ବଜେଟରେ ଆସିପାରେ କ୍ରିପ୍ଟୋ ବିଲ୍ , କ୍ରିପ୍ଟୋ କାରବାର ଉପରେ ଲାଗିପାରେ ଟିକସ

ନୂଆଦିଲ୍ଲୀ,୧୭/୦୧: ବର୍ତ୍ତମାନ କ୍ରିପ୍ଟୋ କରେନ୍ସି ବା ଭର୍ଚୁଆଲ କରେନ୍ସି କାରବାର ଦ୍ରୁତ ହାରରେ ବୃଦ୍ଧି ପାଉଛି । ଏହାକୁ ଭାରତ ସରକାର ଏବେ ଯାଏ ବୈଧ ମୁଦ୍ରାର ମାନ୍ୟତା ଦେଇନାହାନ୍ତି । ତେବେ ଫେବୃୟାରୀ ପହିଲାରେ ଆସିବାକୁ ଥିବା ସାଧାରଣ ବଜେଟରେ କ୍ରିପ୍ଟୋ କରେନ୍ସି କ୍ରୟ ଏବଂ ବିକ୍ରିୟ ଊପରେ ଟିଡିଏସ୍ ଏବଂ ଟିସିଏସ୍ ଭଳି ଟିକସ ଲାଗୁ ହୋଇପାରେ । ଏଥିଲାଗି ଏକ ସୀମା ମଧ୍ୟ ନିର୍ଦ୍ଧାରଣ କରାଯାଇପାରେ । ନିର୍ଦ୍ଦିଷ୍ଟ ବର୍ଗର ନେଣଦେଣ ଆଧାରରେ ଟିକସ କର୍ତ୍ତୃପକ୍ଷଙ୍କୁ ରିପୋର୍ଟିଂ କରିବାକୁ ବ୍ୟବସ୍ଥା ଆସିପାରେ ବୋଲି ବଜାର ବିଶେଷଜ୍ଞ କହିଛନ୍ତି ।
ନାଙ୍ଗିଆ ଆଣ୍ଡରସନ ଏଲ୍ଏଲ୍ପି ଟାକ୍ସ ଲିଡର ଅରବିନ୍ଦ ଶ୍ରୀଭାସ୍ତନ କହିଛନ୍ତି ଯେ, କ୍ରିପ୍ଟୋ କରେନ୍ସି ବିକ୍ରିରୁ ଆସୁଥିବା ଆୟ ଉପରେ ସର୍ବୋଚ୍ଚ ଟିକସ ହାର ୩୦% ଲଗାଇବାର ଆବଶ୍ୟକତା ରହିଛି । ଏହାବାଦ ଲଟେରୀ, ଗେମ୍ ଶୋ, ପଜଲ୍ ଭଳି କ୍ଷେତ୍ରରେ ସମାନ ଟିକସ ହାର ଲାଗୁ କରିବାକୁ ସେ କହିଛନ୍ତି । ସାରା ବିଶ୍ୱ ବଜାର କଥା ବିଚାରକୁ ନେଲେ ଭାରତରେ ସବୁଠାରୁ ଅଧିକ କ୍ରିପ୍ଟୋ ନିବେଶକ ରହିଛନ୍ତି । ଦେଶ ମଧ୍ୟରେ ୧୦ କୋଟିରୁ ଅଧିକ ଲୋକ କ୍ରିପ୍ଟୋ ଓନର ହୋଇଥିବା ବେଳେ ୨୦୩୦ ସୁଦ୍ଧା ଏହି ବ୍ୟକ୍ତି ବିଶେଷଙ୍କ ନିବେଶ ୨୪୧ ନିୟୁତ ଡଲାର ଛୁଇଁବାର ସମ୍ଭାବନା ରହିଛି ।
