ବରମୁଣ୍ଡା ଓଭରବ୍ରିଜ୍ ପାଖ ବରବାରି ନାଳରୁ କଟା ଗୋଡ଼ ଜବତ ଘଟଣା: ତଦନ୍ତରେ ବାଟବଣା ହେଉଛି ପୁଲିସ

ଭୁବନେଶ୍ୱର ୧୪/୧୧: ଖଣ୍ଡଗିରି ବରବାରି ନାଳରୁ ମଣିଷର କଟା ଗୋଡ଼ ମିଳିବା ଘଟଣାକୁ ଗୁରୁତ୍ୱ ଦେଇଛି ଖଣ୍ଡଗିରି ଥାନା ପୁଲିସ । ତେବେ କଟା ଗୋଡ଼ ବ୍ୟତୀତ ଶରୀରର ଅବଶିଷ୍ଟ ଅଙ୍ଗପ୍ରତ୍ୟଙ୍ଗ ନ ମିଳିବାରୁ ପୁଲିସ ବାଟବଣା ହୋଇଛି। ତଦନ୍ତକୁ ଆଗେଇ ପାରୁନି । ପୁରୀ ବଳିଆପଣ୍ଡା ଥାନା ପୁଲିସ ସହ ଯୋଗାଯୋଗ କରିଛି । ସିପସରୁବାଲି ଜଙ୍ଗଲରେ କଟାମୁଣ୍ଡ ଦେଖାଯିବା ଘଟଣା ଉପରେ ପଚରାଉଚରା କରିଛି । ଉଭୟ ଘଟଣାରେ କୌଣସି ଲିଙ୍କ୍‌ ଅଛି କି ନାହିଁ, ତାହାର ଅନୁସନ୍ଧାନ ଆରମ୍ଭ କରିଛି ।

ଖଣ୍ଡଗିରି ଥାନା ପୁଲିସ ଆଜି ପୁଣି ଘଟଣାସ୍ଥଳରେ ତଦନ୍ତ କରିଛି । ବରମୁଣ୍ଡା ଓଭରବ୍ରିଜ୍‌ ତଳେ ପ୍ରବାହିତ ବରବାରି ନାଳର ଉଭୟ ପାଶ୍ୱର୍ରେ ଆଉ ଥରେ ଖୋଜାଖୋଜି କରିଛି । ଏପରିକି ଖଣ୍ଡଗିରି ପାହାଡ଼ ଓ ଆଖପାଖ ଜଙ୍ଗଲ ଅଞ୍ଚଳରେ ମଧ୍ୟ ବୁଲିଛି । ମଣିଷ ଶରୀରର ଅନ୍ୟ କୌଣସି ଅଙ୍ଗପ୍ରତ୍ୟଙ୍ଗ ମିଳିବା ଆଶାରେ ପୁଲିସ ଏସବୁ ଜାଗାରେ ଖୋଜାଖୋଜି କରିଥିଲେ ମଧ୍ୟ ଖାଲି ହାତରେ ଫେରିଛି । ରାଜ୍ୟର ବିଭିନ୍ନ ଥାନାରେ ନିଖୋଜ ଓ ଅପହରଣ ହୋଇଥିବା ଯୁବକମାନଙ୍କ ସମ୍ପର୍କରେ ଏଯାଏଁ କୌଣସି ପକ୍କା ତଥ୍ୟ ପୁଲିସ ହାତରେ ଲାଗିନି । ଯାହା ପୁଲିସର ଚିନ୍ତା ବଢ଼ାଇଛି ।

