ପାନୀୟ ଜଳ ଯୋଗାଣରେ ଦୁର୍ନୀତି, ବେଆଇନ୍‌ ଭାବେ ଲକ୍ଷ ଲକ୍ଷ ଟଙ୍କା ଆଦାୟ

ଖଣ୍ଡପଡ଼ା,୦୧/୧୦ : ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କୁମ୍ଭାରପଡ଼ା ପଞ୍ଚାୟତରେ ପାନୀୟ ଜଳ ଯୋଗାଣରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି । ଘରକୁ ଜଳ ସଂଯୋଗ ପ୍ରଦାନ ନିମନ୍ତେ ବେଆଇନ୍‌ ଭାବେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରାଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରି ତଦନ୍ତ ଦାବି କରିଛନ୍ତି ।


ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପମ୍ପ୍‌ ହାଉସ୍‌ରୁ କୁମ୍ଭାରପଡ଼ା ପଞ୍ଚାୟତର ବିଭିନ୍ନ ୱାର୍ଡକୁ ଷ୍ଟାଣ୍ଡ୍‌ପୋଷ୍ଟ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି । ପରବର୍ତ୍ତୀ ସମୟରେ ତତ୍କାଳୀନ ସରପଞ୍ଚମାନଙ୍କ ନିର୍ଦ୍ଦେଶ କ୍ରମେ ପଞ୍ଚାୟତ ପିଅନ ଓ ଜଳ ଯୋଗାଣ ପମ୍ପ୍‌ ହାଉସ କର୍ମଚାରୀମାନେ ପ୍ରତ୍ୟେକ ଗୃହକୁ ଜଳ ଯୋଗାଇ ଦେବା ପାଇଁ ୨ ହଜାର ଟଙ୍କା ଲେଖାଏଁ ଆଦାୟ କରି ପାନୀୟ ଜଳ ଯୋଗାଇ ଥିଲେ । ଏବେ ମଧ୍ୟ ଘରକୁ ପାଣି ସଂଯୋଗ ନେବାକୁ ଲୋକମାନେ ଦୁଇ ହଜାର ଟଙ୍କା ଜମା କରୁଛନ୍ତି । ତେବେ ପଞ୍ଚାୟତ କର୍ତ୍ତୃପକ୍ଷ କିମ୍ବା ପାନୀୟ ଜଳ ଯୋଗାଣ ବିଭାଗ ୨ହଜାର ଟଙ୍କାର କୌଣସି ରସିଦ ପ୍ରଦାନ କରୁନାହାନ୍ତି । ପଞ୍ଚାୟତ କର୍ମଚାରୀଙ୍କୁ ରସିଦ୍‌ ମାଗିଲେ ବିଭିନ୍ନ ବାହାନା କରି ରସିଦ ପ୍ରଦାନ କରୁ ନାହାନ୍ତି ।

ପରେ ଜଳ ସଂଯୋଗ ନେଇଥିବା ଉପଭୋକ୍ତାମାନଙ୍କଠାରୁ ମାସିକ ୫୦ ଟଙ୍କା ଲେଖାଏଁ ଆଦାୟ କରାଯାଇଥିଲା । ଏହାର ମଧ୍ୟ କୌଣସି ରସିଦ୍‌ ପ୍ରଦାନ କରାଯାଇନଥିଲା । ଏ ନେଇ ଉପଭୋକ୍ତାମାନେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ । କନିଷ୍ଠ ଯନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମାସିକ ଦେୟ ଆଦାୟ ବନ୍ଦ କରାଯାଇଥିଲା ।ଏ ସମ୍ପର୍କରେ ଖଣ୍ଡପଡ଼ା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଜୟନ୍ତ କୁମାର ସେଠ୍‌ଙ୍କୁ ପଚାରିବାରେ ସରକାରୀ ଭାବେ କୌଣସି ଗୃହକୁ ଜଳ ଯୋଗାଇ ଦେବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇ ନଥିବା ସୂଚନା ଦେଇଛନ୍ତି । ଅର୍ଥ ଆଦାୟ କରାଯାଉଥିବା ସମ୍ପର୍କରେ ଜାଣି ନଥିବା କନିଷ୍ଠ ଯନ୍ତ୍ରୀ ପ୍ରକାଶ କରିଛନ୍ତି ।


ସରକାରୀ ଭାବେ ପାନୀୟ ଜଳ ଯୋଗାଣ ବିଭାଗ କିମ୍ବା ପଞ୍ଚାୟତିରାଜ ବିଭାଗ କୌଣସି ଗୃହକୁ ପାନୀୟ ଜଳ ସଂଯୋଗ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇ ନଥିବା ବେଳେ କୁମ୍ଭାରପଡ଼ା ପଞ୍ଚାୟତ ଓ ପମ୍ପ୍‌ ହାଉସ୍‌ କର୍ମଚାରୀ ୧୪ଟି ୱାର୍ଡର ଜନସାଧାରଣଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ବେଆଇନ୍‌ ଭାବେ ଆଦାୟ କରୁଛନ୍ତି । ଏଭଳି ବେଆଇନ୍‌ ସଂଯୋଗ ପ୍ରଦାନ ଓ ଅର୍ଥ ଆଦାୟ ସମ୍ପର୍କରେ ପ୍ରଶାସନ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

   ସମ୍ବନ୍ଧିତ ଖବର


ଭଦ୍ରକ: ବିକ୍ଷୋଭ ବେଳେ ପୋଲିସ ଓ ବ୍ଲକ କର୍ମଚାରୀଙ୍କ ଉପରେ ଆକ୍ରମଣ

ସାଲେପୁର: ଗ୍ୟାସ ଏଜେନ୍ସିରୁ ଚୋରି

୫ ମାସ ଧରି ହେଉଥିଲେ ଦୁଷ୍କର୍ମର ଶିକାର, ସାହସ କରି ଖସି ଆସିଲେ ନାବାଳିକା, ଏବେ ଏସ୍‌ପିଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ

ସଫଳ ହେଲା ବିରଳ ଅସ୍ତ୍ରୋପ୍ରଚାର : ମହିଳାଙ୍କ ପେଟରୁ ବାହାରିଲା ଏକ ବିରାଟ ଟ୍ୟୁମର

ଦୀପାବଳି ଯାଏ ଖସିବନି ପିଆଜ ଦର ! ନୂଆ ଅମଳକୁ ଆହୁରି ମାସେ, କଷ୍ଟ କମାଇପାରେ ଆଫଗାନିସ୍ଥାନ ଆମଦାନୀ

ଜୋର୍‌ ଧରିଲା କୋଭିଡ୍‌ ରାଜନୀତି : ଓଡିଶାବାସୀଙ୍କୁ ରାଜ୍ୟ ସରକାର ନୁହେଁ, ମୋଦି ମାଗଣା ଟିକା ଦେବେ କହିଲେ ପ୍ରତାପ ଷଡ଼ଙ୍ଗୀ