PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ମହାମାରୀରେ ଫାଇଦା ନେଉଛନ୍ତି ଅପରାଧୀ

କଟକ, ୨୬/୧ : ବିଭିନ୍ନ ଅପରାଧିକ ମାମଲାରେ ଗିରଫ ହେଉଥିବା ଅଭିଯୁକ୍ତମାନେ କୋଭିଡ୍‌ ସମୟରେ ଚକ୍‌ମା ଦେଉଛନ୍ତି । ଥଣ୍ଡା, ଜ୍ୱର, ତଣ୍ଟି ଦରଜ ଆଦି ଅସୁସ୍ଥତା ଆଳ ଦେଖାଇ ଜେଲ୍‌ ଦଣ୍ଡରୁ ଖସିବା ପାଇଁ ନାନା ବାହାନା କରୁଛନ୍ତି । ଏମିତିକି ଜେଲ୍‌ ଯିବା ପୂର୍ବରୁ ଡାକ୍ତରୀମାଇନା ସମୟରେ ଅଭିଯୁକ୍ତମାନଙ୍କର ହେଉଥିବା ଆଣ୍ଟିଜେନ୍‌ ଟେଷ୍ଟ ରିପୋର୍ଟ ନେଇ ମଧ୍ୟ ପୁଲିସ ଅଧିକାରୀମାନେ ପ୍ରଶ୍ନ ଉଠାଇଛନ୍ତି । ତେବେ ଗିରଫ ହେଉଥିବା ବିଭିନ୍ନ ଅଭିଯୁକ୍ତମାନଙ୍କର ଆଣ୍ଟିଜେନ୍‌ ଟେଷ୍ଟରେ ପଜିଟିଭ୍‌ ରିପୋର୍ଟରେ ଜାଲିଆତି ହେଉଥିବା ପୁଲିସ ବିଭାଗରେ ଚର୍ଚ୍ଚା ହେଉଛି । ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ଶରୀରରେ କୌଣସି ଲକ୍ଷଣ ନ ଥାଇ ଆଣ୍ଟିଜେନ୍‌ ଟେଷ୍ଟରେ ପଜିଟିଭ୍‌ ବାହାରୁଥିବା ଅଭିଯୁକ୍ତମାନଙ୍କୁ ଡାକ୍ତରଖାନାରେ ଆଡମିସନ୍‌ କରାଇ ସ୍ୱତନ୍ତ୍ର କ୍ୟାବିନ୍‌ ବନ୍ଦୋବସ୍ତ ଆଦି ନାନାଦି ସୁବିଧା ଡାକ୍ତରଖାନାରେ ମିଳିବା ।

ଏସ୍‌ସିବି ଡାକ୍ତରଖାନାରେ କୋଭିଡ୍‌ ସମୟରେ ଅଭିଯୁକ୍ତମାନଙ୍କର ଚିକିତ୍ସା ନ ଥାଇ ଡାକ୍ତରଖାନାରେ ଦୀର୍ଘ ଦିନ କାଳ ଆଡମିସନ୍‌ କରି ରଖିବା । ତେଣୁ ଗିରଫ ହେଉଥିବା ଅଭିଯୁକ୍ତ ଏବଂ ଜେଲ୍‌ରୁ ଆସୁଥିବା ବିଚାରାଧୀନ ବନ୍ଦୀମାନଙ୍କ ମଧ୍ୟରୁ ଯେଉଁମାନଙ୍କର ଆଣ୍ଟିଜେନ୍‌ ଟେଷ୍ଟରେ ପଜିଟିଭ୍‌ ବାହାରୁଛି ସେମାନଙ୍କର ପୁନର୍ବାର ଆର୍‌ଟିପିସିଆର ଟେଷ୍ଟ କରାଗଲେ ପ୍ରକୃତ ସତ୍ୟତା ଜଣାପଡ଼ନ୍ତା ବୋଲି କମିସନରେଟ୍‌ର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ।

ଗତବର୍ଷଠୁ ଏପରି ଜାଲିଆତି ଘଟଣା କଟକ କମିସନରେଟ୍‌ରେ ବହୁଳ ଭାବେ ଦେଖିବାକୁ ମିଳୁଛି । ଏଇ ନିକଟରେ ବାରଙ୍ଗ ଥାନା ପୁଲିସ ଦ୍ୱାରା ଗିରଫ ହୋଇଥିବା ପିଙ୍କି ପ୍ରଧାନ ଏବଂ ମଙ୍ଗଳାବାଗ ଥାନା ପୁଲିସ୍‌ ଗିରଫ କରିଥିବା ମାନସ ରଞ୍ଜନ ପଣ୍ଡା ସମେତ ନିକଟ ଅତୀତରେ ମାଲଗୋଦାମ ଥାନା, ଲାଲବାଗ ଥାନା ଏବଂ ସଦର ଥାନା ପୁଲିସ ଗିରଫ କରିଥିବା ଅଭିଯୁକ୍ତମାନଙ୍କର ଆଣ୍ଟିଜେନ୍‌ ଟେଷ୍ଟରେ କୋଭିଡ୍‌ ପଜିଟିଭ୍‌ ରିପୋର୍ଟକୁ ନେଇ ପୁଲିସ ସନ୍ଦେହ କରିଥିଲା । ଜେଲ୍‌ରେ କୋଭିଡ୍‌ ସଂକ୍ରମିତଙ୍କ ଲାଗି ସ୍ୱତନ୍ତ୍ର ଆଇସୋଲେସନ୍‌ ସୁବିଧା ଏବଂ ହସ୍ପିଟାଲରେ ଆଇସୋଲେସନ୍‌ ୱାର୍ଡ ରହିଥିଲେ ମଧ୍ୟ ଅଭିଯୁକ୍ତମାନଙ୍କର ସେପରି କୌଣସି ବିଶେଷ ସ୍ୱାସ୍ଥ୍ୟଗତ ସମସ୍ୟା ନ ଥାଇ କୋଭିଡ୍‌ ପଜିଟିଭ୍‌ଙ୍କୁ ଏସ୍‌ସିବିରେ ଆଡମିସନ୍‌ ସୁବିଧା ମିଳିବା ଏବେ ରହସ୍ୟ ଘେରରେ ରହିଛି । ଏହାପଛରେ ଏକ ର‌୍ୟାକେଟ୍‌ କାମ କରୁଥିବା ଖବର ମିଳିଛି ।

