ଡିନାମାଇଟ୍‌ ବିସ୍ଫୋରଣ କୁମ୍ଭୀରର ପ୍ରାଣନେଲା ! ମହାନଦୀ ସାତକୋଶିଆ ଗଣ୍ଡରୁ ମଗର ମୃତଦେହ ଉଦ୍ଧାର

ବନ୍ତଳା,୨୨/୧୧: ଅନୁଗୁଳ ବ୍ଳକ୍‌ର ଟିକରପଡ଼ା ନିକଟସ୍ଥ ମହାନଦୀର ସାତକୋଶିଆ ଗଣ୍ଡରୁ ଶନିବାର ଏକ ମୃତ ମଗର କୁମ୍ଭୀର ଉଦ୍ଧାର ହୋଇଛି । ମହାନଦୀରେ ଡିନାମାଇଟ୍‌ ଫୁଟାଇ ମାଛ ମାରୁଥିବା ବେଳେ କୁମ୍ଭୀରଟି କ୍ଷତାକ୍ତ ହୋଇ ମୃତ୍ୟୁ ମୁଖରେ ପଡ଼ିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି । ସକାଳେ ମହାନଦୀରେ ଏହି ବିଶାଳ ମଗରର ମୃତଦେହ ଭାସୁଥିବା ଦେଖାଯାଇଥିଲା । ଟିକରପଡ଼ା ବନାଞ୍ଚଳ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର ପରେ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା ।

ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ରାମାସ୍ୱାମୀ ପି.ଙ୍କ କହିବା ଅନୁଯାୟୀ, ମୃତ ମଗରର ବୟସ ପ୍ରାୟ ୨୫ ବର୍ଷ ହେବ । ମହାନଦୀର ଉପର ମୁଣ୍ଡ ବିନିକେୟୀ ଅଞ୍ଚଳରୁ ମୃତଦେହ ଭାସି ଆସିଛି । ଗତ ୪୮ରୁ ୭୨ ଘଣ୍ଟା ମଧ୍ୟରେ କୁମ୍ଭୀରର ମୃତ୍ୟୁ ହୋଇଛି । ତା’ର ଶରୀର ସାରା କ୍ଷତ ଚିହ୍ନ ରହିଛି । ଏଣୁ ଡିନାମାଇଟ୍‌ ଫୁଟାଇ ମାଛ ମରାଯିବା ବେଳେ କୁମ୍ଭୀର କ୍ଷତାକ୍ତ ହୋଇ ମୃତ୍ୟୁମୁଖରେ ପଡ଼ିଥିବା ଜରାପଡ଼ିଛି । ଏଣିକି ମହାନଦୀର ଉପର ମୁଣ୍ଡରେ ପାଟ୍ରୋଲିଂ ଆହୁରି ଜୋର୍‌ଦାର କରାଯିବ ବୋଲି ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ରାମାସ୍ୱାମୀ ପି. ପ୍ରକାଶ କରିଛନ୍ତି ।

ଆଜି ସକାଳେ ସାତକୋଶିଆ ବନଖଣ୍ଡ ଟିକରପଡ଼ା ବନାଞ୍ଚଳର ବିନିକେୟୀ ଘାଟ ପଟୁ ଏକ ମଲା କୁମ୍ଭୀର ଭାସି ଆସୁଥିବା ବେଳେ ସ୍ଥାନୀୟ ଲୋକଙ୍କ ନଜରରେ ପଡ଼ିଥିଲା । ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ବନ କର୍ମଚାରୀମାନେ ବୋଟ୍‌ ସାହାଯ୍ୟରେ କୁମ୍ଭୀର ମୃତଦେହକୁ ନଦୀ ମଧ୍ୟରୁ କୂଳକୁ ଆଣିଥିଲେ । ଟିକରପଡ଼ାଠାରୁ ପ୍ରାୟ ଏକ କିଲୋମିଟର ଦୂର ଉପରମୁଣ୍ଡରେ ଥିବା ଚଣାମୁଣ୍ଡା ନାଳରେ ବିସ୍ଫୋରଣ ଦ୍ୱାରା ମାଛ ମାଡ଼ କରାଯାଉଛି । ଏହି ବିସ୍ଫୋରଣରେ ମଗର ମୃତ୍ୟୁମୁଖରେ ପଡ଼ିଥିବା ନିଶ୍ଚିତ ମନେ କରାଯାଉଛି ।