ଗ୍‌ କର୍ମଚାରୀ ଜଣଙ୍କୁ ସାଙ୍ଗରେ ନେଇ ଦୟାନଦୀ ପଠାରେ କିଛି ବାଟ ଯାଇ ବନ୍ଧୁକ ବାହାର କରି ଦେଖାଇଥିଲେ । କର୍ମଚାରୀ ଜଣଙ୍କ ଟ୍ରାଏଲ୍‌ କରିବା ପାଇଁ କହିବାରୁ ସେମାନଙ୍କ ମଧ୍ୟରୁ ଜଣେ ଏକ ବ୍ଲାଙ୍କ ଫାୟାରିଂ କରିଥିଲେ । ଯୋଜନା ମୁତାବକ ଫାୟାରିଂ ଶବ୍ଦ ଶୁଣି ଏସ୍‌ଟିଏଫ୍‌ ଆଇଆଇସି ଆଲୋକ ଜେନା ଓ ତାଙ୍କ ଟିମ୍‌ ସେଠାରେ ଚଢ଼ଉ କରି ୭ ଜଣଙ୍କୁ ଧରିବା ସହ ବନ୍ଧୁକ ଓ ଖୋକା ଜବତ କରିଥିଲେ । ବିଧାୟକ ଷ୍ଟିକର ଲଗା ଯାଇଥିବା ଏକ ବୋଲେରୋ, ଟୟୋଟା କାର୍‌, ଏକ ବାଇକ୍‌ ଓ ୯ଟି ମୋବାଇଲ୍‌ ଫୋନ୍‌ ଜବତ କରି ଧଉଳି ଥାନା ପୁଲିସ ଜିମା ଦେଇଥିଲେ । ତେବେ ବନ୍ଧୁକ ଜବତ ଘଟଣାକୁ ଧଉଳି ଥାନା ପୁଲିସ ମନା କରିବାର କାରଣ କ’ଣ ତାହା ସ୍ପଷ୍ଟ ହୋଇନାହିଁ ।

   ସମ୍ବନ୍ଧିତ ଖବର


ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣା: ସୀମାଞ୍ଚଳଙ୍କ ମୃତ୍ୟୁ ସ୍ପଷ୍ଟ, ଆସିଲା ମାଂସ ଖଣ୍ଡର DNA ରିପୋର୍ଟ

ସାରୁଅ ଜମି କେଳେଙ୍କାରୀ ମାମଲା : ସ୍ଥାନୀୟ ଲୋକଙ୍କୁ କ୍ରାଇମବ୍ରାଞ୍ଚ ୩ ଜଣିଆ ଟିମ୍‌ର ପଚରାଉଚରା

ରାଜ୍ୟରେ ୧୩ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୯୭ କୁ ବୃଦ୍ଧି

ରାଜ୍ୟରେ ଚିହ୍ନଟ ହେଲେ ୧୬୧୭ ଜଣ କରୋନା ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୭ ହଜାର ଟପିଲା

୧୯୯୯ ମହାବାତ୍ୟା @ ୨୧: ‘ମନେ ପଡିଲେ ଏବେ ବି ଛାତି ଥରି ଉଠେ ପ୍ରଳୟଙ୍କାରୀ ବାତ୍ୟାର ତାଣ୍ଡବ’

ଆଇଆରବି ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ, ଚାଲିଛି ତଦନ୍ତ