ନିକଟ ଅତୀତରେ ଚାଉଳିଆଗଞ୍ଜ ଥାନା ପୁଲିସ ଗିରଫ କରିଥିବା ଗତିରାଉତ ପାଟଣା ଅଞ୍ଚଳର ଦୁର୍ଦ୍ଦାନ୍ତ ବିକା ରାଉତର ଆଣ୍ଟିଜେନ୍‌ ଟେଷ୍ଟରେ କୋଭିଡ୍‌ ପଜିଟିଭ୍‌କୁ ନେଇ ପୁଲିସ୍‌ ଦ୍ୱନ୍ଦ୍ୱରେ ପଡ଼ିଥିଲା । ଜେଲ୍‌ଦଣ୍ଡରୁ ଦୂରେଇ ରହିବା ପାଇଁ ସେ କାରସାଦି କରି ଆଣ୍ଟିଜେନ୍‌ ପରୀକ୍ଷା କରାଇ କୋଭିଡ୍‌ ପଜିଟିଭ୍‌ ରିପୋର୍ଟ ବାହାର କରିଥିବା ଚର୍ଚ୍ଚା ହୋଇଥିଲା । ଉକ୍ତ ରିପୋର୍ଟକୁ ନେଇ ସେ ସମୟରେ ପୁଲିସ୍‌ର ସନ୍ଦେହ ହୋଇଥିଲା । ଡାକ୍ତରଖାନାରେ ଆଇସୋଲେସନ୍‌ରେ ରହିବା ମଧ୍ୟରେ ହିଁ ସେ ଅଦାଲତରୁ ଜାମିନ୍‌ ପାଇଯାଇଥିଲା । ଜେଲ୍‌ ଯିବା ପୂର୍ବରୁ ପୁଲିସ ଡାକ୍ତରଖାନାରେ କରାଉଥିବା ର‌୍ୟାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟରେ ପଜିଟିଭ୍‌ ବାହାରିବା ପୁଲିସକୁ ମଧ୍ୟ ଅଡୁଆରେ ପକାଇଛି । ଅଭିଯୁକ୍ତମାନେ ଏଇ ଅସୁସ୍ଥତା ଆଳରେ ଡାକ୍ତରଖାନାରେ ରହି ପରବର୍ତ୍ତୀ ସମୟରେ ଅଦାଲତରୁ ଜାମିନ୍‌ ପାଇଯାଉଛନ୍ତି ।

ଫଳରେ ଅପରାଧୀଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ନିଷ୍ଫଳ ହୋଇଯାଉଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଅନ୍ୟପକ୍ଷରେ ଅସୁସ୍ଥତା ଆଳରେ ଅଭିଯୁକ୍ତମାନେ ବିଭିନ୍ନ ଉପାୟରେ ଏସ୍‌ସିବି ଡାକ୍ତରଖାନାରେ ଭର୍ତ୍ତି ହୋଇ ଅୟସ ଆରାମ କରିବା ସାଧାରଣ କଥା ହୋଇଯାଇଛି । ନିକଟରେ ଗ୍ୟାଙ୍ଗ୍‌ଷ୍ଟର ହାଇଦରକୁ ମଧ୍ୟ ଏସ୍‌ସିବିରେ କ୍ୟାବିନ୍‌ ବରାଦ କରାଯାଇ ସ୍ୱତନ୍ତ୍ର ସୁବିଧାରେ ରଖାଯାଇଥିଲା । ଅତୀତରେ ଚିଟ୍‌ଫଣ୍ଡ୍‌ ଅଭିଯୁକ୍ତ ପ୍ରଦୀପ ସେଠୀ ମଧ୍ୟ ଜେଲ୍‌ ଦଣ୍ଡରୁ ଦୂରେଇ ରହିବା ପାଇଁ ଏସ୍‌ସିବି ମାନସିକ ରୋଗ ବିଭାଗରେ ସ୍ୱତନ୍ତ୍ର କ୍ୟାବିନ୍‌ରେ ଅୟସ ଆରାମ କରିବା ଘଟଣା ଲୋକଲୋଚନକୁ ଆସିଥିଲା । ବିବାଦ ବଢ଼ିବା ଆଗରୁ ଡାକ୍ତର ଅକଳରେ ପଡ଼ି ତାକୁ ଡାକ୍ତରଖାନାରୁ ଡିସଚାର୍ଜ କରିଥିଲେ । ତେବେ ଏହି ସବୁ ଘଟଣାରେ ଏସ୍‌ସିବି ଡାକ୍ତର, କିଛି କର୍ମଚାରୀ, ଜେଲ୍‌ କର୍ମଚାରୀ ଏବଂ କିଛି ପୁଲିସ କର୍ମଚାରୀଙ୍କୁ ନେଇ ର‌୍ୟାକେଟ୍‌ ଚାଲୁଥିବା ଚର୍ଚ୍ଚା ହେଉଛି ।

ସମ୍ବନ୍ଧିତ ଖବର