ସିଆର୍ପିଏଫ୍ ଛକରେ ଜଘନ୍ୟ ହତ୍ୟାକାଣ୍ଡ: ପଦାକୁ ଆସିଛି ବିସ୍ଫୋରକ ତଥ୍ୟ,ଚର୍ଚ୍ଚାରେ ସେକ୍ସ ଭିଡିଓ…

ଭୁବନେଶ୍ବର ୦୭/୦୩: ଭିଆଇପି କଲୋନି ଛକ, ସବୁବେଳେ ଚଳଚଞ୍ଚଳ । ନିକଟରେ ମାଳମାଳ ସରକାରୀ କାର୍ଯ୍ୟାଳୟ । ପୁଣି ବଡ଼ ବଡ଼ିଆଙ୍କ ବାସଭବନ । ରାତିଦିନ ଲାଗି ରହେ ଗହଳି । ପୁଲିସ୍ର ପାଇଁ ଏହା କଡ଼ା ସୁରକ୍ଷା ଜୋନ୍ । ନିକଟରେ ରହିଛି ସିଆର୍ପିଏଫ୍ କ୍ୟାମ୍ପସ୍ । ଯବାନମାନଙ୍କ ଏହା ଯାତାୟାତ ରାସ୍ତା । ତେଣୁ ଏଠାରେ ଲୋକମାନେ ନିଜକୁ ସୁରକ୍ଷିତ ଭାବନ୍ତି । ରାଜଧାନୀର ଅନ୍ୟ ଛକ ଓ କଲୋନି ଅପେକ୍ଷା ଏଠାରେ ଅପେକ୍ଷାକୃତ ଅପରାଧ କମ୍ ହୁଏ । ହେଲେ ଶନିବାର ଦିନ ଦ୍ୱିପ୍ରହରେ ଏଠାରେ ଘଟିଛି ଜଘନ୍ୟ କାଣ୍ଡ । ରାସ୍ତା ଉପରେ ଗାଡ଼ି ଭିତରେ ଯୁବକଙ୍କୁ ହତ୍ୟା କରିଛନ୍ତି ଦୁଇ ଭାଇ । ତାହା ପୁଣି ଜନଗହଳି ଭିତରେ । ଯାହାକି ପୁଲିସ୍ର ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି। ରାଜଧାନୀବାସୀ ଆଇନଶୃଙ୍ଖଳା ବିଗିଡ଼ି ଯାଇଥିବା ଖୋଲାଖୋଲି ଅଭିଯୋଗ କରିଛନ୍ତି ।
ଗୋରୁ ବେପାର ନେଇ ଝଗଡ଼ା
ତିନିଦିନ ତଳେ ଟୁକୁନା ଓ ୨ ଭାଇଙ୍କ ମଧ୍ୟରେ ଗୋରୁ ବେପାର କଥାକୁ ନେଇ ଝଗଡ଼ା ହୋଇଥିଲା । ସୁଧୀର ଓ ସାଗର ଗୋରୁ ବେପାର କରୁଛନ୍ତି ବୋଲି ବସ୍ତିରେ ବିଭିନ୍ନ ଲୋକଙ୍କୁ କହିଥିଲା ଟୁକୁନା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏମିତି କି ଘର ପାଖେ ୨ ଭାଇଙ୍କ ଭ୍ୟାନ୍ ପାର୍କିଂ କରିବାକୁ ମଧ୍ୟ ସେ ବିରୋଧ କରୁଥିଲେ । ହେଲେ ଏହି ଗୋରୁ ଗାଡ଼ି କଥା ପୁଲିସ୍ କିଛି ଜାଣି ନଥିବା କହିଛି । ଘଟଣା ତଦନ୍ତ ହେଲେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ବସ୍ତିବାସିନ୍ଦା କହିଛନ୍ତି ।
ଚର୍ଚ୍ଚାରେ ସେକ୍ସ ଭିଡିଓ
ଟୁକୁନା ହତ୍ୟାକାଣ୍ଡ ପଛରେ ପୂର୍ବ ଶତ୍ରୁତା ଥିବା ଡିସିପି କହିଛନ୍ତି । ତେବେ କେଉଁଭଳି ପୂର୍ବ ଶତ୍ରୁତା ସେ ବିଷୟରେ ପୁଲିସ୍ କିଛି କହିବାକୁ ମନା କରି ଦେଇଛି । ଇତିମଧ୍ୟରେ ପଦାକୁ ଆସିଛି ବିସ୍ଫୋରକ ତଥ୍ୟ । ମୃତ ଟୁକୁନାର ସମ୍ପର୍କୀୟ ଭାଇ ହତ୍ୟାକାଣ୍ଡର ଅନ୍ୟତମ କାରଣ ଥିବା କହିଛନ୍ତି । ଟୁକୁନାଙ୍କୁ ଆକ୍ରମଣ କରି ମାରିଥିବା ସୁଧୀର ପୂର୍ବରୁ ଟୁକୁନାର ଜଣେ ସମ୍ପର୍କୀୟକୁ ଭଲ ପାଉଥିଲେ । ଉଭୟଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଭିଡିଓ ସୁଧୀର ତାଙ୍କ ମୋବାଇଲ୍ରେ ସୁଟିଂ କରି ରଖିଥିଲେ । ଟୁକୁନାର ସମ୍ପର୍କୀୟଙ୍କ ବାହାଘର ପରେ ଉକ୍ତ ଭିଡିଓକୁ ସୁଧୀର ସମସ୍ତଙ୍କୁ ଦେଖାଉ ଥିଲେ । ଏହାକୁ ନେଇ ବିବାଦ ଲାଗି ରହିଥିଲା ବୋଲି ଟୁକୁନାଙ୍କ ସମ୍ପର୍କୀୟ ଭାଇ କହିଛନ୍ତି । ବିବାଦୀୟ ଭିଡିଓ ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ପୁଲିସ୍ ଉକ୍ତ ଭିଡିଓ ଦିଗରେ ତଦନ୍ତ କରିବାକୁ ସମ୍ପର୍କୀୟ ଭାଇ ଦାବି କରିଛନ୍ତି । ଏହାଛଡ଼ା ହତ୍ୟାକାଣ୍ଡରେ ସୁଧୀର ଓ ସାଗରଙ୍କ ସହ ଅନ୍ୟ ୩ ଜଣଙ୍କ ସମ୍ପୃକ୍ତି ରହିଥିବା ସେ ଅଭିଯୋଗ କରିଛନ୍ତି । ଟୁକୁନାଙ୍କ ସମ୍ପର୍କୀୟ ଭାଇଙ୍କ ଅଭିଯୋଗ ଅନୁସାରେ ୫ଜଣ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଛନ୍ତି । ହେଲେ ପୁଲିସ୍ ଏହାକୁ ଖଣ୍ଡନ କରୁଛି ।
ଲାଇଭ୍ ହତ୍ୟା ଦେଖି ତାତିଗଲେ ଲୋକେ
ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଏକ ବୋଲେରୋ ଗାଡ଼ି ଭିତରୁ ଶୁଣାଗଲା ଆର୍ତ୍ତ ଚିତ୍କାର । ରାସ୍ତାରେ ଯାଉଥିବା ଲୋକେ ଦେଖିଲାବେଳକୁ ବୋଲେରୋ ଗାଡ଼ି ସିଟ୍ ଉପରେ ବସିଥିବା ଜଣେ ଯୁବକଙ୍କ ଦେହରେ ଅନ୍ୟ ୨ ଜଣ ଯୁବକ ଛୁରି ଗେବି ଚାଲିଛନ୍ତି । ହେ ହେ… ବୋଲି ଲୋକେ ପାଟିକଲେ ମଧ୍ୟ ଆକ୍ରମଣକାରୀ ଶୁଣୁ ନଥିଲେ । ଏଭଳି ଲାଇଭ୍ ହତ୍ୟା ଦେଖି ଲୋକମାନେ ତାତିଗଲେ । ଉତ୍ତ୍ୟକ୍ତ ଲୋକ ସଂଘବଦ୍ଧ ହୋଇ ଆକ୍ରମଣକାରୀ ୨ ଯୁବକଙ୍କୁ ଭିଡ଼ି ଆଣିଲେ । ତା’ ପରେ ଆରମ୍ଭ ହୋଇଗଲା ଉତ୍ତମ ମଧ୍ୟମ ।
ପୁଲିସ୍ ନିକଟରୁ ୨ ଭାଇଙ୍କୁ ଟାଣିନେଲେ ଉତ୍ତ୍ୟକ୍ତ ଜନତା
ହତ୍ୟାକାଣ୍ଡ ସଂପୃକ୍ତ ୨ ଭାଇ ପୁଲିସ୍ ହେପାଜତରେ ଥିଲେ । କିନ୍ତୁ ଲୋକେ ପିସିଆର ଭ୍ୟାନ୍କୁ ଅଟକାଇ ପୁଲିସ ନିକଟରୁ ୨ ଭାଇଙ୍କୁ ଟେକିନେଲେ । ପୁଲିସ୍ ସମ୍ମୁଖରେ ହିଁ ମାର୍ପିଟ କଲେ । ନିସ୍ତୁକ ମାଡ଼ରେ ୨ ଭାଇ ନେହୁରା ହେଉଥିବା ବେଳେ ପୁଲିସ ସେଠାରେ ଥାଇ ବି ନିରବଦ୍ରଷ୍ଟା ସାଜିଥିଲା । ଲୋକଙ୍କ ମାଡ଼ରେ ଗୁରୁତର ୨ ଭାଇଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଭଳି ଅଭାବନୀୟ କାଣ୍ଡ ଏବେ ପୁଲିସର ନିଷ୍କ୍ରିୟତା ଉପରେ ପ୍ରଶ୍ନବାଚୀ ଉଠାଇଛି ।