କ୍ରିପ୍ଟୋ କରେନ୍ସିକୁ ନିୟନ୍ତ୍ରଣ କରିବା ଲାଗି ସଂସଦର ଶୀତ ଅଧିବେଶନରେ ଏକ ବିଲ୍ ଆଣିବା ଲାଗି ସରକାର ଅଗ୍ରସର ହୋଇଥିଲେ । ମାତ୍ର ଏହି ବିଲ୍ ଆସି ପାରିଲା ନାହିଁ । ବଜେଟ ଅଧିବେଶନରେ ଏହି ବିଲ୍ ପୁଣି ଥରେ ଆସିପାରେ ବୋଲି ଆଶା କରାଯାଉଛି । ଯଦି କ୍ରିପ୍ଟୋ କରେନ୍ସି କାରବାର ଉପରେ ସରକାର କୌଣସି ପ୍ରତିବନ୍ଧକ ନ ଲଗାନ୍ତି ତେବେ ଏ କ୍ଷେତ୍ରରେ ଉଚ୍ଚ ପରିମାଣର ଟିକସ ଲାଗିପାରେ ବୋଲି ଶ୍ରୀଭାସ୍ତନ ଅନୁମାନ କରିଛନ୍ତି ।
ତେବେ କ୍ରିପ୍ଟୋ କରେନ୍ସିର ରିସ୍କକୁ ବିଚାର କରି ଟିକସ ଲାଗୁ ଯୋଜନା କରାଯାଇପାରେ । ଏହାକୁ ଷ୍ଟେଟ୍ମେଣ୍ଟ ଅଫ୍ ଫିନାନ୍ସିଆଲ ଟ୍ରାଞ୍ଜାକଶନ (ଏସ୍ଏଫ୍ଟି) ପରିସରଭୁକ୍ତ କରାଇବାକୁ ସେ ଗୁରୁତ୍ୱାରୋପ କରିଛନ୍ତି । ଶେୟାର ବିକ୍ରି ଏବଂ ୟୁନିଟ ଅଫ୍ ମ୍ୟୁଚୁଆଲ ଫଣ୍ଡ୍ କ୍ଷେତ୍ରରେ ଟ୍ରେଡିଂ କମ୍ପାନିଗୁଡ଼ିକ ଏଭଳି ରିପୋର୍ଟିଂ ନୀତି ଆପଣାଉଛନ୍ତି । ଟିକସଦାତାଙ୍କ ଉଚ୍ଚ ମୂଲ୍ୟର ନେଣଦେଣ ଉପରେ ନଜର ରଖିବା ଲାଗି ଆୟକର ବିଭାଗ ଏସ୍ଏଫ୍ଟି ଭଳି ନିୟମ ଆଣିଛନ୍ତି । ଏହି ନିୟମ ପରିସରରେ ଆର୍ôଥକ ପ୍ରତିଷ୍ଠାନ, କମ୍ପାନି ଏବଂ ଷ୍ଟକ ବଜାର ଇଣ୍ଟରମିଡିଆରୀ ରହିଛି ।
ବିଭିନ୍ନ ଲୋଭନୀୟ ଅଫର ଦେଇ କ୍ରିପ୍ଟୋ କରେନ୍ସିରେ ନିବେଶ କରିବାକୁ ବାଧ୍ୟ କରାଯାଉଥିବା ସରକାରଙ୍କ ନିଜରକୁ ଆସିଥିଲା । ଏହାକୁ ଧ୍ୟାନରେ ରଖି କ୍ରିପ୍ଟୋ କାରବାର ଉପରେ ନିୟନ୍ତ୍ରଣ ଜାରି କରିବା ଲାଗି ସଂସଦରେ ଏକ ବିଲ୍ ଆଣିବା ଲାଗି ସରକାର କହିଥିଲେ । କ୍ରିପ୍ଟୋ କାରବାର ଉପରେ ରୋକ ଲଗାଇବା ଲାଗି ଏବେ ସୁଦ୍ଧା ଭାରତରେ କୌଣସି ଆଇନ ଆସିନାହିଁ ।
ଜାନୁୟାରୀ ୩୧ରୁ ଆରମ୍ଭ ହେଉଥିବା ସଂସଦର ବଜେଟ ଅଧିବେଶନରେ ‘କ୍ରିପ୍ଟୋ କରେନ୍ସି ଆଣ୍ଡ ରେଗୁଲେଶନ ଅଫ୍ ଅଫିସିଆଲ ଡିଜିଟାଲ କରେନ୍ସି ବିଲ୍ ଆସିବ ବୋଲି ଆଶା କରାଯାଉଛି । ସେହିଭଳି କ୍ରିପ୍ଟୋକରେନ୍ସିକୁ ଟିକସ ପରିସରଭୁକ୍ତ କରାଇବା ଲାଗି ଆୟକର ଆଇନରେ ମଧ୍ୟ ସଂଶୋଧନ ଆସିପାରେ ବୋଲି କୁହାଯାଉଛି ।