କାଳେ କେହି ପୁରୀ ସିପସରୁବାଲି ଜଙ୍ଗଲରେ କୌଣସି ବ୍ୟକ୍ତିଙ୍କୁ ହତ୍ୟା କରିବା ପରେ ଅଙ୍ଗପ୍ରତ୍ୟଙ୍ଗକୁ ଖଣ୍ଡ ଖଣ୍ଡ କରି ବିଭିନ୍ନ ଅଞ୍ଚଳରେ ଫିଙ୍ଗି ଦେଇଥିବ, ସେ ଦିଗକୁ ନେଇ ପୁଲିସ ତଦନ୍ତ କରୁଛି । ଖଣ୍ଡଗିରି ଥାନାର ତଦନ୍ତକାରୀ ଅଧିକାରୀ ଆଜି ବଳିଆପଣ୍ଡା ଆଇଆଇସିଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି । ସିପସରୁବାଲି ଜଙ୍ଗଲରେ କଟା ମୁଣ୍ଡ ସମ୍ପର୍କରେ ପଚାରି ବୁଝିଛି । ଯଦି ସିପସରୁବାଲି ଜଙ୍ଗଲରେ ବଳିଆପଣ୍ଡା ପୁଲିସ ତତ୍ପରତା ଦେଖାଇ ଉକ୍ତ ମୁଣ୍ଡକୁ ଜବତ କରିଥିଲେ, ଘଟଣାରୁ ରହସ୍ୟ ହଟାଇବା ସହଜ ହୋଇଥାନ୍ତା । କଟାମୁଣ୍ଡ ଓ କଟା ଗୋଡ଼ର ଡିଏନ୍‌ଏ ଟେଷ୍ଟ ରିପୋର୍ଟରୁ କିଛି ସ୍ପଷ୍ଟ ଚିତ୍ର ମିଳି ପାରିଥାନ୍ତା ।

ସେପଟେ ଜବତ ହୋଇଥିବା କଟା ଗୋଡ଼ରୁ ନଖ ଓ ହାଡ଼ର ନମୂନାକୁ ପରୀକ୍ଷାନିରୀକ୍ଷା ପାଇଁ ରାଜ୍ୟ ଫୋରେନ୍ସିକ ପରୀକ୍ଷାଗାରକୁ ପଠାଯାଇଛି । ସେଠାରେ କଟା ଗୋଡ଼ର ଡିଏନ୍‌ଏ ଟେଷ୍ଟ ସହ ଅନ୍ୟାନ୍ୟ ପରୀକ୍ଷା କରାଯିବ । ଟେଷ୍ଟ ପରେ କଟା ହୋଇଥିବା ମଣିଷର ବୟସ ଓ ଲିଙ୍ଗ ସହ ଅନ୍ୟାନ୍ୟ ପରିଚୟ ସମ୍ପର୍କରେ ପତ୍ତା ମିଳିପାରିବ । ସୂଚନାଯୋଗ୍ୟ, ମଙ୍ଗଳବାର ଅପରାହ୍ଣରେ ବରବାରି ନାଳ କଡ଼ରେ ଜଣେ ମଣିଷର କଡାଗୋଡ଼ ପଡିଥିବା ଓୟୁଏଟି ଫାର୍ମର କର୍ମଚାରୀ ଦେଖି ପୁଲିସକୁ ଖବର ଦେଇଥିଲେ । ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାକୁ ଜବତ କରିଥିଲା । ପୁଲିସ ୨୯୬/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।  

   ସମ୍ବନ୍ଧିତ ଖବର


ଘରେ ଏକା ଥିବା ସମୟରେ କଲେଜ ଛାତ୍ରୀଙ୍କୁ ହତ୍ୟା

ବେଲଣାରେ ପିଟିପିଟି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ – ସ୍ୱାମୀ ମଦ ପିଇ ଅତ୍ୟାଚାର କରୁଥିବା ଅଭିଯୋଗ

ମରିବା ପୂର୍ବରୁ ହାତରେ ଲେଖିଦେଇଥିଲେ ହତ୍ୟାକାରୀର ଗାଡି ନମ୍ବର, ଏଭଳି ଧରିଲା ପୋଲିସ

ମଦ କାଉଣ୍ଟର ଖାଲି ଗ୍ରାହକ ବୁଝିପାରୁ ନାହାନ୍ତି ‘ଇ-ଟୋକନ୍‌’ କେମିତି ହେବ

ଅପରାଧୀକୁ ପାସ୍‌ପୋର୍ଟ ! ହୋଇଛି ମୋଟା ଅଙ୍କର କାରବାର, ତନାଘନା ଆରମ୍ଭ

ଭୁବନେଶ୍ବରରେ ଆଉ ୧୩ କରୋନା ପଜିଟିଭ ଚିହ୍ନଟ, ୫ ଜଣ ସ୍ଥାନୀୟ ସଂକ୍ରମିତ