ଦୋକାନ ବଜାର ବନ୍ଦ କରି ପଳାଇଲେ ବ୍ୟବସାୟୀ
ଏମିତି ଦୃଶ୍ୟ କେବେ ଦେଖିନଥିଲେ ଭିଆଇପି କଲୋନିରେ ଦୋକାନ କରିଥିବା ବ୍ୟବସାୟୀମାନେ। ୨ ଭାଇଙ୍କ କାଣ୍ଡ ଦେଖି ଭୟଭୀତ ହୋଇ ଯାଇଥିଲେ ସେମାନେ । ପୁଲିସ୍ ଆସିବା ପୂର୍ବରୁ ଦୋକାନ ବନ୍ଦ କରି ଚାଲି ଯାଇଥିଲେ । ଦେଖୁ ଦେଖୁ ଉକ୍ତ ରାସ୍ତାରେ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା । ସ୍ଥିତି ଏମିତି ହେଲା ଯେ ଉଭୟ ପଟେ ଶହ ଶହ ଗାଡ଼ି ଅଟକି ରହିଥିଲା ।
ଆକ୍ରମଣର ପ୍ରତିଶୋଧ ହତ୍ୟାରେ
ହତ୍ୟାକାଣ୍ଡ ପରେ ପୁଲିସ୍ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ ଓ ଡିସିପି ଉମାଶଙ୍କର ଦାସ ସାମ୍ବାଦିକ ସମ୍ମିଳନୀ କରିଥିଲେ । ପୁଲିସ୍ କମିଶନର କହିଲେ, ଉଭୟଙ୍କ ମଧ୍ୟରେ ଗତ କିଛିଦିନ ହେବ ତିକ୍ତତା ଲାଗି ରହୁଥିଲା । ଶନିବାର ସକାଳେ ଟୁକୁନା ପ୍ରଥମେ ପାଣିଟାଙ୍କି ନିକଟରେ ଦୁଇ ଭାଇ ସୁଧୀର ପୃଷ୍ଟି ଓ ସାଗରଙ୍କୁ ଆକ୍ରମଣ କଲା । ଦ୍ୱିତୀୟ ଥର ପୁଣି ଆକ୍ରମଣ କଲା ଭିଆଇପି କଲୋନି ନିକଟରେ । ଆତ୍ମରକ୍ଷା ପାଇଁ ଦୁଇ ଭାଇ ଟୁକୁନାକୁ ହତ୍ୟା କରିଥିବା ପୁଲିସ୍ କମିଶନର ସୂଚନା ଦେଇଛନ୍ତି । ହତ୍ୟାକାଣ୍ଡର କିଛି ସମୟ ପରେ ପୁଲିସ୍ ପହଞ୍ଚି ଦୁଇ ଜଣଙ୍କୁ ଧରି ପିସିଆର ଭ୍ୟାନ୍ରେ ବସାଇ ଥିଲା । ଉତ୍ତ୍ୟକ୍ତଲୋକ ପିସିଆର ଭ୍ୟାନ୍ ଭାଙ୍ଗି ଦୁଇ ଜଣଙ୍କୁ ଭିଡ଼ି ନେଇଥିଲେ । ଏସବୁ ଦେଖୁଥିଲା ପୁଲିସ୍ । ହେଲେ ଦମ୍ ପାଉନଥିଲା ଲୋକଙ୍କୁ ଅଟକାଇବା ପାଇଁ । ପିସିଆର ଭ୍ୟାନ୍ରେ ଥିବା କର୍ମଚାରୀ ଯଦି ଉପସ୍ଥିତ ବୁଦ୍ଧି ଖଟାଇ ଅନ୍ୟ ପୁଲିସ୍ କର୍ମଚାରୀଙ୍କୁ ତୁରନ୍ତ ଡାକିଥାନ୍ତା ତା’ହେଲେ ସ୍ଥିିତି ଏତେ ଅଣାୟତ୍ତ ହୋଇନଥାନ୍ତ
ବିଗିଡ଼ି ଗଲାଣି ଆଇନଶୃଙ୍ଖଳା
ରାଜଧାନୀରେ ବିଗିଡ଼ି ଗଲାଣି ଆଇନଶୃଙ୍ଖଳା । କିଛିଦିନ ତଳେ ସାମନ୍ତରାପୁର ଛକ ଉପରେ ଜନଗହଳି ଭିତରେ ମିଠା ବ୍ୟବସାୟୀଙ୍କୁ ସୁପାରୀ କିଲର ହତ୍ୟା କରିଥିଲେ । ଆଜି ସିଆର୍ପି ଛକରେ ଘଟିଛି ଏହାର ପୁନରାବୃତ୍ତି । ସର୍ବ ସମ୍ମୁଖରେ ସାଲିଆସାହିର ଟୁକୁନା ଦାସ ଓରଫ ଜଟିଆକୁ ହତ୍ୟା କରିଛନ୍ତି ୨ ଭାଇ ସୁଧୀର ଓ ସାଗର ।